ବିଧବା ଭତ୍ତା ଓ ଅନ୍ୟାନ୍ୟ ଦାବିରେ ସ୍ମାରକପତ୍ର ପ୍ରଦାନ
ରାଉରକେଲା,୧୭ ଅକ୍ଟୋବର: ବିଧବା ମା’ମାନଙ୍କ ସମସ୍ୟାକୁ ନେଇ ‘ଆଶା କିରନ’ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଛଅ ଦଫା ସମ୍ବଳିତ ଦାବିପତ୍ର ରାଉରକେଲାସ୍ଥିତ ଅତିରିକ୍ତ ଜିଲ୍ଲାପାଳ, ଆରଏମସି କମିସନର ଓ ବିଧାୟକଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗଠନର ଏକ ୧୪ ଜଣିଆ ପ୍ରତିନିଧି ମଂଡଳ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସହକାରୀ ଜିଲ୍ଲାପାଳ ନିଭାରାଣୀ ଭଟ୍ଟାଚାର୍ଯ୍ୟଙ୍କୁ ସାକ୍ଷାତ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଏହାର ଏକକିତା ନକଲ ରାଉରକେଲା ମୁନସିପାଲ୍ କର୍ପୋରେସନର କମିସନର ରଶ୍ମିତା ପଣ୍ଡାଙ୍କୁ ଭେଟି ଆଲୋଚନା କରାଯିବା ସହ ହସ୍ତାନ୍ତର କରାଯାଇଛି । ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ କାର୍ଯ୍ୟାଳୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ଦାବିପତ୍ରର ନକଲ ପ୍ରଦାନ କରାଯାଇଛି । ଏଥିରେ ବିଧବା ମା’ମାନଙ୍କ ମାସିକ ଭତ୍ତା ୩୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି, ବ୍ୟାଙ୍କ ପାସ୍ ବୁକ୍ ମାଧ୍ୟମରେ ଭତ୍ତା ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନାରେ ସାମିଲ, ବିଧବା ମା’ମାନଙ୍କ ଯୁକ୍ତ ଦୁଇ ଯାଏଁ ପାଠ ପଢ଼ୁଥିବା ସନ୍ତାନମାନଙ୍କୁ ଛାତ୍ରବୃତି ପ୍ରଦାନ ଓ ଅବିବାହିତ ଝିଅମାନଙ୍କୁ ବିବାହ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା ଓ ଜୀବନ ବୀମାର ସୁବିଧା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଗାମୀ ଦିନରେ ଏହି ସମସ୍ୟା ସଂପର୍କରେ ସାଂସଦଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ପ୍ରତିନିଧି ମଂଡଳ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ‘ଆଶା କିରନ’ର ସଭାପତି ଲତା ନାଗ ନେତୃତ୍ୱ ନେଇଥିବା ବେଳେ ପ୍ରତିନିଧି ମଂଡଳରେ ବାଲା ରାଓ, ଅନିତା ପଟ୍ଟନାୟକ, ବବିତା ମଂଡଲ, ରେଶମା ଦେବୀ, ରାଜେଶ୍ୱରୀ କୁଳ୍ଲା, ବର୍ଷା ଦେବୀ ପ୍ରମୁଖ ସହ ସିଡବ୍ଲ୍ୟୁଏସର ଆନିମେଟର ବନିତା ଜେନା, ସୌଭଗିନୀ ମହାନ୍ତି, ସିଷ୍ଟର କୁମୁଦୁନୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS