ନିଆରା ଅଭିଜ୍ଞତା..
– ପ୍ରସାଦ ରାଓ –
ଜୁଲାଇ ୧୬ ତାରିଖ
ରଥ ଉପରେ ବସି ଥିବା ଅବସ୍ଥାରେ ତିନି ଠାକୁର ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ଦର୍ଶନ କରିବା ଏକ ନିଆରା ଅନୁଭବ । ସମସ୍ତଙ୍କୁ ଏହି ସୁଯୋଗ ମିଳି ନ ଥାଏ । ପୁରୀରେ ପହଂଚିବା ଏବଂ ତିନି ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ଆଶିଷ ଥିଲେ ହିଁ ତାହା ସମ୍ଭବ ହୋଇଥାଏ । ଏଥି ସକାଶେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅଳି କରିବାକୁ ମଧ୍ୟ ପଡିଥାଏ । ତାହା ନ ହେଲେ ଭକ୍ତଙ୍କୁ ଟିଭି ପରଦାରେ ଠାକୁର ଦର୍ଶନ କରିବାର ସୁଯୋଗ ରହିଛି । କିନ୍ତୁ, ଆତ୍ମା ସନ୍ତୁଷ୍ଟି ପାଇଁ ତିନି ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କରିବାର ଅଭିଜ୍ଞତା ନିଆରା । ଭକ୍ତଙ୍କ ଭିଡ଼ରେ ହାତ ଟେକି ଜଗନ୍ନାଥଙ୍କ ଆଶିଷ ମାଗିବାରେ ଯେଉଁ ଆନନ୍ଦ ରହିଛି ତାହା ଟିଭି ପରଦାରେ ଦର୍ଶନରେ ଅନୁଭବ କରି ହୁଏ ନାହିଁ ।
୨୦୧୭ ସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ସ୍ନାନ ବେଦୀରେ ଦର୍ଶନ କରିବା ପରେ ଯେତେବେଳେ ପୁରୀ ଯାଇଛି ଶ୍ରୀମନ୍ଦିର ଭିତରେ ହିଁ ଠାକୁର ଦର୍ଶନ କରିଛି । ରଥଯାତ୍ରାରେ ଜନସମୁଦ୍ର ଭିତରେ ପଶି ଜଗନ୍ନାଥଙ୍କୁ ଦର୍ଶନ କରିବାର ପ୍ରବଳ ଇଚ୍ଛା ଥିଲେ ମଧ୍ୟ ତାହା ସାକାର ହୋଇ ନାହିଁ । ଭୁବନେଶ୍ୱରରେ ରହି ପାଠ ପଢିବା ବେଳେ ସାଙ୍ଗଙ୍କ ସହ ଥରେ ଅଧେ ରଥଯାତ୍ରାରେ ପୁରୀ ଯାଇ ରଥ ଦଉଡି ଛୁଇଁଛି । ତିନି ଠାକରଙ୍କୁ ଦୂରରୁ ଦର୍ଶନ କରିଛି। କିନ୍ତୁ, ୪୦ ବର୍ଷର ସାମ୍ବାଦିକତା ଭିତରେ ରଥଯାତ୍ରା ଦିନ ପୁରୀ ଯାଇ ଠାକୁର ଦର୍ଶନ ଓ ରଥ ଟାଣିବା ସୁଯୋଗ ପାଇ ନାହିଁ । ଭିଆଇପି ସହର ଭୁବନେଶ୍ୱରର ବଡ଼ବଡିଆ ଭକ୍ତମାନେ ରଥ ଟଣା ସରିବା ପରେ ବିଳମ୍ବ ରାତ୍ରୀରେ ପୁରୀରେ ପହଂଚି ରଥାରୁଢ ତିନି ଠାକୁରଙ୍କୁ ନିକଟରୁ ଦର୍ଶନ କରିବାର ଅନୁଭବ ନେଇଥା’ନ୍ତି । ରଥ ଉପରେ ଚଢି ଠାକୁର ଦର୍ଶନ କରିବା ସହ ତିନି ଠାକୁରଙ୍କୁ ଆଲିଙ୍ଗନ କରିବା ଏକ ଭାବମୟ ପରିବେଶ ସୃଷ୍ଟି କରିଥାଏ । ମାଉସୀମା ମନ୍ଦିର ସାମନାରେ ରଥ ତିନିଟି ଠିଆ ରୁହେ । ଭକ୍ତମାନେ ରଥରେ ଚଢି ଦର୍ଶନ କରିବା ପରେ ରଥ ଦଉଡିରୁ ସୋରାଏ ଛିଣ୍ଡାଇ ଆଣି ମୁଣ୍ଡରେ ଲଗାଇବା ପରେ ପାଖରେ ରଖନ୍ତି । ସୋରାଏ ରଥ ଦଉଡି ନିଜ ପାଖରେ ରଖିବା ଠାକରଙ୍କ ଆଶୀର୍ବାଦ ଭାବେ ବିଚାର କରିଥା’ନ୍ତି ଭକ୍ତ । ବର୍ଷେ, ଦୁଇ ବର୍ଷ ହେଲା ରଥରେ ଚଢି ଠାକରୁଙ୍କୁ ଦର୍ଶନ କରିବା ଛୁଇଁବା ପରଂପରା ବନ୍ଦ ହୋଇଯାଇଛି । ତଥାପି, କିଛି ଅମାନିଆ ଭକ୍ତ (ପ୍ରଭାବଶାଳୀ) ସବୁ ନିୟମ କାନୁନ ଉଲଂଘନ କରି ରଥରେ ଚଢି ଠାକୁରଙ୍କୁ ଛୁଇଁବା ନିଜର ଅଧିକାର ଭାବି ବିବାଦକୁ ଆସିଛନ୍ତି । ସେମାନଙ୍କୁ ରଥ ଉପରକୁ ନେଇ ଥିବା ସେବାୟତ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସକାଶେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏସବୁ ନିୟମକାନୁନ କରିଥିବା ବେଳେ ଅମାନିଆ ଭକ୍ତ ସବୁ ବେଳେ ଚାହିଁଛନ୍ତି ପତିତପବାନଙ୍କ ଅତି ନିକଟତର ହୋଇ ଆଶୀର୍ବାଦ ନେବା ପାଇଁ ।
କିଛି ବର୍ଷ ତଳେ ରଥଯାତ୍ରା ଦିନ ପରିବାର ସହ ରାତି ଅଧିଆ ପୁରୀରେ ପହଂଚି ମାଉସୀମା’ଙ୍କ ମନ୍ଦିର ସାମନାରେ ଠିଆ ହୋଇଥିବା ରଥରେ ଚଢି ତିନି ଠାକୁରଙ୍କ ଦର୍ଶନ କରି କୃତ୍ୟକୃତ୍ୟ ହୋଇଥିଲି । ରଥ ଦଉଡିରୁ ସୂତାଖିଏ ଆଣି ପାଖରେ ରଖି ଥିଲି । ଏହା ପରେ କିନ୍ତୁ ସୁଯୋଗ ମିଳିନି । ବାହୁଡା ପୂର୍ବରୁ ପୁରୀ ଯାଇ ମାଉସୀମା ମନ୍ଦିରରେ ବସି ଭକ୍ତଙ୍କୁ ସଂଖୁଳୁ ଥିବା ତିନି ଠାକୁରଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମଣିଛି । ୨୦୧୯ ରଥଯାତ୍ରାରେ ମଧ୍ୟ ବାହୁଡା ପୂର୍ବରୁ ତିନି ଠାକୁର ଦର୍ଶନର ଅଭିଳାଷ ରଖି ଥିଲି । ତେବେ, ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇ ନ ଥିଲା । ଜୁଲାଇ ୧୨ ତାରିଖ ଦିନ ତିନି ଠାକୁର ବାହୁଡି ଆସି ଥିଲେ ଶ୍ରୀମନ୍ଦିର ନିକଟକୁ । ୧୩ ତାରିଖ ଥିଲା ସୁନା ବେଶ । ଅସମ୍ଭବ ଭିଡରେ ପଶି ଠାକୁର ଦର୍ଶନ କରିବା ଅପେକ୍ଷା ୧୪ ତାରିଖ ରବିବାର ସନ୍ଧ୍ୟା ଅଧରପଣା ପୂର୍ବରୁ ପୁରୀ ଯାଇ ତିନି ଠାକୁରଙ୍କୁ ଦର୍ଶନ ସହଜ ହେବ ଭାବି ପରିବାର ସହ କାର୍ଯ୍ୟକ୍ରମ ପ୍ରସ୍ତୁତ କଲି । ତେବେ, ଛୋଟମୋଟ ପ୍ରତିବନ୍ଧକ ଆସିଲା । ଯେହେତୁ ମୁଁ ଏକ ଟେଲିଭିଜନ ସଂସ୍ଥାରେ କାର୍ଯ୍ୟ କରୁଛି ଗାଡି ଓ କାର୍ ପାସ୍ ବ୍ୟବସ୍ଥା କରିବାରେ ସମସ୍ୟା ନ ଥିଲା । କିନ୍ତୁ, ମଧ୍ୟାହ୍ନରେ ଯିବି କି ଅପରାହ୍ନରେ ଯିବି, ତାହା ବ୍ୟବସ୍ଥା ଉପରେ ନିର୍ଭର କରୁଥିବାରୁ ଓ କିଛି କିଛି ସମସ୍ୟା ମନକୁ ଭାରାକ୍ରାନ୍ତ କରିବାରୁ ଶୋଇବା ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ମାରି କହିଲି – ‘ସବୁ ତୁମ ଇଚ୍ଛା । ମୁଁ ରଥ ଉପରେ ଥିବା ଅବସ୍ଥାରେ ତୁମକୁ ଦର୍ଶନ କରିବାକୁ ଚାହୁଁଛି । ଯଦି ଡାକିବ, ଆସିବି । ନ ହେଲେ ପରେ କେତେ ବେଳେ ମନ୍ଦିର ଯାଇ ଦର୍ଶନ କରିବି ।’ ଭାରାକ୍ରାନ୍ତ ମନକୁ ଶାନ୍ତ୍ୱନା ଦେବାକୁ ଯାଇ ଠାକୁରଙ୍କୁ ଏତିକି କହି ଶୋଇ ପଡିଲି ।
ସକାଳୁ ଉଠି ଦେଖିଲି ସବୁ ବ୍ୟବସ୍ଥିତ ହୋଇ ଯାଇଛି । ମଧ୍ୟାହ୍ନରେ ପୁରୀ ଅଭିମୁଖେ ବାହାରିଲି । ଅପରାହ୍ନରେ ତିନି ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କଲି । ରଥାରୁଢ କାଳିଆ ଠାକୁର ଶ୍ରୀ ଜଗନ୍ନାଥଙ୍କ ମୁହଁରେ ଯେଉଁ ତେଜ ଓ ନବଯୌବନର ଝଲକ ଦେଖିଲି ତାହା ଥିଲା ଅଦ୍ଭୁତ । ରଥ ଉପରେ ଠାକୁର ବାମନ ଭଳି ଦିଶନ୍ତି କୁହାଯାଏ । କିନ୍ତୁ, ଅଧରପଣା ଅପରାହ୍ନରେ ସେଭଳି କିଛି ଅନୁଭବ ହେଲା ନାହିଁ । କାଳିଆ ଠାକୁର ଶ୍ରୀ ମନ୍ଦିର ଭିତରେ ବାମନ ଦିଶୁଛନ୍ତିି । କିନ୍ତୁ, ରଥରେ ନୁହେଁ, ସେଭଳି ଅନୁଭବ ହେଲା ଶ୍ରୀଜଗନ୍ନାଥଙ୍କ ରଥ ସାମନାରେ ଠିଆ ହୋଇ । ଠାକୁରଙ୍କ ତେଜୋଦୀପ୍ତ ରୂପକୁ ଦେଖି କୌଣସି ଭକ୍ତ ରଥ ସାମନାରୁ ହଟିବାକୁ ପ୍ରସ୍ତୁତ ନ ଥିଲେ । ସମସ୍ତେ ହାତ ଦୁଇଟିକୁ ଟେକି ଦେଇ ଶ୍ରୀଜଗନ୍ନାଥଙ୍କ ସେହି ଅପୂର୍ବ କାନ୍ତିରେ ହଜି ଯିବାର ପ୍ରୟାସ କରୁଥିବା ଦେଖିବାକୁ ମିଳି ଥିଲା । ଶ୍ରୀଜଗନ୍ନାଥଙ୍କ ପରେ ମା’ ସୁଭଦ୍ରା ଓ ପ୍ରଭୁ ବଳରାମଙ୍କ ଦର୍ଶନ କରୁଥିବା ଭକ୍ତମାନେ ପୁଣି ଥରେ ଫେରି ଆସୁଥିଲେ ନନ୍ଦିଘୋଷ ରଥ ସାମନାକୁ । ମା’ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳରାମଙ୍କ ଚେହେରାରେ ସେଭଳି ତେଜ ନ ଥିଲା, ଯାହା ଥିଲା ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ । ସୋମବାର ତିନି ଠାକୁର ନୀଳାଦ୍ରିବିଜେ କରିଛନ୍ତି। ହରିଶୟନ ଏକାଦଶୀରୁ ଶ୍ରୀହରିଙ୍କ ପାଶ୍ୱର୍ ପରିବର୍ତନ ଓ ହରି ଶୟନ ଆରମ୍ଭ ହୋଇଯାଇଛି । ଠାକୁର ନିଦ୍ରାରେ ଥିବା କୁହାଯାଉଥିବା ବେଳେ ସେ ବଡ ବଡ ଆଖିରେ ଭକ୍ତଙ୍କୁ ଅନାଇ ହସ ହସ ମୁହଁରେ ଆଶୀର୍ବାଦ ବର୍ଷା କରୁଥିବାର ଦର୍ଶନ ନିଆରା ନୁହେଁ କି?
ରବିବାର ଅପରାହ୍ନରେ ପୁରୀରେ ତିନି ଠାକୁରଙ୍କ ଏହି ଦୁର୍ଲଭ ଦର୍ଶନ ବାଦେ ଆଉ କିଛି ନିଆରା ଅନୁଭବ ରହିଛି, ଯାହା ଏଠି ଉପସ୍ଥାପନ କରିବା ଉଚିତ ମଣୁଛି । ରଥଯାତ୍ରାରୁ ନୀଳାଦ୍ରିବିଜେ ସରିବା ପର୍ଯ୍ୟନ୍ତ ପୁରୀ ସହର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି । ରାଜ୍ୟର ବିଭିନ୍ନ ଅଂଚଳରୁ ଆସି ପୁରୀରେ ଦାୟିତ୍ୱ ସଂପାଦନ କରୁଥିବା ପୁଲିସ ଓ ଅନ୍ୟ ନିରାପତ୍ତା କର୍ମଚାରୀମାନେ ସବୁ କିଛି ବ୍ୟବସ୍ଥିତ ରଖିବା ସକାଶେ ନିର୍ଘାତ ଖଟିଛନ୍ତି । ପୁରୀ ସହରରେ ସିଧାସଳଖ ପ୍ରବେଶ, ପ୍ରସ୍ଥାନ ନ ହୋଇ ତାଳବଣିଆ ଦେଇ ଟ୍ରାଫିକ ନିୟନ୍ତ୍ରଣ ହେଉଥିଲା । ବିଭିନ୍ନ ସ୍ଥାନରେ ଥିବା ଚେକ୍ ପୋଷ୍ଟ୍ ରେ ଅବସ୍ଥାପିତ ପୁଲିସ କର୍ମଚାରୀ ଖିିଂକାରୀ ନ ହୋଇ ଯାନବାହନରେ ଆସୁଥିବା ଯାତ୍ରୀମାନଙ୍କୁ ବଡ଼ଦାଣ୍ଡ ଓ ଭୁବନେଶ୍ୱର ଫେରିବା ରାସ୍ତା ବତାଉଥିବା ଏଥରର ଆଉ ଏକ ନିଆରା ଦୃଶ୍ୟ ଥିଲା । ବଡ଼ଦାଣ୍ଡରେ ପଣ୍ଡା, ସେବାୟତଙ୍କ ଦୌରାତ୍ମ୍ୟ ମଧ୍ୟ ନ ଥିଲା । ଜଣେ, ଦୁଇ ଜଣ ସେବାୟତ ଭଳି ଦିଶୁ ଥିବା ବ୍ୟକ୍ତି ନାଲି, ନେଳି ରିବନ ଓ ଚନ୍ଦନ, ତୁଳସୀ ପତ୍ର ଧରି ଭକ୍ତଙ୍କ ଗହଣରେ ଘୁରି ବୁଲୁ ଥିଲେ । ହଠାତ୍ ରିବନଟିଏ ଭକ୍ତଙ୍କ ବେକରେ ଗଳାଇ, ମୁଂଡରେ ଚନ୍ଦନ ଟିପାଟିଏ ମାରି ୧୦ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ଜଣେ ଦୁଇ ଜଣ ଛୋଟ ଟିଫିନ ବକ୍ସରେ ହାଲୁଆ ଟିକେ ଧରି ଭୋଗ କରି ଭକ୍ତଙ୍କୁ ଯାଚୁଥିଲେ । ବିଭିନ୍ନ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ଶ୍ରୀମନ୍ଦିର ନିକଟରେ ବନ୍ଧା ଯାଇଥିବା ମଂଚାଗୁଡିକରେ ଚଢି ତିନି ରଥକୁ କ୍ୟାମେରାଗୁଡ଼ିକ ଫୋକସ୍ କରିବାରେ ଲାଗି ଥିଲେ । ‘ଫନି’ ପରବର୍ତୀ ବଡ଼ଦାଣ୍ଡ ଦୃଶ୍ୟ ଟିକେ ମାନ୍ଦା ଥିଲା ସିନା ସ୍ୱାଭାବିକତା ଫେରୁ ଥିବାର ଆଭାସ ଦେଉଥିଲା । ଚରମ ଅବ୍ୟବସ୍ଥା ଦେଖିବାକୁ ମିଳି ଥିଲା ବଡ଼ଦାଣ୍ଡରେ ଥିବା ଗାଡ଼ି ପାର୍କିଂରେ । ଗାଡି ପିଛା ୩୦ ଟଙ୍କା ଆଦାୟ କରାଯାଉଥିଲା ସିନା ପାର୍କିଂ ସ୍ଥଳରେ କୌଣସି କର୍ମଚାରୀ ନ ଥିଲେ ଗାଡି ନେଇ ପାର୍କିଂ ଭିତରକୁ ଯାଉଥିବା ଗାଡି ଚାଳକଙ୍କୁ ଗାଇଡ୍ କରିବା ପାଇଁ ।
ରବିବାର ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ସମୁଦ୍ର କୂଳ ଏତେ ଭିଡ଼ ଥିଲା ଯେ ପାର୍କିଂ ନ ପାଇ ଗାଡି ନେଇ ଯାଇଥିବା ପରିବାର ହାରାଶ ହୋଇଥିଲେ । ପୌରାପାଳିକାର ପାର୍କିଂ ଭରପୁର ଥିଲା । ସେଠାରେ ଉପସ୍ଥିତ ଥିବା ଜଣେ ହୋମଗାର୍ଡ ସଦୃଶ କର୍ମଚାରୀ ରୁକ୍ଷ ଭାବେ କହୁଥିଲେ, ଏଠାରେ ଜାଗା ନାହିଁ, ଲାଇଟ୍ ହାଉସ୍ ଆଡକୁ ଯାଆନ୍ତୁ । ପାନ୍ଥ ନିବାସ ଛକ ଟର୍ଣ୍ଣିଂରୁ ଲାଇଟ୍ ହାଉସ୍ – ଲମ୍ବା ରାସ୍ତା ହୋଇଥିଲେ ମଧ୍ୟ ଗାଡି ଚାଳକ ପାର୍କିଂ ଟିକେ ପାଇଁ ଗାଡି ଧାଡିରେ ପଶି ଫସି ଯାଇ ଥିଲେ । ରାସ୍ତା କଡରେ ଥିବା ହୋଟେଲ, ଲଜିଂ ସାମନାରେ ‘ନୋ ପାର୍କିଂ’ ବୋର୍ଡ । ନିକଟରେ ଛିଡା ହୋଇଥିବା ପୁଲିସ କର୍ମଚାରୀମାନେ ସହାୟତା କରିବା ପରିବର୍ତେ ପ୍ରବର୍ତର୍ାଉ ଥିଲେ ‘ହୋଟେଲ ବା ଲଜିଂରେ ରୁମ୍ଟିଏ ନେଇ ଯାଆନ୍ତୁ, ପାର୍କିଂ ପାଇବେ’ । ଗାଡି ପାର୍କିଂ ପାଇଁ ହଜାରେ ପନ୍ଦର ଶହ ଟଙ୍କା ଦେଇ ରୁମ୍ କିଏ ବା ନେବ ? ପୁଲିସର ତାଗିଦ ସତ୍ୱେ ପରିବାର ଧରି ଆସିଥିବା ଲୋକମାନେ ବିଚ୍ ନିକଟରେ ବେଆଇନ ପାର୍କିଂ କରି ବିଚ୍ କୁ ଯାଉଥିଲେ । ପୁଲିସର ବଡ଼ ଅଧିକାରୀମାନେ ରାଉଣ୍ଡ୍ ରେ ଆସିଲେ ତଳିଆ କର୍ମଚାରୀ ‘ଡ୍ରାଇଭର କୁଆଡେ ଗଲା’ ବୋଲିି ଚିଲ୍ଲାଉ ଥିଲେ ସିନା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳି ଥିଲା । ପୁରୀ ପୌରପାଳିକା ସ୍ୱର୍ଗଦ୍ୱାର ରାସ୍ତାରେ ଏକାଧିକ ପାର୍କିଂ ବ୍ୟବସ୍ଥା କରି ଏହି ସମସ୍ୟାକୁ ଏଡାଇ ପାରିଥା’ନ୍ତା, ପାର୍କିଂ ଫି’ ବାବଦରେ ରାଜସ୍ୱ ମଧ୍ୟ କମାଇ ଥା’ନ୍ତା। ତାହା ହୋଇ ନାହିଁ।
ଠାକୁରଙ୍କ ଦୟାରୁ ଭଲ ଦର୍ଶନ ହେଲା, ପୁରୀ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ସୁଯୋଗ ମିଳିଲା । ତେବେ, ଠାକୁରଙ୍କ ମାୟାର ଆଉ ଏକ ବିଚିତ୍ର ଅନୁଭବ ହେଲା ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁରୀରୁ ଭୁବନେଶ୍ୱର ଫେରିବା ବାଟରେ । ଅତୀତରେ ସେଭଳି କଟୁ ଅନୁଭବ ରହିଛି । କିନ୍ତୁ, ରବିବାର ରାତିର ଅନୁଭବ ନିଆରା । ପୁରୀ ବିଚ୍ ଛାଡିବାର ଠିକ୍ ପୂର୍ବରୁ ଖବର ମିଳିଲା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପଟ୍ଟନାୟକିଆ ଛକରେ ରୋଡ୍ ଜାମ୍ । ସତ୍ୟବାଦୀ ଥାନା ସଦାନନ୍ଦପୁର ଗ୍ରାମର ତିନି ଭାଇଙ୍କୁ କିଛି ଦୁର୍ବୁତ୍ତ ଅପରାହ୍ନରେ ଗୋଡାଇ ଗୋଡାଇ ହତ୍ୟା କରିଛନ୍ତି । ଉତ୍ୟକ୍ତ ଗ୍ରାମବାସୀ ପୁଲିସକୁ ଦାୟି କରି ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଆମେ ତାଳବଣିଆ ଛକରେ ପହଂଚିବା ପରେ ପୁଲିସ କହିଲା ରୋଡ-ବ୍ଲକ୍ ଥିବାରୁ କୋଣାର୍କ ରାସ୍ତାରେ ଯାଆନ୍ତୁ । ଗୋପ, ନିମାପଡା ହୋଇ ଭୁବନେଶ୍ୱର ଯିବେ । ପୁରୀ-ଭୁବନେଶ୍ୱର ୬୦ କିମି ରାସ୍ତାକୁ ନାକ ବଂକାଇ କୋଣାର୍କ ଛକ-ଗୋପ-ନିମାପଡା ଦେଇ ୮୦ କିମି ଯିବାକୁ ପଡିବ । କିନ୍ତୁ, ସମସ୍ତେ ନିରୁପାୟ । ଶହ ଶହ ସଂଖ୍ୟାରେ ଗାଡି, ମୋଟର କୋଣାର୍କ ଛକକୁ ମୁହାଁଇଲା । ସବୁ ଗାଡି ସେହି ରାସ୍ତା ଦେଇ ଯିବା ଆସିବା କରିବାରୁ ରାସ୍ତା ଜାମ୍.. । ଧୀମା ଗତିରେ ଗାଡି ଆଗକୁ ବଢୁ ଥାଏ । କୋଉଠି ରାସ୍ତା ସଂକୀର୍ଣ୍ଣ ତ ଅନ୍ୟ କେଉଁଠି ଆଉ କିଛି ସମସ୍ୟା । ୨୮ କିମି ଦୂର ଗୋପ ଛକରେ ପହଂଚିବା ବେଳକୁ ଧୌର୍ଯ୍ୟଚ୍ୟୁତି ଘଟିଥାଏ । ସେଠାରୁ ୧୮ କିମି ଗୋପ । ଗାଡିର ଲମ୍ବା ଧାଡିକୁ ମାନ୍ଦା ଗତି । ବାହାରେ ପତ୍ରଟିଏ ହଲୁ ନ ଥାଏ । ଗାଡିରୁ ତେଲ ସରିଲେ ଆଖପାଖରେ ଟାଂକି ମଧ୍ୟ ନାହିଁ । ତେଣୁ, ଗାଡି ଚାଳକ କିଭଳି ମାନସିକ ଯନ୍ତ୍ରଣାରେ ଥିବେ, ଅନୁମାନ କରି ହେଉଥିବ । ସଂକୀର୍ଣ୍ଣ ରାସ୍ତାରେ ଧକେଇ ଧକେଇ ଗୋପରେ ପହଂଚିଲା ବେଳକୁ ସେଠାରେ ଆଉ ଏକ ନାଟକ ଦେଖିବାକୁ ମିଳି ଥିଲା ।
ଗୋପ ଗ୍ରାମ ନିକଟରେ ଟୋଲ ଗେଟ୍ ଫାଟକ ମେଲା ରହିଥିବା ବେଳେ କିଛି ସ୍ଥାନୀୟ ଯୁବକ ରାଜ୍ୟ ସରକାରଙ୍କ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃର ଟୋଲ୍ ଆଦାୟ ରସିଦ ଧରି ଗାଡି ପିଛା ୫୦ ଟଙ୍କା ଆଦାୟ କରୁଥିଲେ। ସେମାନଙ୍କ ଭାବଭଂଗୀ ଏତେଦୂର ଅଶାଳୀନ ଥିଲା ଯେ ଗାଡି ଚାଳକମାନେ ଭୟରେ ୫୦ଟଙ୍କା ବଢାଇ ଭିଡରୁ ବାହାରି ଯିବାକୁ ପସନ୍ଦ କରୁଥିଲେ । ଶହ ଶହ ସଂଖ୍ୟାରେ ଗାଡି ବାଲିଘାଇରୁ ଗୋପ ପର୍ଯ୍ୟନ୍ତ ଲମ୍ବି ରହି କୁନ୍ଥେଇ କୁନ୍ଥେଇ ଆଗକୁ ବଢିବାର ଏହା ଥିଲା ଅନ୍ୟତମ କାରଣ । ଟୋଲ ରସିଦରେ ଷ୍ଟାଂପ୍ ପଡି ଥିବା ତାରିଖ ଥିଲା ଓ ଟୋଲ୍ ପରିମାଣ (୫୦ ଟଙ୍କା) ଛପା ଥିଲା । କିନ୍ତୁ, ଟୋଲ ସଂଗ୍ରାହକଙ୍କ ସ୍ୱାକ୍ଷର ନ ଥିଲା। ହଜାର ହଜାର ସଂଖ୍ୟାରେ ଗାଡି ରବିବାର ରାତିରେ ଗୋପ ଛକ ଅତିକ୍ରମ କରିଛି । ସେହି ଅନୁସାରେ ଟୋଲ୍ ଅର୍ଥ ସେତୁ ଓ ନିର୍ମାଣ ନିଗମ କାର୍ଯ୍ୟାଳୟରେ ଦାଖଲ ହୋଇଛି କି ନାହିଁ ତଦନ୍ତ ସାପେକ୍ଷ । ଗୋପରୁ ନିମାପଡା ୧୦ କିମି । ନିମାପଡାରେ ପହଂଚିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳି ଥିଲା । ପୁରୀ-ଭୁବନେଶ୍ୱର ଦେଢ ଘଂଟାର ରାସ୍ତାକୁ ଅତିକ୍ରମ କରି ଭୁବନେଶ୍ୱରରେ ପଂଚିବାକୁ ଆମକୁ ଲାଗି ଥିଲା ପାଂଚ ଘଂଟାରୁ ଅଧିକ ସମୟ । ଅପରାହ୍ନରେ ପୁରୀର ଜଗନ୍ନାଥଙ୍କ ଅଭୂତପୂର୍ବ ଦର୍ଶନ ପାଇ ଖୁସି ହୋଇଥିବା ପରିବାର ସଦସ୍ୟମାନେ ପୁରୀ ବିଚ୍ ରେ ପାର୍କିଂ ଅବ୍ୟବସ୍ଥାକୁ ନେଇ ସାମାନ୍ୟ ଅସନ୍ତୁଷ୍ଟ ଥିଲେ । କିନ୍ତୁ, ପୁରୀରୁ ଭୁବନେଶ୍ୱର ଫେରନ୍ତି ଅନୁଭବ ସମସ୍ତଙ୍କ ଆଇଁ ଅଶ୍ୱସ୍ତକର ଥିଲା । ସତ୍ୟବାଦୀ ନିକଟରେ ଆଜି ହିଁ ଏଭଳି ଘଟଣା ଘଟିବାକୁ ଥିଲା (?) ବୋଲି ପରିବାର ସଦସ୍ୟ ପ୍ରଶ୍ନ ଉଠାଇବା ସହ ଅସୁବିଧା ପାଇଁ ଠାକୁରଙ୍କୁ ଗାଳି କରୁଥିଲେ ।
ଏହା ହିଁ ହେଉଛି ଆମ ଜଗନ୍ନାଥ ସଂସ୍କୃତି । ରଥଯାତ୍ରାରେ ଡ଼ାହୁକର ଅଶ୍ଳୀଳ ଭାଷା ଶୁଣି ଆଗକୁ ବଢନ୍ତି ଠାକୁର । ଭକ୍ତ ଭଗବାନଙ୍କୁ ଗାଳି ଦେଇ ଅପାର କରୁଣା ଲାଭ କରିଥିବା କିମ୍ବଦନ୍ତୀ ରହିଛି । ତେଣୁ, ଅପରାହ୍ନରେ ଅପାର ଆନନ୍ଦ ଦେଇଥିବା ଶ୍ରୀଜଗନ୍ନାଥ ରାତିରେ ସେହି ଭକ୍ତଙ୍କ ଗାଳି ଖାଇବା ସତ୍ୱେ ନିରାପଦ ଭାବେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଂଚାଇବା ହେଉଛି ସବୁଠାରୁ ନିଆରା ଅନୁଭବ ।
ଏକ୍ସକ୍ଲୁସିଭ ଫଟୋ: ମୋଅନୁଭବ.କମ୍, ଅଭିପ୍ସା
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS