ମେମୋରି କାର୍ଡ ବା ପେନ୍ ଡ୍ରାଇଭ୍ ତଥ୍ୟ ‘ଡ଼କୁମେଂଟ୍’ ଭାବେ ଗ୍ରହଣୀୟ: ସୁପ୍ରିମ କୋର୍ଟ
ପ୍ରସାଦ ରାଓ
୩୦ ନଭେମ୍ବର
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଶୁକ୍ରବାର କହିଛନ୍ତି, ମେମୋରି କାର୍ଡ ବା ପେନ୍ ଡ୍ରାଇଭ୍ ରେ ଥିବା ତଥ୍ୟ ‘ଇଲୋକ୍ଟ୍ରୋନିକ ରେକର୍ଡ’ ହୋଇ ଥିବାରୁ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ‘ଡ଼କୁମେଂଟ୍’ ଭାବେ ବିଚାର ସମୟରେ ଗ୍ରହଣୀୟ । ମାଲୟାଲମ୍ ଅଭିନେତା ପି.ଗୋପିକ୍ରୀଷ୍ଣା ଓରଫ ଦିଲ୍ଲୀପ କେରଳ ହାଇକୋର୍ଟର ଏକ ରାୟକୁ ଚ୍ୟାଲେଂଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଆବେଦନପତ୍ର ଉପରେ ରାୟ ଦେଇ ଜଷ୍ଟିସ ଏ.ଏମ୍.ଖାନୱିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ଗଠିତ ଖଣ୍ଡପୀଠ ଏହା କହିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, କୌଣସି ଅପରାଧୀକ ମାମଲାରେ ପ୍ରସିକ୍ୟୁସନ୍ ମେମୋରି କାର୍ଡ ବା ପେନ୍ ଡ୍ରାଇଭ୍ ରେ ଥିବା ତଥ୍ୟକୁ ବିଚାରଣା ସୟରେ ଉପସ୍ଥାପନ କଲେ ତାହାର ଏକ ‘କ୍ଲୋନ୍’ କପି ଅଭିଯୁକ୍ତଙ୍କୁ ଦେବା ଆବଶ୍ୟକ । ଫଳରେ, ଅଭିଯୁକ୍ତ ନିଜର ଡ଼ିଫେନ୍ସ୍ ପାଇଁ ପ୍ରସ୍ତୁତି କରି ପାରିବେ ।
୨୦୧୭ ମସିହାରେ ଜଣେ ମାଲୟାଲମ୍ ଅଭିନେତ୍ରୀଙ୍କୁ ଅପହରଣ କରାଯାଇ କାର୍ ଭିତରେ ଦୁର୍ବ୍ୟବହାର କରାଯିବା ମାମଲାରେ ଗୋପିକ୍ରୀଷ୍ଣା ଓରଫ ଦିଲ୍ଲୀପଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲାର ବିଚାରଣା ସମୟରେ ପ୍ରସିକ୍ୟୁସନ୍ ପକ୍ଷରୁ କୋର୍ଟରେ ଉପସ୍ଥାପନ କରାଯାଇ ଥିବା ସେଲଫୋନ୍ ମେମୋରି କାର୍ଡର କ୍ଲୋନ୍ କପି ତାଙ୍କୁ ଯୋଗାଇ ଦିଆଯିବାକୁ ଦିଲ୍ଲୀପ କେରଳ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ସେଲ୍ ଫୋନ୍ ମେମୋରି କାର୍ଡ ବା ପେନ୍ ଡ୍ରାଇଭ୍ ରେ ଥିବା ରେକର୍ଡ଼ିଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍୍ଟ ରେ ଗ୍ରହଣୀୟ ନୁହେଁ । ଜଣେ ଅଭିଯୁକ୍ତଙ୍କୁ ମେମୋରି କାର୍ଡରେ ଥିବା ରେକର୍ଡ଼ିଂର ନକଲ ଦିଆଯିବ ନାହିଁ ବୋଲି କେରଳ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରି ଦିଲ୍ଲୀପ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ କୋର୍ଟର ଏହି ଦୁଇ ଜଣିଆ ଖଣ୍ଡପୀଠ ଶୁକ୍ରବାର ଦେଇଥିବା ରାୟରେ କହିଛନ୍ତି, ଯେଉଁଠି ଅଭିଯୋଗକାରୀ ବା ସାକ୍ଷୀର ପରିଚୟ ଗୋପନ ରଖା ଯିବାର ଆବଶ୍ୟକତା ରହୁଛି ସେଠି ଅଦାଲତ ଅଭିଯୁକ୍ତ ବା ତାଙ୍କ ଓକିଲଙ୍କୁ ବା ଜଣେ ବିଶେଷଜ୍ଞଙ୍କୁ ଅଭିଯୁକ୍ତଙ୍କ ଡ଼ିଫେନ୍ସ ପ୍ରସ୍ତୁତ ନିମନ୍ତେ ମେମୋରି କାର୍ଡ ବା ପେନ୍ ଡ୍ରାଇଭ୍୍ ରେ ଥିବା ରେକର୍ଡ଼ିଂର ଏକ ‘କ୍ଲୋନ୍ କପି’ ଯୋଗାଇ ଦେବା ଆବଶ୍ୟକ । ମାମଲାରେ ସଂପୃକ୍ତ ଦୁଇ ପକ୍ଷର ସ୍ୱାର୍ଥକୁ ନଜରରେ ରଖି କୋର୍ଟ ଏହା କରିବା ଆବଶ୍ୟକ ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୧୭ ମସିହା ଫେବୃୟାରୀରେ ଜଣେ ମାଲୟାଲମ୍ ଅଭିନେତ୍ରୀଙ୍କୁ ୮ ଜଣ ବ୍ୟକ୍ତି ଅପହରଣ କରି ଚଳନ୍ତା କାର୍ ରେ ଦୁର୍ବ୍ୟବହାର କରିଥିବା ଏବଂ ଅଭିନେତ୍ରୀଙ୍କୁ ବ୍ଲାକମେଲ୍ କରିବା ସକାଶେ ଦୁର୍ବ୍ୟବାହରର ଦୃଶ୍ୟ ମୋବାଇଲ୍ ରେ ରେକର୍ଡିଂ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ମାଲୟାଲମ୍ ଅଭିନେତା ପି.ଗୋପିକ୍ରୀଷ୍ଣା ଓରଫ ଦିଲ୍ଲୀପଙ୍କୁ ଏହି ମାମଲାରେ ଆଇପିସି ଓ ଆଇଟି ଆକ୍ଟ୍ ବଳରେ ଗିରଫ କରି ଥିଲେ । ଅଭିଯୁକ୍ତ ନିଜର ଡ଼ିଫେନ୍ସ ପ୍ରସ୍ତୁତି ପାଇଁ ମାମଲା ସହ ସଂପୃକ୍ତ ମୋବାଇଲ୍ ଫୋନ୍ ର ମେମୋରି କାର୍ଡର ‘କ୍ଲୋନ୍’ କପି ଯୋଗାଇ ଦିଆଯିବାକୁ କେରଳ ହାଇକୋର୍ଟରେ ଆବେଦନ କରିଥିଲେ । ତାହା ଖାରଜ ହୋଇଯିବାରୁ ସେ ସୁପ୍ରିମ କୋର୍ଟରେ ଆଶ୍ରୟ ନେଇଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ତାଙ୍କ ରାୟରେ ମେମୋରି କାର୍ଡ ବା ପେନ୍ ଡ୍ରାଇଭରେ ରେକର୍ଡ଼ ରହିଥିବା ମାମଲା ସଂପର୍କୀତ ତଥ୍ୟ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ‘ଡ଼କୁମେଂଟ୍’ ଭାବେ ଗ୍ରହଣଯୋଗ୍ୟ, ଅଭିଯୁକ୍ତଙ୍କୁ ତାଙ୍କ ଡ଼ିଫେନ୍ସ ପ୍ରସ୍ତୁତି ପାଇଁ ସେହି ରେକର୍ଡିଂର ‘କ୍ଲୋନ୍’ କପି ଯୋଗାଇ ଦେବା ଆବଶ୍ୟକ ବୋଲି କହିବା ସହ ଏହି ରାୟ ପ୍ରକାଶ ପାଇବାର ଛଅ ମାସ ମଧ୍ୟରେ ଦିଲ୍ଲୀପଙ୍କ ମାମଲାର ବିଚାରଣା ଶେଷ କରିବାକୁ ତଳ କୋର୍ଟକୁ ନିଦେ୍ର୍ଦଶ ଦେଇଛନ୍ତି । ରେକର୍ଡ଼ିଂରେ କି ତଥ୍ୟ ଅଛି ତାହା ଗୁରୁତ୍ୱପୂର୍ଣ୍ଣ, କେଉଁଠି ରେକର୍ଡ଼ିଂ ହୋଇଛି ତାହା ନୁହେଁ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS