ବଂଗଳାରେ ଅହଂକାରର ଲଢେଇ
– ପ୍ରସାଦ ରାଓ –
ମଙ୍ଗଳବାର (ମେ’ ୧୪ତାରିଖ) ଦିନ ପଶ୍ଚିମ ବଂଗର କଲିକତା ସହରର ଯାହା ଘଟି ଗଲା ତାହାକୁ ‘ଅହଂକାରର ଲଢେଇ’ କୁହାଯାଇପାରେ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଅନ୍ୟପଟେ ରାଜ୍ୟ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ । ୨୦୧୯ ନିର୍ବାଚନ ପ୍ରାରମ୍ଭରୁ ବିଜେପି ଉସୁକାଇ ଆସିଛି ମମତାଙ୍କୁ । କେବଳ ବ୍ୟକ୍ତିଗତ ଆକ୍ଷେପ ନୁହେଁ, ପଶ୍ଚିମ ବଂଗର ସାଧାରଣ ଓ ପୁଲିସ ପ୍ରଶାସନକୁ ମଧ୍ୟ ବଜେପି ଟାର୍ଗେଟ୍ କରିଛି । ଏହାର ମୂଳ ଉଦେ୍ଦଶ୍ୟ ହେଲା, ହିଂଦି ଭାଷୀ ଅଂଚଳର କ୍ଷତି ପୂର୍ବାଂଚଳ ରାଜ୍ୟରେ ଭରଣା କରିବା ପାଇଁ ଦକ୍ଷିଣପନ୍ଥୀ ବିଜେପିର ଗୋଟି ଚାଳନା ।
ବିଜେପି ଓଡ଼ିଶାରେ ମଧ୍ୟ ଏକାଭଳି ଗୋଟି ଚାଳନା କରିଥିଲା । କିନ୍ତୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଉଗ୍ର ଓ ପ୍ରତିକ୍ରିୟାଶୀଳ ନୁହନ୍ତି । ମମତା ଉଗ୍ର ଓ ପ୍ରତିକ୍ରିୟାଶୀଳ ହେବାର କାରଣ ହେଉଛି – ପଶ୍ଚିମ ବଂଗରେ ଦୀର୍ଘ ୨୫ରୁ ଉଦ୍ଧ୍ୱର୍ ବର୍ଷ ଧରି ଲଗାତର କ୍ଷମତାରେ ରହିଥିବା ବାମପନ୍ଥୀ କ୍ୟାଡରଙ୍କ ହିଂସ୍ର ରାଜନୀତିକୁ ଧରାଶାୟୀ କରି ସେ କ୍ଷମତାକୁ ଆସିଛନ୍ତି । ବାମପନ୍ଥୀମାନେ ରାଜ୍ୟରେ ଯେଉଁ ଧରଣର ରାଜନୀତି କରୁଥିଲେ ମମତା ଏବେ ଠିକ୍ ସେହି ଧରଣର ରାଜନୀତି କରୁଛନ୍ତି । ସେହି କାରଣରୁ ପଶ୍ଚିମ ବଂଗଳାରେ ଆଜି ତୃଣମୂଳ କଂଗ୍ରେସ କ୍ଷମତାରେ ରହିଛି । ଗୋଟିଏ ପଟେ ଧର୍ମନିରପେକ୍ଷ ନୀତି ଓ ଅନ୍ୟ ପଟେ ‘କଂଟାକୁ କଂଟା’ରେ କାଢିବା କଳାରେ ଧୁରନ୍ଧର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମପନ୍ଥୀ କ୍ୟାଡରମାନଙ୍କୁ ମୁହଁତୋଡ୍ ଜବାବ ଦେଇ ରାଜ୍ୟରେ ଶାସନ ଚଳାଇ ଥିବା ସମୟରେ ଦକ୍ଷିଣପନ୍ଥୀ ବିଜେପି ଏହି ଗଡ଼ରେ ପଶିବା ପାଇଁ ହିଂସା ଓ ବ୍ୟକ୍ତିଗତ ଆକ୍ଷେପର ଆଶ୍ରୟ ନେଉ ଥିବାରୁ ତାହାର ପରିଣତି ହେଉଛି ମଙ୍ଗଳବାରର ହିଂସା । ବାମପନ୍ଥୀମାନେ ମଧ୍ୟ କୌଣସିମତେ ମମତାଙ୍କୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି । ତେଣୁ,ଦକ୍ଷିଣପନ୍ଥୀଙ୍କ ସହ ଚରମ ଶତୃତା ସତ୍ୱେ ପ.ବଂଗଳାରେ ସେମାନେ ବିଜେପି ସହ ଭିତିରି ସାଲିସ କରିଥିବା ଆଲୋଚନା ହେଉଛି ।
ଓଡ଼ିଶାରେ ଏପ୍ରିଲ ୧୧ରୁ ୨୯ ମଧ୍ୟରେ ସରିଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ିକୁ ଦକ୍ଷିଣପନ୍ଥୀମାନେ ଉସୁକାଇବାକୁ ଉଦ୍ୟମ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଅପାରଗ, ଦୁଷ୍କର୍ମକାରୀ, ଚିଟଫଣ୍ଡ୍ ଚୋର ଓ ପୋଡା ଟ୍ରାନ୍ସଫର୍ମର ପ୍ରଭୃତି ଆକ୍ଷେପ କରି ଏହି ସରକାରକୁ ଓପାଡି ବଂଗୋପ ସାଗରରେ ଫିଙ୍ଗି ଦେବାକୁ ଉଭୟ ଶାହା ଓ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର ଓ ସହନଶୀଳ ହୋଇ ମଧ୍ୟ ଶାନ୍ତ ଭାବେ ଶାହା ଓ ମୋଦୀଙ୍କୁ ସେମାନଙ୍କ ଭାଷାରେ ଉତ୍ତର ଦେବାକୁ ବାଧ୍ୟ ହୋଇଥିଲେ । ନବୀନ ମମତାଙ୍କ ଭଳି ରାଜନୈତିକ ସଂଘର୍ଷ ଓ ବିରୋଧ ମଧ୍ୟ ଦେଇ କ୍ଷମତାକୁ ଆସି ନାହାନ୍ତି । ୧୯୯୮ରେ ସେ ‘ବିଜୁ ପୁତ୍ର’ ଭାବେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ । ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଦଳ ଦୁର୍ବଳ ସ୍ଥିତିକୁ ଆସି ସାରିଥିଲା । ବିଭିନ୍ନ କାରଣରୁ ରାଜ୍ୟବାସୀ କଂଗ୍ରେସର ପିଛା ଛୁଡାଇବାକୁ ଚାହୁଁ ଥିଲେ । ତେଣୁ, ୨୦୦୦ ସାଧାରଣ ନିର୍ବାଚନରେ କୌଣସି ସଂଘର୍ଷ ବା ରକ୍ତପାତ ନ ହୋଇ ବିଜେଡ଼ି ବା ବିଜୁ ଜନତା ଦଳ କ୍ଷମତାକୁ ଆସିଲା । ରାଜ୍ୟରେ ଯେଉଁ ରାଜନୈତିକ ପରିବର୍ତନ ହେଲା ତାହାର ସବୁଠାରୁ ବଡ ଉପଭୋକ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିଜେଡ଼ି ଭିତରେ ବିଦ୍ରୋହ ଦେଖିଛନ୍ତି ଓ ପାଖାପାଖି ୫୦ ସହଯୋଗୀଙ୍କୁ ବିଭିନ୍ନ ବାଟରେ ଦଳରୁ ବିଦାୟ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ, ମମତାଙ୍କ ଭଳି ସେ ବିରୋଧୀ ରାଜନୈତିକ ଦଳଙ୍କ ଆଡୁ ଆହ୍ୱାନର ସମ୍ମୁଖୀନ ହୋଇ ନାହାନ୍ତି ବା ହିଂସ୍ର ରାଜନୀତିର ସମ୍ମୁଖୀନ ହୋଇ ନାହାନ୍ତି । ତେଣୁ, ମମତାଙ୍କ ଓ ନବୀନଙ୍କୁ ତୁଳନା କରାଯିବା ଠିକ୍ ହେବ ନାହିଁ ।
କିନ୍ତୁ, ଏବେ ଆବଶ୍ୟକତାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଶାହା ମମତାଙ୍କ ସହ ନବୀନଙ୍କୁ ତୁଳନା କରି ଓଡ଼ିଶାର ଶାନ୍ତ ଅବସ୍ଥାକୁ ପ୍ରଶଂସା କରିଛନ୍ତି । ମଙ୍ଗଳବାରର ହିଂସା ପରେ ଏହି ତୁଳନା ଆରମ୍ଭ ହୋଇଛି । ଓଡ଼ିଶାରେ ଚାରି ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିବା ଦର୍ଶାଇ ସେମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଅପରପକ୍ଷରେ, ୧୪ ତାରିଖ କଲିକତା ହିଂସା ପାଇଁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟୁ ସମାଲୋଚନା କରାଯାଇଛି । ପରାଜୟ ଭୟରେ ମମତା ହିଂସ୍ର ହୋଇଛନ୍ତି ବୋଲି ଦକ୍ଷିଣପନ୍ଥୀ କଟାକ୍ଷ କରୁଛନ୍ତି । ମଙ୍ଗଳବାର କଲିକତାରେ ଘଟିଥିବା ହିଂସା ପାଇଁ ବିଜେପି ମମତାଙ୍କ ତୃଣମୂଳ କଂଗ୍ରେସକୁ ଦାୟି କରୁଥିବା ବେଳେ ବିଜେପିକୁ ଦାୟି କରିଛି ଟିଏମସି । ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ୧୯ ତାରିଖରେ ହେବାକୁ ଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ମୋଦୀ- ଶାହା ଯୋଡି ଯେଭଳି ବ୍ୟକ୍ତିଗତ ସ୍ତରର ଆକ୍ଷେପ, ପ୍ରତ୍ୟାକ୍ଷେପକୁ ଚାଲି ଆସିଛନ୍ତି ତାହାର ପରିଣତି ହୋଇଛି ହିଂସା ।
ଭାରତୀୟ ନିର୍ବାଚନ କମିସନ ପଶ୍ଚିମ ବଂଗ ପରିସ୍ଥିତିକୁ ଦେଖି ପ୍ରଥମ ଥର ପାଇଁ ସମ୍ବିଧାନର ୩୨୪ ଧାରା ଲାଗୁ କରି ରାଜ୍ୟରେ ନିର୍ବାଚନ ପ୍ରଚାର ସରିବାର ୨୪ ଘଂଟା ପୂର୍ବରୁ ପ୍ରଚାର ଅଭିଯାନ ବନ୍ଦ କରିଦେଇଛି । ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏଭଳି କଠୋର ପଦକ୍ଷେପର ଆବଶ୍ୟକତା ଥିଲା ବୋଲି ନିର୍ବାଚନ କମିସନ କହିଛନ୍ତି । ୧୪ ତାରିଖ ସଂଘର୍ଷ ସମୟରେ ଦୁର୍ବୁତ୍ତମାନେ କଲିକତା ବିଶ୍ୱବିଦ୍ୟାଳୟ ନିକଟରେ ଥିବା ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଆବକ୍ଷ ପ୍ରତିମୂର୍ତୀକୁ ଭାଙ୍ଗି ପକାଇଛନ୍ତି । ଏହା ନିର୍ବାଚନ କମିସନଙ୍କୁ କ୍ଷୁବ୍ଧ କରିଥିବା କୁହାଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରାଲିରେ ଏଭଳି ସଂଘର୍ଷ ଘଟିବା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସୂଚାଉଛି । ତେଣୁ, ନିର୍ବାଚନ କମିସନ ସରକାରଙ୍କ ଗୃହ ଭାଗ ପ୍ରମୁଖ ସଚିବ ଓ ସିଆଇଡିର ଅତିରିକ୍ତ ମହାନିର୍ଦେଶକଙ୍କୁ କାର୍ଯ୍ୟରୁ ହଟାଇ ଦେଇ ଗୃହ ବିଭାଗ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କହିଛନ୍ତି । ଘଟଣା ପରେ ବିଜେପି ଓ ଟିଏମସି ପକ୍ଷରୁ ହିଂସାକାଣ୍ଡର ଭିଡ଼ିଓ ଉପସ୍ଥାପନ କରାଯାଇ ପରସ୍ପରକୁ ଘେରିବା ଉଦ୍ୟମ ଚାଲିଛି । ଟିଏମସି ଗୁଣ୍ଡାଙ୍କୁ ମମତା ବିଦ୍ୟାସାଗରଙ୍କ ପ୍ରତିମୂର୍ତୀ ଭଂଗାରେ ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଥିବା ବେଳେ ଟିଏମସି ବିଜେପି ବିରୋଧରେ ପାଲଟା ଅଭିଯୋଗ କରିଛି ।
ନିର୍ବାଚନ କମିସନ ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ କରାଇବା ଏବଂ ଦୁଇ ଜଣ ବରିଷ୍ଠ ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଜେପି ପ୍ରୟୋଜିତ ଏବଂ ଅଗଣତାନ୍ତ୍ରିକ ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରି ଏହାର ପରିଣତି ପ୍ରଧାନମନ୍ତ୍ରୀଙ୍କୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ।
ପଶ୍ଚିମ ବଂଗରେ ନିର୍ବାଚନୀ ହିଂସା କିଛି ନୂଆ ନୁହେଁ । ଅତୀତରେ କଂଗ୍ରେସ ଓ ସିପିଏମ୍ ସରକାର ସମୟରେ ମଧ୍ୟ ଏଭଳି ହିଂସା ହୋଇଛି । ତୃଣମୂଳ କଂଗ୍ରେସର ଜନ୍ମ ମଧ୍ୟ ହିଂସା-ମୁକାବିଲାରୁ । ବିଶେଷତ୍ୱ ହେଉଛି ମମତାଙ୍କ ଅନମନୀୟତା । ଓଡ଼ିଶା ଭଳି ପଶ୍ଚିମ ବଂଗରେ କ୍ଷମତା ଦଖଲ ପାଇଁ ବିଜେପି ଯେଭଳି ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ କରୁଛି ତାହାର ମୁକାବିଲା ପାଇଁ ଦିଦି ଏକା କୌଶଳ ପ୍ରୟୋଗ କରିଛନ୍ତି । ଓଡ଼ିଶା କଥା ଭିନ୍ନ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡ଼ି-ବିଜେପି କୋଳାକୋଳି ହେବା ସମ୍ଭାବନା ରହି ଥିବାରୁ ମୋଦୀ-ଶାହା ଯୋଡି ଓଡ଼ିଶା ଓ ନବୀନଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ତେବେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି ପରିସ୍ଥିତିରେ ମଧ୍ୟ ବିଜେପି ସହ ସାଲିସ କରିବା ଅବକାଶ ନାହିଁ । ତେଣୁ, ତାଙ୍କୁ ଦମନ କରିବା ପ୍ରୟାସ ଚାଲିଛି । ଯାହାକି, ପଶ୍ଚିମ ବଂଗ ରାଜନୀତିକୁ ବିଷାକ୍ତ କରିଛି । ଏହି କୂଟନୀତି ଓ ଅହଂଯୁଦ୍ଧର ପ୍ରଭାବ ମେ’ ୨୩ ପରେ ମଧ୍ୟ ରହିବ ବୋଲି ଆଶଙ୍କା କରାଯାଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS