କେରଳ ପରିସ୍ଥିତିକୁ ‘ଜାତୀୟ ବିପତ୍ତି’ ଘୋଷଣା କରିବାରେ ଅସୁବିଧା ରହିଲା କେଉଁଠି ?
ଭୁବନେଶ୍ୱର, ଅଗଷ୍ଟ ୨୦(ପ୍ରସାଦ ରାଓ): ଦୁଇ ସପ୍ତାହରୁ ଅଧିକ ଦିନ ଧରି ବାଦଲ ଫଟା ବର୍ଷା ଓ ବନ୍ୟା ବ୍ୟୁପ୍ତାତ ଲାଗି ରହିବା ଯୋଗୁ ଦକ୍ଷିଣୀ ରାଜ୍ୟ କେରଳରେ ପରିସ୍ଥିତି ଉଦବେଗଜନକ ରହିଛି । ସେଠାରେ ସୃଷ୍ଟି ହୋଇଥିବା ଅଭବନୀୟ ପରିସ୍ଥିତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶୀ ରାଷ୍ଟ୍ରରୁ ସହାୟତାର ସୁଅ ଛୁଟି ଥିବା ବେଳେ କେନ୍ଦ୍ର ସରକାର ପ୍ରଥମେ ୧୦୦ କୋଟି ଓ ପରେ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରି ନିଜ ଦାୟିତ୍ୱ ସାରି ଦେଲା ଭଳି ମନେ ହେଉଛି । ରାଜ୍ୟର ୭ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଔଷଧ ପାଇଁ ହାହାକାର କରୁଥିବା ବେଳେ କେନ୍ଦ୍ରୀୟ ସହାୟତା ସମୁଦ୍ରକୁ ଶଂଖେ ସଦୃଶ ହୋଇଛି । ପୀଡିତ ଲୋକମାନେ ରାଜ୍ୟର ବିଭିନ୍ନ ଅଂଚଳରେ ଖୋଲା ଯାଇଥିବା ତିନି ହଜାରରୁ ଅଧିକ ଆଶ୍ରୟସ୍ତଳୀରେ ଭୋକ ଉପାସରେ ପହି ରହି ବିଶୁଦ୍ଧ ପାନୀୟ ଜଳ, ଖାଦ୍ୟ ଓ ଔଷଧ ପାଇଁ ସରକାରଙ୍କ ମୁହଁକୁ ଚାହିଁଛନ୍ତି ।
କେରଳରେ ଦୁଇ ଦିନ ହେଲା ବର୍ଷାର ପରିମାଣ କମି ଥିବା ଆଶ୍ୱସ୍ତିକର ହୋଇଥିଲେ ମଧ୍ୟ ବର୍ତମାନ ଲୋକଙ୍କର ମୁଖ୍ୟ ଆବଶ୍ୟକତା ହେଉଛି ବିଶୁଦ୍ଧ ପାଣି, ପେଟକୁ ଖାଦ୍ୟ ଓ ଔଷଧ ବୋଲି ଉଦ୍ଧାରକାରୀ ଦଳମାନେ ମଧ୍ୟ ସୂଚନା ଦେଇଛନ୍ତି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଯାଇଥିବା ଉଦ୍ଧାରକାରୀ ଦଳ ବନ୍ୟା ଘେରରେ ଥିବା ଲୋକମାନଙ୍କୁ ସହାୟତା କାର୍ଯ୍ୟରେ ଲାଗି ଥିବା ବେଳେ ଦେଶର ଜଳ, ସ୍ଥଳ ଓ ଆକାଶ ବାହିନୀ, କୋଷ୍ଟଗାର୍ଡ ଏବଂ ଏନଡ଼ିଆରଏଫ୍ ଟିମ୍ ପକ୍ଷରୁ ସେଠାରେ ଚାଲି ଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସବୁ ମହଲରୁ ପ୍ରଶଂସା ସାଉଁଟିଛି । ୩୮ଟି ହେଲିକପଟର, ୨୦ଟି ବିମାନ ଓ ୩୨୦ଟି ବୋଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଦୁଇ ଦିନ ହେଲା ବର୍ଷାର ପରିମାଣ ହ୍ରାସ ପାଇବା ପରେ କେରଳବାସୀ ଆଶ୍ରୟସ୍ଥଳୀରୁ ବାହାରୁ ଥିବା ରବିବାର ରାତି ସୁଦ୍ଧା ମିଳିଥିବା ଖବରରୁ ଜଣାପଡିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶ ମାର୍ଗରୁ ବନ୍ୟାପୀଡିତ କେରଳବାସୀଙ୍କ ଦୟନୀୟ ସ୍ଥିତି ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ହେଲିକପଟର ଯୋଗେ ସେଠାକାର ପରିସ୍ଥିତି ଆକଳନ କରିଛନ୍ତି। ଲକ୍ଷାଧିକ ଲୋକ ବାସହୀନ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇ ଥିବା ଏବଂ ସେମାନଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ, ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯିବାର ଆବଶ୍ୟକ ଥିବା ଅଧିକାରୀମାନେ ତାଙ୍କୁ ମଧ୍ୟ ଜଣାଇଛନ୍ତି । କେନ୍ଦ୍ର ସରକାର କେରଳର ବର୍ତର୍ମାନର ପରିସ୍ଥିତିକୁ ‘ଜାତୀୟ ବିପତ୍ତି’ ଭାବେ ଘୋଷଣା କଲେ ରାଜ୍ୟ ସରକାର ଚାପମୁକ୍ତ ହୁଅନ୍ତେ । କିନ୍ତୁ, କେନ୍ଦ୍ର ସେ ଦିଗରେ କୌଣସି ସବୁଜସଂକେତ ଦେଉ ନ ଥିବାରୁ ରାଜ୍ୟ ସରକାର ଚାପଗ୍ରସ୍ତ ରହିଛନ୍ତି । ମୋଦୀ ସରକାରଙ୍କ ନୀରବତା ଦେଶବାସୀଙ୍କୁ ଆଚମ୍ବିତ କରିବା ସହ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶରବ୍ୟ ହେଲାଣି ।
ଦୁଇ ସପ୍ତାହ ଧରି ରାଜ୍ୟରେ ଚାଲି ଥିବା ପ୍ରଳୟଙ୍କରୀ ବର୍ଷା ଓ ବନ୍ୟାରେ ୧୪ଟି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହେବା ସହ ବିପୁଳ ପରିମାଣର କ୍ଷତିଗ୍ରସ୍ତ ଘଟି ଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି । ବନ୍ୟା ପ୍ଲାବିତ ଅଂଚଳରୁ ଉଦ୍ଧାର କରାଯାଇଥିବା ୭ ଲକ୍ଷ ୨୪ ହଜାର ୬୪୯ ଲୋକଙ୍କୁ ୫, ୬୪୫ଟି ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇ ଥିବା କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ରବିବାର ଦିନ ସୂଚନା ଦେଇଛନ୍ତି । ବନ୍ୟା ଉପଦୃତ ଅଂଚଳରେ ଫସି ରହି ଥିବା ଅନ୍ୟମାନଙ୍କୁ ଅତିଶିଘ୍ର ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି । ଏର୍ଣ୍ଣାକୁଲମ ଜିଲ୍ଲାରୁ ରବିବାର ସୁଦ୍ଧା ୫୮, ୮୭୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୋମବାର ସୁଦ୍ଧା ବନ୍ୟା ଜଳରେ ଫସି ରହିଥିବା ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ବର୍ଷା ଯୋଗୁ ସୋମବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ବନ୍ଦ ରଖାଯାଇଛି । ୫୦,୦୦୦ ଖାଦ୍ୟ ପୁଡିଆ ହେଲକପଟର ସହାୟତାରେ ଏବଂ ୯୭,୦୦୦ ଖାଦ୍ୟ ପୁଡିଆ ସଡକ ପଥରେ ବନ୍ୟା ଉପଦୃତ ଅଂଚଳରେ ପହଂଚା ଯାଇଥିବା ରବିବାର ହୋଇଥିବା ସମୀକ୍ଷା ବୈଠକରେ ଏର୍ଣ୍ଣାକୁଲମ ଜିଲ୍ଲାପାଳ କେ. ମହମ୍ମଦ ୱାଇ ସଫିରୁଲ୍ଲା କହିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରସମନ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବନ୍ୟା ବିଧ୍ୱସ୍ତ କେରଳର ୧୪ଟି ଜିଲ୍ଲାର ୬.୩୩ ଲକ୍ଷ ଲୋକ ୩ ହଜାର ଆଶ୍ରୟ ସ୍ଥଳୀରେ ଆଶ୍ରା ନେଇଛନ୍ତି । ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକ ମଧ୍ୟ ଆଉ ୩୮ ହଜାର ଲୋକଙ୍କୁ ଉଦ୍ଧାର କରିଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ।
ବିଗତ ୧୦୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ଭୟଙ୍କର ବନ୍ୟା ବୋଲି ସମସ୍ତେ ସ୍ୱୀକାର କରୁଥିବା ବେଳେ ଏହାକୁ ‘ଜାତୀୟ ବିପତ୍ତି’ ଘୋଷଣା କରିବାରେ ଅସୁବିଧା ରହିଲା କେଉଁଠି ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି । ଏହି ବର୍ଷା ଓ ବନ୍ୟା ବ୍ୟୁପ୍ତାତରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବନ୍ୟା ପ୍ରପିଡିତ ଅଂଚଳରେ ଝାଡାବାନ୍ତି ବ୍ୟାପୁ ଥିବା ଖବର ମିଳୁ ଥିବାରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ନ ହେଲେ ଆହୁରି ଅନେକ ମୃତୃୁ ଘଟିବାର ଆଶଙ୍କା ରହିଛି । ତେଣୁ, ଆଶ୍ରୟସ୍ଥଳୀମାନଙ୍କରେ ଆଶ୍ରୟ ନେଇ ଥିବା ଲୋକଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ, ଖାଦ୍ୟ ଓ ଔଷଧ ଯୋଗାଇ ଦିଆ ଯିବା ଜରୁରୀ ବୋଲି ଉଦ୍ଧାରକାରୀ ଦଳମାନେ ସରକାରଙ୍କ ଦୃଷ୍ଟିକୁ ଆଣିଛନ୍ତି । କେରଳରେ ବାମପନ୍ଥୀ ସରକାର ଥିବାରୁ କେନ୍ଦ୍ର ସରକାର ପରିସ୍ଥିତିକୁ ଯେଭଳି ଗୁରୁତ୍ୱ ଦେବା କଥା ଦେଉ ନାହାନ୍ତି ଏବଂ ପରିସ୍ଥିତିରୁ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ବୋଲି ବାମପନ୍ଥୀଙ୍କ ଆଡୁ ଅଭିଯୋଗ ହେଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅସ୍ୱୀକାର କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ଆଡୁ ମିଳିତ ଭାବେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଠିକ ବାଟରେ ଚାଲିଛି ବୋଲି ଏନଡ଼ିଆରଏଫ ପକ୍ଷରୁ କୁହାଯାଇଛି।
କେରଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତିକୁ ‘ଜାତୀୟ ବିପତ୍ତି’ ଭାବେ ଘୋଷଣା କରା ଗଲେ କେନ୍ଦ୍ର ସରକାରଙ୍କ ସହାୟତାରେ ପରିସ୍ଥିତିର ମୁକାବିଲା କରିବା ଅଧିକ ସହଜ ହେବ ବୋଲି ରାଜ୍ୟ ସରକାର ମଧ୍ୟ ଅନୁଭବ କରୁଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ କେରଳରେ ଉପୁଜି ଥିବା ପରିସ୍ଥିତିକୁ ‘ଜାତୀୟ ବିପତ୍ତି’ ଭାବେ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ନରେନ୍ଦ୍ର ମୋଦୀଙ୍କ ସରକାରକୁ ଅଡୁଆରେ ପକାଇଛନ୍ତି । କେରଳ ସରକାରଙ୍କ ପ୍ରାଥମିକ ଭାବେ କରିଥିବା ଅଟକଳରୁ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ଓ ବର୍ଷା ବ୍ୟୁପ୍ତାତରେ ୨୫,୦୦୦ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ରାଜ୍ୟରେ ୧୦ ହଜାର କିମି ରାସ୍ତା ଧୋଇ ଯିବା ସହ ଅନ୍ୟାନ୍ୟ କ୍ଷୟକ୍ଷତି ଘଟିଛି । କେନ୍ଦ୍ର ସରକାର ତୁରନ୍ତ ୨୫୦୦ କୋଟି ଟଙ୍କା ସହାୟତା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସକାଶେ ଅଧିକ ସଂଖ୍ୟକ ହେଲିକପଟର ଯୋଗାଇ ଦେବାକୁ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ଅନୁରୋଧ କରିଥିବା ଜଣାପଡିଛି ।
ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ପୂର୍ବରୁ ୫ କୋଟି ଟଙ୍କା ସହାୟତା ମଂଜୁର କରିଥିବା ବେଳେ ପରେ ଆଉ ୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି । କେରଳକୁ ୫୦୦ ମେଟ୍ରିକ ଟନ୍ ପଲିଥିନ୍ ସିଟ୍ (୮ କୋଟି ଟଙ୍କା ମୂଲ୍ୟର) ପଠାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ବର୍ତର୍ମାନ କେରଳ ସରକାର ଯେଭଳି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସେହି ଧରଣର ଅଭିଜ୍ଞତା ପୂର୍ବରୁ ଓଡ଼ିଶାର ମଧ୍ୟ ରହିଛି । ତେଣୁ, ଓଡ଼ିଶା ସରକାର ପରିସ୍ଥିତିର ମୁକାବିଲା ପାଇଁ କେରଳକୁ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଥିବା ପ୍ରକାଶ । କେରଳରେ ବର୍ଷା ଓ ବନ୍ୟା ପୀଡିତଙ୍କ ଉଦ୍ଧାର ପାଇଁ ଓଡ଼ିଶା ସରକାର ୬୫ଟି ବୋଟ ସମେତ ୨୪୫ ଜଣ ପ୍ରଶିକ୍ଷିତ ଫାୟାର ଫାଇଟିରଙ୍କ ଏକ ଟମ୍ କୁ କେରଳ ପଠାଇଛନ୍ତି । ତାହା ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହାୟତାକୁ ମନେ ପକାଇ ଦେଉଛି । କେରଳକୁ ଅନ୍ୟ ରାଜ୍ୟମାନେ ମଧ୍ୟ ଯଥାସମ୍ଭବ ସହାୟତାର ହାତ ବଢାଇଛନ୍ତି । ବର୍ତର୍ମାନ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପରବର୍ତୀ ପଦକ୍ଷେପ କଣ ହେବ, ତାହା ଦେଖିବାକୁ ଦେଶବାସୀ ଅପେକ୍ଷା କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS