ସୀତା ମାଡ଼କାମୀ ଆତ୍ମହତ୍ୟା-ଓଡ଼ିଶା ଦାରିଦ୍ର୍ୟର ଆଉ ଏକ କରୁଣ ଚିତ୍ର
– ପ୍ରସାଦ ରାଓ –
ଜୁଲାଇ ୦୨ ତାରିଖ
ଇଂରାଜୀରେ ପ୍ରବାଦ ଅଛି – ‘ହ୍ୱେର୍ ଦେରିଜ୍ ୱିଲ୍, ଦେରିଜ୍ ୱେ’ । ଓଡ଼ିଆରେ କୁହାଯିବ – ‘ଇଚ୍ଛାଶକ୍ତି ଥିଲେ ଆପେ ଆପେ ବାଟ ମିଳି ଯାଏ’ । ଓଡ଼ିଶା ସରକାରଙ୍କ ଇଚ୍ଛାଶକ୍ତିର ବୋଧହୁଏ ଅଭାବ ରହିଛି, ଯାହା ଫଳରେ କି ଦାରିଦ୍ର୍ୟ ଦୂର ହୋଇପାରୁ ନାହିଁ । ସେ ଅତୀତର କଂଗ୍ରେସ ସରକାର ହେଉ କି ବର୍ତମାନର ବିଜୁ ଜନତା ଦଳର ସରକାର । ଦାରିଦ୍ର୍ୟ ଓ ଅନାହାର ମୃତ୍ୟୁ ସବୁ ବେଳେ ଓଡ଼ିଶା ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛି । କଳାହାଣ୍ଡିର ଫନସ୍ ପୁଂଜୀ କାହାଣୀରୁ ଆରମ୍ଭ କରି ମାଲକାନଗିରିର ସୀତା ମାଡ଼କାମୀ ପର୍ଯ୍ୟନ୍ତ । ଦାରିଦ୍ର୍ୟ ଓ ଅନାହାର କଥା ଆସିଲେ କ୍ଷମତାରେ ଥିବା ସରକାର ବା ପ୍ରଶାସନ ତାହାକୁ ସ୍ୱୀକାର କରି ପ୍ରତିକାରର ବାଟ ଖୋଜିବା ବଦଳରେ ତୁରନ୍ତ ତାହାକୁ ଅସ୍ୱୀକାର କରି ବାଟବଣା କରିବା ଏକପ୍ରକାର ସରକାରୀ ପରଂପରା ହୋଇଯାଇଛି । କାରଣ, ସବୁ ସରକାର ଚାହାନ୍ତି ସେମାନଙ୍କ କାମ ପାଇଁ ସାବାସୀ ନେବାକୁ । କୌଣସି ପ୍ରକାର ବିଚ୍ୟୁତିକୁ ନେଇ ସମାଲୋଚନାକୁ ସହିବା ରାଜନେତା ବା ପ୍ରଶାସକଙ୍କ ମର୍ଯ୍ୟାଦା ବାହାରେ । ଅତୀତରେ କଂଗ୍ରେସ ସରକାର ଅମଳରେ ତାହା ହେଉ ଥିଲା । ଏବେ, ବିଜେଡ଼ି ସରକାର ଅମଳରେ ମଧ୍ୟ ଏକା ପରଂପରା ଦେଖିବାକୁ ମିଳୁଛି । ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଭିତ୍ତିରେ ବିରୋଧୀ ପକ୍ଷ ଦିନେ ଦୁଇ ଦିନ ବିଧାନସଭାରେ ପାଟିତୁଣ୍ଡ କରିବା ପରେ ସବୁ କିଛି ଶାନ୍ତ ହୋଇ ଯାଏ । ପ୍ରଶାସନର ତତ୍ପରତା କମିଯାଏ । ସେହି ଧରଣର ଆଉ ଗୋଟିଏ ଅଭିଯୋଗ ସାମନାକୁ ଆସିବା ଯାଏଁ ଗଣମାଧ୍ୟମ ମଧ୍ୟ ନୀରବୀଯାଏ । ବର୍ଷ ବର୍ଷ ଧରି ଆମେ ଏହି ପରଂପରା ଦେଖି ଆସୁଛୁ, ସରକାର ନିର୍ବିଶେଷରେ ।
ଆଜିର ଆଲୋଚନା ସେଭଳି ଏକ ଦାରିଦ୍ର୍ୟ ଓ ଅନାହାର ଅଭିଯୋଗକୁ ନେଇ ଯାହା ଘଟିଛି ଓଡ଼ିଶାର ସବୁଠାରୁ ପଛୁଆ ଓ ଅବହେଳିତ ଜିଲ୍ଲା ମାଲକାନଗିରିରେ । ଘଟଣାକୁ ନେଇ ପୁଣି ଥରେ ଜାତୀୟ ଗଣମାଧ୍ୟମ ଚଳଚଂଚଳ ହୋଇ ଉଠିଛି । ବିଧାନସଭାରେ ଏହାକୁ ନେଇ ଚର୍ଚ୍ଚା ହୋଇଛି ଏବଂ ପୁଣି ଥରେ ଓଡ଼ିଶାର ଦାରିଦ୍ର୍ୟର ଚିତ୍ର ଜାତୀୟ ସ୍ତରରେ ଉଜାଗର ହୋଇଛି । ଘଟଣାର ନାୟିକା ହେଉଛନ୍ତି ମାଲକାନଗିରି ଜିଲ୍ଲା ଗୌରିଗୁଡା ପଂଚାୟତ ଅନ୍ତର୍ଗତ ଗୋରିଗୁଡା ଗ୍ରାମର ମହିଳା ସୀତା ମାଡ଼କାମୀ । ଉକ୍ରଟ ଦାରିଦ୍ର୍ୟକୁ ସହି ନ ପାରି ସେ ଜୁନ ୨୯ ତାରିଖରେ ନିଜର ଦୁଇ ଶିଶୁ ସନ୍ତାନଙ୍କୁ ବିଷ ପିଆଇ ମାରି ଦେବାକୁ ଉଦ୍ୟମ କରିବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଆଂଚଳିକ ସ୍ତରରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ଗଣମାଧ୍ୟମରେ ଏକ ବଡ ଖବର ହୋଇଛି । ଘଟଣାଟି ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି । ସୀତା ମାଡ଼କାମୀଙ୍କ ମୃତ୍ୟୁ ଘଟଣା ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶରବ୍ୟ କରିଥିବା ବେଳେ ‘ଏହା ଉକ୍ରଟ ଦାରିଦ୍ର୍ୟ ଜନିତ ହୋଇଥିଲେ ମଧ୍ୟ ଅନାହାର ମୃତ୍ୟୁ ଭଳି ନୁହେଁ’ କହି ମାଲକାନଗିରି ବିଡ଼ିଓ ନୂଆ ପରଂପରା ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପାଳି ସରକାରରେ ନିଜେ ଘୋଷଣା କରିଥିଲେ ଯେ, ଯେଉଁ ଜିଲ୍ଲାରେ ଉକ୍ରଟ ଦାରିଦ୍ର୍ୟ ଓ ଅନାହାରରେ ମୃତ୍ୟୁ ଭଳି ଘଟଣା ଘଟିବ ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ସେଥି ପାଇଁ ପ୍ରଥମେ ଦାୟି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନବୀନଙ୍କ ପଂଚମ ପାଳି ସରକାରର ପ୍ରାରମ୍ଭରେ ମାଲକାନଗିରି ଜିଲ୍ଲାରେ ସୀତା ମାଡ଼କାମୀ ଆତ୍ମହତ୍ୟା ଘଟଣା ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ମୁହଁ ଖୋଲି ନଥିବା ବା ଜିଲ୍ଲାପାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ତଥ୍ୟାଭିଜ୍ଞ ମହଲକୁ ଆଚମ୍ବିତ କରିଛି ।
ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ ଜୁଲାଇ ୧ ତାରିଖ ବିଧାନସଭା ଅଧିବେଶନରେ ଏସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରି ଜିଲ୍ଲା ପ୍ରଶାସନର ସଂବେଦନହୀନତାର ମୁଖା ଖୋଲିଛନ୍ତି । ସବୁ ଶୁଣିବା ପରେ ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲପାଳଙ୍କ ସହ କଥା ହୋଇ ଆବଶ୍ୟକ ପଦକ୍ଷେପ ନେବାକୁ । ଏହି ଘଟଣାରେ ଜିଲ୍ଲାପାଳ ନିଜେ ଉତ୍ତରଦାୟୀ ହୋଇ ଥିବା ବେଳେ ରାଜ୍ୟ ରାଜସ୍ୱ ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ସହ କଥା ହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯିବା କେତେଦୂର ଯଥାର୍ଥ, ତାହା ହିଁ ବଡ ପ୍ରଶ୍ନ ହୋଇଛି । ବିଧାୟକ ମାଢୀ ଗୃହରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ମୃତା ସୀତା ମାଡ଼କାମୀ ସ୍ୱାମୀ ଭୀମା ମାଡ଼କାମୀଙ୍କ ମୃତ୍ୟୁ ପରେ ଏକ ପ୍ରକାର ଅସହାୟ ଅବସ୍ଥାରେ ଦୁଇ ମାସ ହେଲା ଦାରିଦ୍ର୍ୟ ସହ ଲଢୁଥିଲେ । କାରଣ, ଭୀମା ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ମୂଲ ମଜୁରୀ ଲାଗି ସେ ପରିବାର ଚଳାଉ ଥିଲେ । ଘରେ ଥିଲେ ପାଂଚ ସଦସ୍ୟ । ବେଳେ ବେଳେ ସୀତା ମଧ୍ୟ ବାହାରେ କାମଧନ୍ଦା କରି ସାହାଯ୍ୟ କରୁଥିଲେ । ହଠାତ୍ ଭୀମା ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲେ । ପରିବାର ଚଳାଇବା ଦାୟିତ୍ୱ ସୀତାଙ୍କ ଉପରେ ପଡିଲା । କଷ୍ଟେମଷ୍ଟେ ଗୁଜୁରଣ ମେଂଟୁ ଥିବା ବେଳେ ଦୁଇ ମାସ ତଳେ ଭୀମାଙ୍କ ମୃତ୍ୟୁ ହୋଇଛି । ଶାଶୁ, ଶ୍ୱଶୁର ଓ ନିଜର ଦୁଇ ଶିଶୁ ସନ୍ତାନ ଧରିତ୍ରୀ (୫) ଓ ଦେବେନ୍ଦ୍ର (୪)ଙ୍କ ପେଟ ପାଳିବା ସୀତାଙ୍କ ପାଇଁ ସହଜସାଧ୍ୟ ନ ହେବାରୁ ସେ ଭୋକରୁ ସ୍ଥାୟୀ ମୁକ୍ତିର ବାଟ ବାଛିଲେ । ଶନିବାର ଦିନ ଦୁଇ ଶିଶୁ ସନ୍ତାନଙ୍କୁ ବିଷ ପିଆଇ ନିଜେ ମଧ୍ୟ ବିଷ ପିଇ ଦେଲେ ।
ସୀତା ଓ ତାଙ୍କ ଦୁଇ ସନ୍ତାନ ବିଷ ଜ୍ୱାଳାରେ ଛଟପଟ ହେଉଥିବା ବେଳେ ଧରିତ୍ରୀ ଓ ଦେବେନ୍ଦ୍ରଙ୍କ କାନ୍ଦ ଶୁଣି ପଡୋଶୀ ସେଠାରେ ପହଂଚି ଥିଲେ । ସୀତାଙ୍କ ଭଂଗା ଦଦରା କୁଡିଆ ଭିତରର ଦୃଶ୍ୟ ପଡୋଶୀଙ୍କୁ ହତବାକ୍ କରିଥିଲା । ମା’ ଓ ଦୁଇ ଛୁଆ ବିଷ ଜ୍ୱାଳା ସହି ନ ପାରି ବାନ୍ତି କରୁଥିବା ଓ ଛୁଆ ଦୁଇଟି ରାହା ଧରି କାନ୍ଦୁ ଥିବା ଦେଖି ପଡୋଶୀ ତୁରନ୍ତ ସେମାନଙ୍କୁ ମାଲକାନଗିରି ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ହସପିଟାଲରେ ପହଂଚିବା ବେଳକୁ ସୀତାଙ୍କ ମୃତ୍ୟୁ ହୋଇ ସାରିଥିଲା, ଛୁଆ ଦୁଇଟିଙ୍କ ଅବସ୍ଥା ଥିଲା ସଂକଟାପନ୍ନ । ଛୁଆ ଦୁଇଟି ଚିକିତ୍ସା ପରେ ସୁସ୍ଥ ଅଛନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଘଟୁ ଥିବା ଡାକ୍ତର କହୁଛନ୍ତି । ଭୀମାର ବୁଢା ବାପା ଓ ମା’ ପୁଅ, ବୋହୁଙ୍କୁ ହରାଇବା ଦୁଃଖ ସହ ଦୁଇ ନାତି ନାତୁଣୀଙ୍କ ଭରଣପୋଷଣ ଚିନ୍ତାରେ ନିର୍ବାକ ହୋଇ ଚାହିଁ ରହୁଛନ୍ତି ହସପିଟାଲ ଆସି ଭିଡ ଜମାଉ ଥିବା ଶୁଭେଚ୍ଛୁ ଓ ପ୍ରଶାସନିକ ଅଧିକାରୀଙ୍କୁ । ଏଭଳି ଏକ କରୁଣ ଦୃଶ୍ୟ ପ୍ରତ୍ୟେକ ଓଡ଼ିଆଙ୍କୁ ବିଚଳିତ କରିବା ସ୍ୱାଭାବିକ । କିନ୍ତୁ, ପ୍ରଶାସନ କେବେ ଦୋଷ ମୁଣ୍ଡାଇ ନାହିଁ ବା ମୁଣ୍ଡାଇବାକୁ ପ୍ରସ୍ତୁତ ନୁହେଁ । ତେଣୁ, ସୀତା ମାଡ଼କାମୀଙ୍କ ମୃତ୍ୟୁ ଅନାହାର ଜନିତ ନୁହେଁ, ଦାରିଦ୍ର୍ୟ ଏକ କାରଣ ହୋଇଥାଇପାରେ ବୋଲି ମାଲକାନଗିରି ବ୍ଲକ ଉନ୍ନୟନ ଅଧିକାରୀ ମତ ଦେଇଛନ୍ତି । ପ୍ରଶାସନ କହିବା ଅନୁଯାୟୀ, ସେମାବାର ଦିନ ସୀତାଙ୍କ ଘର ଯାଂଚ କଲା ବେଳେ ଘରୁ ଦୁଇ ବସ୍ତା ଧାନ ଓ ୧୦ କିଲୋ ଚାଉଳ ମିଳିଛି । ତେଣୁ, ଖାଦ୍ୟାଭାବ ସୀତାଙ୍କ ଆତ୍ମହତ୍ୟାର କାରଣ ନୁହେଁ । ଅସ୍ୱଚ୍ଛଳତା କାରଣ ହୋଇଥାଇପାରେ । ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ପ୍ରଶାସନ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଦୁଇ ଶିଶୁଙ୍କ ଚିକିତ୍ସା ଦାୟିତ୍ୱ ନେବା ସହ ପରିବାରକୁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି ।
ପ୍ରଶ୍ନ ଉଠୁଛି, ଭୀମାର ମୃତ୍ୟୁ ପରେ ସୀତା ଦୁଇ ଶିଶୁଙ୍କୁ ଧରି ଗୋଟିଏ ଦଦରା ଝାଟିମାଟି ଘରେ ପଡି ରହି ଥିବା ବେଳେ କେମିତି ବ୍ଲକ ପ୍ରଶାସନର ଦୃଷ୍ଟିକୁ ଆସି ନ ଥିଲା ? ସୀତାଙ୍କ ରେସନ କାର୍ଡ ଥିଲା ବୋଲି ବିଡ଼ିଓ ଗୁଣନିଧି ନାୟକ କହିଛନ୍ତି । ‘ଘରେ ଦାରିଦ୍ର୍ୟର ଚିତ୍ର ଦେଖିବାକୁ ମିଳିଛି ସତ, କିନ୍ତୁ ଅନାହାର ମୃତ୍ୟୁ ହେଲା ଭଳି ନୁହଁ’ – ବିଡ଼ିଓ ଏକଥା କହିଲା ବେଳେ ବୋଧହୁଏ ପ୍ରଶାସନର ଦାୟିତ୍ୱ ଭୁଲି ଯାଇଛନ୍ତି । ଭୀମାଙ୍କ ମୃତ୍ୟୁ ପରେ ସୀତାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ମାସିକ ୫୦୦ ଟଙ୍କା ବିଧବା ଭତ୍ତା ମିଳିବା କଥା । ଏନଏଫବିଏସ୍ (ନ୍ୟାସନାଲ ଫ୍ୟାମିଲି ବେନିଫିଟ ସ୍କିମ୍)ରେ ମଧ୍ୟ ଏକକାଳୀନ ୨୦,୦୦୦ଟଙ୍କା ସହାୟତା ମିଳିବା କଥା । କିନ୍ତୁ, ଭୀମାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଦେବାରେ ବିଳମ୍ବ କରିବାରୁ ସୀତା ଏସବୁ ସହାୟତା ପାଇ ନାହାନ୍ତି । ଏବେ କାଗଜପତ୍ର ପ୍ରେସେସିଂ ସ୍ତରରେ ଅଛି ବୋଲି ବିଡ଼ିଓ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ବର୍ଷ କ୍ଷମତାରେ ରହି ଗରୀବ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନା ଖଂଜିଛନ୍ତି । ବିପିଏଲ୍ଙ୍କୁ ଟଙ୍କିକିଆ ଚାଉଳ ମିଳୁଛି । ଅନାହାର ମୃତ୍ୟୁ ରୋକିବା ସକାଶେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି । ଗୃହହୀନ ଗରୀବ ପରିବାରଙ୍କ ପାଇଁ ଇନ୍ଦିରା ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି । ଗରୀବଙ୍କ ପାଇଁ ସରକାର ବିଭିନ୍ନ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏସବୁ ଦାବି ହେଉଛି ରାଜ୍ୟ ସରକାରଙ୍କର । ଏସବୁ ସତ୍ୱେ ଭୀମା ମାଡ଼କାମୀ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ମରି ଗଲା । ସୀତା ଇନ୍ଦିରା ଆବାସଟିଏ ନ ପାଇ ଦରଭଂଗା ଝାଟିମାଟି କୁଡ଼ିଆରେ ଦୁଇ ଛୁଆଙ୍କ ସହ ଜୀବନ ବିତାଉ ଥିଲେ । ରେସନ କାର୍ଡ ଥାଇ ମଧ୍ୟ ସୀତାଙ୍କୁ ପାଂଚ ପ୍ରାଣୀ ଚଳିବା ଭଳି ପର୍ଯ୍ୟାପ୍ତ ରେସନ ମିଳୁ ନ ଥିଲା । ଭୀମାର ମୃତ୍ୟୁ ପରେ ଆସହାୟା ପରିବାରକୁ ସହାୟତା ଯୋଗାଇବା ଦୂରେ ଥାଉ ପ୍ରଶାସନ ଭୀମାର ମୃତ୍ୟୁ ସାର୍ଟିଫିକେଟ୍ ମିଳିବାରେ ବିଳମ୍ବ ହୋଇଥିବା ଦର୍ଶାଇ ସୀତାଙ୍କୁ ପ୍ରାପ୍ୟ ପାଇବାରୁ ବଂଚିତ କରିଥିଲା । ଭୀମାର ମୃତ୍ୟୁ ପରେ ସୀତା କେବଳ ହରିଶ୍ଚନ୍ଦ୍ର ଯୋଜନାରେ ଦାହ ସଂସ୍କାର ପାଇଁ ଦୁଇ ହଜାର ଟଙ୍କା ସହାୟତା ପାଇ ଥିଲେ । ଏହା ଦାରିଦ୍ର୍ୟକୁ ନେଇ ପ୍ରଶାସନ କେତେଦୂର ସଂବେଦନଶୀଳ, ତାହା ସ୍ପଷ୍ଟ କରୁଛି ।
ମୁଖ୍ୟମନ୍ତ୍ରୀ ପଂଚମ ଥର କ୍ଷମତାକୁ ଆସିବା ସକାଶେ ଭୋଟ ମାଗିବା ପାଇଁ ଯେଉଁମାନଙ୍କ ଦୁଆରକୁ ଯାଇ ଥିଲେ ଭୋଟ ପରେ ପ୍ରଶାସନ ସେହିମାନଙ୍କୁ ଦୁଆରକୁ ଆଉ ଥରେ ଯାଇଥିଲେ ବୋଧହୁଏ ସୀତା ମାଡ଼କାମୀଙ୍କୁ ଏଭଳି ଏକ ଚରମ ପଦକ୍ଷେପ ନେବାକୁ ପଡି ନଥା’ନ୍ତା ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ସୀତା ମାଡକାମୀ ଜୀବିତ ଥିବା ଅବସ୍ଥାରେ ପ୍ରଶାସନ ତାଙ୍କ ଦୁଃଖ ବୁଝି ନାହିଁ । ମୃତ୍ୟୁ ପରେ ସୀତାଙ୍କ ବୃଦ୍ଧ ଶାଶୁ, ଶ୍ୱଶୁର ଏବଂ ଦୁଇ ସନ୍ତାନଙ୍କ ଅବସ୍ଥା କଣ ବୁଝିବ, ତାହା ସମୟ କହିବ । ଅତୀତ ଅଭିଜ୍ଞତା ଯାହା କହୁଛି, ପ୍ରସଙ୍ଗ ଗରମ ଥିବା ଯାଏଁ ଜିଲ୍ଲା ଓ ବ୍ଲକ ଅଧିକାରୀ ପୀଡ଼ିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଥା’ନ୍ତି । ଥରେ ପ୍ରସଙ୍ଗ ଥଣ୍ଡା ପଡିଲେ, ସବୁ ପ୍ରତିଶ୍ରୁତି ଥଣ୍ଡାବାକ୍ସକୁ ଚାଲି ଯାଏ । ସୀତା ମାଡ଼କାମୀଙ୍କ ପରିବାର କ୍ଷେତ୍ରରେ ତାହା ନ ହେଉ, ଏତିକି ଆମେ ଆଶା କରୁଛୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS