‘ପୃଥ୍ୱୀରାଜ୍’ରେ ରାଣୀ ସଂଯୋଗିତା ଭୂମିକାରେ ଦେଖିବାକୁ ମିଳିବେ ମାନୁଷି ଚିଲ୍ଲର୍
୨୦୧୭ର ବିଶ୍ୱ ସୁନ୍ଦରୀ ମାନୁଷି ଚିଲ୍ଲର୍ ଏବେ ବଲିଉଡରେ ପାଦ ଥାପିଛନ୍ତି ‘ୟଶ୍ ରାଜ୍ ଫିଲ୍ମସ୍’ ଭଳି ବଡ଼ ବ୍ୟାନର ମାଧ୍ୟମରେ । ଏହି ବ୍ୟାନରରେ ନିର୍ମାଣ ହେବାକୁ ଥିବା ବଡ଼ ବଜେଟ୍ ର ଐତିହାସିକ ଫିଲ୍ମ ‘ପୃଥ୍ୱୀରାଜ୍’ରେ ସେ ମୁଖ୍ୟ ନାୟିକା ହେବାକୁ ଚୁକ୍ତିବଦ୍ଧ । ନିର୍ଭୀକ ତଥା ପରାକ୍ରମୀ ରାଜପୁତ ରାଜା ପୃଥ୍ୱୀରାଜ ଚୌହାନଙ୍କ କାହାଣୀ କିଏ ନ ଜାଣେ । ତାଙ୍କ ଅତି ପ୍ରିୟ ରାଣୀ ସଂଯୋଗିତା ଭୂମିକାରେ ଅଭିନୟ କରିବେ ମାନୁଷି । ବଲିଉଡ଼ର ସୁପର୍ ଷ୍ଟାର ଅକ୍ଷୟ କୁମାର ‘ପୃଥ୍ୱୀରାଜ’ ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରିବେ ଏବଂ ଛୋଟ ପରଦାର ଜଣାଶୁଣା ନିର୍ଦେଶକ (ଚାଣକ୍ୟ ଫେମ୍) ଡ.ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଫିଲ୍ମର ନିର୍ଦେଶନା ଦେବେ ବୋଲି ଜଣାପଡ଼ିଛି। ମାନୁଷି ଆଜି ଯେଉଁ ସୁଯୋଗ ପାଇଛନ୍ତି ତାହା ଇଣ୍ଡଷ୍ଟ୍ରୀ ବାହାରର କୌଣସି ଅଭିନେତ୍ରୀଙ୍କୁ କୋଚିତ ମିଳି ଥାଏ । ତେଣୁ, ସେ ବେଶ୍ ଉତ୍ସାହିତ ।
୨୨ ବର୍ଷିଆ ମାନୁଷି ଫେମିନା ମିସ୍ ଇଣ୍ଡିଆ ପେଂଜେଂଟ (୨୦୧୭)ରେ ଭାଗ ନେଇ ବିଜୟିନୀ ହେବା ପରେ ‘ବିଶ୍ୱ ସୁନ୍ଦରୀ’ ବା ‘ମିସ୍ ୱାଲ୍ଡ’ ପ୍ରତିଯୋଗୀତାରେ ଭାଗ ନେଇ ୧୭ ବର୍ଷ ବ୍ୟବଧାନରେ ‘ମିସ୍ ୱାଲ୍ଡ୍’ ମୁକୁଟ ଭାରତକୁ ଆଣି ଥିଲେ । ‘ବିଶ୍ୱ ସୁନ୍ଦରୀ’ ହେବା ପରେ ମାନୁଷିଙ୍କୁ ନେଇ ଗ୍ଲାମର ଜଗତରେ ବେଶ୍ ଚର୍ଚ୍ଚା ଚାଲି ଥିଲା । ଏହି ମୁକୁଟ ବିଜେତା ହେବା ସମୟରେ ସେ ଜଣେ ଡାକ୍ତରୀ ଛାତ୍ରୀ ଥିଲେ । ତାଙ୍କ ବଲିଉଡ ପ୍ରବେଶକୁ ନେଇ ମଧ୍ୟ ବେଶ୍ କଳ୍ପନାଜଳ୍ପନା ଚାଲି ଥିଲା । ‘ପୃଥ୍ୱୀରାଜ’ ଫିଲ୍ମରେ ମୁଖ୍ୟ ନାୟିକା ହେବା ସୁଯୋଗ ସେ ହାତେଇବା ପରେ ଅନ୍ୟମାନେ ଇର୍ଷାନ୍ୱିତ । ସଂଯୋଗିତା ଚରିତ୍ରକୁ ନ୍ୟାୟ ଦେବା ପାଇଁ ମାନୁଷି ବାରମ୍ବାର ଅଡିସନ୍ ଦେଇଥିଲେ ଓ ସଫଳ ହୋଇଥିଲେ । ଏଥି ସକାଶେ ତାଙ୍କୁ ସପ୍ତାହକୁ ୬ ଦିନ ଅଭିନୟ ଅଭ୍ୟାସ କରିବାକୁ ପଡ଼ି ଥିଲା । ଏବେ ମଧ୍ୟ ମାନୁଷି ‘ୟଶ୍ ରାଜ୍ ଫିଲ୍ମସ୍’ ସଂସ୍ଥାରେ ନିଜ ଦକ୍ଷତା ବଢ଼ାଇବା ଉଦ୍ୟମ କରୁଛନ୍ତି ।
‘ପୃଥ୍ୱୀରାଜ’ ଫିଲ୍ମର ନିର୍ଦେଶକ ଡ.ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ମଧ୍ୟ ଇତିହାସ ଓ କିମ୍ବଦନ୍ତୀ ଉପରେ ଆଧାରିତ ଟିଭି ସୋ ‘ଚାଣକ୍ୟ’ର ନିର୍ଦେଶନା ଦେଇ ଓ ଚାଣକ୍ୟ ଭୂମିକାରେ ବଳିଷ୍ଠ ଅଭିନୟ କରି ଟିଭି ଦର୍ଶକଙ୍କ ମନ କିଣି ଥିଲେ। ୨୦୦୩ରେ ସେ ତାଙ୍କ ‘ପିଂଜରା’ଫିଲ୍ମ ପାଇଁ ପ୍ରଶଂସାତ୍ମକ ସମାଲୋଚନା ଓ ଏକାଧିକ ପୁରସ୍କାରର ଅଧିକାରୀ ହୋଇ ଥିଲେ । ତାଙ୍କ ନିର୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ପୃଥ୍ୱୀରାଜ’ ଆସନ୍ତା ବର୍ଷ ଦିପାବଳୀରେ ମୁକ୍ତିଲାଭ କରିବା ଧାର୍ଯ୍ୟ ହୋଇଛି । ମହାରାଣା ପୃଥ୍ୱୀରାଜ ଚୌହାନଙ୍କ ପତ୍ନୀ ‘ସଂଯୋଗିତା’ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଚରିତ୍ରରେ ମାନୁଷି ନିଖୁଣ ଅଭିନୟ କରିବେ ବୋଲି ନିର୍ଦେଶକ ଚନ୍ଦ୍ରପ୍ରକାଶ ଆଶା ବ୍ୟକ୍ତ କରିଛନ୍ତି । ମେବାର ରାଣା ପୃଥ୍ୱୀରାଜ ସିଂହ ଚୌହାନଙ୍କ ବୀରତ୍ୱ ଏବଂ ପ୍ରେମ କାହାଣୀ ଉପରେ ଫିଲ୍ମଟି ଆଧାରିତ ହୋଇ ଥିବାରୁ ଅକ୍ଷୟ କୁମାରଙ୍କ ଆକ୍ସନ୍ ଓ ମାନୁଷିଙ୍କ ସୌନ୍ଦର୍ଯ୍ୟ, ବୁଦ୍ଧିମତ୍ତା ଦର୍ଶକଙ୍କୁ ବେଶ୍ ଅଭିଭୂତ କରିପାରିବ ବୋଲି ପ୍ରଡକ୍ସନ୍ ହାଉସ୍ ଆଶା କରୁଛନ୍ତି । ‘ସଂଯୋଗୀତା’ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ମାନୁଷି ହେଉଛନ୍ତି ହରିଆଣାର ଝିଅ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS