ଜାମିନରେ ଆସିବା ପରେ ମହାରଥୀ ନୀରବ
ଭୁବନେଶ୍ୱର, ୩୦ ଏପ୍ରିଲ (ମୋଅନୁଭବ): ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ଥିବା ସମୟରେ ନିର୍ବାଚନ କମିସନଙ୍କ ଦ୍ୱାରା ନିୟୋଜିତ ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସଦସ୍ୟ ଏବଂ ସେମାନଙ୍କ ସହିତ ଥିବା ମାଜିଷ୍ଟ୍ରଟ୍ଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗଲା ଶନିବାର ଅଦାଲତରୁ ସର୍ତମୂଳକ ଜାମିନରେ ଖଲାସ ହୋଇଛନ୍ତି । ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ସ୍ୟୁରିଟି ସହ ତାଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ନ କରିବା ସର୍ତରେ ଅଦାଲତରୁ ମହାରଥୀଙ୍କୁ ଜାମିନ ମିଳିଛି । ଜେଲରୁ ମୁକୁଳିବା ପରେ ମହାରଥୀ ସଂପୂର୍ଣ୍ଣି ନୀରବ । ଏହା ‘ଝଡ ପୂର୍ବର ନୀରବତା’ ବୋଲି ତାଙ୍କ ବିରୋଧୀ ଚର୍ଚ୍ଚା କରୁଛନ୍ତି । କାରଣ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହାରଥୀ କଥା କଥାରେ କଟାକ୍ଷ କରିବାରେ ଓସ୍ତାଦ । ଏପ୍ରିଲ ୨୧ରୁ ତାଙ୍କ ନୀରବତା କାହାରି ଦେହକୁ ଯାଉନି ।
୨୦୧୯ ସାଧାରଣ ନିର୍ବାଚନରେ ସେ ତାଙ୍କ ପୁରୁଣା ଆସନ ପୁରୀ ଜିଲ୍ଲା ପିପିଲିରୁ ବିଜେଡ଼ି ପ୍ରାର୍ଥୀ ହୋଇ ବିଧାନସଭାକୁ ଲଢୁଥିଲେ । ଏପ୍ରିଲ ୨୩ରେ ଭୋଟ ହେବାକୁ ଥିବା ବେଳେ ୨୧ ତାରିଖ ରବିବାର ରାତିରେ ପିପିଲି ନିକଟରେ ଥିବା ମହାରଥୀଙ୍କ ଫାର୍ମ ହାଉସ୍ରେ ଭୋଜିଭାତ ବାହାନାରେ ମଦ ଓ ଟଙ୍କା ବଂଟା ଚାଲି ଥିବା ଖବର ପାଇ ନିର୍ବାଚନ କମିସନଙ୍କ ଦ୍ୱାରା ନିୟୋଜିତ ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସେଠାରେ ଚଢାଉ କରିଥିଲେ । ମହାରଥୀ ଏ ସଂପର୍କରେ ସୂଚନା ପାଇ ତୁରନ୍ତ ଫାର୍ମ ହାଉସ୍ରେ ପହଂଚିବା ସହ ସମର୍ଥକଙ୍କ ସହ ମିଶି ଯାଂଚ ଦଳ ଉପରେ ଆକ୍ରମଣ କରିଥିବା ଏବଂ ନିସ୍ତୁକ ମାଡରେ ୧୫ ଫ୍ଲାଇଂ ସ୍କ୍ୱାଡ୍ କର୍ମଚାରୀଙ୍କ ସହ ମାଜିଷ୍ଟ୍ରେଟ୍ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟଙ୍କ ଏତଲା ଭିତ୍ତିରେ ମହାରଥୀଙ୍କୁ ଥାନାକୁ ନେଇ ଜେରା କରିବା ପରେ ୨୨ ତାରିଖ ଗିରଫ କରିଥିଲେ । ଅଦାଲତରେ ଜାମିନ ଖାରଜ ହୋଇ ଯିବାରୁ ତାଙ୍କୁ ଝାରପଡା ଜେଲ୍ ଓ ପରେ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ପୁଲିସ ମହାରଥୀଙ୍କ ବିରୋଧରେ ବିଭିନ୍ନ ସଂଗୀନ ଦଫାରେ ମାମଲା କରିଛି । ୨୪ ତାରିଖ ଭୁବନେଶ୍ୱର ଏଡ଼ିଜେ-୩ଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲେ ମଧ୍ୟ ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା ଦର୍ଶାଇ କୋର୍ଟରେ କେଶ୍ ଡାଏରୀ ଓ ଇଂଜୁରୀ ରିପୋର୍ଟ ଦାଖଲ କରି ନ ଥିବାରୁ ମାମଲାର ଶୁଣାଣୀ ୨୭ ତାରିଖକୁ ଘୁଂଚି ଥିଲା । ୨୭ ତାରିଖରେ ତାଙ୍କୁ ସର୍ତମୂଳକ ଜାମିନ ମିଳିଛି । ମହାରଥୀ ପିପିଲିରୁ ବିଧାୟକ ପ୍ରାର୍ଥୀ ଥାଇ ନିଜ ଭୋଟ ନିଜକୁ ଦେଇ ପାରି ନ ଥିବା ଆଉ ଏକ ବିଡମ୍ବନାର ବିଷୟ ହୋଇଛି । ସେ ନିର୍ବାଚନ କମିସନଙ୍କ ଇଂଗିତରେ ଗିରଫ ହୋଇ ଜେଲ ଯାଇ ଥିଲେ ସତ, କିନ୍ତୁ ତାଙ୍କୁ ଜାମିନରେ ମୁକୁଳାଇବା ଦିଗରେ ସରକାର ବା ବିଜେଡ଼ି ପକ୍ଷରୁ ତୁରନ୍ତ ଉଦ୍ୟମ ନ ହେବା ମଧ୍ୟ ତାଙ୍କ ସମର୍ଥକଙ୍କୁ ବିଚଳିତ କରିଛି । ଏହି କାରଣରୁ ମହାରଥୀ ଲମ୍ବା ସମୟ ଜେଲରେ ରହିବା ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ, ଭୁବନେଶ୍ୱର ଏଡ଼ିଜେ-୩ଙ୍କ ଅଦାଲତ ୨୭ ତାରିଖ ଦିନ ତାଙ୍କୁ ସର୍ତମୂଳକ ଜମାନତ ଦେଇ ତାଙ୍କ ପରିବାର ଓ ସମର୍ଥକଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟରେ ଏପ୍ରିଲ ୨୯ରେ ଭୋଟ ସରିଥିବାରୁ ମହାରଥୀ ମୁହଁ ଖୋଲି ପାରନ୍ତି ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS