ଲାଇଫ୍ ଇଜ୍ ଅନ୍ …
– ପ୍ରସାଦ ରାଓ –
ଅଗଷ୍ଟ ୨୨ ତାରିଖ
ବୟସ ବଢିବା ପରେ ଆଉ ଏକ ଜନ୍ମଦିନ ପାଳିବାର ସ୍ପୃହା ନ ଥାଏ । କିନ୍ତୁ, ପରିବାର, ସହଯୋଗୀ ଓ ଶୁଭେଚ୍ଛୁଙ୍କ ଶୁଭେଚ୍ଛା ପୁନର୍ବାର ମନରେ ଉତ୍ସାହ ଆଣି ଦିଏ । ଜୀବନଟା ଆଗକୁ ଆଗକୁ ଯାଉଛି … । କାଲି କଣ ହେବ ଜାଣି ନ ଥିବା ମଣିଷ କାଲି ପାଇଁ ସ୍ୱପ୍ନ ଦେଖୁଛି । ଟିକିଏ ଭାଗମାପ କମି ଗଲେ ଅନ୍ୟ ସହ ଲଢେଇ କରିବାକୁ ପଛାଉ ନାହିଁ । ଏହା ହିଁ ବୋଧହୁଏ ନିର୍ବୋଧତା ।
ଅଉ ଏକ ଜନ୍ମ ଦିନ ଆସିଛି, ଏକଥା ମୁଁ ଜାଣି ଥିଲି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସାମୟିକ ଉତ୍ସାହ, ଉଦ୍ଦିପନା ରହିବ ଓ କିଛି ଘଂଟା ପରେ ତାହା ପାଣି ଫୋଟାକ ସଦୃଶ ମିଳାଇ ଯିବ, ଏକଥା ମଧ୍ୟ ଜାଣିଥିଲି । ତେବେ, ଅନ୍ତଃ ମନରେ ଜନ୍ମଦିନକୁ ନେଇ ଟିକିଏ ଉତ୍ସାହ ରହିବା ସ୍ୱାଭାବିକ । ମାସେ ତଳେ କିଣି ଥିବା ଜାମୁ କୋଳି ରଂଗର ସାର୍ଟ ସାଇତି ରଖି ଥିଲି ଏହି ଦିନଟି ପାଇଁ । ନୂଆ ପ୍ୟାଂଟ ସହ ମ୍ୟାଚ୍ କରୁ ନ ଥିଲା । ତେଣୁ, ପୁରୁଣା ପ୍ୟାଂଟ ଉପରେ ନୂଆ ସାର୍ଟ ଏବଂ ପରିବାର ଦେଇଥିବା ନୂଆ ମଡେଲର ହାତ ଘଂଟା ବାନ୍ଧି ଅଫିସ ବାହାରିଲି । ମୁଁ ଜାଣିଛି, ଅଫିସରେ ସହଯୋଗୀମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇବେ । କିଏ ଅନ୍ତର ଭିତରୁ ତ ଆଉ କିଏ ଉପରକୁ । ତେବେ, ସେଥିରେ ମୋ’ର କିଛି କରିବାର ନାହିଁ । ଜୀବନଟା ଆଗକୁ ଯାଉଛି । ଆଜିର ମଣିଷ କାଲି କି ନ ଥାଏ । କେବଳ ରହି ଯାଏ ତାହାର ଭଲ ବା ମନ୍ଦ କର୍ମ । ଭଲେଇ ହେବା ଅପେକ୍ଷା ଭଲ ହେବାରେ ମୁଁ ବିଶ୍ୱାସ କରେ । ତେଣୁ, ମେତେ ଅଭିନନ୍ଦନ ଜଣାଇ ଥିବା ସବୁ ଶୁଭେଚ୍ଛୁ ଓ ସହଯୋଗୀ ନିଶ୍ଚିତ ଅନ୍ତର ଭିତରୁ ଶୁଭେଚ୍ଛା ଦେଇଥିବେ, ଏହି ବିଶ୍ୱାସ ମୋ’ର ରହିଛି । ଏହାର ଉତ୍ତରରେ ମୁଁ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ମଙ୍ଗଳ କାମନା କରିଛି ।
କାଲି ଅଫିସ ବାହାରିବା ସମୟରେ ପାଗ ଖରାଟିଆ ଥିଲା । ପୂର୍ବାହ୍ନ ବେଳକୁ ତାହା ମେଘୁଆ ହୋଇ ବର୍ଷାର ସମ୍ଭାବନା ସୃଷ୍ଟି କରିଥିଲା । ଏତେ ଶୀର୍ଘ ତାହା ବର୍ଷାର ରୂପ ନେବ ବୋଲି ବିଶ୍ୱାସ କରି ନ ଥିଲି । ବର୍ଷଟା ହଠାତ୍ ମାଡି ଆସିଲା । ମୋ ନୂଆ ପୋଷାକକୁ ଭିଜାଇ କିଛି ସମୟ ପରେ ଉଭାନ ହୋଇ ଗଲା । ତାହାରି ଭିତରେ ମୁଁ ଓଦା ପୋଷାକକୁ ବର୍ଷାତିରେ ଘୋଡାଇ ଅଫିସରେ ପହଂଚି ସାରି ଥିଲି । ପ୍ରିୟଂବଦାର ପ୍ରଥମ ସଂଭାଷଣ ଥିଲା .. ‘ସାର, ହାପି ବାର୍ଥ ଡେ..’ । ତା’ ପରେ ଜଣ ଜଣ କରି ସହଯୋଗୀମାନେ ଆସି ବଧେଇ ଜଣେଇଲେ । ଜନ୍ମ ଦିନର ମିଠାକୁ ନେଇ ମୃଦୁ ତାଗିଦ୍ । ପରେ ସବୁ କିଛି ଚାଲିଲା ଯନ୍ତ୍ରବତ୍ । ବୈଦ୍ୟୁତିକ ଗଣମାଧ୍ୟମର ରୁଟିନ କାର୍ଯ୍ୟ । ନୂଆ ହାତ ଘଂଟାକୁ ନଜର ପକାଇଲି । ଅପରାହ୍ନ ସାଢେ ୩ଟା । କେବଳ ସମୟ ନୁହେଁ, ଦ୍ୱିତୀୟ ମହଲାକୁ ପାହାଚରେ ଚଢି ଯିିବା ସମୟରେ ହୃଦ୍ ସ୍ପନ୍ଦନର ଗତି, କେତେ ପାଦ ଚାଲିଛି, କେତେ କାଲେରି ନଷ୍ଟ ହୋଇଛି – ସବୁ କିଛି ବ୍ଲୁ-ଟୁଥ୍ ଘଂଟା କହି ଦେଉଥିଲା । ଆଜି କାଲି ଏହି ଘଂଟାର ଚାହିଦା ଅଧିକ । ବିଭିନ୍ନ ଅନ୍ ଲାଇନ୍ ବ୍ୟବସାୟିକ ସଂସ୍ଥା ଏସବୁ ଘଂଟାର ବେଶ୍ ବିଜ୍ଞାପନ କରୁଛନ୍ତି । ବ୍ରାଣ୍ଡ୍ ଅନୁସାରେ ମୂଲ୍ୟ । ଶସ୍ତା ଘଂଟା କଣିଲେ କେତେଦିନ ଚାଲିବ ଠିକଣା ନାହିଁ । ତେଣୁ, ଅନ୍ ଲାଇନ୍ ରେ ବ୍ରାଣ୍ଡେଡ୍ ମଗାଇବାକୁ ସମସ୍ତେ ଆଗ୍ରହୀ । ମାସେ ତଳେ ମୁଁ ଏଭଳି ଘଂଟାଟିଏ ମଗାଇବାକୁ ଚାହୁଁ ଥିଲି । ମନବୁଝି ମୋ ପରିବାର ଜନ୍ମଦିନରେ ଦେଲେ ଏହି ଘଂଟାଟି ।
ଆରମ୍ଭରୁ କହିଛି, ଜୀବନଟା ଆଗକୁ ଆଗକୁ ଯାଉଛି । ଅନିଶ୍ଚିତତା ଭିତରେ ଆମେ ସମସ୍ତେ ସ୍ଥିରତା ଖୋଜୁଛେ । ସେ ମାଲିକ ହେଉ ବା କର୍ମଚାରୀ । ମାଲିକ ନିଜର ସ୍ଥିରତା ପାଇଁ କର୍ମଚାରୀଙ୍କ ଉପରେ ନିର୍ଭର କରୁଛି । କର୍ମଚାରୀ ଅସ୍ଥିରତା ଭିତରୁ ଖୋଜୁଛି ଏକ ସ୍ଥିର ଓ ନିଶ୍ଚିତ ଭବିଷ୍ୟତ । ଏହି ଖେଳ ସବୁଠି ଚାଲିଛି । ଯିଏ ଲଢେଇ କରିବାର ପଣ ନେଇ ଆଗକୁ ଯାଉଛି ସିଏ ହାରିବାକୁ କୁଣ୍ଠିତ । ଜିତିବା ହେଉଛି ତାହାର ଲକ୍ଷ୍ୟ । ଠିକ୍ ଦୁଇ ଦିନ ତଳେ ମୋର ସମସାମୟିକ ସାମ୍ବାଦିକ ବଂଧୁ ରଣଜିତଙ୍କ ଦେହାନ୍ତ ଘଟିଛି । ଅଶି ଦଶକରୁ ଆମେ ସାମ୍ବାଦିକତାରେ ଥିଲୁ । ଦୀର୍ଘ ବର୍ଷ ଗୋଟିଏ ସଂସ୍ଥା ପାଇଁ କାର୍ଯ୍ୟ କରିଛୁ । ସାମ୍ବାଦିକତା ଓ ପରିଚାଳନା, ଉଭୟ କ୍ଷେତ୍ରରେ ଥିଲା ଆମ ପ୍ରବେଶ । ଅବସର ପରେ ସେ ସଂସ୍ଥାର ବଡ ପୁଅ ହୋଇ ଗଲେ। ଆମେ ସଂସ୍ଥା ଛାଡି ମୁକ୍ତବୃତ୍ତି ଆପଣାଇଲୁ । ରଣଜିତ ଜୀବନ ସହ ଲଢେଇରେ ବୃତ୍ତିକୁ ପ୍ରାଥମିକତା ଦେଇଥିବା ମୁଁ ଦେଖିଛି । ଗୋଟିଏ କିଡନି ଖରାପ ହେବାରୁ ତାହାର ପ୍ରତିରୋପଣ ହୋଇଥିଲା । ସମୟ ସମୟରେ ସଂକ୍ରମଣ ଯୋଗୁ ଅସୁସ୍ଥତା ତାଙ୍କ ସଂପାଦନା କାର୍ଯ୍ୟକୁ ପ୍ରଭାବିତ କରି ନ ଥିଲା । ଆମେ ବଂଧୁ ଥିଲେ ବି ପ୍ରତିଦ୍ୱନ୍ଦ୍ୱୀ ଥିଲୁ । ତେଣୁ, ଭଲ ଓ ମନ୍ଦ ଉଭୟ ଦିଗକୁ ନେଇ ଆମର ବ୍ୟକ୍ତିଗତ ଅନୁଭବ ରହିଛି । ତେବେ, ଜଣକ ମୃତ୍ୟୁ ପରେ ସେସବୁ ଅର୍ଥହୀନ । ମୃତ୍ୟୁ ଭଳ ଗୁଣକୁ ନେଇ ଚର୍ଚ୍ଚାର ଅବକାଶ ସୃଷ୍ଟି କରେ । ସଂସ୍ଥାର ବଡ ପୁଅ ହେବା ଜଣକ ପାଇଁ ଗୌରବର ବିଷୟ । କିନ୍ତୁ, ସମୟଚକ୍ରରେ ବଡ ପୁଅକୁ ସଂସ୍ଥା କେତେଦିନ ମନେ ରଖିବ, ତାହା ଭବିଷ୍ୟତ କହିବ ।
ମୋ ଜନ୍ମଦିନ ସହ ରଣଜିତ ବାବୁଙ୍କ ଅବର୍ତମାନକୁ ନେଇ ଆଲୋଚନା କରିବା କେତେଦୂର ଯଥାର୍ଥ ? ଅନେକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ । ତେବେ, ଏହାର ଉତ୍ତର ଅତି ସହଜ । କୌଣସି ଜନ୍ମଦିନରେ ରଣଜିତ ବାବୁ ମୋତେ ଶୁଭେଚ୍ଛା ଜଣାଇ ଥିବା ମୋର ମନେ ନାହିଁ । ତେବେ, ଆଜି ମୋ ଜନ୍ମଦିନ ଅବସରରେ ବନ୍ଧୁଙ୍କ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ରଣଜିତ ବାବୁଙ୍କ ଦଃଖଦ ତିରୋଧାନ ମନକୁ ଭାରାକ୍ରାନ୍ତ କରୁଥିଲା । ଯାହା ହେଲେ ବି ଆମେ ଥିଲୁ ପେଶାଦାର । ଗୋଟିଏ ଡ଼ଙ୍ଗାରେ ବସି ଆମେ କାମ କରୁଥିଲୁ । ଅସମୟ ଦେଖିଛୁ । ଭଲ ସମୟ ଆଣିବା ପାଇଁ ସଂଗ୍ରମ କରିଛୁ ଏବଂ ସେଥିରେ ସଫଳ ମଧ୍ୟ ହୋଇଛୁ । କୌଣସି ସଂସ୍ଥା ତାହାର ସଫଳତାର ଶ୍ରେୟ କେବେ କର୍ମଚାରୀଙ୍କୁ ଦେଇ ନ ଥାଏ । ସଫଳତାର ଶ୍ରେୟ ସବୁ ବେଳେ ମାଲିକର ନିଜସ୍ୱ । କିନ୍ତୁ, ବିଫଳତା ପାଇଁ କର୍ମଚାରୀ ହିଁ ଦାୟି ହୁଅନ୍ତି । ଚାଟୁକାରଙ୍କ କଥା ଭିନ୍ନ । ସେମାନେ ସଫଳତା ଓ ବିଫଳତାରେ କୌଣସି ମାତ୍ରାରେ ପ୍ରଭାବିତ ହୁଅନ୍ତ ନାହିଁ । ଜୀବନ ସେଇମିତି ଆଗେଇ ଚାଲେ ।
ଜୀବନଟା ଆଗକୁ ଯାଉଛି । ଜନ୍ମଦିନ ମୋତେ ଉତ୍ସାହିତ କରୁଥିବା ବେଳେ ଅତୀତ ପଛକୁ ଚାହିଁବାକୁ ବାଧ୍ୟ କରୁଛି । ୨୦୧୭ ଏପ୍ରିଲ ୧୪ ତାରିଖ ଉକ୍ରଳ ଦିବସରେ ‘ମୋଅନୁଭବ.କମ୍’ର ଜନ୍ମ । ଏହା ମୋ’ର ପ୍ରେରଣାର ଉତ୍ସ ହୋଇ ରହିଛି । ମୂଳସ୍ରୋତ ସାମ୍ବାଦିକତାରୁ ଓହରି ଆସିବା ପରେ ସାମ୍ବାଦିକତା ନିଶାକୁ ଜୀବନ୍ତ ରଖିବା ପାଇଁ ଥିଲା ଏହା ଆଉ ଏକ ପ୍ରୟାସ । ସରକାରୀ ନୀତି ଅନୁସାୟରେ ବର୍ଷେ ଅତିକ୍ରମ କରି ସାରିଥିବା ୱେବ୍ ପୋର୍ଟାଲକୁ ସ୍ୱୀକୃତି ମିଳିବା କଥା । ଛଅ ମାସର ‘ଗୁଗୁଲ୍ ଆନାଲିଟିକ୍ସ’ ରିପୋର୍ଟ ହାରାହାରି ‘ୟୁନିକ ଭ୍ୟୁଅର୍ସ’ ଆଧାରରେ ସରକାର ମୋ’ ପୂର୍ବରୁ ୨୦ରୁ ଅଧିକ ୱେବ୍ ସାଇଟ୍କବ୍ସ୍ୀକୃତି ଦେଇଛନ୍ତି । ହାରାହାରି ଛଅ ମାସର ‘ୟୁନିକ ଭ୍ୟୁଅର’ ରେକର୍ଡ ଉପସ୍ଥାପନ ବାଧ୍ୟତାମୂଳକ ଥିବାରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରି ସବୁ କାଗଜପତ୍ର ପ୍ରସ୍ତୁତ ହେବା ପରେ ଡ଼ିସେମ୍ବର ପ୍ରଥମ ସପ୍ତାହରେ ଆବେଦନ କଲି । ସାଧାରଣ ନିର୍ବାଚନ ସମୟ ପାଖୋଉ ଥିବାରୁ ରାଜ୍ୟ ସରକାର ମୋ ଭଳି ଆବେଦନକାରୀଙ୍କୁ ନିର୍ବାଚନ ପୂର୍ବରୁ ଅନ୍ତତଃ ସ୍ୱୀକୃତି ଦେବେ ବୋଲି ଆଶା ଥିଲା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ନିର୍ଦେଶକ ସମସ୍ତ ତଥ୍ୟ ଯାଂଚ କରିବା ପରେ ଅନୁମୋଦନ କରି ବିଭାଗୀୟ ଶାସନ ସଚିବଙ୍କ ଦସ୍ତଖତ ପାଇଁ ସଚିବାଳୟ ବା ଆଜିର ଲୋକସେବା ଭବନକୁ ପଠାଇଲେ । ବିଭାଗୀୟ ଶାସନ ସଚିବ ବଦଳି ଯିବା ପରେ ନୂଆ ସଚିବ ବିଭିନ୍ନ କାରଣ ଦେଖାଇ ଫାଇଲକୁ ଆଗକୁ ନେଉ ନାହାନ୍ତି । ଫାଇଲ୍ ଏବେ ସୂଚନା ଓ ଲୋକସଂପର୍କ ନିର୍ଦେଶକ କାର୍ଯ୍ୟାଳୟରେ । ଆବେଦନକାରୀଙ୍କୁ ସରକାରୀ ସ୍ୱୀକୃତି ଅପେକ୍ଷାରେ ଚାତକ ପରି ଚାହିଁ ରହିଛନ୍ତି ସରକାରଙ୍କୁ ।
ନିର୍ବାଚନ ସମୟରେ ଆଂଗୁଠି ଆଗରେ ଗଣି ହେଲା ଭଳି କିଛି ୱେବ୍ ସାଇଟ୍ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ପାଇଛନ୍ତି । ଆମ ସମୟ ସ୍ୱୀକୃତି ଅପେକ୍ଷାରେ ଚାଲି ଗଲା । ନିର୍ବାଚନ ପରେ ବଦଳିଛନ୍ତି ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଏବଂ ନିର୍ଦେଶକ । ଶାସନ ସଚିବ ସ୍ତରରେ ଅଦଳ ବଦଳ ପାଲା ସରି ନାହିଁ । ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଁ ଆବେଦନ କରିଥିବା୨୪ଟି ୱେବ୍ ପୋର୍ଟାଲ୍ ର ଭବିଷ୍ୟତ ଅନିଶ୍ଚିତ ଓ ସଂପୂର୍ଣ୍ଣ ଅସ୍ପଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ‘ଫାଇବ୍-ଟି’, ନୂଆ ମୁଖ୍ୟ ଶାସନ ସଚିବଙ୍କ ‘ରକେଟ୍’ ଭଳି ଫାଇଲ୍ ଆଗେଇବା ପ୍ରତିଶ୍ରୁତି କେବଳ ‘ବାହାସ୍ପୋଟ’ ମନେ ହେଉଛି । ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ର ନୂଆ ସ୍ୱପ୍ନ ଦେଖାଇଛନ୍ତି । ଅଭିଯୋଗ ଶୁଣାଣୀ ଓ କାର୍ଯ୍ୟାନୁଷ୍ଠାନର ଏକ ନୂଆ ଧାରା ସୃଷ୍ଟି ହୋଇଥିବା କୁହାଯାଉଛି । ‘ସଚିବାଳୟ’ ଲୋକସେବା ଭବନ ହେଲାଣି । କିନ୍ତୁ, ଭୁବନେଶ୍ୱର ସେକ୍ରେଟେରିଏଟ୍ ରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଯେଭଳି କଟକଣା ଥିଲା ତାହା ବଢିଛି ସିନା କମିନି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବମାନେ ଅଭେଦ୍ୟ ଦୁର୍ଗ ଭିତରେ ରହି ବିଭିନ୍ନ ଘୋଷଣା କରୁଥିବା ବେଳେ ସାଧାରଣ ଜନତା ସେହି ସୁରକ୍ଷା ବଳୟ ଭେଦିବାକୁ ସକ୍ଷମ ନୁହନ୍ତି । ଏଥିରେ କିଭଳି ‘ଲୋକସେବା’ ହେଉଥିବ ଯେ କେହି ଅନୁମାନ କରି ପାରିବ ।
ପୁଣି ଥରେ କହିବାକୁ ଚାହୁଁଛି – ଜୀବନଟା ଆଗକୁ ହିଁ ଯାଉଛି । ଆଶା, ନିରାଶାର ସଂଘର୍ଷ ଭିତରେ କାହାର କେଉଁ ଦିନ ଜନ୍ମ ବା ମୃତ୍ୟୁର ଦିନ, ତାହାର କିଛି ମହତ୍ୱ ରହୁନି । ନିର୍ବୋଧମାନେ ବିଶ୍ୱାସ କରୁଛନ୍ତି, ‘କାଲି ସବୁ କିଛି ଠିକ୍ ହୋଇଯିବ’ । ତେବେ, କାଲି କିଏ ଦେଖିଛି ? ୬୧ ବର୍ଷର ଜୀବନ ସଂଘର୍ଷର ଏହା ହେଉଛି ଏକ ଅପ୍ରିୟ ଅଭିଜ୍ଞତା । କ୍ଷଣିକ ଉତ୍ସାହ ଆନନ୍ଦଦାୟକ ହୋଇପାରେ, କିନ୍ତୁ ସ୍ଥାୟି ନୁହେଁ । ଯଉଁଠି ସରକାର ନିଜକୁ ବଂଚାଇ ରଖିବା ସକାଶେ ବାହାନା ପରେ ବାହାନା ଆଶ୍ରୟ ନେଉଛନ୍ତି ସେଠି ସାଧାରଣ ମଣିଷଟିଏ କି ସ୍ୱପ୍ନ ଦେଖି ପାରିବ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS