ସେକ୍ସ, ମେଜିକ୍ ସୁପ୍ ଓ ମେଡ୍ ଇନ୍ ଚାଇନା..
– ପ୍ରସାଦ ରାଓ –
ନଭେମ୍ବର ୦୫
‘ସେକ୍ସ’ ବା ଯୌନ ସଂଭୋଗ ଏକ ମାନବିକ ଆବଶ୍ୟକତା । କିନ୍ତୁ, ଭାରତୀୟ ରକ୍ଷଣଶୀଳ ସମାଜରେ ଏସଂପର୍କରେ ଆଲୋଚନା କରିବା ‘ଟାବୁ’ ବା ‘ମହାପାପ’ ଭାବେ ବିଚାର କରାଯାଏ । ଏହି ମାନବିକ ଆବଶ୍ୟକତାକୁ ମେଂଟାଇବା ପାଇଁ ଆମେ ଲୁଚିଛପି ସବୁ କିଛି କରିଥାଉ, କିନ୍ତୁ ମୁହଁ ଖୋଲିବାକୁ ଲଜ୍ୟା କରୁ ବା ଭୟ କରିଥାଉ । ତେଣୁ, ଭାରତରେ ନାରୀକୁ ନେଇ ଦୁଷ୍କର୍ମ, ହତ୍ୟା, ନାରୀ ନିର୍ଯ୍ୟାତନା ଭଳି ଅପରାଧ ବଢିବାରେ ଲାଗିଛି । ଯୌନ ସଂଭୋଗକୁ ନେଇ ଭାରତୀୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଉତ୍ସୁକତା ରହିଛି ସତ, କିନ୍ତୁ ଏହାକୁ ନେଇ ଉପୁଜୁ ଥିବା ସମସ୍ୟାଗୁଡିକ ସଂପର୍କରେ ଖୋଲାଖୋଲି ଆଲୋଚନା କରିବାକୁ ଅଧିକାଂଶ ଭାରତୀୟ ପୁରୁଷ ଓ ମହିଳା ପ୍ରସ୍ତୁତ ନୁହନ୍ତି । ଏହି ଲଜ୍ୟାବୋଧରୁ ଫାଇଦା ନେଉଛନ୍ତି ଭଣ୍ଡ ବାବାମାନେ । ବାବାଙ୍କ ଦ୍ୱାରା ବିଭିନ୍ନ କୁକର୍ମ ଏବଂ ଲୁଟ୍ ଘଟଣା ବାହାରକୁ ଆସୁଛି । ନିଜକୁ ମନୋବିଜ୍ଞାନୀ ବା ଯୌନ ରୋଗ ଚିକିତ୍ସା ବିଶେଷଜ୍ଞ ବୋଲି ଦାବି କରୁଥିବା କିଛି ଲୋକ ମଧ୍ୟ ରୋଗ ଉପଶମର ବାଟ ବତାଇବା ଅପେକ୍ଷା ଲୋକଙ୍କୁ ଭୟଭିତ କରି ଅର୍ଥ ଲୁଟିବାକୁ ଧନ୍ଦା କରିଛନ୍ତି । ଭାରତୀୟ ବଜାରରେ ଯୌନ ଉଦ୍ଦୀପକ ଔଷଧର ଚାହିଦା ରହିଥିବା ଦେଖି ପଡୋଶୀ ରାଷ୍ଟ୍ର ଚୀନ୍ର କିଛି ଅସାଧୁ ବ୍ୟବସାୟୀ ବାଘର ପୁରୁଷାଂଗକୁ ବ୍ୟବହାର କରି ବିଭିନ୍ନ ଯୌନ-ଉଦ୍ଦୀପକ ଔଷଧ ପ୍ରସ୍ତୁତ କରୁଥିବା ଏବଂ ଭାରତୀୟ ବଜାରରେ ତାହା ଲୁଚାଛପାରେ ବିକିବାର ପ୍ରୟାସ କରୁଥିବା ଆଲୋଚନା ହେଉଛି । ଖୋଲାମେଲାରେ ‘ସଂଭାଗ’ ବିଷୟରେ ଆଲୋଚନା କରିବାକୁ ସଂକୋଚ କରୁଥିବା ଭାରତୀୟମାନେ ଏଭଳି ଯୌନ-ଉଦ୍ଦୀପକ ଔଷଧ ସଂଗ୍ରହ କରି ତାହର ବ୍ୟବହାର କରୁଥିବା ମଧ୍ୟ ଚର୍ଚ୍ଚାରେ ରହିଛି । ଭାରତୀୟ ଆୟୁର୍ବେଦ ଚିକିତ୍ସାରେ ‘ଭାଏଗ୍ରା’ର ଗୁରୁତ୍ୱ ରହି ଥିଲେ ମଧ୍ୟ ବାଘର ପୁରୁଷାଂଗକୁ ନେଇ ବେଆଇନ ଔଷଧ ପ୍ରସ୍ତୁତ କରି ଭାରତୀୟ ବଜାରକୁ ପଠାଇବା ଚୀନ୍ ଅସାଧୁ ବ୍ୟବସାୟୀଙ୍କ ଏକ ବଡ ଧନ୍ଦା ହୋଇଥିବା ଅଭିଯୋଗ ହେଉଛି ।
ଏଭଳି କିଛି ରୋଚକ ବିଷୟ ଓ ବଲିଉଡ୍ କମେଡିକୁ ନେଇ ପ୍ରସ୍ତୁତ ହୋଇଛି ‘ମେଡ୍ ଇନ୍ ଚାଇନା’ । ଏବେ ବିଭିନ୍ନ ଭାରତୀୟ ପ୍ରେକ୍ଷାଳୟରେ ଏହି ଚିତ୍ରଟି ପ୍ରଦର୍ଶୀତ ହୋଇ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ଚଳଚ୍ଚିତ୍ର ନିର୍ଦେଶକ ମିଖିଲ୍ ମୁସାଲେଙ୍କ ନିର୍ଦେଶନା ଓ ସ୍କ୍ରିନ୍ ପ୍ଲେ’କୁ ନେଇ ପ୍ରସ୍ତୁତ ଏହି ସିନେମାରେ ବଲିଉଡ୍ ଅଭିନେତା ରାଜକୁମାର ରାଓ, ଅଭିନେତ୍ରୀ ମଉନୀ ରାଏ, ଚରିତ୍ରାଭିନେତା ପରେଶ ରାୱଲ, ବୋମାନ ଇରାନୀ, ମନୋଜ ଯୋଷୀ, ସୁମିତ ଭ୍ୟାସ୍, ଚୀନ ଅଭିନେତା ଜେଫରି ହୋ, ଅଭିନେତ୍ରୀ ଡ଼ାନି ହଗ୍ ପ୍ରମୁଖ ଅଭିନୟ କରିଛନ୍ତି । ଗତ ଅକ୍ଟୋବର ୨୫ରେ ଭାରତୀୟ ପ୍ରେକ୍ଷାଳୟମାନଙ୍କରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ପ୍ରଥମ ସପ୍ତାହରେ ମାତ୍ର ୧୦.୫୦ କୋଟି ଟଙ୍କାର ବ୍ୟବସାୟ କରିଛି । ଦୀପାବଳି ପରେ ବ୍ୟବସାୟ ମାନ୍ଦା ଧରିଥିବା କୁହାଯାଉଥିବା ବେଳେ ଫିଲ୍ମଟି ଦର୍ଶକଙ୍କ ମନୋରଂଜନ କରିବା ସହ ଯୌନ ସଂଭୋଗକୁ ନେଇ ଭାରତୀୟ ସମାଜରେ ଥିବା ଲଜ୍ୟାବୋଧ ଏବଂ ଏଥିରୁ ଫାଇଦା ନେଉଥିବା ଭଣ୍ଡ ବାବା, ମନୋବିଜ୍ଞାନୀ ଓ ତଥାକଥିତ ଗୁପ୍ତରୋଗ ଚିକିତ୍ସକଙ୍କ ଫନ୍ଦିକୁ ପଦାରେ ପକାଇବାରେ ସଫଳ ହୋଇଛି ।
ଏହି ଫିଲ୍ମରେ ବଲିଉଡ୍ ଅଭିନେତା ରାଜକୁମାର ରାଓ ‘ରଘୁ ମେହେଟ୍ଟା’ ଚରିତ୍ରରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀ ମଉନୀ ରାଏ ରଘୁଙ୍କ ପତ୍ନୀ ‘ରୁକ୍ମିଣୀ’ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଖ୍ୟାତ ଅଭିନେତା ପରେଶ ରାୱଲ ଚୀନ୍ ଓ ଭାରତରେ ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଥିବା ଜଣେ ବ୍ୟବସାୟୀ ‘ତନ୍ମୟ ଶାହା’ ଭୂମିକାରେ ଅଭିନୟ କରିଥିବା ବେଳେ ବୋମାନ ଇରାନୀ ଅହମ୍ମଦାବାଦର ଜଣେ ମନୋବିଜ୍ଞାନୀ/ ସେକ୍ସୋଲୋଜିଷ୍ଟ୍ ‘ତ୍ରିଭୁବନ ଭର୍ଦ୍ଦି’ ଭୂମିକାରେ ଅଛନ୍ତି । କାହାଣୀ ଗତିଶୀଳ ହୋଇଛି ଗୁଜରାଟର ଅହମ୍ମଦାବାଦ ସହରରୁ । ନିଜ ଶ୍ୱଶୁର (ମନୋଜ ଯୋଷୀ)ଙ୍କ ନେପାଳୀ କାର୍ପେଟ୍ ଦୋକାନରେ ବସି ବେପାର ସମ୍ଭାଳିବାକୁ ରାଜି ନ ଥିବା ରଘୁ (ରାଜକୁମାର ରାଓ) ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବିଭିନ୍ନ ବ୍ୟବସାୟରେ ହାତ ମାରି ସିନା ବିଫଳତା ହିଁ ଦେଖିଛି । ତାହାଦେଖି ଶ୍ୱଶୁର, ସଂପର୍କୀୟ ଭାଇ ଦେବରାଜ (ସୁମିତ ବ୍ୟାସ) ପତ୍ନୀ ରୁକ୍ମିଣୀଙ୍କ ମାଧ୍ୟମରେ ରଘୁକୁ ଚୀନ ଯାଇ କାମ କାରିବାକୁ ବାଧ୍ୟ କରିଛନ୍ତି । ଅନିଚ୍ଛା ସତ୍ୱେ ଚୀନ ଯାଇଥିବା ରଘୁ ଘଟଣାକ୍ରମେ ସେଠାରେ ତନ୍ମୟ ଶାହା, ଚୀନୀ ମହିଳା ସିଇଓ ଡ଼ାନି ହଗ୍ ସହ ସଂପର୍କରେ ଆସିଛି । ଡ଼ାନି ରଘୁକୁ ବ୍ୟବସାୟିକ ସହାୟତା ଯୋଗାଇ ଦେବାକୁ ଯାଇ ବେଆଇନ ଭାବେ ବାଘ ଲିଂଗରେ ସୁପ୍ ପ୍ରସ୍ତୁତ କରି ବିଭିନ୍ନ ଦେଶକୁ ଚାଲାଣ କରୁଥିବା ହାଉ ଲି (ଜେଫରି ହୋ) ସହ ତା’ର ପରିଚିତି କରାଇଛନ୍ତି । ବାଘ ଲିଂଗରେ ପ୍ରସ୍ତୁତ ସୁପ୍ ର ଭାରତୀୟ ବଜାରରେ ବେଶ୍ ଚାହିଦା ଅଛି, ତେଣୁ ସେ ଭାରତ ଫେରି ତା’ର ସହଯୋଗୀ ଭାବେ ଏହି ଧନ୍ଦା କରୁ ବୋଲି ହାଉ ଲି ରଘୁକୁ ପ୍ରବର୍ତାଇଛି ।
ରଘୁ ଅହମ୍ମଦାବାଦ ଫେରି ଆସିବା ପରେ ସହରରେ ଥିବା ବିଭିନ୍ନ ସେକ୍ସୋଲୋଜିଷ୍ଟ୍, ବିଭିନ୍ନ ଧର୍ମର ବାବା, ଚିକିତ୍ସକ, ମନୋବିଜ୍ଞାନୀ ଓ ଯୌନ ଚିକିତ୍ସକମାନଙ୍କୁ ଭେଟି ଯୌନ ଉଦ୍ଦିପନା ଜନିତ ସମସ୍ୟାର ପ୍ରତିକାର ସଂପର୍କରେ ସେମାନଙ୍କ ଠରୁ ପରାମର୍ଶ ଚାହିଁଛି । ତେବେ,ଏହି ତଥାକଥିତ ବିଶେଷଜ୍ଞମାନେ ଭଣ୍ଡ ଓ ଅର୍ଥ-ପିପାସୁ ବୋଲି ଜାଣିବା ପରେ ଶେଷରେ ସେକ୍ସୋଲୋଜିଷ୍ଟ୍ ତ୍ରିଭୁବନ ଭର୍ଦ୍ଦି (ବୋମାନ ଇରାନୀ)ଙ୍କ ନିକଟରେ ପହଂଚି ଚୀନ୍ରେ ବାଘ ଲିଂଗରେ ପ୍ରସ୍ତୁତ ସୁପ୍ କଥା କହିଛି ଏବଂ ଭାରତରେ ଏହି ବ୍ୟବସାୟ ପାଇଁ ସହଯୋଗ କରିବାକୁ ପ୍ରବର୍ତାଇଛି । ବିଭିନ୍ନ ପତ୍ରପତ୍ରିକାରେ ସେକ୍ସ୍ କଲମ ଲେଖୁଥବା ଓ ଅହମ୍ମଦାବାଦରେ ନିଜର ଏକ ଛୋଟ କ୍ଲିନିକ ଚଳାଇ ଥିବା ତ୍ରିଭୁବନ ଅର୍ଥ-ଲୋଭି ନୁହନ୍ତି । ତେଣୁ, ସେ ବାରମ୍ବାର ରଘୁକୁ ଘଉଡାଇଛନ୍ତି । ତଥାପି ରଘୁ ତାଙ୍କ ପିଛା ଛାଡି ନାହିଁ । ବାରମ୍ବାର ଣଘୁ ତାଙ୍କ ସାମନାକୁ ଆସିବାରୁ ତ୍ରିଭୁବନ ରଘୁର ବଡ ହେବା ଅଭିଳାଷା ଦେଖି ଭାଗିଦାରୀ ପ୍ରସ୍ତାବରେ ରାଜି ହୋଇଛନ୍ତି । ବ୍ୟବସାୟ ପାଇଁ ଅର୍ଥ ବ୍ୟବସ୍ଥା, ସୁପ୍ ପ୍ରସ୍ତୁତି ପାଇଁ ଘର ଦେଖା, କର୍ମଚାରୀ ନିଯୁକ୍ତି ଏବଂ ତାହାର ବିକ୍ରି ପାଇଁ ରଘୁ, ଭର୍ଦ୍ଦି ଓ ତାଙ୍କ ଟିମ୍ କାମ ଆରମ୍ଭ କରିଛନ୍ତି । ସେମାନଙ୍କ ପ୍ରାଥମିକ ସଂଘର୍ଷ ଓ ପରେ ସଫଳତାର କାହାଣୀକୁ ନେଇ ‘ମେଡ୍ ଇନ୍ ଚାଇଇନା’ । ହଠାତ୍ ରଘୁ-ଭର୍ଦ୍ଦିଙ୍କ ‘ମେଜିକ୍ ସୁପ୍’ ମାର୍କେଟରେ ହଟ୍-କେକ୍ ଭାବେ ବିକ୍ରି ହୋଇ ରଘୁଙ୍କ ପତ୍ନୀ ରୁକ୍ମିଣୀଙ୍କ ବେଡରୁମ୍ ପର୍ଯ୍ୟନ୍ତ ପହଂଚି ଯାଇଛି । ଏଭଳି ଏକ ରୋଚକ ରୋମାନ୍ସ-କମେଡି-ଟ୍ରାଜେଡ଼ି ମିଶ୍ରିତ କାହାଣୀ ହେଉଛି ‘ମେଡ୍ ଇନ୍ ଚାଇନା’ ।
‘ମେଜିକ୍ ସୁପ୍’ ପିଇ ମେଜର୍ ଚାଙ୍ଗ୍ ନାମକ ଜଣେ ହାଇପ୍ରୋଫାଇଲ୍ ଚୀନୀ ନାଗରିକଙ୍କ ମୃତ୍ୟୁ ଘଟଣାରୁ ସିନେମାର ଆରମ୍ଭ । ଭାରତ ଏହି ଘଟଣାରେ ଚାପର ସମ୍ମୁଖୀନ ହୋଇ ମେଜର ଚାଙ୍ଗ୍ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦୁଇ ଜଣ ସିବିଆଇ ଏଜେଂଟ ଗୁପ୍ତା ଓ ଶର୍ମାଙ୍କୁ ତଦନ୍ତ ପାଇଁ ପଠାଇଛି । ଗୁପ୍ତା ଓ ଶର୍ମା ଘଟଣାର ତଦନ୍ତ କରୁ କରୁ ପହଂଚିଛନ୍ତି ତ୍ରିଭୁବନ ଭର୍ଦ୍ଦି ଓ ତାଙ୍କ ସହଯୋଗୀଙ୍କ ନିକଟରେ । ପରେ ‘ମେଜିକ୍ ସୁପ୍’ ର ପ୍ରସ୍ତୁତକର୍ତା ରଘୁ ସେମାନଙ୍କ ସାମନାକୁ ଆସି ଜେରାରେ ସହଯୋଗ କରିଛି । ସିବିଆଇର ଜେରାକୁ ନେଇ ସସପେନ୍ସ୍ ରୁ ଆରମ୍ଭ ହୋଇଥିବା ଏହି ଫିଲ୍ମ ଶେଷରେ ‘ଫୁସ୍’ ହୋଇଯାଇଛି । ଚୀନରେ ହାଉ ଲି ଠାରୁ ବ୍ୟବସାୟିକ ବୁଦ୍ଧି ନେଇ ଭାରତ ଫେରି ଥିବା ରଘୁ ‘ମେଜିକ୍ ସୁପ୍’ ପ୍ରସ୍ତୁତ କରି ଭର୍ଦ୍ଦିଙ୍କ ସହାୟତାରେ ବେଶ୍ ସଫଳତା ପାଇଛି ସିନା ସେଥିରେ ବାଘ ଲିଂଗ ବ୍ୟବହାର ନ କରି ଭାରତୀୟ ଆୟୁର୍ବେଦ ଚିକିତ୍ସାରେ ପ୍ରୟୋଗ ହେଉଥିବା ସାମଗ୍ରୀ ହିଁ ପ୍ରୟୋଗ କରିଥିବା ଏକ ବିଶେଷଜ୍ଞ ତଦନ୍ତକାରୀ ଦଳ ରିପୋର୍ଟ ଦେବା ପରେ ତଦନ୍ତ କମିଟି ରଘୁ ଓ ଭର୍ଦ୍ଦିଙ୍କୁ ନିର୍ଦୋଷ ଘୋଷଣା କରିଛନ୍ତି । ମେଜର୍ ଚାଙ୍ଗ୍ଙ୍କ ମୃତ୍ୟୁର ଅନ୍ୟ କାରଣ ଥାଇ ପାରେ, ସିବିଆଇ ତାହାର ତଦନ୍ତ କରୁ କମିଟି ପରାମର୍ଶ ଦେଇଛନ୍ତି । ରଘୁକୁ ନେଇ ତାଙ୍କ ପରିବାରରେ ଯେଉଁ ଭୁଲ ଧାରଣା ସୃଷ୍ଟି ହୋଇଥିଲା ତାହା ଦୂର ହୋଇଛି । ଶେଷରେ ରଘୁଙ୍କ ଖୁଲାସା ହେଉଛି, ଯୌନ ସଂଭୋଗ ଓ ରୋଗକୁ ନେଇ ଭାରତୀୟ ସମାଜରେ କୌଣସି ଆଲୋଚନା ହେଉ ନ ଥିବାରୁ ଏବଂ ଏହାକୁ ‘ଟାବୁ’ ବା ‘ମହାପାପ’ ଭାବେ ବିଚାର କରା ଯାଉ ଥିବାରୁ ଅନେକ ସମସ୍ୟା ଉପୁଜୁଛିି । ସେ ପ୍ରସ୍ତୁତ କରିଥିବା ସୁପ୍ ରେ କୌଣସିି ଅପମିଶ୍ରଣ ନ ଥିଲା ସୁଦ୍ଧା ଏହା ‘ଯୌନ-ଉଦ୍ଦୀପକ ସୁପ୍’ ଭାବେ ସଫଳ ମାର୍କେଟିଂ କରାଯିବା ଦ୍ୱାରା ବ୍ୟବସାୟିକ ସଫଳତା ମିଳିଛି । ଲୁଚାଛପାରେ ଏହି ସୁପ୍ କିଣି ପିଉ ଥିବା ପୁରୁଷ ଓ ମହିଳାମାନେ ଏହା ଯୌନ କ୍ଷମତା ବୃଦ୍ଧି-କାରକ ବୋଲି ହୃଦବୋଧ କରିବା ଦ୍ୱାରା ସେମାନଙ୍କ ମନରେ ଥିବା ସବୁ ଦୁର୍ବଳତା ଦୂର ହୋଇ ତାହା ଶକ୍ତି-ବର୍ଦ୍ଧକରେ ପରିଣତ ହୋଇଛି । ଲୁଚାଛପାରେ ଏହା ସେବନ କରି ସେମାନେ ଯୌନ ସନ୍ତୁଷ୍ଟି ଲାଭ କରିବା ଥିଲେ ‘ମେଜିକ୍ ସୁପ୍’ର ପ୍ରକୃତ ରହସ୍ୟ । ରଘୁଙ୍କ ଏହି ବ୍ୟବସାୟିକ ସଫଳତାର ବାଟ ବତାଇ ଥିଲେ ତନ୍ମୟ ଶାହା (ପରେଶ ରାୱଲ) । ପ୍ରାରମ୍ଭରୁ ସେ ରଘୁକୁ ବୁଝାଇ ଦେଇ ଥିଲେ ଭାରତୀୟ ଗ୍ରାହକଙ୍କ ମନସ୍ତତ୍ୱ । ଶାହାଙ୍କ କହିବା ଅନୁସାରେ, ଭାରତୀୟ ଗ୍ରାହକଙ୍କ ନିଜସ୍ୱ ଚଏସ୍ କିଛି ନ ଥାଏ । ଯିଏ ସେମାନଙ୍କ ମନସ୍ତତ୍ୱକୁ ଅନୁଧ୍ୟାନ କରି ସାମଗ୍ରୀ ପ୍ରସ୍ତୁତ କଲା ଓ ତାହ ସେମାନଙ୍କ ହାତରେ ଧରାଇ ଦେଲା ତାହା ସେମାନ କିଣିଲେ । ତନ୍ମୟଙ୍କ ପରାମର୍ଶ ରଘୁଙ୍କୁ ‘ମେଜିକ୍ ସୁପ୍’ ମାଧ୍ୟମରେ ସଫଳ ଉଦ୍ୟୋଗୀରେ ପରିଣତ କଲା ଏବଂ ସେ ଭାରତୀୟଙ୍କ ବେଡ୍ ରୁମ୍ରେ ରାଜ୍ କରିବାର ସୁଯୋଗ ପାଇଲେ ।
‘ସେକ୍ସ’କୁ ପ୍ରାଧାନ୍ୟ ଦେଇ ଦର୍ଶକଙ୍କ ମନୋରଂଜନ କରିବାରେ ରାଜକୁମାର ରାଓଙ୍କ ଏହା ପ୍ରଥମ ଫିଲ୍ମ ନୁହେଁ । ଏହା ପୂର୍ବରୁ ସେ ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ‘ସେକ୍ସ’କୁ ଏଭଳି ଭାବେ ବିକିଛନ୍ତି, ତାହା ଯେଉଁମାନେ ଦେଖିଥିବେ ନିଶ୍ଚିତ ଅନୁଭବ କରିଥିବେ । ‘ମେଡ୍ ଇନ୍ ଚାଇନା’ ବକ୍ସ୍ ÷ଅଫିସ୍ ରେ ସଫଳତା ପାଇ ନାହିଁ ସତ, କିନ୍ତୁ ନିକଟରେ ରିଲିଜ୍ ହୋଇଥିବା ତାପସୀ ପନ୍ନୁ-ଭୂମୀ ପେଡନାକର ଅଭିନୀତ ‘ଷାଂଢ କି ଆଖ୍’, ‘ହାଇସଫୁଲ୍-୪’ ଓ ‘ବାଲା’ ମଧ୍ୟ ସେମିତି କିଛି ଭଲ ବ୍ୟବସାୟ କରି ନ ଥିବା ବଲିଉଡ୍ ବକ୍ସ୍ ଅଫିସ୍ ରିପୋର୍ଟ କହୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS