ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ‘ଟିକସ ଆତଙ୍କରାଜ’ର ମୁଖା ଖୋଲିଛି !
– ପ୍ରସାଦ ରାଓ –
ଅଗଷ୍ଟ ୦୨ ତାରିଖ
ଦେଶର ସର୍ବବୃହତ୍ କଫି-ସପ୍ ଚେନ୍ ‘କାଫେ କଫି ଡ଼େ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ଦେଶରେ ଚାଲି ଥିବା ‘ଟିକସ ଆତଂକରାଜ’ର ଏକ କରୁଣ ବୟାନ କରୁଛି । ଦୁଇ ଦିନ ଖୋଜାଖୋଜି ପରେ ବୁଧବାର ସକାଳେ ୩ ଜଣ ସ୍ଥାନୀୟ ମତ୍ସ୍ୟଜୀବୀ ମାଙ୍ଗାଲୁର ନିକଟସ୍ଥ ନେତ୍ରାବତୀ ନଦୀ କୂଳରୁ ସିଦ୍ଧାର୍ଥଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ‘କାଫେ କଫି ଡ଼େ’ ବା ସିସିଡ଼ି ୨୦୧୮-୧୯ ଆର୍ଥିକ ବର୍ଷରେ ୬୦.୨୭ କୋଟି ଟଙ୍କା ଲାଭ କରି ଥିବା ସିଏମଆଇଇ ତଥ୍ୟ କହୁଥିବା ବେଳେ ମୂଳ କଂପାନୀ ‘କଫି ଡ଼େ ଏଂଟରପ୍ରାଇଜେସ୍ ଲିମିଟେଡ଼’ର ୬ଟି ସବ୍ସିଡ଼ିଆରି ଏବଂ ୩୦ରୁ ଅଧିକ ସହଯୋଗୀ ସଂସ୍ଥା ଓ ମିଳିତ ଉଦ୍ୟୋଗ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬,୫୫୦ କୋଟି ଟଙ୍କାର ଋଣଚାପରେ ଥିଲେ । ଋଣଯନ୍ତାରୁ ମୁକୁଳିବା ପାଇଁ କଂପାନୀ ୨୦୧୫ରେ ପବ୍ଲିକ ଇସ୍ୟୁକୁ ଯାଇଥିଲା ଏବଂ ତାହା ପରଠାରୁ କଂପାନୀର ଋଣ ବୋଝ କମୁ ଥିଲାବୋଲି କଂପାନୀର ଆଇପିଓ ଡ଼କୁମେଂଟ କହୁଛି । ଏଭଳି ସ୍ଥିତିରେ ସିଦ୍ଧାର୍ଥ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଲେ କାହିଁକି (?, ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ଦେଶରେ ଚାଲିଥିବା ‘ଟିକସ ଆତଙ୍କରାଜ’ ଏହାର ପ୍ରମୁଖ କାରଣ ଭାବେ ଉଭା ହୋଇଛି । ମାଙ୍ଗାଲୁରୁ ପୁଲିସର ତଦନ୍ତ ମଧ୍ୟ ସେହି ଖିଅକୁ ଧରି ଆରମ୍ଭ ହୋଇଥିବା ସଦ୍ୟ ସୂଚନା ମିଳିଛି ।
ଭିଜି ସିଦ୍ଧାର୍ଥ ୧୯୯୬ରେ ସିସିଡ଼ି ବା ‘କାଫେ କଫି ଡ଼େ’ ପ୍ରତିଷ୍ଠା କରି ତାଙ୍କ ବ୍ୟବସାୟର ମୂଳଦୁଆ ପକାଇ ଥିଲେ ମଧ୍ୟ ତାଙ୍କ ପରିବାର ୧୩୦ ବର୍ଷ ଧରି କଫି ଚାଷ ସଂପର୍କିତ ବ୍ୟବସାୟରେ ସଂପୃକ୍ତ ଥିଲେ । ଏହି ପରିବାରର ବିସ୍ତୁତ କଫି ଚାଷ ବାଗାନ ରହିଛି । ସିଦ୍ଧାର୍ଥ ଗତ ସୋମବାର ବାଙ୍ଗାଲୁରୁରୁ ଚିକମାଗାଲୁରୁ ଜିଲ୍ଲା ମୁଦିଗେରେ ତାଲୁକର ଚେତନହାଲିରେ ଥିବା ପାରିବାରିକ କପି ଇଷ୍ଟେଟ୍ କୁ ଫେରୁ ଥିବା ବେଳେ ନିଖୋଜ ହୋଇଥିଲେ । ଡ୍ରାଇଭର ବାସଭରାଜୁର କହିବା ଅନୁଯାୟୀ, ସିଦ୍ଧାର୍ଥ ଫେରୁ ଥିବା ବେଳେ ଗୁରୁତର ମାନସିକ ଚାପରେ ଥିବା ସେ ଲକ୍ଷ୍ୟ କରିଥିଲେ । ବାଟରେ ରାସ୍ତା ବଦଳାଇ ମାଙ୍ଗାଲୁରୁ ଆଡେ ଗାଡି ଚଳାଇବାକୁ ମାଲିକ ନିର୍ଦେଶ ଦେବାରୁ ସେ ଗାଡିକୁ ସେହି ଆଡେ ମୋଡି ଥିଲେ । ବାଟ ସାରା ସିଦ୍ଧାର୍ଥ ନିଜର ବ୍ୟବସାୟ ଓ ଋଣବୋଝ ସଂପର୍କରେ କାହା ସହ ଦୀର୍ଘ ସମୟ ଧରି ମୋବାଇଲରେ କଥା ହେଉଥିବା ସେ ଶୁଣି ଥିଲେ । ହଠାତ୍ ଗାଡି (କଳା ରଂଇନୋଭା କାର୍ କେଏ-୦୩-ଏନସି-୨୫୯୨) ମାଙ୍ଗାଲୁର ଆଡେ ମୋଡିବାକୁ ସିଦ୍ଧାର୍ଥ ନିର୍ଦେଶ ଦେବାରେ କିଛି ଅସ୍ୱାଭାବିକତା ନ ଥିଲା । କିନ୍ତୁ, ସନ୍ଧ୍ୟାରେ ନେତ୍ରାବତୀ ନଦୀ ପୋଲ ନିକଟରେ ଗାଡି ପହଂଚିବା ପରେ ସିଦ୍ଧାର୍ଥ ଗାଡିରୁ ଓହ୍ଳାଇ ଡ୍ରାଇଭରକୁ ଅପେକ୍ଷା କରିବାକୁ କହିବା ସହ ନିଖୋଜ ହୋଇଯିବା ଅସ୍ୱାଭାବିକ ଥିଲା ।
ଡ୍ରାଇଭର ବାସଭରାଜୁ କର୍ଣ୍ଣାଟକ ପୁଲିସ ନିକଟରେ ବୟାନ ଦେଇ ଏହା କହିଛନ୍ତି । ସିଦ୍ଧାର୍ଥ ଗାଡ଼ିରୁ ଓହ୍ଲାଇ ଉଲ୍ଲାଲ ବ୍ରିଜ୍ ଉପରେ କିଛି ବାଟ ଚାଲି ଚାଲି ଯାଇଥିଲେ । ମାଲିକଙ୍କ ଫେରିବା ବାଟକୁ ଚାହିଁ ରହି ଥିଲେ ବାସଭରାଜୁ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ମାଲିକ ନ ଫେରିବାରୁ ତାଙ୍କ ବଡ଼ ପୁଅ ଅମର୍ତ୍ୟ ହେଗଡ଼େଙ୍କୁ ଖବର ଦେଇଥିଲେ ବାସଭରାଜୁ । ନିଖୋଜର କାରଣ ଅପହରଣ ହୋଇପାରେ ବୋଲି ପ୍ରଥମେ ପରିବାର ବର୍ଗ ସନ୍ଦେହ କରି ପୁଲିସରେ ଏତଲା ଦେଇଥିଲେ । ତେବେ, ସିଦ୍ଧାର୍ଥ ନିଖୋଜ ହେବା ପୂର୍ବରୁ ସିସିଡ଼ି ବୋର୍ଡ ନାମରେ ଦେଇଥିବା ଏକ ଚିଠି (ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି) ସିଦ୍ଧାର୍ଥ ଆତ୍ମହତ୍ୟା କରି ଥିବା ଆଶଙ୍କା ସୃଷ୍ଟି କରିଥିଲା । ଏହି ଚିଠିରେ ସିଦ୍ଧାର୍ଥ ତାଙ୍କ ଋଣ ବୋଝ କଥା ଓ ଆୟକର ବିଭାଗ ଦ୍ୱାରା ଅସହନୀୟ ମାନସିକ ଅତ୍ୟାଚାର କଥା ଉଲ୍ଲେଖ କରି ଋଣଦାତା ଓ ଟ୍ୟାକ୍ସ ଆତଙ୍କରାଜକୁ ସେ ଆଉ ସହ୍ୟ କରିବା ଅବସ୍ଥାରେ ନାହାନ୍ତି ବୋଲି ଦର୍ଶାଇଛନ୍ତି । ଏହି ଚିଠିରେ ସିଦ୍ଧାର୍ଥ ଆୟକର ବିଭାଗର ଜଣେ ଅବସରପ୍ରାପ୍ତ ଡ଼ିଜିଙ୍କ କଥା ଉଲ୍ଲେଖ କରିଥିବାରୁ ପୁଲିସ ଆୟକର ବିଭାଗ ଓ ସଂପୃକ୍ତ ଅବସରପ୍ରାପ୍ତ ଡ଼ିଜିଙ୍କ ଠାରୁ ତାହାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।
ବୁଧବାର ସକାଳେ ସିଦ୍ଧାର୍ଥଙ୍କ ଶବ ଉଚ୍ଛୁଳା ନେତ୍ରାବତୀ ନଦୀ ତଟରୁ ମିଳିବା ପରେ ପୁଲିସ ଶବକୁ ଜବତ କରି ମାଙ୍ଗାଲୁରୁର ୱେନଲକ୍ ହସପିଟାଲରେ ବ୍ୟବଚ୍ଛେଦ କରାଇ ଥିଲେ । ପରେ ତାଙ୍କ ପରିବାରବର୍ଗକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ଚେତନହାଲିର ପାରିବାରିକ ଇଷ୍ଟେଟ୍ରେ ସିଦ୍ଧାର୍ଥଙ୍କ ଶେଷକ୍ୟତ୍ୟ ସଂପନ୍ନ ହୋଇଛି । ସିଦ୍ଧାର୍ଥ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ.କ୍ରୀଷ୍ଣାଙ୍କ ଜ୍ୱାଇଁ । କ୍ରିଷ୍ଣା ବିଜେପିରେ ଯୋଗ ଦେଇଥିବଲେ ସୁଦ୍ଧା ଜ୍ୱାଇଁ ସିଦ୍ଧାର୍ଥଙ୍କ ସମସ୍ୟା ଦୂର କରି ପାରି ନ ଥିଲେ ବୋଲି ତାଙ୍କ ଶେଷକୃତ୍ୟରେ ଯୋଗ ଦେଇଥିବା ବଂଧୁମାନେ ଗଣମାଧ୍ୟମକୁ ସୂଚନା ଦେଇଥିବା ପ୍ରକାଶ । ଶେଷକୃତ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କ ସମେତ ବହୁ ରାଜ୍ୟର ବହୁ ନିର୍ବାଚିତ ପ୍ରତିନିଧି, ନେତା, ପରିବାର ସଦସ୍ୟ ଓ ସଂପର୍କୀୟ ଯୋଗ ଦେଇଥିଲେ । ବଡ଼ ପୁଅ ଅମର୍ତ୍ୟ ତାଙ୍କୁ ମୁଖାଗ୍ନି ଦେଇଥିଲୋ । କର୍ଣ୍ଣାଟକର କାନାକଣ୍ଡି ଥାନା ପୁଲିସ ଏହି ମାମଲାର ତଦନ୍ତ କରୁଛି । ସିଦ୍ଧାର୍ଥ ନିଖୋଜ ଥିବା ସମୟରେ ତାଙ୍କୁ ଖୋଜି ବାହାର କରିବା ପାଇଁ ଏନଡ଼ିଆରଏଫ, କୋଷ୍ଟ୍ ଗାର୍ଡ ଓ ପୁଲିସର କୁକୁର ସ୍କ୍ୱାଡ ନିୟୋଜିତ ହୋଇଥିଲା ।
ସିଦ୍ଧାର୍ଥ ଥିଲେ ଅର୍ଥନୀତିରେ ସ୍ନାତକ । ବାଙ୍ଗାଲୁରୁର ବି୍ରଗେଡ ରୋଡରୁ ସେ ୧୯୯୬ ଅଗଷ୍ଟରେ ତାଙ୍କ ସିସିଡ଼ି ବ୍ୟବସାୟ ଆରମ୍ଭ କରିଥିଲେ । ପରେ ସମଗ୍ର ଦେଶ ଓ ବିଦେଶକୁ ସିସିଡ଼ ବ୍ୟବସାୟ ବ୍ୟାପିଥିଲା । ୨୦୧୪ ସୁଦ୍ଧା ଦେଶରେ ୨୦୦୦ରୁ ଅଧିକ ସିସିଡ଼ି ଷ୍ଟୋର ଖୋଲିବା ସିଦ୍ଧାର୍ଥଙ୍କ ଲକ୍ଷ୍ୟ ଥିବା ବେଳେ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇ ନାହିଁ । ଗଲା ମାର୍ଚ୍ଚ ସୁଦ୍ଧା ଦେଶରେ ମୋଟ ୧୭୫୨ ସିସିଡ଼ି ଷ୍ଟୋର୍ ରହିଛି । ସିସିଡ଼ି ବ୍ୟବସାୟର ଅକାର ମାର୍ଚ୍ଚ ସୁଦ୍ଧା ୨୨୫୦ କୋଟି ଟଙ୍କା ହେବା ଅଟକଳ ହୋଇଥିଲା । ତେବେ, ସିଦ୍ଧାର୍ଥ ନିଖୋଜ ହେବା ପରେ ମଙ୍ଗଳବାର ସୁଦ୍ଧା କଂପାନୀର ସେୟାର ମୂଲ୍ୟରେ ୨୦ ପ୍ରତିଶତ ହ୍ରାସ ଘଟିଛି । ବୁଧବାର ତାଙ୍କ ମୃତଦେହ ନଦୀ କୂଳରୁ ମିଳିବା ପରେ ଅଧିକ ବ୍ୟବସାୟିକ କ୍ଷତିର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସିସିଡ଼ି ପରିଚାଳନା ବୋର୍ଡ ଏକ ବୈଠକରେ ମିଳିତ ହୋଇ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କଫି ବ୍ୟବସାୟରେ ବିଦେଶୀ ପୁଂଜିର ଅନୁପ୍ରବେଶ ପରେ ମଧ୍ୟ ସିସିଡ଼ି ବ୍ୟବସାୟରେ ଆଗୁଆ ଥିଲା । କିନ୍ତୁ, ପ୍ରତିଦ୍ୱନ୍ଦ୍ୱିତାର ସାମନା କରିବା ପାଇଁ ନଗଦ ସମସ୍ୟା ଯୋଗୁ ଋଣବୋଝରେ ଛନ୍ଦି ହୋଇ ଯାଇଥିଲା ବୋଲି କୁହାଯାଉଛି । ବିଦେଶୀ କଫି ଚେନ୍ ‘ଷ୍ଟାରବକ୍’ ଓ ‘ବରିଷ୍ଠା’ ସିସିଡ଼ି ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଭାବ ଉଭା ହୋଇଥିଲେ । ମୂଳ କଂପାନୀ କଫି ଡେ ଏଂଟରପ୍ରାଇଜେସ୍ ଲିମିଟେଡ଼ ଉପରେ ଋଣବୋଝ ବଢି ଥିଲା । ତଥାପି, ସିସିଡ଼ି ବ୍ୟବସାୟରେ ଆଗୁଆ ଥିଲା । ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶରେ ସିସିଡ଼ିର ୧୭୫୨ଟି ଷ୍ଟୋର ଥିବା ସମୟରେ ‘ବରିଷ୍ଠା’ ୨୨୦ଟି ଷ୍ଟୋର ସହ ଦ୍ୱିତୀୟ ସ୍ଥାନରେ ରହିଛି । ‘ଷ୍ଟାରବକ୍’ର ଷ୍ଟୋର ସଂଖ୍ୟା ହେଉଛି ୧୪୬ ।
ଏହି ଦୁଇଟି ବିଦେଶୀ ସଂସ୍ଥା ବଜାର ପ୍ରବେଶ କରିବା ପରେ ସିସିଡ଼ିର ସଂପ୍ରସାରଣ ଯୋଜନାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ତେବେ, ‘ମାଇଣ୍ଡ ଟ୍ରି’ ନାମକ ଏକ ଆଇଟି ସଂସ୍ଥାରେ ଥିବା ସିଦ୍ଧାର୍ଥଙ୍କ ଅଂଶଧନ ବିକ୍ରି ଉପରେ ଟ୍ୟାକ୍ସ ସଂସ୍ଥା ରୋକ୍ ଲଗାଇବାରୁ ସିସିଡ଼ି ବ୍ୟବସାୟ ଚଳାଇବା ପାଇଁ ନଗଦ ଜୁଟାଇବା ସିଦ୍ଧାର୍ଥଙ୍କ ପାଇଁ ସମସ୍ୟା ହୋଇଥିଲା । ସେ କହିଥିବା ଅଭିଯୋଗ ପ୍ରକାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଟିକସ ଆଦାୟକାରୀ ସଂସ୍ଥା ବିଭିନ୍ନ ଆଳରେ ସିସିଡ଼ି ଉପରେ ଚଢାଉ କରି ତାଙ୍କୁ ଚାପରେ ରଖିଥିଲେ । ‘ମାଇଣ୍ଡ ଟ୍ରି’ ଚୁକ୍ତିକୁ ଅଟକାଇବା ପାଇଁ ଆୟକର ବିଭାଗର ପୂର୍ବତନ ଡ଼ିଜି ତାଙ୍କୁ ବାରମ୍ବାର ହାରାଶ କରୁଥିଲେ । ଦୁଇ ଥର କଂପାନୀ କଂପାନୀ ସେୟାରକୁ ଆଟାଚ କରି ଦିଆଯାଇଥିଲା । ସିଦ୍ଧାର୍ଥ ୬୫୦ କୋଟି ଟଙ୍କାର ଆୟ ଦର୍ଶାଇ ନ ଥିବା ଏବଂ ଟିକସ ପାଂକି ଥିବା ଅଭିଯୋଗ କରାଯାଇ ୨୦୧୭ରେ ସିସିଡ଼ିର ୨୦ରୁ ଅଧିକ ସଂସ୍ଥାରେ ଆୟକର ଚଢାଉ ହୋଇଥିଲା । ଚଳିତ ବର୍ଷ ଜାନୁୟାରୀରେ ଆୟକର ବିଭାଗ ସିଦ୍ଧାର୍ଥଙ୍କ ୭୪.୯୦ ଲକ୍ଷ ‘ମାଇଣ୍ଡ ଟ୍ରି’ ସେୟାର ଜବତ କରିଥିଲା । ଏଥିରୁ ୨୦.୨୦ ଲକ୍ଷ ସେୟାର ସିସିଡ଼ିର ଥିବା ବେଳେ ୫୨.୭୦ ଲକ୍ଷ ସେୟାର ସିଦ୍ଧାର୍ଥଙ୍କ ବ୍ୟକ୍ତିଗତ । ଗତ ଫେବୃୟାରୀ ମାସରେ ମଧ୍ୟ ତାଙ୍କୁ ଆୟକର ବିଭାଗ ନୋଟିସ ମିଳି ଥିଲା । ଏହାପରେ ୱେ ଟୁ େଓଲଥ୍ ବ୍ରୋକର୍ସରେ ସିସିଡ଼ିର ଥିବା ୪୬, ୦୧ ୮୬୯ ସେୟାର ମଧ୍ୟ ଅସ୍ଥାୟୀ ଭାବେ ଜବତ କରାଯାଇଥିଲା । ଆୟକର ବିଭାଗ ଓ ବିଭିନ୍ନ ଋଣଦାତା ବ୍ୟାଙ୍କଙ୍କ ଏଭଳି ଚାପ ତାଙ୍କୁ ବ୍ୟତିବ୍ୟସ୍ତ କରିଛି ବୋଲି ସିଦ୍ଧାର୍ଥ ତାଙ୍କ ଶେଷ ଚିଠିରେ ଦର୍ଶାଇ ଥିବା ବେଳେ ଆୟକର ବିଭାଗ ଓ ଋଣ ଦେଇଥିବା ବ୍ୟାଙ୍କଗୁଡିକ ସ୍ପଷ୍ଟୀକରଣ ଦେଇ ସିଦ୍ଧାର୍ଥ ବ୍ୟକ୍ତଗତ ଋଣବୋଝ ଚାପରେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କହିଛନ୍ତି । ଅପରପକ୍ଷରେ, ସିଦ୍ଧାର୍ଥଙ୍କ ଶେଷକୃତ୍ୟରେ ଯୋଗ ଦେଇଥିବା ସିସିଡ଼ି କର୍ମଚାରୀମାନେ ତାଙ୍କ ବଦାନ୍ୟତା ଓ କର୍ମଚାରୀଙ୍କ ପ୍ରତି କରୁଣା ଭାବକୁ ଉଜାଗର କରିଛନ୍ତି । ଏଥିରେ ଯୋଗ ଉଦ୍ୟୋଗପତିମାନେ ସିଦ୍ଧାର୍ଥଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅଧିକାଂଶ ଭାରତୀୟ ଉଦ୍ୟୋଗୀ ଆଜି ଆୟକର ବିଭାଗର କଂପାଉଣ୍ଡ୍ ଟ୍ୟାକ୍ସ ଜନିତ ‘ଟିକସ ଆତଙ୍କରାଜ’ର ଶିକାର ବୋଲି ମତ ଦେଇଛନ୍ତି । ଦେଶରେ ଟିକସ ବ୍ୟବସ୍ଥା ଭୁଷୁଡ଼ି ପଡି ଥିବା ଦର୍ଶାଇ ସେମାନେ ଏଥିରେ ସୁଧାର ଆଣିବା ସକାଶେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଏଥିରୁ ଦେଶର କର୍ପୋରେଟ ଜଗତର ଅସହାୟ ଅବସ୍ଥା ପ୍ରତିଫଳିତ ହେଉଛି । ଦେଶରେ ‘ଟିକସ ଆତଙ୍କରାଜ’ ଆରମ୍ଭ ହେବା ପରେ ୨୦ ହଜାରରୁ ଅଧିକ କଂପାନୀଙ୍କ ୨୦୧୭-୧୮ ଆର୍ଥିକ ବର୍ଷର ନିଟ୍ ପ୍ରଫିଟ୍ (ଟିକସ ଦାଖଲ ପରେ) ୨.୩ ପ୍ରତିଶତକୁ ଖସି ଆସିଥିଲା ବୋଲି ‘ସେଂଟର ଫର୍ ମନିଟରିଂ ଦି ଇଂଡ଼ିଆନ ଇକୋନୋମୀ’ ରିପୋର୍ଟରୁ ସୂଚନା ମିଳିଛି । ଭାରତୀୟ ଉଦ୍ୟୋଗୀଙ୍କ ଦୟନୀୟତାକୁ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ଉଜାଗର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ତୁରନ୍ତ କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS