ଏଂଟରପ୍ରାଇଜ୍ ଓଡ଼ିଶା-୨୦୧୯ ଉଦଘାଟିତ
ରିପୋର୍ଟ:ମୋଅନୁଭବ.କମ୍
ଭୁବନେଶ୍ୱର, ନଭେମ୍ବର ୧୪: ସ୍ଥାନୀୟ ୩ ନମ୍ବର ଇଡ୍ କୋ ପ୍ରଦର୍ଶନୀ ପଡ଼ିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ‘ଏଂଟରପ୍ରାଇଜ୍ ଓଡ଼ିଶା-୨୦୧୯’ କାଲି (୧୩ ତାରିଖ) ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା କନକ୍ଲାଭ’ ୨୦୨୦ ନଭେମ୍ବର ୩୦ରୁ ଡ଼ିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏଠାରେ ହେବାକୁ ଥିବାରୁ ଏହି କନକ୍ଲାଭ୍ ରେ ଭାଗ ନେବାକୁ ଶିଳ୍ପଜଗତକୁ ଆଗୁଆ ନିମନ୍ତ୍ରଣ ଜଣାଇବା ସକାଶେ ସିଆଇଆଇ ଦ୍ୱାରା ଏଂଟରପ୍ରାଇଜ୍ ଓଡ଼ିଶାର ଆୟୋଜନ କରାଯାଇଛି । ଏଥିରେ ୧୫ରୁ ଅଧିକ ସଂସ୍ଥା ୨୦୦ ଷ୍ଟଲ୍ ଖୋଲିଛନ୍ତି । ‘ନାଲକୋ’, ‘ବେଦାନ୍ତ’, ‘ଆଦିତ୍ୟ ବିରଲା’, ‘ଏମଏମଡ଼ିଏସ୍’, ‘ଏସ୍ ଏନ୍ ଏମ୍ ଗୃପ୍ ଅଫ୍ କଂପାନିଜ୍’, ‘ଏନ୍ ଟିପିସି’, ‘ପିପିଏଲ୍’ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥାର ଷ୍ଟଲ୍ ଏଥିରେ ସ୍ଥାନ ପାଇଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବୁଧବାର ‘ଏଂଟରପ୍ରାଇଜ୍ ଓଡ଼ିଶା-୨୦୧୯’କୁ ଉଦ୍ଘାଟନ କରି ୨୦୨୦ରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲାଭ’କୁ ଶିଳ୍ପଦ୍ୟୋଗୀମାନଙ୍କୁ ନିମନ୍ତ୍ରଣ କରିବା ସହ ଅତୀତରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ବେଶ୍ ସଫଳ ହୋଇଥିବା ଏବଂ ଏହା ମାଧ୍ୟମରେ ରାଜ୍ୟକୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଂଜିନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିଥିବା ସୂଚନା ଦେଇଥିଲେ । ସେ କହିଲେ, ମିଳି ଥିବା ପୁଂଜିନିବେଶ ପ୍ରସ୍ତାବ ମଧ୍ୟରୁ ୯୧ଟି ମଂଜୁର ହୋଇଥିବା ବେଳେ ବାକି ପ୍ରସ୍ତାବଗୁଡିକ ମଂଜୁରୀ ଅପେକ୍ଷାରେ ବିଭିନ୍ନ ସ୍ତରରେ ରହିଛି । ରାଜ୍ୟର ଯେଉଁ ସବୁ ଜିଲ୍ଲାରେ କମ୍ ଶିଳ୍ପ ସଂସ୍ଥା ରହିଛି ରାଜ୍ୟ ସରକାର ସେଠି ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଥିଲେ । ତାଙ୍କ ସରକାର ମହିଳା ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଉତ୍ସର୍ଗିକୃତ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ, ଦକ୍ଷ ଶ୍ରମଶକ୍ତି ପ୍ରସ୍ତୁତ କରିବା ପାଇଁ ସ୍କିଲ୍ଡ ଓଡ଼ିଶା ଜରିଆରେ ସରକାର ଉଦ୍ୟମ ଚଳାଇଛନ୍ତି । ୨୦୨୦ ସୁଦ୍ଧା ଦେଶର ଶ୍ରେଷ୍ଠ ତିନି ଷ୍ଟାର୍ଟ ଅପ୍ ହବ୍ ଭିତରେ ସ୍ଥାନ ପାଇବା ଲାଗି ଓଡ଼ିଶା ସ୍ୱତନ୍ତ୍ର ଷ୍ଟାଟ୍ ଅପ୍ ନୀତି ଆଣିଛି । ରାଜ୍ୟରେ ଉତ୍ପାଦନ ହେଉଥିବା ଖଣିଜ ପଦାର୍ଥର ଭାଲ୍ୟୁ ଆଡିସନ୍ କରିବା ଲାଗି ଭିଜନ୍ ଡକ୍ୟୁମେଂଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆନୁସଙ୍ଗିକ ଶିଳ୍ପର ବିକାଶ ପାଇଁ ବଡ଼ ଶିଳ୍ପ ସଂସ୍ଥା ଓ ଏମଏସଏମଇଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ଏଥିରେ ଭାଷଣ ଦେଇ ପ୍ରଶାସନିକ ସ୍ୱଚ୍ଛତାକୁ ସରକାର ଗୁରୁତ୍ୱ ଦେଉଥିବା କହିଥିଲେ । ଉତ୍ସବରେ ଏମଏସଏମଇ ସଚିବ ହେମନ୍ତ ଶର୍ମା, ବେଦାନ୍ତ ଆଲୁମିନାର ସିଇଓ ରାହୁଲ ଶର୍ମା, ସିଆଇଆଇ ଓଡ଼ିଶା ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଏମ୍. କେ.ଗୁପ୍ତା, ସିଆଇଆଇ ଆଂଚଳିକ ନିର୍ଦେଶିକା ନୀତା କର୍ମାକର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଏମଏସଏମଇ ସଚିବ ହେମନ୍ତ ଶର୍ମା ୨୦୧୮ ମେକ୍ ଇନ୍ ଓଡ଼ିଶାରେ ଆସିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରୁ ୧୯ଟି କ୍ରିୟାନ୍ୱୟରେ ବିଭିନ୍ନ ସ୍ତରରେ ରହିଥିବା ସୂଚନା ଦେଇଥିବା ବେଳେ ବେଦାନ୍ତ ସିିଇଓ ରାହୁଲ୍ ଶର୍ମା ଖଣି କ୍ଷେତ୍ରରେ ଓଡ଼ିଶା ଭାରତ ପାଇଁ ଅଷ୍ଟ୍ରେଲିଆ ସଦୃଶ ସଫଳତା ଆଣି ପାରିବ ବୋଲି ମତ ଦେଇ ଥିଲେ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଏକ ଟ୍ରିଲିଅନ୍ ଡ଼ଲାର ଅର୍ଥନୀତିରେ ପରିଣତ କରିବା ଭଳି କ୍ଷମତା ଏକ୍ଷେତ୍ରରେ ରହିଛି । ଆସନ୍ତା ୫ ବର୍ଷରେ ଏକ୍ଷେତ୍ରରେ ୧୫ରୁ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟିର ସୁଯୋଗ ମଧ୍ୟ ରହିଛି ବୋଲି ରାହୁଲ୍ କହିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS