ଓଡ଼ିଶାରେ ଚାରି ପର୍ଯ୍ୟାୟ ଭୋଟ
– ମୋଅନୁଭବ ମିଡ଼ିଆ-
ଭୁବନେଶ୍ୱର ମାର୍ଚ୍ଚ ୧୨: ୨୦୧୪ରେ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ଦୁଇ ପର୍ଯ୍ୟାୟରେ ହୋଇ ଥିବା ବେଳେ ୨୦୧୯ରେ ସେଥିରେ ବ୍ୟତିକ୍ରମ ଘଟିଛି । ଭାରତୀୟ ନିର୍ବାଚନ କମିସନ ରବିବାର (ମାର୍ଚ୍ଚ ୧୦ ତାରଖ) ସନ୍ଧ୍ୟାରେ ଘୋଷଣା କରିଥିବା ନିର୍ବାଚନ କାର୍ଯ୍ୟସୂଚୀରେ ଓଡ଼ିଶାରେ ୨୦୧୯ ଲୋକସଭା ଓ ବିଧାନସଭା ଭୋଟ ଚାରି ପର୍ଯ୍ୟାୟରେ ହେବ । ସମଗ୍ର ଦେଶରେ ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଓଡ଼ିଶାରେ ୨୧ ଲୋକସଭା ଓ ୧୪୭ ବିଧାନସଭା କ୍ଷେତ୍ର ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ଭୋଟ ହେବ । ଏଥିସକାଶେ ଭାରତୀୟ ନିର୍ବାଚନ କମିସନ ରବିବାର ସନ୍ଧ୍ୟାରୁ ଆଦର୍ଶ ଆଚରଣ ବିଧି ବା କୋଡ ଅଫ୍ କଂଡକ୍ଟ ଲାଗୁ କରି ସାରିଛନ୍ତି । ନିର୍ବାଚନ ପ୍ରକ୍ରିୟା ସରିବା ଯାଏଁ ଏହା ଲାଗୁ ରହିବ ।
ଇସିଆଇ (ଭାରତୀୟ ନିର୍ବାଚନ କମିସନ) ଦ୍ୱାରା ଘୋଷିତ ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଭୋଟ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନରେ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନରେ ଏପ୍ରିଲ ୨୩ରେ ଏବଂ ଓଡ଼ିଶାରେ ଚତୁର୍ଥ ଓ ଶେଷ ପର୍ଯ୍ୟାୟରେ ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନରେ ଭୋଟ ଏପ୍ରିଲ ୨୯ ତାରିଖରେ ହେବ । ଏହି ସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡିକରେ ମଧ୍ୟ ଏପ୍ରିଲ ୧୧ରୁ ୨୯ ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ ଭୋଟ ହେବ । ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କମିସନ ଧାର୍ଯ୍ୟ କରି ଥିବା ତାରିଖରେ ସେହି ଲୋକସଭା ଆସନ ସହ ସେଥି ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଏକାସମୟରେ ଭୋଟ ହେବ ।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରବିବାର ଏଠାରେ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଏପ୍ରିଲ ୧୧ତାରିଖରେ ୨୮ ଟି, ଏପ୍ରିଲ ୧୮ରେ ୩୫ଟି ଏବଂ ଏପ୍ରିଲ ୨୩ ଓ ୨୯ରେ ୪୨ଟି ଲେଖାଏଁ ବିଧାନସଭା ଆସନ ପାଇଁ ଭୋଟ ହେବ । ଦେଶରେ ସବୁ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ଭୋଟ ସରିବା ପରେ ମେ’ ୨୩ ରେ ଏକା ସମୟରେ ଦେଶବ୍ୟାପୀ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ଘୋଷିତ ହେବ । ଓଡ଼ିଶାରେ ଚାରି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଭୋଟ ହେବା ପାଇଁ ବିଜ୍ଞପ୍ତି ଜାରି, ମନୋୟନପତ୍ର ଦାଖଲ ତାରିଖ ମଧ୍ୟ ଧାର୍ଯ୍ୟ ସରିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ମାର୍ଚ୍ଚ ୧୮, ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ମାର୍ଚ୍ଚ ୧୯, ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମାର୍ଚ୍ଚ ୨୮ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ଏପ୍ରିଲ ୨ ତାରିଖରେ ନିର୍ବାଚନ ବିଜ୍ଞପ୍ତି ଏବଂ ମନୋନୟନପତ୍ର ଦାଖଲ କାର୍ଯ୍ୟସୂଚୀ ଘୋଷଣା ହେବ । ଭାରତୀୟ ନିର୍ବାଚନ କମିସନ ପକ୍ଷରୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି । ସମଗ୍ର ଦେଶରେ ଭୋଟ ସରିବା ଯାଏ ଏହା ଲାଗୁ ରହିବ । ଏହା ଲାଗୁ ଥିବା ସମୟରେ ସରକାର କୌଣସି ନୂତନ କାର୍ଯ୍ୟ ହାତକୁ ନେଇ ପାରିବେ ନାହିଁ, କର୍ମଚାରୀଙ୍କ ବଦଳି କରି ପାରିବ ନାହିଁ, ରାଜନୈତିକ ବ୍ୟକ୍ତିଙ୍କ ଫଟୋ ଥିବା ସମସ୍ତ ପୋଷ୍ଟର, ବ୍ୟାନର, ହୋଡିଂ ୨୪ ଘଂଟା ମଧ୍ୟରେ ହଟାଇବାକୁ ପଡିବ । ସୋମବାର ସକାଳୁ ଏହି କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ସରକାରୀ ବିଜ୍ଞାପନରୁ ରାଜନେତାଙ୍କ ଫଟୋ ମଧ୍ୟ ହଟି ଯାଇଛି ।
ଆଦର୍ଶ ଆଚରଣ ବିଧି
ନିର୍ବାଚନକୁ ମୁକ୍ତ ଓ ଅବାଧ ରଖିବା ସକାଶେ ଭାରତୀୟ ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରିବା ସଙ୍ଗେ ସଙ୍ଗେ ପ୍ରାର୍ଥୀ, ରାଜନୈତିକ ଦଳ ଓ ସରକାରଙ୍କ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଥା’ନ୍ତି । ସମ୍ବିଧାନର ଧାରା ୩୨୪ରେ ଏହି ବ୍ୟବସ୍ଥା ରହିଛି । ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରିବା ସହ ସେହି ପ୍ରକ୍ରିୟା ନ ସରିବା ପର୍ଯ୍ୟନ୍ତ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର, ସମସ୍ତ ପ୍ରାର୍ଥୀ ଓ ସେମାନଙ୍କ ରାଜନୈତିକ ଦଳଙ୍କ ଉପରେ କଡା ନଜର ରଖିବାର ଅଧିକାର ପାଇଛନ୍ତି । ରାଜନୈତିକ ଦଳଙ୍କ ସାଧାରଣରେ ଆଚରଣ ଉପରେ ନଜର ରଖିବା; ସଭା, ସମିତି ଓ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା, ନିର୍ବାଚନ ତାରିଖ ଘୋଷଣା ସହ ଭୋଟ କେନ୍ଦ୍ର ଧାର୍ଯ୍ୟ କରିବା, ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସକାଶେ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ଏବଂ କ୍ଷମତାରେ ଥିବା ଦଳ ଓ ସେମାନଙ୍କ ନିର୍ବାଚନ ଇସ୍ତାହାର ଉପରେ କଡା ଦୃଷ୍ଟି ରଖିବା ହେଉଛି ନିର୍ବାଚନ କମିସନଙ୍କ ପ୍ରମୁଖ ଦାୟିତ୍ୱ ।
ରାଜନୈତିକ ଦଳଙ୍କ ପାଇଁ ଆଚରଣ ବିଧି: ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଦଳର ନୀତି, କାର୍ଯ୍ୟକ୍ରମ ଓ ୱାର୍କ ରେକର୍ଡକୁ ନେଇ ପରସ୍ପରକୁ ସମାଲୋଚନା କରିପାରିବେ । କନ୍ତୁ, ଜାତି ଓ ସଂପ୍ରଦାୟକୁ ଆଘାତ ଦେଲା ଭଳି ବା ଭୋଟରଙ୍କୁ ପ୍ରଲୋଭିତ କଲା ଭଳି କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ । ଭୋଟରଙ୍କୁ ଲାଂଚ ଯାଚି ପାରିବେ ନାହିଁ ବା ଭୟଭୀତ କରି ପାରିବେ ନାହିଁ । ପ୍ରମାଣିକ ତଥ୍ୟ ନ ଥାଇ ପ୍ରତିପକ୍ଷ ପ୍ରାର୍ଥୀଙ୍କ ପ୍ରତି ମିଥ୍ୟାରୋପ ବା ସମାଲୋଚନା କରି ପାରିବେ ନାହିଁ ।
ସଭା, ସମିତି: ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ସମୟରେ ରାଜନୈତିକ ଦଳମାନେ ର୍ୟାଲି ଓ ସାଧାରଣ ସଭା କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ପୁଲିସକୁ ଅବଗତ କରାଇ ଅନୁମତି ନେବାକୁ ହେବ । ଏଥିସକାଶେ ପ୍ରଶାସନକୁ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ ପାଇଁ ଯଥେଷ୍ଟ ସମୟ ଦେବାକୁ ହେବ । ଆଚରଣ ବିଧି ଲାଗୁ ଥିବା ସମୟରେ ଏହି ସମୟରେ କେହି ନିଜ ପ୍ରତିପକ୍ଷଙ୍କ କୁଶପୁତ୍ତଳିକା ଶୋଭାଯାତ୍ରାରେ ନେଇ ପାରିବେ ନାହିଁ ବା କୁଶପୁତ୍ତଳିକା ଦାହ କରିପାରିବେ ନାହିଁ । ଯଦି ଦୁଇ ବିପକ୍ଷ ଦଳର ରୋଡ୍ ସୋ’ଗୋଟିଏ ଅଂଚଳରେ ଥିବ ତେବେ ସେମାନେ ଯେମିତି ମୁହାଁମୁହିଁ ନ ହେବେ ପ୍ରଶାସନକୁ ସେଭଳି ବ୍ୟବସ୍ଥା କରିବାକୁ ପଡିବ । ଭୋଟ ସମୟରେ ଭୋଟଗ୍ରହଣ କେନ୍ଦ୍ରରେ ରାଜନୈତିକ ଦଳର ଯେଉଁ ପ୍ରତିନିଧିମାନେ ଉପସ୍ଥିତ ରହିବେ ସେମାନେ ଦଳର ଚିହ୍ନ ଓ ବ୍ୟାଜ୍ ଥିବା ପରିଚୟପତ୍ର ବେକରେ ଝୁଲାଇବାକୁ ପଡିବ । ଭୋଟ ଚାଲି ଥିବା ସମୟରେ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ବ୍ୟତୀତ ନିର୍ବାଚନ କମିସନଙ୍କ ସ୍ୱୀକୃତ ପରିଚୟପତ୍ର ଥିବା ବ୍ୟକ୍ତିମାନେ ହିଁ ପ୍ରବେଶ କରି ପାରିବେ । ଭୋଟ ଚାଲି ଥିବା ସମୟରେ କେହି ପୋଲିଂ ବୁଥର ୧୦୦ ମିଟର ପରିଧି ଭିତରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ କ୍ୟାଂପେନ୍ କରି ପାରିବେ ନାହିଁ । ୧୯୭୯ରୁ ଶାସକ ଦଳ ମଧ୍ୟ ଏହି କଟକଣା ଅନ୍ତର୍ଭୁକ୍ତ ହୋଇଛି । କେନ୍ଦ୍ର ଓ ରାଜ୍ୟ ପାଇଁ କଟକଣା ସମାନ ।
କଟକଣା: ଶାସକ ଦଳ ପାଇଁ କଟକଣା ହେଉଛି, କେନ୍ଦ୍ର ବା ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ସମୟରେ ଜନସାଧାରଣଙ୍କ ଅର୍ଥରେ ନିଜର ବା ନିଜ ଦଳ ସପକ୍ଷରେ ପ୍ରଚାର କରି ପାରିବେ ନାହିଁ । ନିଜର ସଫଳତାର ପ୍ରଚାର ପାଇଁ ସରକାରୀ ଗଣମାଧ୍ୟମର ବ୍ୟବହାର କରି ପାରିବେ ନାହିଁ । କୌଣସି ମନ୍ତ୍ରୀ ବା ସାଂସଦ ନିଜର ସରକାରୀ ଗସ୍ତ ସହ ନିର୍ବାଚନ ପ୍ରଚାର ବା ଦଳୀୟ କାମକୁ ଯୋଡି ପାରିବେ ନାହିଁ । ମନ୍ତ୍ରୀ ବା ସରକାରୀ ଅଧିକାରୀମାନେ ଏହି ସମୟରେ କୌଣସି ପ୍ରକାର ସରକାରୀ ଅନୁଦାନ ଘୋଷଣା କରି ପାରିବେ ନାହିଁ ବା ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣ ଭଳି କୌଣସି ପ୍ରତିଶ୍ରୁତି ଦେଇ ପାରିବେ ନାହିଁ । ଶାସକ ଦଳ ଭଳି ଅନ୍ୟ ପ୍ରତିପକ୍ଷ ଦଳଙ୍କୁ ମଧ୍ୟ ସଭାସମିତି ଆୟୋଜନ ପାଇଁ ସମାନ ସୁବିଧା ଦେବାକୁ ପଡିବ । କ୍ଷମତାସୀନ ଦଳ ଏକଚାଟିଆ ଭାବେ ସବୁ ସୁବିଧା ଉପଭୋଗ କରି ପାରିବ ନାହିଁ ।
ନିର୍ବାଚନ କମିସନଙ୍କ କ୍ଷମତା ସୀମିତ: ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଠିକ୍ ଭାବରେ ପାଳନ ହେଉଛି କି ନାହିଁ ତାହା ଉପରେ ନଜର ରଖିବା ଦାୟିତ୍ୱ ଭାରତୀୟ ନିର୍ବାଚନ କମିସନ ବା ଇସିଆଇର । ତେଣୁ, ଇସିଆଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥାଏ । ନିର୍ବାଚନ ପ୍ରଚାର ଆରମ୍ଭ ହେଉ ହେଉ ପର୍ଯ୍ୟବେକ୍ଷକମାନେ ସେମାନଙ୍କୁ ଦିଆଯାଇଥିବା ଲୋକସଭା ବା ବିଧାନସଭା କ୍ଷେତ୍ରକୁ ଯାଇ ଆଦର୍ଶ ଆଚରଣ ବିଧି ପାଳନ ହେଉଛି କି ନାହିଁ ତାହା ଉପରେ ନଜର ରଖି ଥା’ନ୍ତି । ସେମାନେ ଲୋକସଭା ନିର୍ବାଚନ ମଣ୍ଡଳୀ ବୁଲି ପ୍ରତିଦ୍ୱନ୍ଦ୍ୱିତାରେ ଥିବା ପ୍ରାର୍ଥୀମାନଙ୍କ କାର୍ଯ୍ୟକଳାପ ଓ ଖର୍ଚ୍ଚ ଉପରେ ମଧ୍ୟ ନଜର ରଖନ୍ତି । ପ୍ରତିପକ୍ଷ ଦଳଙ୍କ ଆଡୁ ଅଭିଯୋଗ ହେଲେ ତାହାର ଯାଂଚ କରି ନିର୍ବାଚନ କମିସନଙ୍କୁ ବିସ୍ତୃତ ରିପୋର୍ଟ ପଠାଇ ଥା’ନ୍ତି । ନିର୍ବାଚନ ସରିବା ପରେ ପ୍ରାର୍ଥୀମାନେ ନିଜର ନିର୍ବାଚନ ବାବଦ ଖର୍ଚ୍ଚର ହିସାବ ଇସିଆଇକୁ ଦିଅନ୍ତି । ତାହା ଇସିଆଇ ଯାଂଚ କରିଥାଏ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ସରକାରୀ କଳ ଇସିଆଇ ନିୟନ୍ତ୍ରଣକୁ ଚାଲି ଯାଏ । କୌଣସି ପ୍ରକାର ଆଚରଣବିଧି ଉଲଂଘନ ହେଲେ ଇସିଆଇ ଆଡୁ କାର୍ଯ୍ୟାନୁଷ୍ଠାନର ଭୟ ଥିବାରୁ ଶାସକ,ବିରୋଧୀ, ପୁଲିସ ଓ ସାଧାରଣ ପ୍ରଶାସନ ଏହା ଉପରେ କଡା ନଜର ରଖିିଁ ଥା’ନ୍ତି । ତଥାପି, କ୍ଷମତାସୀନ ଦଳ ବା ରାଜନେତାମାନେ ଜାଣତରେ ବା ଅଜାଣତରେ ଏହାର ଉଲଂଘନ କରିଥା’ନ୍ତି । ନିର୍ବାଚନ କମିସନ ସେମାନଙ୍କୁ କୈଫିୟତ ମାଗିବା ସହ ଲିଖିତ ଉତ୍ତର ମିଳିବା ପରେ ହିଁ ସେଭଳି କିଛି ଧର୍ତବ୍ୟ ବା ଅର୍ଥନୈତିକ ଅପରାଧର ଗନ୍ଧ ବାରିଲେ ଆଇପିସି ବା ସିଆରପିସିର ବିଭିନ୍ନ ଦଫାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରି ପାରିବେ । କିନ୍ତୁ, ନିଜ ଆଡୁ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ଆଜି ସୁଦ୍ଧା ଇସିଆଇକୁ ମିଳି ନାହିଁ । ଅତୀତରେ ଇସିଆଇ ପ୍ରାର୍ଥୀ ବା ରାଜନୈତିକ ଦଳଙ୍କ ଆଡୁ ଜାରି ହେଉ ଥିବା ନିର୍ବାଚନ ଇସ୍ତାହାର ଉପରେ ନଜର ରଖିବାକୁ ଚାହିଁ ଥିଲା । କିନ୍ତୁ, କଂଗ୍ରେସ ଦଳ ରାଜି ନ ହେବାରୁ ତାହା କାର୍ଯ୍ୟକାରୀ ହେଲା ନାହିଁ । ନିର୍ବାଚନ ସମୟରେ ଇସିଆଇ ଲାଗୁ କରୁଥିବା ଆଦର୍ଶ ଆଚରଣ ବିଧି ବୈଧ କି (?) ବୋଲି ଅତୀତରେ ପ୍ରଶ୍ନ ଉଠି ଥିଲା । ତେବେ, ସୁପ୍ରିମ କୋର୍ଟ ତାହା ସ୍ପଷ୍ଟ କରି ଦେଇ, ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା ଆଦର୍ଶ ଆଚରଣ ବିଧି ଲାଗୁ କରିବା କ୍ଷମତା ରଖିଛି ବୋଲି କହିଛନ୍ତି । ୨୦୧୭ରେ ଗୁଜରାଟେ ବିଧାନସଭା ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗରେ ନିର୍ବାଚନ କମିସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରି ଥିବାର ନଜିର ରହିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS