ଚଉକି..
– ପ୍ରସାଦ ରାଓ –
ଅଗଷ୍ଟ ୧୮ ତାରିଖ
ମଧ୍ୟାହ୍ନରେ ଅଫିସ ଯାଇ ତରବର ହୋଇ ଦ୍ୱିତୀୟ ମହଲାରେ ପହଂଚିଲି । ଦେଖିଲି, ଚଉକି ଉପରେ ପଡି ଥିବା ଧଳା ଟାୱାଲଟି ଅସ୍ତବ୍ୟସ୍ତ ହୋଇ ମୋ ଆସିବାକୁ ଅପେକ୍ଷା କରିଛି । ଅସଜଡା ଟେବୁଲ ଉପରେ ପାଣି ବୋତଲ ଓ ଦୁଇଟି ଖବରକାଗଜ । କାଚ ଘରେ ବସି ପତିଆରା ବଢାଇବାର ସଉକ ସମସ୍ତଙ୍କ ରହିଛି । ବାହାରକୁ ଚାହିଁ ଦେଖିଲି, ଖବର ସଂଯୋଜନା ଦାୟିତ୍ୱରେ ଥିବା ସହଯୋଗୀଙ୍କ ମଧ୍ୟରୁ କେହି ନିଜ ନିଜ ସିଟ୍ କୁ ଆସି ନାହାନ୍ତି । ନ୍ୟୁଜ୍ ରୁମ୍ ଖାଁ ଖାଁ ।
ସିଟ୍ ରେ ବସିବା ଆଗରୁ ଚଉକି ଉପରେ ପଡି ଥିବା ଟାୱାଲକୁ ଝାଡି ନେଲି । ଖବରକାଗଜ ସବୁ ସାମନାରେ ଥୋଇ ତାହା ଉପରେ ମୋବାଇଲ୍ ଫୋନକୁ ‘ପେପର ୱେଟ୍’ କାମରେ ଲଗାଇଲି । କାମ ଆରମ୍ଭ ପୂର୍ବରୁ ଆଉ ଥରେ ନଜର ପକାଇଲି ନ୍ୟୁଜ୍ ଡ଼େସ୍କ ଆଡକୁ । ଜଣେ ଜଣେ ଆସି ନିଜ ନିଜ ଡେକ୍ସରେ ବସିବା ଅରମ୍ଭ କଲେଣି । ଟେଲିଭିଜନ ପରଦାରେ ଖବର ପ୍ରସାରଣ ଆରମ୍ଭ ହେବାକୁ ସମୟ ଅଛି । ତେଣୁ, ସବୁ କିଛି ଅଳସରେ ଚାଲିଛି। ଆଜିର କାର୍ଯ୍ୟକ୍ରମ କଥା ଚିନ୍ତା କରୁଛି ହଠାତ୍ ବସ୍ ଙ୍କ ଫୋନ୍ ଆସିଲା । ‘ଟିକେ ଉପରକୁ ଆସିବେ କି’?
ବସ୍ ଙ୍କ ଫୋନ୍ କେବେ କୌଣସି କର୍ମଚାରୀଙ୍କ ପାଇଁ ସୁଖକର ହୋଇ ନ ଥାଏ । କାରଣ, ବସ୍ କାହିଁକି ଡାକୁଛନ୍ତି, କଣ କହିବାକୁ ଚାହୁଛନ୍ତି – ତାହା ଉହ୍ୟ ଥାଏ । ପେଶାଦାର ମ୍ୟାନେଜମେଂଟ କଥା ଭିନ୍ନ । ଅଣ-ପେଶାଦାର ମ୍ୟାନେଜମେଂଟରେ କାନକୁହାଙ୍କ ପ୍ରଭାବ ଅଧିକ । ସବୁ ନିଷ୍ପତ୍ତି ସେମାନଙ୍କ ନିୟନ୍ତ୍ରଣରେ ଥାଏ । ବସ୍ଂକ ପ୍ରକୋଷ୍ଠରେ ପାଦ ଥୋଉ ଥୋଉ ଲକ୍ଷ୍ୟ କଲି ତାଙ୍କ ଭାବଭଂଗୀକୁ । ମୁହଁରେ ହସ ଅଛି । ନିଶ୍ଚିନ୍ତ ହେଲି, ମୁଣ୍ଡର ସେଭଳି କିଛି ଚଡକ ପଡିବାର ନାହିଁ । ସାମନା ଆସନରେ ବସି ଡ଼ାକିବାର କାରଣ ସଂପର୍କରେ ଜାଣିବାକୁ ଚାହିଁଲି । ଏହି ସମୟରେ ମୋର ଅନ୍ୟ ଜଣେ ସହଯୋଗୀ ଭିତରକୁ ଆସି ପାଖ ଆସନରେ ବସିଲେ । ଆଲୋଚନା ଆରମ୍ଭ ହେଲା ସଂସ୍ଥାର ବ୍ୟବସାୟ ବିଷୟରେ । ଦେଶକୁ ଅର୍ଥନୈତିକ ମାନ୍ଦାବସ୍ଥା ମାଡି ଆସିବା ଭଳି ୨୦୧୯ ସାଧାରଣ ନିର୍ବାଚନ ପରେ ଆଂଚଳିକ ମିଡ଼ିଆ ମାନ୍ଦାବସ୍ଥାର ସାମନା କରୁଛି । ତେଣୁ, ଆଗକୁ ହେବାକୁ ଥିବା ବ୍ୟବସାୟକୁ ଆକଳନ କରି ସବୁଥିରେ କାଟଛାଂଟ କରିବାକୁ ପଡିବ । ବସ୍ ଏତିକି କହି ଆଲୋଚନା ଆଗଇବାର ଉପକ୍ରମ କଲେ । କେଉଁ କେଉଁ କ୍ଷେତ୍ରରେ ଖର୍ଚ୍ଚକାଟ୍ ସମ୍ଭବ ତାହ ମଧ୍ୟ ଆଲୋଚନା ହେଲା ।
ଯେତେବେଳେ କର୍ମଚରୀ ଛଟେଇ କଥା ଆସିଲା ମନ ବିଚଳିତ ହେଲା । ସ୍ୱଳ୍ପ ଦରମାରେ କାମ କରୁଥିବା ଏବଂ ସେହି ଦରମାରେ ନିଜ ପରିବାରର ଗୁଜରାଣ ମେଂଟାଉ ଥିବା କର୍ମଚାରୀମାନେ ଛଟେଇ ହେଲେ କୁଆଡେ ଯିବେ ? ପରିବାର ପ୍ରତିପୋଷଣ କରିବେ କେମିତି ?? ସେହି ପ୍ରଶ୍ନ ମୋତେ ବିଚଳିତ କରୁଥାଏ । ରାଜ୍ୟ ସରକାର ନିର୍ବାଚନ ପାଇଁ ବର୍ଷାଧିକ କାଳ ମିଡ଼ିଆକୁ ବ୍ୟବହାର କଲେ । ଦିନ ରାତି ଟେଲିଭିଜନ ପରଦାରେ ସରକାରଙ୍କ ଗୁଣଗାନ ଚାଲିଲା । ବିଜ୍ଞାପନ ଉପାର୍ଜନକୁ ଦେଖି ମାଲିକମାନେ ଧରି ନେଲେ ସରକାର କ୍ଷମତାକୁ ଫେରିଲେ ମିଡ଼ିଆ କଥା ନିଶ୍ଚୟ ବୁଝିବେ ଏବଂ ସଂସ୍ଥାର ଆୟ ବଢିବ । ସେହି ଭରସାରେ କର୍ମଚାରୀ ମଧ୍ୟ ଦିନରାତି ମୁହଁ ମାଡି କାମ କରି ଥିଲେ । ନିର୍ବାଚନକୁ ଆଖିରେ ରଖି ଗଣମାଧ୍ୟମ ମାଲିକମାନେ ନୂଆ ଓ ଅଭିଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ଭୋଟ ସରିଲା ଓ ପୁରୁଣା ସରକାର କ୍ଷମତାକୁ ଫେରିଲେ । ତେବେ, ସରକାରଙ୍କ ଆଉ ନଜର ରହିଲା ନାହିଁ ସାହାଯ୍ୟ କରିଥିବା ଗଣମାଧ୍ୟମ ପ୍ରତି । ଆୟ କମିବା ଦେଖି ମିଡ଼ିଆ ମାଲିକଙ୍କ ରକ୍ତଚାପ ବଢିଛି । ରାତି ଦିନ ଖଟି ସଂପୃକ୍ତ ମିଡ଼ିଆ ଓ ସରକାରଙ୍କ ଖିିଦମତ୍ କରିଥିବା ଗଣମାଧ୍ୟମ କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ଡ଼େମୋକ୍ଲିସଙ୍କ ଖଣ୍ଡା ।
ବସ୍ ଙ୍କ ସହ ଆଲୋଚନା ସାରି ଫେରିବା ପରେ ସହଯୋଗୀଙ୍କ ଆଖିରେ ଆଖି ମିଳାଇବାକୁ ସାହାସ ହେଲାନି । କାରଣ, ସେହି ସହଯୋଗୀମାନେ ମାସକ ପୂର୍ବରୁ ରାତି ଦିନ ଖଟି ମାଲିକଙ୍କୁ ସନ୍ତୁଷ୍ଟ କରିଥିବା ଦେଖିଛି । ପୁରୁଣା ସରକାର ପୁନଃ କ୍ଷମତାକୁ ଫେରିଲେ ସଂସ୍ଥାର ଭାଗ୍ୟ ବଦଳିବ ବୋଲି ମାଲିକଙ୍କ ଆଶ୍ୱାସନା ଥିଲା । ସେମାନେ ମଧ୍ୟ ଆଶା କରିଥିଲେ ପେ’ ପ୍ୟାକେଟ୍ ରେ ଆଉ କିଛି ଅଧିକ ଅର୍ଥ ଯୋଡି ହୋଇଯିବ । କିନ୍ତୁ, ସଂସ୍ଥା ଛଟେଇ କରିବ ବୋଲି କାହାରି ଆଶା ନ ଥିଲା । ଛଟେଇ ଖବର ସହ ମ୍ୟାନେଜମେଂଟରେ ଚାଲି ଥିବା ଟୁପୁରୁ ଟାପୁରୁ କର୍ମଚାରୀଙ୍କ ମନରେ ଆଶଙ୍କାକୁ ବଢାଇଲା । ଚାଟୁକାରମାନେ ସକ୍ରୀୟ । ନିଜକୁ ସୁହାଇଲା ଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କଲେ, ଯେଉଁମାନେ କି ସଂସ୍ଥାରେ ରହିବେ । ବାକି ସବୁ ଛଟେଇ ତାଲିକାରେ । ମୁଁ ମୋ ଚଉକିକୁ ଚାହିଁଲି । ମୋ ପୂର୍ବରୁ ତିନି ଜଣ ସଂପାଦକ ଏହି ଚଉକିରେ ବସି ବିଦାୟ ହୋଇଛନ୍ତି । କାରଣ ଅସ୍ପଷ୍ଟ । ଏଠି ସମ୍ବେଦନା ନାହିଁ କି ସ୍ଥାୟୀତ୍ୱ ବୋଲି କିଛି ନାହିଁ ।
ଚଉକିକୁ ଚାହିଁଲି, ଦୀର୍ଘ ନିଶ୍ୱାସ ପକାଇ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବାର ଛଳନା କଲି । ମ୍ୟାନେଜମେଂଟ ଓ କର୍ମଚାରୀ ଶ୍ରମ ଆଇନ ସଂପର୍କରେ ଅଜ୍ଞ ନୁହନ୍ତି । କିନ୍ତୁ, ତାହା କେବେ କାର୍ଯ୍ୟକାରୀ ହେବା ଦେଖି ନାହାନ୍ତି । ତେଣୁ, ଯେଉଁମାନଙ୍କ ମୁଣ୍ଡରେ ଚାମଚାଙ୍କ ଖଣ୍ଡା ପଡିଲା ସେମାନେ ନାକ, କାନ ଆଉଁସି ସଂସ୍ଥା ଛାଡିଲେ । ଯେଉଁମାନେ ରହି ଗଲେ, ସେମାନଙ୍କ ଆପେକ୍ଷା ମ୍ୟାନେଜମେଂଟର ପରିବର୍ତୀ ଆକ୍ରମଣକୁ । ନିଜକୁ ‘ସବ୍ ଜାନତା’ ଭାବି ପ୍ରତି କଥାରେ ମୁଣ୍ଡ ପୁରାଉ ଥିବା ଅନଭିଜ୍ଞମାନେ ମ୍ୟାନେଜମେଂଟର ବିଶ୍ୱାସଭାଜନ । ଛଟେଇ ତାଲିକା ସେହିମାନେ ପ୍ରସ୍ତୁତି କରିଥିଲେ । ଏବେ ମଧ୍ୟ ବନ୍ଦ ହୋଇ ନାହିଁ । କାର୍ଯ୍ୟରତ କର୍ମଚାରୀଙ୍କ ସହ ମୂଲଚାଲ ମଧ୍ୟ ଚାଲିଛି । କିଏ କେତେ କମ୍ ଦାମରେ ବିକ୍ରି ହେବ । କୌଣସି ପେଶାଦାର ଗଣମାଧ୍ୟମରେ ଏଭଳି ଅସ୍ୱାଭାବିକ କାର୍ଯ୍ୟଧାରା ଦେଖି ନାହିିଁ । କର୍ମଚାରୀଙ୍କ ମଷ୍ଟର ରୋଲ୍, ପେ’ ସ୍ଲିପ୍ ଠାରୁ ଆରମ୍ଭ କରି ଏଷ୍ଟାବ୍ଲିସ୍ମେଂଟ୍ ଆକ୍ଟ ଓ ଶ୍ରମ ଆଇନ ଦ୍ୱାରା ସବୁ କିଛି ନିୟନ୍ତ୍ରିତ ହେବା କଥା । କିନ୍ତୁ, ସବୁ କିଛି ଥିଲା ବ୍ୟତିକ୍ରମ । ଏକ ଅନିଶ୍ଚିତ ବାତାବରଣରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଜାଣନ୍ତି ନାହିଁ କେତେବେଳେ ସେମାନେ ‘ଅଯୋଗ୍ୟ’ ବିବେଚିତ ହୋଇ ବିଦାୟ ନେବାକୁ ବାଧ୍ୟ ହେବେ । ଯୋଗ୍ୟତା-ଅଯୋଗ୍ୟତା ମଧ୍ୟରେ ରହିଛି ଅତି ସୂକ୍ଷ୍ମ ପରଦାଟିଏ । ତାହାର ଗୋଟିଏ ପଟେ ସ୍ଥିରତା ଓ ଅନ୍ୟପଟେ ବିପର୍ଯ୍ୟୟ । ମାଲିକର ଦୃଷ୍ଟିକୋଣ ଅନୁସାରେ ଏହି ପରଦା ହଲୁଛି।
କେବଳ ଗଣମାଧ୍ୟମ ନୁହେଁ, ଆଜିର ସରକାରୀ ବ୍ୟବସ୍ଥାରେ ମଧ୍ୟ ଏଭଳି ବ୍ୟତିକ୍ରମ ସବୁ ଦୃଶ୍ୟମାନ । ଉଦାହରଣ ଭାବେ ନିଆଯାଇପାରେ ବରିଷ୍ଠ ଆଇଏଏସ୍ ଗଗନ କୁମାର ଧଳଙ୍କୁ । ଧଳ ହେଉଛନ୍ତି ୧୯୮୫ ବ୍ୟାଚ୍ ର ଆଇଏଏସ୍ । ରାଜ୍ୟ ସରକାରଙ୍କ କୃଷି ଉତ୍ପାଦନ କମିସନର ଭାବେ ସେ ଦାୟିତ୍ୱ ତୁଲାଉ ଥିଲେ । ୨୦୨୦ ଜାନୁୟାରୀରେ ଧଳ ଅବସର ଗ୍ରହଣ କରିବେ । ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପଦରେ ଥିବା ୧୯୮୪ ବ୍ୟାଚ୍ ଆଇଏଏସ୍ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିସନର୍ ଭାବେ ସାମ୍ବିଧାନିକ ପଦବିରେ ନିଯୁକ୍ତି ଦେବା ପରେ ଧଳ ଆଶା କରିଥିଲେ ସିନିୟରିଟି ଦୃଷ୍ଟିରୁ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବୀ ମିଳିବ । କିନ୍ତୁ, ସରକାର ବରିଷ୍ଠତା ନ ଦେଖି ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ କଲେ । ତ୍ରିପାଠୀ ଉନ୍ନୟନ କମିସନର୍ ଦାୟିତ୍ୱ ସହ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉ ଥିଲେ । ଧଳଙ୍କୁ ମୁଖ୍ୟ ଶାସନ ସଚିବ କରାଗଲା ନାହିଁ । ଅନ୍ୟ କୌଣସି ବିଭାଗକୁ ବଦଳି ମଧ୍ୟ କରା ନଯାଇ ଗୁରୁବାର ଦିନ ତାଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ମହାପାତ୍ରଙ୍କୁ ରାଜ୍ୟ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ଦିଆଗଲା । ତେଣୁ, ଧଳଙ୍କ ସାମନାରେ ଇସ୍ତଫା ଦେବା ଛଡା ଅନ୍ୟ ଗତି ନ ଥିଲା । ଧଳ ସ୍ୱେଚ୍ଛାକୃତ ଅବସର ନେଉଥିବା ଘୋଷଣା କରିବା ପରେ ସରକାର ତାଙ୍କୁ ମନାଇ ଶନିବାର ଦିନ ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ପଦବୀ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ସମତୁଲ ବୋଲି ସରକାରୀ ଭାବେ କୁହାଯାଉଛି । କେବଳ ଧଳ ନୁହନ୍ତି, ଆଉ କିଛି ବରିଷ୍ଠ ଆଇଏଏସ୍ ସରକାରରେ ଚାଲି ଥିବା ଜଂଗଲି ରାଜ୍ କୁ ନେଇ ଅତିଷ୍ଟ । ମୁହଁ ଖୋଲି ନ ପାରି ସ୍ୱେଚ୍ଛାକୃତ ଅବସର ପାଇଁ ସରକାରଙ୍କୁ ଲେଖୁଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ସଚିବାଳୟକୁ ‘ଲୋକସେବା ଭବନ’ରେ ନାମିତ କରିବା ପରେ ସରକାର ଲୋକାଭିମୁଖୀ ହୋଇଥିବା ଧାରଣା ସୃଷ୍ଟି ହୋଇଛି । ତେବେ, ‘ଲୋକସେବା ଭବନ’ ପୁରୁଣା ‘ସଚିବାଳୟ’ ଭଳି ସାଧାରଣ ଲୋକଙ୍କ ପାଇଁ ଅଭେଦ୍ୟ ରହିବା ସରକାରଙ୍କ ବାସ୍ତବ ରୂପକୁ ପଦାରେ ପକାଉଛି ।
ସବୁଠି ସେହି ଚଉକିର ଖେଳ । ଏହି ଖେଳକୁ ନେଇ ସମସ୍ତେ ନୟାନ୍ତ । ସମସ୍ତେ ଚାହାନ୍ତି କାଚ ଘର ଓ ସୁରକ୍ଷିତ ଚଉକି । ଯେଉଁମାନଙ୍କ ଭାଗ୍ୟରେ ତାହା ଯୁଟି ନାହିଁ ସେମାନେ କଳେ ବଳେ କୌଶଳେ ଚଉକିଟିଏ ହାସଲ କରିବା ଦୈଡରେ । ଯାହା ପାଖରେ ଚଉକି ଅଛି ସେ ତାହାର ସୁରକ୍ଷାକୁ ନେଇ ଚିନ୍ତିତ । ପିଲା ଦିନେ ଆମେ ଚଉକି ସବୁକୁ ଗୋଲରେ ସଜାଇ ତାହା ଚାରି ପାଖେ ଘୁରି ଛକାପଂଝା ଖେଳ ଖେଳୁ ଥିଲୁ । ତାହା ମ୍ୟୁଜିକାଲ ଚେୟାର ଭାବେ ଜଣାଶୁଣା ଥିଲା । ଘୁରିବା ଭିତରେ ମ୍ୟୁଜିକ ବନ୍ଦ ହେବା କ୍ଷଣି ଯିଏ ପ୍ରଥମେ ଚଉକିରେ ବସି ଗଲା ସେ ସୁରକ୍ଷିତ । ଯାହା ଭାଗ୍ୟରେ ଚଉକି ରହୁ ନ ଥିଲା ସେ ଖେଳରୁ ବିଦାୟ ହେଉଥିଲା । ଗୋଟିଏ ପରେ ଗୋଟିଏ ଚଉକି ଉଠିବା ସହ ଖେଳାଳୀଙ୍କ ସଂଖ୍ୟା କମି କମି ଶେଷରେ ଗୋଟିଏ ଚଉକି ପାଇଁ ଦୁଇ ଜଣଙ୍କ ମଧ୍ୟରେ ଟଣାଓଟରା ଲାଗୁ ଥିଲା । ଶେଷ ରାଉଣ୍ଡ ଥିଲା ଚୂଡାନ୍ତ । ତେବେ, ଆଜିର ଖେଳରେ ଆଉ ଶେଷ ରାଉଣ୍ଡ ବା ନୀତି ନିୟମ ନାହିଁ । ତ୍ରିପାଠୀଙ୍କ ଭଳି ଲୋକ ମାରି ନେଉ ଥିବା ବେଳେ ଧଳଙ୍କ ଭଳି ଲୋକ କାନମୁଣ୍ଡା ଆଉଁସୀ ମଇଦାନ ଛାଡୁଛନ୍ତି । ଛୋଟ ସଂସ୍ଥାଙ୍କ କଥା କିଏ ବା ପଚାରେ !
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS