ଓଡ଼ିଶା ରାଜନୀତି – ନିର୍ବାଚନ ୨୦୧୯ : ପାଟକୁରା ଉପ ନିର୍ବାଚନ ମେ’ ୧୯ରେ
– ପ୍ରସାଦ ରାଓ –
ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ମେ’ ୧୯ ତାରିଖରେ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ବୁଧବାର (ଏପ୍ରିଲ ୨୪ ତାରିଖ) ଦିନ ଏହି ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ପାଟକୁରା ଆସନରୁ ବିଜେଡ଼ି ପ୍ରାର୍ଥୀ ହୋଇଥିବା ଦଳର ବୟୋଜ୍ୟେଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦୀର୍ଘ ଦିନର ଅସୁସ୍ଥତା ଜନିତ ମୃତ୍ୟୁ ହେବାରୁ ନିର୍ବାଚନ ବାତିଲ ହୋଇଥିଲା । ପାଟକୁରା ଆସନ ପାଇଁ ଉପ ନିର୍ବାଚନ କେବେ ହେବ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ନିର୍ବାଚନ କମିସନ ଉପ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଅନିଶ୍ଚିତତା ଦୂର ହୋଇଛି । ପାଟକୁରା ଆସନ ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମେ’ ୧ ଥିବା ବେଳେ ମେ’ ୨ରେ ପ୍ରାର୍ଥୀପତ୍ର ଯାଂଚ ଓ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ ବୋଲି ସିିଇଓଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପାଟକୁରା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରି ନିର୍ବାଚନ ପ୍ରଚାର ଆରମ୍ଭ ହୋଇସାରିଥିଲା । ବେଦ ପ୍ରକାଶ ଅଗ୍ରୱାଲଙ୍କ ବିପକ୍ଷରେ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପ୍ରାର୍ଥୀ ଥିବାରୁ ପାଟକୁରା ଭୋଟ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ଚର୍ଚ୍ଚା ହେଉଥିଲା । ଠିକ୍ ସେହି ସମୟରେ ଗୁରୁତର ଅସୁସ୍ଥ ବେଦ ପ୍ରକାଶଙ୍କ ଦେହାନ୍ତ ଖବର ଉଭୟ ବିଜେଡ଼ି, ବିଜେପି ଶିବିରରେ ନିରାଶା ଆଣି ଦେଇଥିଲା । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ କମିସନ ନିୟମ ଅନୁଯାୟୀ ପାଟକୁରା ଆସନ ପାଇଁ ଭୋଟ୍ ସ୍ଥଗିତ ରଖି ରାଜନୈତିକ ଦଳଙ୍କୁ ଅନିଶ୍ଚୟତା ଭିତରକୁ ଠେଲି ଦେଇଥିଲେ । ବିଶେଷକରି, ବିଜେପି ଓ ଦଳର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିରାଶା ଅଧିକ ଭାବେ ପ୍ରତିଫଳିତ ହୋଇଥିଲା । ଗୁରୁତର ଅସୁସ୍ଥ ଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କ ବିଜେଡ଼ି ରୋଗଶଯ୍ୟାରୁ ଉଠାଇ ଆଣି ପ୍ରାର୍ଥୀ କରିଥିଲା କାହିଁକି(?) ବୋଲି ବିଜୟ ସେତେବେଳେ ପ୍ରଶ୍ନ କରିଥିଲେ । ପାଟକୁରାରେ ଭୋଟ କରାଇ ନ ଦେବା ପାଇଁ ଶାସକ ବିଜେଡ଼ିର ଏହା ଏକ ଚକ୍ରାନ୍ତ ବୋଲି ବିଜେପି ଅଭିଯୋଗ କରିବାକୁ ପଛାଇ ନ ଥିଲା । ଚଳିତ ନିର୍ବାଚନରେ ଓଡ଼ିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାୱା କାମ କରୁଥିବା ବିଜେପି ବିଶ୍ୱାସ କରୁଥିବାରୁ ପାଟକୁରାରୁ ବିଜୟଙ୍କ ବିଜୟ ଆଶା ଉଜ୍ୱଳ ବୋଲି ଧରି ନେଇଛି । ତେଣୁ, ବେଦୁଙ୍କ ମୃତୃୁ୍ୟକୁ ନେଇ ନିର୍ବାଚନ ସ୍ଥଗିତ ହେବା ଦଳକୁ ବିଚଳିତ କରିଥିଲା । ଭାରତୀୟ ନିର୍ବାଚନ କମିସନ ୨୦୧୯ ସାଧାରଣ ନିର୍ବାଚନର ଶେଷ ଦିବସ ମେ’ ୧୯ରେ ପାଟକୁରା ଉପ ନିର୍ବାଚନ ତାରିଖ ଘୋଷଣା କରି ବିଜେପିରେ ନିରାଶା ଦୂର କରିଥିବା ଅନୁମାନ କରାଯାଉଛି । ଚଳିତ ସାଧାରଣ ନିର୍ବାଚନରେ ପାଟକୁରା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସବୁ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ଥିବାରୁ କେବଳ ବିଜେଡ଼ି ବେଦୁଙ୍କ ସ୍ଥାନରେ ଅନ୍ୟ ଜଣକୁ ପ୍ରାର୍ଥୀ ଚୟନ କରି ମେ’ ୧ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସ୍ପଷ୍ଟ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS