ମହାରଥୀଙ୍କ ଜେଲ୍ ରହଣୀ ବଢୁଛି !
ପିପିଲିର ମହାବଳ ଥିଲେ ବିଧାୟକ ପ୍ରଦୀପ ମହାରଥୀ । ଦାମ ବାବୁ (ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ)ଙ୍କ ଭଳି ପ୍ରଦୀପଙ୍କ ସୁନାମ ରହିଛି ସମୟକାଳ ଦେଖି ବିବାଦୀୟ ମନ୍ତବ୍ୟ ଦେବାରେ । ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ପିପିଲି ଅଂଚଳରେ ଘଟି ଥିବା ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମହାରଥୀଙ୍କ ସମର୍ଥକମାନେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । ମହାରଥୀଙ୍କ କିଛି ସମର୍ଥକ ଏହି ଘଟଣାରେ ଗିରଫ ହୋଇ ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିଲେ । ବେବିନା ମାମଲାରେ ପ୍ରତିରକ୍ଷାତ୍ମକ ସ୍ଥିତିରେ ଥିବା ମହାରଥୀ ମାମଲାର ରାୟ ପ୍ରକାଶ ପାଇବା ପରେ ଯେଉଁ ମନ୍ତବ୍ୟ ଦେଲେ ତାହା ତାଙ୍କ ପାଇଁ ଅଡୁଆ ହୋଇଛି । ବେବିନା ମାମଲାରେ କୋର୍ଟ ଅଭିଯୋଗରେ ସତ୍ୟତା ଥିବା ଅନୁଭବ କରିଥିଲେ ମଧ୍ୟ ଯଥେଷ୍ଟ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ନିଦେ୍ର୍ଦାଶରେ ଖଲାସ କରିଥିବା ସୂଚନା ମିଳିଥିଲା । କିନ୍ତୁ, ମହାରଥୀଙ୍କ ମନ୍ତବ୍ୟ ଥିଲା, କୋର୍ଟ ରାୟରୁ ବେବିନାକୁ ନ୍ୟାୟ ମିଳିଛି । ସମସ୍ତ ଅଭିଯୁକ୍ତ ନିଦେ୍ର୍ଦାଶରେ ଖଲାସ ହେବା ପୀଡ଼ିତା ବେବିନାଙ୍କ ପାଇଁ କିଭଳି ନ୍ୟାୟ ହେଲା, ତାହା ମହାରଥୀ ମହାଶୟ ହିଁ କହିପାରିବେ । ଏଭଳି ମନ୍ତବ୍ୟ ପାଇଁ ମହାରଥୀଙ୍କ ବିରୋଧରେ ରାଜ୍ୟବ୍ୟାପୀ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ ହେଲା ଏବଂ ବିଜେପି ଓ କଂଗ୍ରେସର ମହିଳା ସଂଗଠନ ମହାରଥୀଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ହଟାଯିବା ଦାବିରେ ନବୀନ ନିବାସ ଘେରିବାକୁ ପଛାଇ ନ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜାନୁୟାରୀ/ ଫେବୃୟାରୀ ମାସରେ ଓଡ଼ିଶା ଗସ୍ତରେ ଆସି ଥିବା ବେଳେ ବିଜେପିର ଏକ ସ୍ୱାଭିମାନ ସଭାରେ ବେବିନା କଥା ଉଲ୍ଲେଖ କରି ଓଡ଼ିଶାରେ ନାରୀ ଅସୁରକ୍ଷିତ ବୋଲି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କୁ ତୁରନ୍ତ ମନ୍ତ୍ରୀ ପରିଷଦରୁ ବିଦା କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନ ଟିକଟ ବଂଟନ ବେଳେ ମଧ୍ୟ ବିଜେଡ଼ି ପିପିଲି ଆସନରୁ କାହାକୁ ପ୍ରାର୍ଥୀ କରିବ ତାହା ଶେଷ ପର୍ଯ୍ୟନ୍ତ ଝୁଲାଇ ରଖି ଥିଲା । ଶେଷ ମୂହୁର୍ତରେ ମହାରଥୀଙ୍କ ନାମରେ ମୋହର ବାଜିଲା । ବିଜେଡ଼ିର ଏହି ନିଷ୍ପତ୍ତିକୁ ବିଜେପି ସମାଲୋଚନା କରୁଛି । ନାରୀ ଜାତି ପ୍ରତି ସମ୍ମାନ ନ ଥିବା ମହାରଥୀଙ୍କୁ ବିଜେଡ଼ି କେମିତି ଟିକଟ ଦେଲା ବୋଲି ବିଜେପି ପ୍ରଶ୍ନ ଉଠାଇ ତାହାକୁ ନିର୍ବାଚନ ଇସ୍ୟୁ କରିଥିବା ବେଳେ ମହାରଥୀ ନିଜ ଗୋଡରେ କୁରାଢୀ ମାରି ଜେଲ୍ ଯାଇଛନ୍ତି । ପୁରୀ ଜିଲ୍ଲା ପିପିଲି ନିକଟରେ ଥିବା ମହାରଥୀଙ୍କ ଫାର୍ମ ହାଉସ୍ରେ ଭୋଜିଭାତ ଚାଲି ଥିବା ଏବଂ ସେଠାରେ ମଦ ଓ ଟଙ୍କା ବଂଟା ଯାଉଥିବା ସଂପର୍କରେ ଅଭିଯୋଗ ପାଇ ରବିବାର (୨୧ ତାରିଖ) ରାତିରେ ନିର୍ବାଚନ କମିସନ ଦ୍ୱାରା ନିୟୋଜିତ ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସେଠାରେ ଚଢାଉ କରିଥିଲେ । ଏ ସଂପର୍କରେ ଖବର ପାଇବା ସଙ୍ଗେ ସଙ୍ଗେ ମହାରଥୀ ସେଠାରେ ପହଂଚି ଫ୍ଲାଇଂ ସ୍କ୍ୱାଡ୍ ସଦସ୍ୟଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ସମର୍ଥକଙ୍କ ସହ ମିଶି ଧରି ଫ୍ଲାଇଂ ସ୍କ୍ୱାଡ୍ ସଦସ୍ୟ ଓ ମାଜିଷ୍ଟ୍ରେଟ୍ଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସଂପୃକ୍ତ ମାଜଷ୍ଟ୍ରେଟ୍ଙ୍କ ଏତଲା ଭିତ୍ତିରେ ପୁଲିସ ମହାରଥୀଙ୍କୁ ଜେରା କରିବା ପରେ ସୋମବାର (୨୨ ତାରିଖ) ଗିରଫ କରି ଜେଲକୁ ପଠାଇଛନ୍ତି । ପୁଲିସ ପକ୍ଷରୁ ମହାରଥୀଙ୍କ ବିରୋଧରେ ଯେଭଳି ସଂଗୀନ ଦଫା ସବୁ ଲଗା ଯାଇଛି ତଳ କୋର୍ଟରୁ ଜାମିନ ମିଳିବା ସମ୍ଭବ ନୁହେଁ । ତେଣୁ, ୨୨ ତାରିଖ ରାତିରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆ ଯାଇଛି । ସେଦିନ ରାତି ୯ଟା ପରେ ସେ ଝାରପଡା ଜେଲକୁ ଆସି ଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଲ୍ ରେ ରଖା ନ ଯାଇ ଜେଲ୍ ଡାକ୍ତରଖାନାରେ ରଖା ଯାଇଥିଲା । ବିଳମ୍ବିତ ରାତ୍ରୀରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କ୍ୟାପିଟାଲ ହସପିଟାଲର ତଳ ମହଲାରେ ଥିବା ନର୍ସିଂ ହୋମ୍ ୫ ନମ୍ବର କୋଠରୀରେ ତାଙ୍କୁ ରଖାଯାଇଛି । ପରିବାର ସଦସ୍ୟ ଓ କିଛି ହାତଗଣତି ସମର୍ଥକଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳୁଛି । ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ପୁରୀ ଲୋକସଭା ଆସନ ଓ ସେଥି ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ ହୋଇ ଥିବା ବେଳେ ମହାରଥୀ ଚିକିତ୍ସାଧୀନ ଥିବାରୁ ପିପିଲିରେ ନିଜ ଭୋଟ ଦେବାକୁ ମଧ୍ୟ ଯାଇ ପାରି ନାହାନ୍ତି । ସ୍ୱତନ୍ତ୍ର ବିଚାରପତି ତଥା ଭୁବନେଶ୍ୱର ଏଡ଼ିଜେ-୩ଙ୍କ କୋର୍ଟରେ ଆଜି (୨୪ ତାରିଖ) ଏହି ମାମଲାର ଶୁଣାଣୀ ହେବାକୁ ଥିଲା । କିନ୍ତୁ, ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା ଦର୍ଶାଇ କୋର୍ଟରେ କେଶ୍ ଡାଏରୀ ଓ ଇଂଜୁରୀ ରିପୋର୍ଟ ଦାଖଲ କରି ନ ପାରିବାରୁ ଶୁଣାଣୀ ୨୭ ତାରିଖକୁ ଘୁଂଚିଛି । ମହାରଥୀଙ୍କୁ ୨୪ ତାରିଖ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ ମଧ୍ୟ କେଶ୍ ଡ଼ାଏରୀ ଦାଖଲ ହୋଇ ନ ଥିବା ଦର୍ଶାଇ ତାହା ଖାରଜ ହୋଇଥିଲା । ୨୭ ତାରିଖ ସୁଦ୍ଧା କୋର୍ଟରେ କେଶ୍ ଡ଼ାଏରୀ ଦାଖଲ କରିବାକୁ ବିଚାରପତି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ମହାରଥୀ ଜେଲ୍ ଯିବାରୁ ବେବିନାଙ୍କ ଆତ୍ମା ଶାନ୍ତି ପାଇଥିବ ବୋଲି ତାଙ୍କ ବିରୋଧୀମାନେ କଟୁ ମନ୍ତବ୍ୟ ଦେଉଥିବା ବେଳେ କେଶ୍ ଡ଼ାଏରୀ ଦାଖଲରେ ବିଳମ୍ବ ଯୋଗୁ ମହାରଥୀଙ୍କ ମାମଲାର ବିଚାର ଟଳି ଥିବା ସରକାରୀ ଅଧିକାରୀଙ୍କ ମନୋଭାବ ନେଇ ସନ୍ଦେହ ସୃଷ୍ଟି କରିଛି । ଏହା ଲମ୍ବା ସମୟ ପାଇଁ ମହାରଥୀଙ୍କୁ ଜେଲ୍ ହାୱା ଖୁଆଇବା ଯୋଜନା ନୁହେଁ ତ (?) ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS