ବିଷ ବଳୟରେ ମେଡ଼ିକାଲ ଶିକ୍ଷା, ଗାଁ’ଗଣ୍ଡାରେ ନକଲି ଡ଼ାକ୍ତର
– ପ୍ରସାଦ ରାଓ –
ଭୁବନେଶ୍ୱର,୧୭ ଜୁଲାଇ: ରୋଗ ହେଲେ ଆମେ ଭରସା କରୁ ଡାକ୍ତରଙ୍କ ଉପରେ । କହୁ, ଡ଼ାକ୍ତର ହେଉଛନ୍ତି ଭଗବାନ, ସେ ଚାହିଁଲେ ଆମେ ରୋଗ ମୁକ୍ତ ହୋଇଯିବା । ବିନା ଦ୍ୱିଧାରେ ଆମେ ପ୍ରତିଟି ଛୋଟ, ବଡ ସ୍ୱାସ୍ଥ୍ୟ ସମସ୍ୟାରେ ଡ଼ାକ୍ତରଙ୍କ ପରାମର୍ଶ ନେଇଥାଉ । ଫି’ ଯାହା ହୋଇଥାଉ ନା କାହିଁକି । ସ୍ୱଚ୍ଛଳବର୍ଗ ଯାଆନ୍ତି ନାମୀ ଦାମୀ ଡ଼ାକ୍ତର ଓ ଘରୋଇ ଚିକିତ୍ସାଳୟ ବା କ୍ଲିନିକକୁ । ଗରୀବ ଗୁରୁବା ହାତ ପାଆନ୍ତାରେ ଯିଏ ମିଳିଲା ତା’ ପାଖକୁ ଯାଇ ଚିକିତ୍ସିତ ହୁଅନ୍ତି । ରୋଗ ଉପସମ ଯେତେବେଳେ ଜରୁରୀ ସଂପୃକ୍ତ ଡ଼ାକ୍ତର ରୋଗୀ ଦେଖିବାକୁ ଉପଯୁକ୍ତ କି ନୁହଁ ପରଖୁଛି ବା କିଏ ?
ସୋମବାର ଦିନ ଏକ ଇଂରାଜୀ ଜାତୀୟ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଦୁଇଟି ରିପୋର୍ଟ ବିଚଳିତ କଲା ଭଳି । ପ୍ରଥମ ରିପୋର୍ଟରେ ଖୁଲାସା ହୋଇଛି ଦେଶରେ ମେଡ଼ିକାଲ ଶିକ୍ଷା କେତେଦୂର କଳୁଷିତ ହେଲାଣି । ଦ୍ୱିତୀୟ ରିପୋର୍ଟ ଦର୍ଶାଇଛି ଗ୍ରମାଂଚଳରେ ସ୍ୱାସ୍ଥ୍ୟ ସେବାର କରୁଣ କାହାଣୀ । ସରକାରୀ ଚିକିତ୍ସା ସୁବିଧା ଗ୍ରାମାଂଚଳରେ ଠିକ୍ ଭାବେ ପହଂଚୁ ନ ଥିବାରୁ କିଭଳି ଅଯୋଗ୍ୟ ଲୋକମାନେ ବି ନିଜକୁ ଡାକ୍ତର ସଜାଇ ନୀରିହ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ରବିବାର ଦିନ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମୃତ୍ୟୁର ଗଭୀର ଅନ୍ଧକାର ଭିତରକୁ ଠେଲି ଦେଲେ ଜଣେ ଦଶମ ପାସ୍ ନକଲି ଡ଼ାକ୍ତର । ଗ୍ରାମାଂଚଳରେ ଏଭଳି ନକଲି ଡ଼ାକ୍ତରଙ୍କ ଅଭାବ ନାହିଁ ।
ପ୍ରଥମେ ଆଲୋଚନା କରିବା ମେଡ଼ିକାଲ ଶିକ୍ଷାର ଅଧୋଗତି ସଂପର୍କରେ । ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୦ରେ ହୋଇଥିବା ଏମସିଆଇ (ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆ) ଗେଜେଟ ନୋଟିଫିକେସନ୍ ଅନୁସାରେ ଦେଶର ବିଭିନ୍ନ ମେଡ଼ିକାଲ ଶିକ୍ଷାନୁଷ୍ଠାନରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ‘ନିଟ୍’ (ଏନଆଇଆଇଟି) ଏଂଟ୍ରାନ୍ସରେ ଭାଗ ନେବା ଜରୁରୀ ହୋଇପଡିଲା । କମନ୍ ଏଂଟ୍ରାନ୍ସ ପରୀକ୍ଷା ପାଇଁ ମୂଳ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ମେଡ଼ିକାଲ ଶିକ୍ଷା ପାଇବାକୁ ହେଲେ ଛାତ୍ରଛାତ୍ରଙ୍କୁ ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜରେ ଅଲଗା ଅଲଗା ଭାବେ ଅନ୍ୟୁନ ୫୦ ପ୍ରତିଶତ ମାର୍କ ରଖିବାକୁ ପଡିବ । ପରବର୍ତର୍ୀ ସମୟରେ ୨୦୧୨ରେ ପ୍ରକାଶିତ ଅନ୍ୟ ଏକ ବିଜ୍ଞପ୍ତିରେ ଭିନ୍ନ ଭିନ୍ନ ଭାବେ ଏହି ତିନିଟି ବିଷୟରେ ଶତକଡା ୫୦ ପ୍ରତିଶତ ମାର୍କ ରଖିବା ବ୍ୟବସ୍ଥାକୁ କୋହଳ କରି ଦିଆଯାଇ ପରସେଂଟାଇଲ୍ ବ୍ୟବସ୍ଥା ଲାଗୁ କରାଗଲା । ଫଳରେ, ‘ନିଟ୍’ ଏଂଟ୍ରାନ୍ସ ପରୀକ୍ଷାରେ ଅତି ନିମ୍ନମାନର ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମଧ୍ୟ ବାର୍ଷିକ ମୋଟା ଅଂକର ଫି’ ବିନିମୟରେ ଘରୋଇ ମେଡ଼ିକାଲ କଲେଜରେ ଅବାଧରେ ଦାଖିଲା ପାଇବାରେ ସକ୍ଷମ ହୋଇଛନ୍ତି । ନିମ୍ନ ମାନର ପ୍ରଦର୍ଶନ ସତ୍ତ୍ୱେ ସେମାନଙ୍କୁ ମେଡ଼ିକାଲ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ କରାଯାଇ ଘରାଇ ମେଡ଼ିକାଲ କଲେଜ ଗୁଡିକରେ ଆଡମିସନ ମିଳି ଥିବାରୁ ସେମାନେ ପାସ୍ କରି ଚିକିତ୍ସା କ୍ଷେତ୍ରକୁ ଆସିଲେ ରୋଗୀଙ୍କୁ କିଭଳି ସେବା ଦେବ ତାହା ସହଜରେ ଅନୁମାନ କରି ହେବ ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ‘ନିଟ୍’ ଏଂଟ୍ରାନ୍ସ ପରୀକ୍ଷାରେ ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜି ପାଠ୍ୟକ୍ରମ ପାଇଁ ବିଷୟ ଭିତ୍ତିକ କଟ୍ ଅଫ୍ ମାର୍କ ବ୍ୟବସ୍ଥା ଉଠି ଯିବାରୁ ୨୦୧୭ ବର୍ଷ ଫିଜିକ୍ସ ଓ କେମେଷ୍ଟ୍ରିରେ ଏକ ଅଙ୍କ ବିଶିଷ୍ଟ (ସିଙ୍ଗଲ ଡ଼ିଜିଟ୍) ମାର୍କ ରଖି ଥିବା ଅନ୍ୟୁନ ୪୦୦ ଛାତ୍ରଛାତ୍ରୀ ଓ ‘ଶୂନ’ ବା ନେଗେଟିଭ ମାର୍କ ରଖିଥିବା ୧୧୦ ଛାତ୍ରଛାତ୍ରୀ ଏମବିବିଏସ ପାଠ୍ୟକ୍ରମରେ ଆଡମିଶନ ପାଇଛନ୍ତି । ବିଶେଷକରି, ଘରୋଇ ମେଡ଼ିକାଲ କଲେଜ ଗୁଡିକରେ ହୋଇଥିବା ଅଧାରୁ ଅଧିକ ଆଡମିସନ ଭ୍ରୁକୁଂଚନ ସୃଷ୍ଟି କଲା ଭଳି । ଉପରୋକ୍ତ ବିଷୟ ମାନଙ୍କରେ ଶୂନ ବା ନେଗେଟିଭ ମାର୍କ ରଖିଲେ ବି ଯଦି ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ ପାଠ୍ୟକ୍ରମରେ ଆଡମିସନ ମିଳି ପାରୁଛି ତେବେ ଫିଜିକ୍ସ, କେମେଷ୍ଟ୍ରି ପରୀକ୍ଷା କରାଯିବାର ଯଥାର୍ଥତା କଣ (?) ବୋଲି ଏବେ ବିଶେଷଜ୍ଞମାନେ ପ୍ରଶ୍ନ କରୁଛନ୍ତି । ୨୦୧୭ରେ ୧୯୯୦ ଛାତ୍ରଛାତ୍ରୀ ‘ନିଟ୍’ ସ୍କୋର କରି ଏମବିବିଏସ ପାଠ୍ୟକ୍ରମରେ ଦାଖିଲା ହୋଇଥିବା ବେଳେ ସେମାନେ ୭୨୦ରୁ ୧୫୦ ମାର୍କ ତଳକୁ ଥିବା ଜଣାପଡିଛି । ୫୩୦ ଛାତ୍ରଛାତ୍ରୀ ଫିଜିକ୍ସ ବା କେମେଷ୍ଟ୍ରିରେ ଅଥବା ଦୁଇଟି ଯାକ ବିଷୟରେ ‘ଶୂନ’ କିମ୍ବା ତା’ଠାରୁ କମ୍ (ନେଗେଟିଭ) ମାର୍କ ରଖିଛନ୍ତି । ୧୫୦ରୁ କିଛି ଅଧିକ ମାର୍କ ରଖି ଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଏହି ୫୩୦ ଛାତ୍ରଛାତ୍ରଙ୍କ ମଧ୍ୟରୁ ୫୦୭ ଜଣ ବିଭିନ୍ନ ଘରୋଇ ମେଡ଼ିକାଲ କଲେଜରେ ଆଡମିସନ ପାଇଛନ୍ତି । ଘରୋଇ ମେଡ଼ିକାଲ କଲେଜରେ ପାଠ ପଢିବାକୁ ବର୍ଷକୁ ଟ୍ୟୁସନ ଫି (ହଷ୍ଟେଲ୍, ମେସ୍, ଲାବବ୍ରେରୀ ଓ ଅନ୍ୟାନ୍ୟ ଫି’କୁ ଛାଡି) ବାବଦରେ ଦେବାକୁ ପଡୁଛି ପ୍ରାୟ ୧୭ ଲକ୍ଷ ଟଙ୍କା । ଏଥିରୁ ସ୍ପଷ୍ଟ ହେଉଛି, ଆର୍ଥିକ ସ୍ୱଚ୍ଛଳତା ଥିଲେ ‘ନିଟ୍’ ପରୀକ୍ଷାରେ ଅତି ନିମ୍ନ ସ୍ତରର ମାର୍କ ରଖିଲେ ବି ମୋଟା ଅଂକର ଅର୍ଥ ବିନିମୟରେ ମେଡ଼ିକାଲ ଶିକ୍ଷା ପାଇଁ ସିଟ୍ କିଣି ହେବ । ଆଡମିସନ ନେଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଡ଼ିମ୍ଡ ୟୁନିଭରସିଟି (ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ)ରେ ଦାଖିଲା ନେଇଥିବା ଜଣାପଡିଛି । କାରଣ ହେଉଛି, ଡ଼ିମ୍ଡ ୟୁନିଭରସିଟିଗୁଡିକ ନିଜର ଏମବିବିଏସ ଫାଇନାଲ ପରୀକ୍ଷା ନିଜେ ପରିଚାଳନା କରନ୍ତି । ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରେ ହିଁ ରେଜିଷ୍ଟ୍ରେସନ୍ ଓ ଡ଼ାକ୍ତରୀ ପ୍ରାକ୍ଟିସ ପାଇଁ ସୁଯୋଗ ମିଳିଯାଉଛି ।
ଉଲ୍ଲେଖନୀୟ ଯେ, ୨୦୧୦ ଏମସିଆଇ (ମେଡ଼ିକାଲ କାଉନସିଲ ଅଫ୍ ଇଂଡ଼ିଆ) ଗେଜେଟ୍ ନୋଟିଫିକେସନ ଅନୁଯାୟୀ ଏମବିବିଏସ ପାଠ୍ୟକ୍ରମରେ ଆଡମିସନ ପାଇଁ ପ୍ରତ୍ୟେକ ‘ନିଟ୍’ ପେପରରେ ସାଧାରଣବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ଓ ସଂରକ୍ଷିତବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୪୦ ପ୍ରତିଶତ ମାର୍କ ରଖିବା ଜରୁରୀ ଥିଲା । ତେବେ, ୨୦୧୨ଫେବୃୟାରୀ ଏମସିଆଇ ବିଜ୍ଞପ୍ତିରେ ସେଥିରେ ପରବର୍ତନ କରାଯାଇ ସାଧାରଣ ବର୍ଗଙ୍କ ପାଇଁ ୫୦ ପ୍ରତିଶତ ଓ ସଂରକ୍ଷିତ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ମାର୍କ ବଦଳରେ ୫୦ତମ ଓ ୪୦ତମ ପରସେଂଟାଇଲ ବ୍ୟବସ୍ଥା ଲାଗୁ କରାଗଲା । ପ୍ରତ୍ୟେକ ପେପର୍ରେ ସର୍ବନିମ୍ନ ମାର୍କ ରହିବା ବ୍ୟବସ୍ଥାକୁ ଉଚ୍ଛେଦ କରି ଦିଆଗଲା । ‘ନିଟ୍’ ଏଂଟ୍ରାନ୍ସ ମାଧ୍ୟମରେ ମେଡ଼ିକାଲ କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ପଥକୁ ସୁଗମ କରିବା ସକାଶେ ୨୦୧୬ରେ ସୁପ୍ରିମ କୋର୍ଟ ନିଜର ପୂର୍ବ ଆଦେଶରେ କେତେକ ପରିବର୍ତର୍ନ କରି ଥିବା ବେଳେ ଏମସିଆଇ ୨୦୧୨ ଗେଜେଟ୍ ବିଜ୍ଞପ୍ତିକୁ ପୁନଃ ଲାଗୁ କରି ଦେଲେ । ମେଡିକାଲ କଲେଜ ଗୁଡିକରେ ଛାତ୍ରଛାତ୍ରୀ ଗ୍ରହଣ ପାଇଁ ‘ନିଟ୍’ ଏଂଟ୍ରାନ୍ସକୁ ୨୦୧୨ରେ ଅଧିକାଂଶ ରାଜ୍ୟ ସରକାର ବିରୋଧ କରିବାରୁ ‘ନିଟ୍’କୁ ଅଧିକ ଗ୍ରହଣୀୟ କରାଇବା ସକାଶେ ଏଭଳି କୋହଳ (ପରସେଂଟେଜ୍ ବଦଳରେ ପରସେଂଟାଇଲ୍) ବ୍ୟବସ୍ଥା ଲାଗୁ କରାଗଲା ବୋଲି ୨୦୧୨ରେ ‘ନିଟ୍’ର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି । ପ୍ରଚଳିତ ବ୍ୟବସ୍ଥାରେ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଯଦି କିଛି ଗୁଣାତ୍ମକ ଅଧୋଗତି ଘଟିଛି ଏମସିଆଇ ପ୍ରତ୍ୟେକ ବିଷୟ ପାଇଁ ସର୍ବନିମ୍ନ ମାର୍କ ଧାର୍ଯ୍ୟ କରି ବିଜ୍ଞପ୍ତିରେ ସଂଶୋଧନ କରିବାରେ ଅସୁବିଧା ଥିଲା କେଉଁଠି (?) ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେବେ, ଏମସିଆଇ ଏସଂପର୍କରେ କୌଣସି ନିର୍ଦ୍ଧିଷ୍ଟ ଉତ୍ତର ନ ଦେଇ ପ୍ରଚଳିତ ବ୍ୟବସ୍ଥାରେ ୨୦୧୭ରେ ପ୍ରାୟ ୬୦ ହଜାର ମେଡିକାଲ ସିଟ୍ ପାଇଁ ୬.୫ ଲକ୍ଷ ଛାତ୍ରଛାତ୍ରୀ ‘ନିଟ୍’ ଏଂଟ୍ରାନ୍ସରେ କ୍ୱାଲିଫାଏ କରିଥିବା ଏବଂ ଏଥିରୁ ଅଧା ସିଟ୍ ଘରୋଇ ମେଡ଼ିକାଲ କଲେଜରେ ଥିବା କହିଛି । ଘରୋଇ ମେଡିକାଲ କଲେଜ ଗୁଡିକର ଫି’ ମାତ୍ରାଧିକ ଥିବାରୁ ମେରିଟ ଭିତ୍ତିରେ ଆଡମିସନ ପାଇଁ ଯୋଗ୍ୟ ବିବେଚିତ ହେଉଥିବା ଛାତ୍ରଛାତ୍ରୀମାନେ ଆଡମିସନ ନେଇ ନ ପାରି ସିଟ୍ ଛାଡୁଛନ୍ତି । ଫଳରେ, ଅତି କମ୍ ମାର୍କ ବା ଜିରୋ ମାର୍କ ରଖି ‘ନିଟ୍’ ଏଂଟ୍ରାନ୍ସରେ କ୍ୱାଲିଫାଏ କରିଥିବା ଆର୍ଥିକ ସ୍ୱଚ୍ଛଳ ପରିବାରର ପିଲାମାନେ ଚଢା ଫି’ ଦେଇ ଘରୋଇ କଲେଜରେ ଏମବିବିଏସ ସିଟ୍ କିଣି ନେଉଛନ୍ତି ବୋଲି ଏମସିଆଇ ସ୍ୱୀକାର କରୁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଆର୍ଥିକ ସ୍ୱଚ୍ଛଳ ଶ୍ରେଣୀର ପିଲାମାନଙ୍କୁ ଡ଼ାକ୍ତର କରାଇବାରେ ଏମସିଆଇ, ନିଟ୍, ଘରୋଇ ମେଡ଼ିକାଲ କଲେଜ ଓ ସରକାର ଏକ ବିଷ ବଳୟରେ ଯୋଡି ହୋଇଯାଇଛନ୍ତି । କେହି ଏଥିରେ ସୁଧାର ଆଣିବାକୁ ଚାହୁଁ ନାହାନ୍ତି ।
ଏହା ଗଲା ମେଡ଼ିକାଲ ଶିକ୍ଷାର ଅଧୋଗତି କଥା । ଏବେ ଆସିବା ପ୍ରକାଶିତ ଦ୍ୱିତୀୟ ରିପୋର୍ଟକୁ । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ଆଜି ଦିନରେ କେଉଁ ସ୍ତରରେ ପହଂଚିଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ । ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ବାଲିକଣା ଗ୍ରାମର । ଏହି ଗ୍ରାମର ମେଘନାଦ ବାରିକ ତାଙ୍କ ୧୩ ବର୍ଷର ପୁଅ ସୁବ୍ରତକୁ (ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁ ଥିଲା) ତିନି ଦିନ ହେଲା ଜ୍ୱର ଲାଗି ରହି ଥିବା ଦେଖି ଚିକିତ୍ସା ପାଇଁ ଗାଁରେ ଥିବା କ୍ଲିନିକକୁ ନେଇ ଥିଲେ । ଦୁଇ ବର୍ଷ ହେଲା ଗାଁରେ କ୍ଲିନିକ ଚାଲିଛି । ଡାକ୍ତର ବାବୁଙ୍କ ବିରାଟ ସାଇନବୋର୍ଡ ଲାଗିଛି । ସେଥିରେ ଡାକ୍ତରଙ୍କ ନାମ, ରୋଗୀ ଦେଖା ସମୟ ସହ କ୍ଲିନିକ ସଂଲଗ୍ନ ଓøଷଧ ଦୋକାନ ରହିଛି । ତେଣୁ, ସନେ୍ଦହର ଅବକାଶ ନାହିଁ । ଗ୍ରାମବାସୀ ଉପଯୁକ୍ତ ସରକାରୀ ସ୍ୱାସ୍ଥ୍ୟ ସେବା ନ ପାଇ ଚିକିତ୍ସା ପାଇଁ ଯାଇଥା’ନ୍ତି ତଥାକଥିତ ଡ଼ାକ୍ତର ଇନ୍ଦ୍ରଜିତ ବିଶ୍ୱାସଙ୍କ କ୍ଲିନିକକୁ । ମେଘନାଦ ପହଂଚିବା ପରେ ସୁବ୍ରତଙ୍କୁ ଜ୍ୱରମୁକ୍ତ କରିବାକୁ ଡ଼ାକ୍ତର ବିଶ୍ୱାସ ବାବୁ ଫୋଡିଲେ ଇଂଜେକ୍ସନଟିଏ । ଅପରାହ୍ନ ବେଳକୁ ଜ୍ୱର କମିବ କଣ, ସୁବ୍ରତ ଆରପାରିକୁ ଚାଲି ଗଲା । ମେଘନାଦ ବିବ୍ରତ ହୋଇ ତଥାକଥିତ ଡ଼ାକ୍ତର ଇନ୍ଦ୍ରଜିତଙ୍କ ନାମରେ ରାଜନଗର ଥାନରେ ଏତଲା ଦେଲେ । ପୁଲିସ ଗାଁରେ ପହଂଚି ତଦନ୍ତ କଲା । ତଦନ୍ତରୁ ଜଣାପଡିଲା, ଇନ୍ଦ୍ରଜିତ ୧୦ମ ପାସ୍ । ତାଙ୍କର କୌଣସି ମେଡ଼ିକାଲ ଡ଼ିଗ୍ରୀ ନାହିଁ ବା ଚିକିତ୍ସା କରିବା ସକାଶେ କୌଣସି ଆଇନସମ୍ମତ ସାର୍ଟିଫିକେଟ ନାହିଁ । ପାଖ ଗାଁରେ ଘର ।
ଇନ୍ଦ୍ରଜିତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଏହା କେବଳ କେନ୍ଦ୍ରପଡା ଜିଲ୍ଲା ବାଲିକଣା ଗ୍ରାମର ଚିତ୍ର ନୁହେଁ, ରାଜ୍ୟର ଅଧିକାଂଶ ଗ୍ରମାଂଚଳର ଚିତ୍ର । ଦେଶବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି । କିଏ ଆଗ ଯୋଜନା କାର୍ଯ୍ୟକାରୀ କରିବ ତାହାକୁ ନେଇ ଟଣା ଓଟରା ଓ କାଦୁଅ ଫିଙ୍ଗାଫିଙ୍ଗି ହେଉଛି । କିନ୍ତୁ, ଘର ପଛ ପଟ ମୁଗୁରା ମେଲା .. । ରାଜ୍ୟର ଗ୍ରମାଂଚଳରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ମିଳୁ ନଥିବାରୁ ନକଲି ଡ଼ାକ୍ତର ପାଦ ଜମାଇଛନ୍ତି ବୋଲି ଗାଁ ନେତାମାନେ କହୁଛନ୍ତି । ବାସ୍ତବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆମ ସ୍ୱାସ୍ଥ୍ୟ ସେବା ନେଇ କେତେ ଚିନ୍ତିତ ଏହି ଦୁଇଟି ରିପୋର୍ଟ ସ୍ପଷ୍ଟ କରୁଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS