“ପୁସ୍ତକର ଭବିଷ୍ୟତ” ନେଇ ଆଲୋଚନାଚକ୍ର ଅନୁଷ୍ଠିତ
ରାଉରକେଲା, ଜାନୁୟାରୀ ୦୩ (ମୋଅନୁଭବ.କମ୍): ସଂପ୍ରତି ସାହିତ୍ୟ ଓ ପୁସ୍ତକ ପଠନ ପ୍ରତି ଯୁବ ବର୍ଗଙ୍କ ଆଗ୍ରହ କମୁଥିବା ବେଳେ ପୁସ୍ତକର ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଅନେକ କ୍ଷେତ୍ରରେ ସାହିତ୍ୟ ବାସ୍ତବଧର୍ମୀ ହେଇ ନ ପାରିବା, ଅଙ୍ଗୀକାରବଦ୍ଧତା ନ ରହିବା ଓ ଜ୍ଞାନକୌଶଳର ବିକାଶ ଯୋଗୁଁ ସାହିତ୍ୟ ତାହାର ସତ୍ତା ହରାଉ ଥିଲେ ମଧ୍ୟ ଏହାର ଭବିଷ୍ୟତ ଉଜ୍ୱଳ ବୋଲି କହିଛନ୍ତି ବିଶିଷ୍ଟ ସାହିତିକ ପ୍ରଫେସର ଡ. ଦେବେନ୍ଦ୍ର ଦାସ ।
କଲଚୁରାଲ ଏକାଡେମୀର ସାଂଧ୍ୟ ସାହିତ୍ୟ ଆଲୋଚନାଚକ୍ରରେ “ପୁସ୍ତକର ଭବିଷ୍ୟତ” ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ.ଦାସ ନିଜ ବକ୍ତବ୍ୟ ରଖିବା ସହ ଲିପ,ି ସାହିତ୍ୟ ଓ ପୁସ୍ତକର କ୍ରମବିକାଶର ବହୁ ଐତିହାସିକ ତଥ୍ୟ ଉପରେ ଆଲୋଚନା କରିଥିଲେ । ପୁସ୍ତକ କିପରି ଯୁଗେଯୁଗେ ଶାସକ, ପ୍ରତିବେଶୀ , ଜାତି ଓ ଧର୍ମ ଦ୍ୱାରା ପ୍ରଭାବିତ ହୋଇଛି ସେ ସଂପର୍କରେ ସେ କହି ଥିଲେ । ସାଂପ୍ରତିକ ସମୟର ଇ-ପୁସ୍ତକର ଅବତାରଣା କରିବା ସହ ଜ୍ଞାନକୌଶଳର ଅଭିବୃଦ୍ଧି ଓ ପୁସ୍ତକର କ୍ରମବିକାଶ ଉପରେ ସେ ନିଜ ମତ ରଖି ଥିଲେ । ଇ-ପୁସ୍ତକ ମାଧ୍ୟମରେ ପୁସ୍ତକର ସଂରକ୍ଷଣ ଓ ସହଜଲଭ୍ୟତା ସଂଭବ ଏବଂ ଅନାବଶ୍ୟକ ପୁସ୍ତକର ବୃଦ୍ଧି ଯୋଗୁଁ କାଗଜର ଦୂରୂପଯୋଗକୁ ଇ-ପୁସ୍ତକ ମାଧ୍ୟମରେ ସାମନା କରାଯାଇ ପାରିବ ବୋଲି ଡ. ଦାସ କହିଥିଲେ । ରାଉରକେଲା ସହରର ସାହିତି୍ୟକ ପରିବେଶ କଥା ଉଳ୍ଲେଖ କରି ସେ କହିଲେ ଯେ, ରାଉରକେଲାରୁ ହିଁ ୨୦୦୭ ମସିହାରେ ପ୍ରଥମ କରି ଓଡିଶାର ଇ-ପୁସ୍ତକର ପରିକଳ୍ପନା କରାଯାଇଥିଲା ।
ପ୍ରଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ବିନା ମଧ୍ୟ ଜ୍ଞାନର ବିକାଶ ସଂଭବ ବୋଲି ମତବ୍ୟକ୍ତ କରିଥିଲେ । ଓଡିଶାର ନୌବାଣିଜ୍ୟ ଓ ଜନଜାତିର ବିକାଶ ସହ କୌଣସି ପୁସ୍ତକର ସଂପର୍କ ନ ଥାଇ ମଧ୍ୟ ସେମାନେ ଦରିଆପାରିର ପାଣିପାଗ ନିରୂପଣ କରିବା ସହ ପବନ, ଗ୍ରହ, ନକ୍ଷତ୍ର ଓ ଧ୍ୱନିର ଗତିବିଧି ନିରୂପଣ କରିପରୁ ଥିଲେ । ଜନଜାତିମାନଙ୍କ କଥିତ ସାହିତ୍ୟର ଉଦାହରଣ ଦେଇ ସେ କହିଲେ, ସାହିତ୍ୟ ମଣିଷର ଭାବନା, ଅନ୍ମେଷ୍ୱଣ ଓ ବୁଦ୍ଧି ସହ ଜଡିତ । ସେହିପରି, କାଗଜ ବହି ପ୍ରତି ଆଗାମୀ ୨୦୫୦ ମଧ୍ୟରେ ଆସୁଥିବା ଅନେକ ବିରୋଧାତ୍ମକ କାରକ ମଧ୍ୟରୁ ଜଙ୍ଗଲ ହ୍ରାସ ଓ ପରିବେଶ ପ୍ରଦୂଷଣ ଏକ ମୁଖ୍ୟ କାରଣ ବୋଲି ଉଲ୍ଲେଖ କରି ଇ-ପୁସ୍ତକ ଓ ଇ-ପତ୍ରିକାର ଚାହିଦା ଓ ଆବଶ୍ୟକତା ପ୍ରତି ସେ ଜୋର୍ ଦେଇଥିଲେ । ଶାନ୍ତିନିକେତନର ସୁନାମଧନ୍ୟ ପ୍ରାଧ୍ୟାପିକା ଡ. ସବିତା ପ୍ରଧାନ ଇ-ପୁସ୍ତକ କାଗଜ ବହିର ବିକଳ୍ପ ନୁହ,ଁ ଏହା ହିଁ ପୁସ୍ତକର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ । ଶେଷତମ ଆଲୋଚକ ଭାବେ ଯୋଗ ଦେଇ ପ୍ରଧ୍ୟାପକ ଡ ମନୋରଂଜନ ପ୍ରଧାନ କାଗଜ ବହି ଓ ଇ-ପୁସ୍ତକ ମଧ୍ୟରେ ଥିବା ଫରକ ସଂପର୍କରେ ମତବ୍ୟକ୍ତ କରିବା ସହ ତାଙ୍କ ୟୁରୋପ ଭ୍ରମଣର ସ୍ୱୃତିଚାରଣ କରି ଜଣେ ୮୭ ବର୍ଷର ବୃଦ୍ଧଙ୍କ ପୁସ୍ତକ ପ୍ରୀତିର ଉଦାହରଣ ଦେଇଥିଲେ । ପୁସ୍ତକର ପଠନଲଭ୍ୟତା ଇÿ-ପୁସ୍ତକରେ ନ ଥିବା ସେ କହିଥିଲେ । ଇ-ପୁସ୍ତକ କାଗଜ ବହିର ବିକଳ୍ପ ନୁହଁ ଓ କାଗଜ ବହିର ବାସ୍ନା ଅନନ୍ୟ ବୋଲି ଡ. ପ୍ରଧାନ ମତ ଦେଇଥଲେ । ପରିବେଶ ପ୍ରଦୂଷଣ ସତ୍ୱେ କାଗଜ ବହିର ସ୍ୱାତନ୍ତ୍ର୍ୟତା ରହିଛି ଓ ରହିଥିବ । ସେହି ପରି ପୁସ୍ତକର ମୃତ୍ୟୁ ନାହିଁ । ପାଠକୀୟ ଚାହିଦାର ଅଭାବ ସତ୍ୱେ ପୁସ୍ତକ ମେଳା ସଂଖ୍ୟା ବୃଦ୍ଧି ପାଇବା, ପୁସ୍ତକ ସଂଖ୍ୟା ବୃଦ୍ଧି ପାଇବା ସଂପର୍କରେ ସେ ମତବ୍ୟକ୍ତ କରିଥିଲେ ।
ଏହି ଆଲୋଚନାଚକ୍ରରେ ପ୍ରତିଭା ରାୟ ଓ ନିଖିଳ କୁମାର ପଟ୍ଟନାୟକଙ୍କ ମଧ୍ୟରେ ଇ-ପୁସ୍ତକ ନେଇ ଉଠିଥିବା ବିବାଦ ଓ ଇଂଟେଲେକଚ୍ୟୁଆଲ ରାଇଟ ସଂପର୍କର ମଧ୍ୟ ତର୍କଭିତ୍ତିକ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ତଥା ଅନୁଷ୍ଠାନର ସଭାପତି ଡ. ପ୍ରଭାତ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ କଲଚୁରାଲ ଏକାଡେମୀର ସାଧାରଣ ସଂପାଦକ ଅକ୍ଷୟ ମଲ୍ଲିକ ସଂଯୋଜନା କରିଥିଲେ । ଆଲୋଚନାଚକ୍ରରେ ବିଶିଷ୍ଟ ଔପନ୍ୟାସିକ ଭୂପେନ ମହାପାତ୍ର, ଡ ସଂଜୟ ହାତୀ , ଡ. ନଗେନ ଦାସ, ଆର୍ତର୍ତ୍ରାଣ ମହାପାତ୍ର, କେଦାର ପ୍ରଧାନ, ବବିତା ମହାପାତ୍ର, ଡ. କୃପାସିନ୍ଧୁ ନାୟକଙ୍କ ସମେତ ବହୁ ବିଶିଷ୍ଟ ସାହିତି୍ୟକ ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠାନର ଉପ ସଭାପତି ପଶୁପତିନାଥ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS