୪ ନାବାଳକ ଲୁଟେରାଙ୍କ ସମେତ ୫ ଗିରଫ, ଲକ୍ଷାଧିକ ଟଙ୍କାର ମୋବାଇଲ, ହାତଘଂଟା ଜବତ
ବେଲଗୁଣ୍ଠାରୁ ସୁଶାନ୍ତ ମିଶ୍ରଙ୍କ ରିପୋର୍ଟ , ଅଗଷ୍ଟ ୧୦: ବଡ଼ ବଡ଼ ଚୋର, ଡ଼କାୟତ ପୁଲିସ ଭୟରେ ଛତ୍ରଭଙ୍ଗ ଦେଇଥିବା ବେଳେ କିଛି ଲୁଟେରା ଜେଲର ଚାରିକାନ୍ଥ ଭିତରେ । ତଥାପି, ଭଂଜନଗର ଉପଖଣ୍ଡ ଅଂଚଳରେ ଗୋଟିଏ ପରେ ଗୋଟିଏ ଚୋରି ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିଲା । ୪ମାସ ମଧ୍ୟରେ ୫ଟି ଥାନା ଅଂଚଳର ୬ଟି ଜାଗାରୁ ସମାନ ଢ଼ଙ୍ଗରେ ତାଲା ଭାଙ୍ଗି ଚୋରି ହେବା ଦେଖି ପୁଲିସ ଏହି ଗ୍ୟାଙ୍ଗକୁ ଧରିବା ସକାଶେ ସମସ୍ତ ଶକ୍ତି ଲଗାଇ ଥିଲା । ପୂର୍ବରୁ ଚୋରି ରେକର୍ଡ଼ ଥିବା ବହୁ ଯୁବକଙ୍କୁ ଧରି ଆଣି ତଦନ୍ତ କରୁଥିଲେ ମଧ୍ୟ ପୁଲିସ ଗ୍ୟାଙ୍ଗ୍ ର ସୁରାକ ପାଉ ନ ଥିଲା । ତେବେ, ନିକଟରେ ଶନି ନାମକ ଜଣେ ଯୁବକକୁ ପୁଲିସ ଧରିବା ପରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଧରା ପଡିଥିବା ୫ ଜଣଙ୍କ ମଧ୍ୟରୁ ଶନିର ବୟସ ୨୨ ବର୍ଷ ହୋଇ ଥିବା ବେଳେ ବାକି ଚାରି ଜଣ ହେଲେ ନାବାଳକ । ସେମାନଙ୍କ ବୟସ ୧୨ ରୁ ୧୬ବର୍ଷ ମଧ୍ୟରେ ।
ପୁଲିସ କହିବା ଅନୁଯାୟୀ, ଏହି ନାବାଳକମାନେ କେବେ ବି ପୁଲସର ସନେ୍ଦହ ଘେରରେ ନ ଥିଲେ । ଗ୍ୟାଙ୍ଗ୍ ସଦସ୍ୟମାନେ ଦିନ ବେଳେ ସାଇକେଲରେ ବିଭିନ୍ନ ଅଂଚଳ ବୁଲି ଗ୍ରାହକ ସାଜି ବିଭିନ୍ନ ଦୋକାନ ଓ ମାଲିକଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ । ଦୋକାନ ଠାରୁ ମାଲିକଙ୍କ ଘରର ଦୂରତାକୁ ପ୍ରଥମେ ଠଉରାଉ ଥିଲେ । ରାତ୍ର ୧ଟାରୁ ୩ଟା ମଧ୍ୟରେ ସେମାନେ ଦୋକାନର ତାଲା ଭାଙ୍ଗି ଚୋରି କରୁଥିଲେ । ଏହି ଗ୍ୟାଙ୍ଗ୍ ତିନି ମାସ ତଳେ ବୁଗୁଡ଼ା ଥାନା ବୋରିପଦର ଗ୍ରାମର ଜଣେ ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦାଣ୍ଡପଟୁ ତାଲା ଭାଙ୍ଗି ଘରେ ପଶି ଆଲମିରାରେ ଥିବା ଟଙ୍କା ଓ ସୁନା ଲୁଟି ନେଇଥିଲେ । ଦୁଇମାସ ତଳେ ବାଲିପଦର ଫାଣ୍ଡି ସୁନାକେରା ଗ୍ରାମରେ ସମାନ ଢ଼ଙ୍ଗରେ ଏକ ଘରୁ ଟଙ୍କା, ସୁନା ଓ କିଛି ଆସବାବପତ୍ର ଚୋରି କରିଥିଲେ । ଚାରି ମାସ ତଳେ ଭଂଜନଗର ଥାନା କୋଦଣ୍ଡା ଛକରେ ଥିବା ଏକ ଗ୍ରୋସରୀ ଦୋକାନରୁ ନଗଦ ଟଙ୍କା ସହ ଅମୂଲ, ତେଲ, ବିସ୍କେଟ, ସିଗାରେଟ୍ ପରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ଥିଲେ । ସେମାନେ ଭଂଜନଗର ଥାନା ଜାମପଲ୍ଲୀରେ ଥିବା ରାମଚଣ୍ଡି ମନ୍ଦିରରୁ ମାଆଙ୍କ ସୁନା, ରୂପା ଅଳଙ୍କାର ଏବଂ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ପଳାଉ ଥିବା ବେଳେ ପୁଲିସ୍ ପାଟ୍ରୋଲିଂକୁ ଦେଖି କିଛି ଅଳଙ୍କାର ଫୋପାଡ଼ି ଦେଇ ଥିଲେ । ଗତ ଏକ ମାସ ତଳେ ଗାଙ୍ଗପୁର ଥାନା ଗୋବରାର ଜଣକ ଘରେ ପଶି ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ସହ କିଛି ଦାମି ଶାଢ଼ୀ ଚୋରି କରି ଥିଲେ । ବିଭିନ୍ନ ଥାନାରେ ଚୋରି ମାମଲା ରୁଜୁ ହୋଇ ଥିଲେ ମଧ୍ୟ ପୁଲିସ୍ ଗ୍ୟାଙ୍ଗ୍ ର ଟେର ପାଉ ନ ଥିଲା ।
ଗତ ୩ତାରିଖ ରାତି ଗୋଟାଏରୁ ୩ଟା ମଧ୍ୟରେ ସେମାନେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଙ୍କବଜାର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଭି. ସନ୍ତୋଷ ପାତ୍ରଙ୍କ ଓମ୍ ସାଇନାଥ ମୋବାଇଲ ଦୋକାନ ତାଲା ଭାଙ୍ଗି ୧୫ରୁ ୨୦ ମୋବାଇଲ ଓ ପ୍ରାୟ ୧୦ ହଜାର ଟଙ୍କା ନେଇ ପଳାଉ ଥିବା ବେଳେ ଭଂଜନଗରରେ ପୁଲିସ ପାଟ୍ରୋଲିଂ ଚାଲି ଥିବା ଦେଖି କେତେକ ମୋବାଇଲ ଓ ଗୋଟିଏ ସାଇକେଲ ଛାଡ଼ି ଡ଼ିଆଁ ମାରି ଥିଲେ । ଚୋର ଦଳ ସାଇକେଲରେ ଆସି ଚୋରି କରୁଥିବା ଏବଂ ଭଂଜନଗର ସହରର ହୋଇଥିବା ପୋଲିସ୍ ଅନୁମାନ ଲଗାି ଥିଲେ । ଭଂଜନଗର ଏସଡ଼ିପିଓ ଉକôଳ କେଶରୀ ଦାଶଙ୍କ ନିର୍ଦେଶ ପ୍ରକାରେ ଭଂଜନଗର ଥାନା ଅଧିକାରୀ ବିଶ୍ୱଜ୍ ରାଉତରାୟ ଓ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲଙ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇ ଚୋର ଗ୍ୟାଙ୍ଗ୍ କୁ ଧରିବା ଉଦ୍ୟମ ଆରମ୍ଭ ହୋଇଥିଲା । ଭଂଜନଗର ଶଙ୍ଖ ସାହିରେ କିଛି ନୂଆ ମୋବାଇଲ ବିକ୍ରି ପାଇଁ ଜଣେ ଯୁବକ ପଚାରୁ ଥିବା ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ମଲ୍ଲ ଗ୍ରାହକ ସାଜି ମୋବାଇଲ କିଣିବା ବାହାନାରେ ଏହି ଗ୍ୟାଙ୍ଗ୍ ର ମୁଖ୍ୟ ଶନି ଓରଫ ଶିଶିର ନାଇକଙ୍କ ଘରେ ପହଂଚି ଥିଲେ । ଶନି ଗ୍ରାହକ ଭାବି ତାଙ୍କୁ ଗୋଟିଏ ପରେ ଗୋଟିଏ ମୋବାଇଲ ଦେଖାଇ ଥିଲା । ମୋବାଇଲଗୁଡିକ ବେଲଗୁଣ୍ଠାରୁ ଚୋରି ହୋଇଥିବା ସ୍ପଷ୍ଟ ହେବା ପରେ ପୁଲିସ ଶନିକୁ ମାଡ଼ି ବସି ଥିଲେ । ଶନିକୁ ଜେରା କରିବା ପରେ ପୁଲିସ ଗ୍ୟାଙ୍ଗ୍ ସହ ସଂପୃକ୍ତ ଚାରି ଜଣ ନାବାଳକଙ୍କୁ ଗିରଫ କରିଥିଲା । ଏହି ନାବାଳକମାନଙ୍କୁ ଜେରା କରିବାରୁ ପୁଲିସର ହୋସ୍ ଉଡ଼ିଯାଇଥିଲା ।
ଏହି ଗ୍ୟାଙ୍ଗ୍ ନିକଟରୁ ୧୨ଟି ମୋବାଇଲ ଫୋନ୍, ନଗଦ ୭ହଜାର ଟଙ୍କା, ଦୁଇଟି ହାତ ଘଂଟା, ଗୋଟିଏ ମୁଖା, ଲୁଟ ବେଳେ ମୁହଁରେ ଗୁଡ଼ାଉ ଥିବା ଦୁଇଟି ଗାମୁଛା, ଚାବି ଭାଙ୍ଗିବାରେ ବ୍ୟବହାର କରୁଥିବା ଦୁଇଟି ଲୁହା ରଡ଼, ଲୁହା କଟର୍ ମେସିନ୍ ଓ ୩ଟି ସାଇକେଲ ଜବତ କରଯାଇଛି । ବାଲିପଦର, ବୁଗୁଡ଼ା, ଭଂଜନଗର ଓ ଗାଙ୍ଗପୁର ଥାନା ଅଧିକାରୀ ମାନେ ଆସି ସେମାନଙ୍କୁ ଜେରା କରିବା ପରେ ସେହି ଅଂଚଳର ବିଭିନ୍ନ ମାମଲାରେ ସେମାନେ ଜଡ଼ିତ ଥିବା ସ୍ୱୀକାର କରିଛନ୍ତି । ଏ ନେଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ମଲ୍ଲ ୨୫୮/୧୮ରେ ଏକ ମାମଲା ରୁଜୁ କରି ୪୫୭, ୩୮୦, ୩୪ ଆଇ.ପି.ସି.ରେ ୪ଜଣ ନାବାଳକଙ୍କୁ ବ୍ରହ୍ମପୁରରେ ଥିବା ଜୁଭେନାଇଲ କୋର୍ଟକୁ ପଠାଇ ଥିବା ବେଳେ ଗ୍ୟାଙ୍ଗ୍ ଲିଡ଼ର୍ ଶନିକୁ ଭଂଜନଗର କୋର୍ଟ ଚାଲଣ କରିଛନ୍ତି । ଜବତ ହୋଇଥିବା ମୋବାଇଲ ଓ ଟଙ୍କା ସଂପୃକ୍ତ ମୋବାଇଲ ଦୋକାନ ମାଲିକ ଭି.ସନ୍ତୋଷ ପାତ୍ରଙ୍କୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି। ନାବାଳକଙ୍କ ମଧ୍ୟରୁ ତିନି ଜଣଙ୍କ ଘର ଭଂଜନଗର ଶଙ୍ଖ ସାହି ହୋଇଥିବା ବେଳେ ଜଣକ ଘର ଭଂଜନଗର ନାହାତୋଟା ସାହିରେ ବୋଲି ପୁଲିସ କହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS