ଟିଭି ସାମ୍ବାଦିକତା ଓ ମୁଁ – ୩
ଓଡ଼ିଆ ଗଣମାଧ୍ୟମରେ ମହିଳା ସାମ୍ବାଦିକ
– ପ୍ରସାଦ ରାଓ –
ଜୁଲାଇ ୨୩ ତାରିଖ
ଆଜିର ଦିନରେ ପ୍ରତିଟି କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସହ ସମକ୍ଷ କାର୍ଯ୍ୟ କରୁଥିବା ଆମେ ଦେଖୁଛେ । ଓଡ଼ିଆ ଗଣମାଧ୍ୟମରେ ବହୁ ସଂଖ୍ୟାରେ ମହିଳା ସମ୍ବାଦିକା ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଅଶି ଦଶକ ପୂର୍ବରୁ ଗଣମାଧ୍ୟମରେ ଏଭଳି ଚିତ୍ର ଦେଖିବାକୁ ମିଳୁ ନଥିଲା । ଜଣେ ମହିଳା ବ୍ଲକ ପ୍ରତିନିଧି ବା ଜିଲ୍ଲା ପ୍ରତିନିଧି ଭାବେ ନିଯୁକ୍ତି ପାଇବା ପୁରୁଷ ପ୍ରଧାନ ଓଡ଼ିଆ ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଆଉ ଏକ ଖବର ହେଉଥିଲା । ମହିଳା ସାମ୍ବାଦିକ ଜଣକ କିଭଳି ଭାବେ ନିଜ ପେଶାକୁ ନ୍ୟାୟ ଦେଇ ପାରିବେ ସେ ନେଇ ପ୍ରଶ୍ନ ଉଠୁଥିଲା । ଆଜି କିନ୍ତୁ ସେଭଳି ଅବସ୍ଥା ନାହିଁ । ପରିବର୍ତିତ ପରିସ୍ଥିତି ସହ ତାଳ ଦେଇ ଉଭୟ ପୁରୁଷ ଓ ମହିଳା କର୍ମଚାରୀମାନେ ସାମ୍ବାଦିକତା କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଉଛନ୍ତି । ଓଡ଼ିଆ ଗଣମାଧ୍ୟମରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ହେଉଛି, ସାମ୍ବାଦିକତା ପାଠ୍ୟକ୍ରମରେ ଅଧିକରୁ ଅଧିକ ମହିଳାଙ୍କ ପ୍ରବେଶ ଓ ପେଶା ଭାବେ ଏହାର ଗ୍ରହଣୀୟତା । ଚାକିରୀ-ନିରାପତ୍ତା ଓ ଅନ୍ୟାନ୍ୟ ସୁବିଧା, ସୁଯୋଗ ମହିଳାଙ୍କୁ ମଧ୍ୟ ମିଳୁଛି । ଅନ୍ୟ କିଛି ଏଭଳି ସମସ୍ୟା ରହିଛି ଯାହାକି ଆଲୋଚନାର ଆବଶ୍ୟକତା ରଖୁଛି ।
ଅଶି ଦଶକ ପୂର୍ବରୁ ଓଡ଼ିଆ ସାମ୍ବଦିକତା ଛାପା ଗଣମାଧ୍ୟମ ଓ ରେଡିଓ ମଧ୍ୟରେ ସୀମିତ ଥିଲା । ଓଡ଼ିଆ ସାହିତ୍ୟରେ ରୁଚି ରଖୁଥିବା ମହିଳାମାନେ ନିଜର ଗଳ୍ପ, କବିତା ଛାପିବା ସକାଶେ ଗଣମାଧ୍ୟମର ଦ୍ୱାରସ୍ଥ ହେଉଥିଲେ । ବିଭିନ୍ନ ସଂଗଠନ ସହ ଯୋଡ଼ି ହୋଇଥିବା ସାହିତି୍ୟକାମାନେ ସଭା ସମିତିରେ ଯୋଗ ଦେବା ଅବସରରେ ସାମ୍ବାଦିକମାନଙ୍କ ସହ ପ୍ରତ୍ୟକ୍ଷ ହେଉଥିଲେ । ତେବେ, ଖୁବ୍ କମ୍ ସାହିତି୍ୟକା ସାମ୍ବାଦିକ ହେବା ଆଗ୍ରହରେ ଛାପା ଗଣମାଧ୍ୟମ ସହ ସିଧାସଲଖ ସଂପର୍କରେ ଆସୁ ଥିଲେ । ସାମ୍ବାଦିକତା ପ୍ରତି ମହିଳାଙ୍କ ଅନାଗ୍ରହର କାରଣ ଥିଲା, ପୁରୁଷ ପ୍ରଧାନ ଏହି କାର୍ଯ୍ୟରେ ପାଉଣା ମିଳିବାର କୌଣସି ଗ୍ୟାରେଂଟି ରହୁ ନ ଥିଲା । ଏହାଛଡା, ଖବର ସଂଗ୍ରହ, ତାହାର ସଂପାଦନା ଏବଂ ପ୍ରକାଶନ ସଂପର୍କରେ ଧାରଣାର ଅଭାବ ରହୁଥିଲା । ଖବର ପଢିବା ରୁଚି ମଧ୍ୟ ମହିଳାଙ୍କ ଭିତରେ କମ୍ ରହୁଥିଲା । ସାହିତ୍ୟ, ଗଳ୍ପ ଓ କବିତା ଛପୁଥିବା ବିଭିନ୍ନ ପତ୍ରପତ୍ରିକା ପ୍ରତି ସେମାନେ ଅଧିକ ଆକୃଷ୍ଟ ହେଉଥିଲେ। ତେଣୁ, ବିଭିନ୍ନ ଖବରକାଗଜ ସାହିତ୍ୟ, ଗଳ୍ପ, କବିତା ପାଇଁ ଭିନ୍ନ ପୃଷ୍ଠାର ବ୍ୟବସ୍ଥା କରିବା ସହ ପୂଜା ସଂଖ୍ୟା ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶନ କରି ମହିଳା ପାଠକମାନଙ୍କୁ ଆକୃଷ୍ଟ କରୁଥିଲେ । ଖବରକାଗଜ ରାଜନୀତି, ଅର୍ଥନୀତି, ଅପରାଧ ଭଳି ବିଷୟବସ୍ତୁର ସମାହାର ଏବଂ ଏହାର ପାଠକ ସେସବୁ ବିଷୟରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ । ଏଥିରେ ମହିଳାଙ୍କ ପାଇଁ ବିଶେଷ କିଛି ନାହିଁ ବୋଲି ଯେଉଁ ଧାରଣା ଥିଲା ତାହା ଖବରକାଗଜକୁ ସୀମିତ ରଖୁଥିଲା ପୁରୁଷ-ପ୍ରଧାନ ସମାଜ ଭିତରେ । ଏଭଳି ଏକ ଧାରଣା ସମ୍ବାଦପତ୍ର ଓ ସାମ୍ବାଦିକତା ପ୍ରତି ମହିଳାଙ୍କୁ ଆକୃଷ୍ଟ କରିପାରୁ ନ ଥିଲା ।
ଗଣମାଧ୍ୟମ ମାଲିକମାନେ ମଧ୍ୟ ମହିଳାଙ୍କୁ କର୍ମଚାରୀ ଭାବେ ନିଯୁକ୍ତି ଦେବା ବିପଦପୂର୍ଣ୍ଣ ଓ ନିରର୍ଥକ ଭାବି ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରୁ ନ ଥିଲେ । କାରଣ, ଛପା ଗଣମାଧ୍ୟମର ଦୈନନ୍ଦିନ କାର୍ଯ୍ୟଶୈଳୀ ଥିଲା ସଂପୂର୍ଣ୍ଣ ଭିନ୍ନ । ସୀମିତ ସୁଯୋଗ ସହ ସ୍ୱଳ୍ପ ଦରମାରେ ପୁରୁଷ ଗ୍ରାଜୁଏଟ୍ ଓ ସ୍ନାତକୋତ୍ତର କର୍ମଚାରୀ ମିଳୁଥିବା ବେଳେ ମହିଳାଙ୍କୁ ନେଇ କିଏ କାହିଁକି ବା ରିସ୍କ୍ ନେବ ? ଖବର ସଂଗ୍ରହ, ସଂପାଦନା, ପ୍ରସାରଣ, ବିଜ୍ଞାପନ ସଂଗ୍ରହ, ହିସାବ ରକ୍ଷା ଭଳି ସବୁ କାର୍ଯ୍ୟ ପୁରୁଷ-ପ୍ରଧାନ ହୋଇ ରହି ଥିଲା । ଅଶି ଦଶକ ପ୍ରାରମ୍ଭରେ ଓଡ଼ିଶାର କିଛି ଖବରକାଗଜ ସଂପାଦନା କାର୍ଯ୍ୟ ପାଇଁ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଥିଲେ ମଧ୍ୟ ତାହା ସୀମିତ ଥିଲା ମହିଳାଙ୍କ ପାଇର୍ ପ୍ରକାଶ ପାଉଥିବା ସ୍ୱତନ୍ତ୍ର ପୃଷ୍ଠା ଓ ଫିଲ୍ମ ସାମ୍ବାଦିକତାରେ । ଫିଲ୍ମ ଇଂଡଷ୍ଟ୍ରି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସଂପର୍କ ଥିବା କିଛି ମହିଳା ଫିଲ୍ମ ସାମ୍ବାଦିକତାକୁ ପ୍ରବେଶ କରିଥିଲେ । ୧୯୮୪ ଅକ୍ଟୋବରରେ ନୂତନ ମୁଦ୍ରଣ ଶୈଳୀ ସହ ଓଡ଼ିଆ ସାମ୍ବାଦିକତାରେ ‘ସମ୍ବାଦ’ର ପ୍ରବେଶ ପରେ ସାମ୍ବାଦିକତା କ୍ଷେତ୍ରରେ ଯେଉଁ ବିପ୍ଳବ ଆସିଲା ସେଥିରେ ସାମ୍ବାଦିକତାରେ ମହିଳାଙ୍କ ଭାଗିଧାରୀ ଅନ୍ୟତମ ଥିଲା । ତେବେ, ଖବରଦାତା ଭାବେ ନୁହେଁ, ସଂପାଦନା ଓ ପରିଚାଳନା ସଂପର୍କିତ କାର୍ଯ୍ୟରେ ମହିଳା କର୍ମଚାରୀ ନିଯୁକ୍ତି ପାଇଥିଲେ । ସାହିତ୍ୟ, ଫିଲ୍ମ୍, ଫେସନ୍ ପୃଷ୍ଠା ସହ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପୁଲ୍ ଆଉଟ୍ (ସାପ୍ତାହିକ ବା ସପ୍ତାହରେ ଦୁଇ, ଚାରି ଦିନ ବ୍ରଡ୍ ସିଟ୍ ହେଉ ବା ଟାବଲଏଡ୍ ଆକାରରେ) ପ୍ରସ୍ତୁତ କରିବା ସକାଶେ ମହିଳା ସହ ସଂପାଦିକାମାନେ କାର୍ଯ୍ୟ କରୁଥିଲେ ।
କାର୍ଯ୍ୟ ଓ ସମୟ ନିର୍ଘଂଟ ନିର୍ଦ୍ଧିଷ୍ଟ ଥିବାରୁ ଏବଂ ଚାପ ମଧ୍ୟ କମ୍ ରହୁ ଥିବାରୁ ଏସବୁ କାର୍ଯ୍ୟରେ ରୁଚି ରଖୁ ଥିବା ଝିଅମାନେ ସ୍ୱଳ୍ପ ଦରମା ହେଲେ ବି ଦିନକୁ କିଛି ଘଂଟା ଏଥିରେ ଦେବାକୁ କୁଣ୍ଠା ପ୍ରକାଶ କରୁ ନ ଥିଲେ । ପରିବାର ଆଡୁ ସେମିତି କିଛି ବିରୋଧ ମଧ୍ୟ ରହୁ ନ ଥିଲା । ତେବେ, କାର୍ଯ୍ୟ କ୍ଷେତ୍ରରେ ସ୍ଥାୟିତ୍ୱ ଏକ ସମସ୍ୟା ଥିଲା । ତେବେ, ନବେ ଦଶକରୁ ପରିସ୍ଥିତି ବଡୁ ମାତ୍ରାରେ ବଦଳି ଯାଇଛି । ଏକଥା କହିବା ଭୁଲ ହେବ ନାହିଁ ଯେ ସେହି ସମୟରେ ଦୂରଦର୍ଶନରେ କିଛି ଓଡ଼ିଆ ଝିଅ ନିଯୁକ୍ତି ପାଇ ଉଦଘୋଷିକା ବା ଆଂକର ଭାବେ କାର୍ଯ୍ୟ କରୁଥିଲେ । ସେମାନେ ଓଡ଼ିଆ ଦର୍ଶକଙ୍କୁ ଗର୍ବିତ କରିଥୁଲେ ସତ, କିନ୍ତୁ ଓଡିଆ ଝିଅଙ୍କୁ ସାମ୍ବାଦିକତା ପ୍ରତି ଆକୃଷ୍ଟ କରିବାରେ ବିଶେଷ ସଫଳ ହୋଇ ନ ଥିଲେ । ତବେ, ନବେ ଦଶକରେ ଘରୋଇ ଉଦ୍ୟମରେ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ ଓ-ଟିଭିର ପ୍ରସାରଣ ପରେ ମହିଳାମାନେ ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇ ଥିଲେ । ପରେ ଇଟିଭି (ଓଡ଼ିଆ) ମହିଳା ସାମ୍ବାଦିକତାରେ ବୈପ୍ଳବିକ ପରିବର୍ତନ ଆଣିଛି । ଖବରଦାତା ନ ହେଲେ ବି ଆଂକରିଂ, ବିଭିନ୍ନ ବୁଲେଟିନ ପ୍ରସ୍ତୁତି ଓ ଉଦଘୋଷକା କାର୍ଯ୍ୟରେ ନିୟୋଜିତ ମହିଳାମାନେ ଅନ୍ୟ ଓଡ଼ିଆ ଝିଅଙ୍କୁ ସାମ୍ବାଦିକତା ଆଡକୁ ଟାଣିଛନ୍ତି । ପରେ ପରେ ଇଷ୍ଟର୍ଣର୍ ମିଡ଼ିଆ ‘ସମ୍ବାଦ’ ସହ ବୈଦ୍ୟୁତିକ ଗଣମାଧ୍ୟମ କନକ ଟିଭିକୁ ଯୋଡିଛି । ବିଭିନ୍ନ ଘରୋଇ ଜାତୀୟ ଚ୍ୟାନେଲ ସହ ନୂଆ କରି ଆତ୍ମପ୍ରକାଶ କରିଥିବା ଓଡ଼ିଆ ନିବେଶକଙ୍କ ଆଂଚଳିକ ଭାଷାର ନ୍ୟୁଜ୍ ଚ୍ୟାନେଲ ବହୁ ସଂଖ୍ୟାରେ ମହିଳା କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ଟିଭି ଚ୍ୟାନେଲ୍ ବ୍ୟତୀତ ଏଫ୍ ଏମ-୧୦୪ ଭଳି ଘରୋଇ ରେଡିଓ ଚ୍ୟାନେଲ୍ (ଏଫ୍.ଏମ୍) ମାର୍କେଟକୁ ଆସିବା ପରେ ରେଡିଓ ଜକି ବା ଆର୍.ଜେ ଭାବେ ବହୁ ସଂଖ୍ୟାରେ ଯୁବତୀ ନିଯୁକ୍ତି ପାଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଗ୍ଲାମର୍ ବା ଆକର୍ଷଣ ମହିଳା ସାମ୍ବାଦିକତାକୁ ମହାବିପ୍ଳବରେ ପରିଣତ କରିଛିି । ଆଜିର ଦିନରେ ଖବର ସଂଗ୍ରହ କାର୍ଯ୍ୟରେ ମଧ୍ୟ ବହୁ ଯୁବତୀ ନିୟୋଜିତ ଅଛନ୍ତି । ଏହାଛଡା, ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ବୁଲେଟିନ୍ ପ୍ରସ୍ତୁତି ଓ ପ୍ରସାରଣ, ଭିଜୁଆଲ୍ ଏଡ଼ିଟିଂ, ଆଙ୍କରିଂ ଓ ପରିଚାଳନା କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହୋଇ କାର୍ଯ୍ୟ କରୁଛନ୍ତି । ଗଣମାଧ୍ୟମ ଆଉ ପୁରୁଷ-ପ୍ରଧାନ ହୋଇ ରହି ନାହିଁ । ସବୁ କ୍ଷେତ୍ରରେ ପୁରୁଷ ଓ ମହିଳା ମଧ୍ୟରେ ସମଭାଗିତା ଦେଖିବାକୁ ମିଳୁଛି । ତଥାପି, ଓଡ଼ିଆ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ମାଲିକ ଓ ପ୍ରଶାସନ କ୍ଷେତ୍ରରେ ‘ସୋଚ୍’ ବା ମାନସିକତାରେ ବିଶେଷ ପରିବର୍ତନ ଆସି ନ ଥିବା ଏବଂ ମହିଳା କର୍ମଚାରୀଙ୍କୁ ଅନୁଷ୍ଠାନର ‘ସଂପଦ’ ଭାବେ ବିଚାର କରା ନ ଯାଇ ‘ବୋଝ’ ବୋଲି ବିଚାର କରାଯାଉଥିବା କ୍ଷୋଭର ବିଷୟ ହୋଇଛି ।
ଓଡ଼ିଶାରେ ମହିଳା ସାମ୍ବାଦିକତା ସଂପର୍କରେ ଆଲୋଚନା ହେଲେ ସ୍ୱତଃ ଆଲୋଚନାକୁ ଆସନ୍ତି ‘ସମାଜ’ର ପ୍ରାକ୍ତନ ସଂପାଦିକା ମନୋରମା ମହାପାତ୍ର । ଅଧ୍ୟାପନା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଦଖଲ ଥିଲା ଏବଂ ତାଙ୍କ ପିତା ଡ଼କ୍ଟର ରାଧାନାଥ ରଥଙ୍କ ଦେହାନ୍ତ ପରେ ସେ ଏହି ସର୍ବପୂରାତନ ଓଡ଼ିଆ ଖବରକାଗଜର ସଂପାଦକ ଭାବେ ନିଯୁକ୍ତ ହୋଇଥିଲେ । ତେବେ, ତାଙ୍କ କାର୍ଯ୍ୟକାଳରେ ମହିଳା ସାମ୍ବାଦିକତା ସେଭଳି କିଛି ପ୍ରୋତ୍ସାହିତ ହୋଇ ନାହିଁ । ଏପରିକି, ‘ସମାଜ’ ଖବରକାଗଜରେ ମହିଳା ସାମ୍ବାଦିକାଙ୍କ ସଂଖ୍ୟା ନଗଣ୍ୟ ଥିଲା ବୋଲି ଚର୍ଚ୍ଚା ହୁଏ । ପରେ ଅବଶ୍ୟ ଅନ୍ୟାନ୍ୟ ଦୈନିକ ସମ୍ବାଦପତ୍ରରେ ସଂପାଦନା ଠାରୁ ଆରମ୍ଭ କରି ପରିଚାଳନା ଦାୟିତ୍ୱ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । କିନ୍ତୁ, ତାହା ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାର ମାଲିକଙ୍କ ପରିବାର ମଧ୍ୟରେ ସୀମିତ । ପରିବାର ବାହାରୁ କାହାରିକୁ ଏହି ସୁଯୋଗ ମିଳିଥିବା ନଜିର ନାହିଁ । କେବଳ ଆନ୍ଧ୍ରର ଇନାଡୁ ଟିଭି ବା ଇ-ଟିଭି ଏଥିରେ ବ୍ୟତିକ୍ରମ ଥିଲା । ଆଜି ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳର (ବିଜେଡ଼ି)ର ବରିଷ୍ଠ ମୁଖପାତ୍ର ଥିବା ସୁଲୋଚନା ଦାସ ଅତୀତରେ ଇନାଡୁ ଟିଭି ବା ଇ-ଟିଭିର ବ୍ୟୁରୋ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏବେ ତାଙ୍କ ସଂପାଦନାରେ ‘କଳିଙ୍ଗଟାଇମ୍’ ନାମକ ଏକ ଓଡ଼ିଆ ୱେବ୍ ନ୍ୟୁଜ୍ ପୋର୍ଟାଲ ପ୍ରକାଶ ପାଉଛି ।
ଓଡ଼ିଶାରୁ ଶତାଧିକ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରକାଶ ପାଉଛି । ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ ସଂଖ୍ୟା ମଧ୍ୟ ଦୁଇ ଅଙ୍କ ଛୁଇଁଲାଣି । ଘରୋଇ ଏଫଏମ ରେଡ଼ିଓ ଚ୍ୟାନେଲ ଓ ବିଭିନ୍ନ ୱେବ୍ ମିଡ଼ିଆର ପ୍ରସାର ବହୁଗୁଣିତ ହେଲାଣି । ସାମାଜିକ ଗଣମାଧ୍ୟମ ଏବେ ସମସ୍ତଙ୍କୁ ପଛରେ ପକାଇ ଖବର ପ୍ରସାରଣରେ ଅଗ୍ରଣୀ ଭୂମିକା ନେଇଛି । ‘ଆପ୍’ ମାଧ୍ୟମରେ ବିଭିନ୍ନ ଜାତୀୟ ଓ ଆଂଚଳିକ ଗଣମାଧ୍ୟମ ସହ ବିଭିନ୍ନ ୱେବ୍ ମିଡ଼ିଆ ସ୍ମାର୍ଟ ଫୋନରେ ଛାଇ ଗଲେଣି । କିଏ ଟେକ୍ସଟ୍ ଆକାରରେ ତ କିଏ ଭିଜୁଆଲ ଟିଭି ଆକାରରେ ଫେସ୍ ବୁକ୍ ଓ ହ୍ୱାଟସ୍ ଆପ୍ରେ ଯେଭଳି ଛାଇ ରହିଛନ୍ତି ତାହା ଗଣମାଧ୍ୟମର ଗ୍ରହଣୀୟତା ଓ ବ୍ୟବସାୟିକ ସ୍ଥିତି ବଢି ଥିବା ସୂଚନା ଦେଉଛି । ଛୋଟ, ବଡ ଭିଜୁଆଲ ମିଡ଼ିଆ ଓ ୱେବ୍ ମିଡ଼ିଆରେ ବହୁ ସଂଖ୍ୟକ ମହିଳା ରିପୋର୍ଟର, କ୍ୟାମେରାପର୍ସନ୍, ଏଡିଟର୍, ବୁଲେଟିନ୍ ପ୍ରଡ୍ୟୁସର୍, ଭିଜୁଆଲ ଏଡ଼ିଟର୍ ଏବଂ ଆଂକର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ମଧ୍ୟ ଉତ୍ସାହର ବିଷୟ ହୋଇଛି । ମୁଖ୍ୟସ୍ରୋତ ଗଣମାଧ୍ୟମ ଭଳି ସାମାଜିକ ଗଣମାଧ୍ୟମ ଦାୟିତ୍ୱ ସଂପନ୍ନ ଓ ନିୟନ୍ତ୍ରିତ ହୋଇ ପାରୁ ନ ଥିଲେ ମଧ୍ୟ ଏହା ଗଣମାଧ୍ୟମର ଭବିଷ୍ୟତ ଭାବେ ବିଚାର କରାଯାଉଛି । ବହୁ ସଂଖ୍ୟାରେ ମହିଳା ଏଥିରେ ଭାଗିଦାର ହେବା ମଧ୍ୟ ଓଡ଼ିଶା ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଏହା ସମ୍ଭବ ହୋଇଛି ଓଡ଼ିଶାରେ ସାମ୍ବାଦିକତା ଶିକ୍ଷାର ପ୍ରସାର ଯୋଗୁଁ । ‘ସମ୍ବାଦ’ ସମେତ ବିଭିନ୍ନ ପ୍ରମୁଖ ସମ୍ବାଦପତ୍ର ଓ ଜାତୀୟ ଗଣମାଧ୍ୟମ ଓଡ଼ିଶାରେ ସାମ୍ବାଦିକତା ଶିକ୍ଷା ଓ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇ ଅନୁଷ୍ଠାନମାନ ଚଳାଉଛନ୍ତି । ଘରୋଇ ଉଦ୍ୟମ ଛଡା ବିଶ୍ୱ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ସରକାରୀ କଲେଜରେ ସାମ୍ବାଦିକତା ଶିକ୍ଷାର ବ୍ୟବସ୍ଥା ହୋଇଛି । ଏହି ଦୁଇ ବର୍ଷିଆ ପାଠ୍ୟକ୍ରମ ପ୍ରତି ଛାତ୍ରଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଛାତ୍ରୀ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି ।
ଢେଙ୍କାନାଳରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) ଆଜି ଓଡ଼ିଆ ଯୁବକ, ଯୁବତୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଶି ଦଶକରୁ ଏମ୍ଜେଏମସି ( ମାଷ୍ଟର ଇନ୍ ଜର୍ଣ୍ଣାଲିଜମ୍ ଏଣ୍ଡ୍ ମାସ୍ କମ୍ୟୁନିକେସନ୍) ପ୍ରଚଳନ ରହିଛି । ଭୁବନେଶ୍ୱର ସ୍ଥିତ ସିଇଡ଼ିଇସି ( ସେଂଟର ଫର୍ ଡ଼େଭଲପମେଂଟ ଏଜୁକେସନ୍ ଏଣ୍ଡ୍ କମ୍ୟୁନିକେସନ୍) ମଧ୍ୟ ଏକ ଅଗ୍ରଣୀ ସଂସ୍ଥା ଭାବେ ପରିଚିତ । ଏହାଛଡା, ‘ସମ୍ବାଦ’ର ‘ସୋମାକ୍’, ‘ଓଡ଼ିଶା ଲାଇଭ’ ଭଳି ଅନୁଷ୍ଠାନମାନେ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଶିକ୍ଷାଦାନ କରୁଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମକୁ ଆସୁ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହୁଥିବା ଅନୁଧ୍ୟାନରୁ ଜଣାପଡିଛି । ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ । ପ୍ରଥମତଃ, ଓଡ଼ିଶାରେ ସାମ୍ବାଦିକତାକୁ ‘କ୍ୟାରିଅର’ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହୋଇଛିି । ଦ୍ୱିତୀୟରେ, ଏହି ପାଠ୍ୟକ୍ରମ ଓ ପେଶାକୁ ସାମାଜିକ ସ୍ୱୀକୃତି ମିଳୁଛି । ଏହି ପେଶା ଗ୍ରହଣ କରିବା ସକାଶେ ମଧ୍ୟ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । ତଥାପି, ମୁଖ୍ୟସ୍ରୋତ ସାମ୍ବାଦିକତାରେ ମହିଳା ସାମ୍ବାଦିକ ଅବହେଳିତ ହେଉଥିବା ଆଜି ମଧ୍ୟ ଏକ ସମସ୍ୟା ହୋଇ ରହିଛି । ପ୍ରାତଃ ସସ୍କରଣ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମମାନେ ମହିଳା କର୍ମଚାରୀଙ୍କୁ ନିରାପଦ ଭାବେ କାର୍ଯ୍ୟ କ୍ଷେତ୍ରକୁ ନେବା, ଆଣିବା କରିବା ବ୍ୟବସ୍ଥା କରିପାରୁ ନ ଥିବାରୁ ଏବଂ ଖବର ସଂଗ୍ରହ ଭଳି ଗୁରୁତ୍ୱପୂର୍ଣର୍ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବାକୁ ପଛାଉ ଥିବାରୁ ବହୁ ସଂଖ୍ୟାରେ ମହିଳା ସାମ୍ବାଦିକତା ପଢିବାକୁ ଆସୁଥିଲେ ମଧ୍ୟ ଏହାକୁ ପେଶା ଭାବେ ଗ୍ରହଣ କରିବା ସୁଯୋଗ ନ ପାଇ ବିତସ୍ପୃହ ହେଉଛନ୍ତି । ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ହାତରେ ଥିବା କିଛି ପ୍ରତିଷ୍ଠିତ ଘରୋଇ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଦୁଇ ବର୍ଷିଆ ପାଠ୍ୟକ୍ରମରେ ଆଡମିଶନ୍ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ସରିବା ପରେ ନିଜ ସଂସ୍ଥାରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଫି’ ଆକାରରେ ନେଉଛନ୍ତି । କିନ୍ତୁ, ପାଠ୍ୟକ୍ରମ ସରିବା ପରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଇଂଟର୍ଣ୍ଣସିପ୍ ପରେ ସଂସ୍ଥାରୁ ବିଦାୟ କରୁଛନ୍ତି । ବିଶେଷକରି, ସାମ୍ବାଦିକତା ଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ହେଉଥିବା ନଜିର ରହିଛି । ଗଣମାଧ୍ୟମ ମାଲିକଙ୍କ ଏଭଳି ହିପୋକ୍ରାସୀ ମହିଳା ସାମ୍ବାଦିକତାର କଂଠରୋଧ କରୁଛି ।
ଏହାଛଡା ‘ମି-ଠୁ’ ଆନ୍ଦୋଳନ କାର୍ଯ୍ୟରତ ମହିଳା ସାମ୍ବାଦିକ ଓ କର୍ମଚାରୀଙ୍କ ନିରାପତ୍ତାର ବାସ୍ତବ ଚିତ୍ର ବୟାନ କରେ । କାର୍ଯ୍ୟ କ୍ଷେତ୍ରରେ ମହିଳାମାନେ ଯେମିତି ଯୌନ ବା ମାନସିକ ନିର୍ଯ୍ୟାତନାର ଶିକାର ନ ହେବେ ତାହା ନଜରରେ ରଖିବା ପାଇଁ ପ୍ରତ୍ୟେକ ଘରୋଇ ଓ ସରକାରୀ ସଂସ୍ଥା କମିଟି ଗଠନ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ରହିଛି । ତେବେ, ଅନେକ ସଂସ୍ଥା ଆଇନକୁ ଆଖିଠାର ମାରିବା ନ୍ୟାୟରେ କମିଟି ଗଠନ କରୁଛନ୍ତି ସିନା ନିୟମିତ ଭାବେ କମିଟିର ବୈଠକ ହେଉ ନାହିଁ । ମ୍ୟାଟର୍ଣ୍ଣିଟି ଲିଭ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଥିବା ନିୟମ କାର୍ଯ୍ୟକାରୀ ହେଉ ନାହିଁ । ଭାରତରେ ମହିଳା ସାମ୍ବାଦିକଙ୍କ ସ୍ଥିତାବସ୍ଥା ସଂପର୍କରେ ଜାତୀୟ ମହିଳା କମିସନଙ୍କ ଦ୍ୱାରା ୨୦୦୪ରେ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ପ୍ରେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ପିଆଇଆଇ) ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ଚାକିରି ବଜାୟ ରହିବା ନେଇ ଅନିଶ୍ଚିତତା, କାର୍ଯ୍ୟ କ୍ଷେତ୍ରରେ ପାତରଅନ୍ତର ନୀତି, ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଓ ପ୍ରସବ ପରବର୍ତୀ ସୁବିଧା ସୁଯୋଗ ଦେବାରେ ଅବହେଳା, ଯୌନ ଓ ମାନସିକ ନିର୍ଯ୍ୟାତନା, କାର୍ଯ୍ୟଚାପ ଏବଂ କାର୍ଯ୍ୟ କ୍ଷେତ୍ରରେ ରୁକ୍ଷ ବ୍ୟବହାର ମହିଳା ସାମ୍ବାଦିକଙ୍କ ପାଇଁ ଗୁରୁତର ସମସ୍ୟା ହୋଇ ରହି ଥିବା ଦର୍ଶାଯାଇଥିଲା । ୨୦୧୯ରେ ମଧ୍ୟ ସେଥିରେ କିଛି ପରିବର୍ତନ ଘଟି ଥିବା ଦେଖିବାକୁ ମିଳୁ ନାହିଁ । ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କ ସଂଖ୍ୟା କେତେ, ସେ ହିସାବ ସରକାରଙ୍କ ନିକଟରେ ନାହିଁ । କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କ ସଂଖ୍ୟା କେମିତି କିଏ କହି ପାରିବ ? ଏଭଳି କ୍ଷେତ୍ରରେ, ସାମ୍ବାଦିକତା ଭଳି ପେଶାରେ ମହିଳାଙ୍କ ସଂଖ୍ୟା ବଢିଛି ସିନା ସେମାନଙ୍କୁ ନିରାପଦ ଭାବେ କାର୍ଯ୍ୟ କରିବାର ବାତାବରଣ ସୃଷ୍ଟି କରାଯାଇ ନାହିଁ । ସାମ୍ବାଦିକତା ଛାତ୍ରୀଙ୍କ ନିଯୁକ୍ତି ଆଜି ବି ସମସ୍ୟା ହୋଇ ରହିଛି । ତେଣୁ, ସାମ୍ବାଦିକତା ପଢୁଥିବା ଛାତ୍ରୀମାନେ ନିଜ ଭବିଷ୍ୟତ ନେଇ ସୁନିଶ୍ଚିତ ନ ହୋଇ ମାନସିକ ଚାପରେ ରହୁଥିବା ଲକ୍ଷ୍ୟ କରାଯାଉଛି । ଏଥି ପାଇଁ ଆମେ କାହାକୁ ଦାୟି କରିବା? ଗଣମାଧ୍ୟମ ସଂସ୍ଥାଙ୍କୁ ନା ସରକାରଙ୍କୁ ??
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS