‘ଫିଫା’ ବିଶ୍ୱ କପ୍ ପାଇଁ ଓଡ଼ିଶାର ପ୍ରସ୍ତୁତି
ପ୍ରସାଦ ରାଓ
୧୨ ଡ଼ିସେମ୍ବର
ଭୁବନେଶ୍ୱର:୧୭ ବର୍ଷରୁ କମ୍ ‘ଫିଫା’ ବିଶ୍ୱ କପ୍ ଆୟୋଜନ ପାଇଁ ଓଡ଼ିଶା ଆଗ୍ରହୀ । ଏଥିସକାଶେ ଆବଶ୍ୟକ ଭିତ୍ତିଭୂମୀ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟ ୨୦୨୦ ଫେବୃୟାରୀ ସୁଦ୍ଧା ସଂପୂର୍ଣ୍ଣ କରାଯିିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ମିଳିଛିି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୦୨୦ ମାର୍ଚ୍ଚ ୨୬ରେ ଭାରତ-କାତାର ବିଶ୍ୱ କପ୍ ଯୋଗ୍ୟତା ପର୍ଯ୍ୟାୟ (ପୁରୁଷ) ମୁକାବିଲା ହେବାକୁ ଥିବାରୁ ସେତେବେଳକୁ ଭିତ୍ତିଭୂମୀ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ରୂପରେଖ ନେଇସାରି ଥିବ ବୋଲି କ୍ରୀଡ଼ା ବିଭାଗ ଆଶା କରୁଛି । ରାଜ୍ୟ ସରକାର ୧୭ ବର୍ଷରୁ କମ୍ ‘ଫିଫା’ ବିଶ୍ୱ କପ୍ ଭୁବନେଶ୍ୱରରେ ଜାକଜମକରେ ଆୟୋଜନ କରିବାକୁ ଯୋଜନା କରିଥିବା ନିକଟରେ ଭୁବନେଶ୍ୱର ଆସି କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଫୁଟବଲ ପଡ଼ିଆକୁ ଅନୁଧ୍ୟାନ କରିଥିବା ‘ଫିଫା’ର ଏକ ପ୍ରତିନିଧି ଦଳକୁ ସୂଚନା ଦିଆଯାଇଛି । ଷ୍ଟାଡିୟମ ପରିସରରେ ଥିବା ଫୁଟବଲ ପଡ଼ିଆର ପାରିପାଶ୍ୱିକ ଅବସ୍ଥା, ଦର୍ଶକଙ୍କ ବସିବା ବ୍ୟବସ୍ଥା, ଖେଳାଳୀଙ୍କ ଡ୍ରେସିଂ ରୁମ୍ ଆଦି ସଂପର୍କରେ ରାଜ୍ୟ ସରକାରଙ୍କ ସହ ଏହି ପ୍ରତିନିଧି ଦଳର ଆଲୋଚନା ହୋଇଥିଲା । ‘ଫିଫା’ ପ୍ରତିଯୋଗିତାର ପ୍ରକଳ୍ପ ମୁଖ୍ୟ ଓଲିଭର ଭଗଟ୍ ନଭେମ୍ବର ୨୯ରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବେନେଶ୍ୱରରେ ‘ଫିଫା’ ବିଶ୍ୱ କପ୍ ଆୟୋଜନ ନେଇ ସକାରାତ୍ମକ ସଂକେତ ଦେଇଥିବା ଜଣାପଡିଛି ।
ଓଡ଼ିଶା ସରକାର ୨୦୧୮ ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ପୁରୁଷ ହକି ବିଶ୍ୱ କପ୍ ସଫଳତାର ସହ ଆୟୋଜନ କରି ଜାତୀୟ, ଅନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତେଣୁ, ଏଠାରେ ୧୭ ବର୍ଷରୁ କମ୍ ‘ଫିଫା’ ବିଶ୍ୱକପ୍ ଆୟୋଜନ ମଧ୍ୟ ସଫଳ ହେବ ବୋଲି ଭଗଟ୍ ଯେଉଁ ଆଶା ବ୍ୟକ୍ତ କରିଛନ୍ତି ତାହା ଫୁଟବଲ୍ ଷ୍ଟାଡିୟମକୁ ବିଶ୍ୱ ସ୍ତରରେ କରିବା ଉପରେ ନିର୍ଭର କରୁଛି । ‘ଫିଫା’ ବିଶ୍ୱ କପ୍ ଫୁଟବଲ୍ (୧୭ ବର୍ଷରୁ କମ୍) ଭୁବନେଶ୍ୱରରେ ହେଲେ ୧୬ଟି ଦେଶର ଖେଳାଳୀ ଓଡ଼ିଶା ଆସିବେ । ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତି ପାଇଥିବା ଭୁବନେଶ୍ୱର ସହର ଆଉ ଏକ ବିଜୟ ମୁକୁଟ ପିନ୍ଧିବ । ରାଜ୍ୟରେ ପର୍ଯ୍ୟଟନର ବିକାଶ ମଧ୍ୟ ହେବ । ‘ଫିଫା’ ପ୍ରତିନିଧି ଦଳ କୋଲକାତା, ଗୌହାଟୀ ପରେ ଭୁବନେଶ୍ୱର ଆସି କଳିଙ୍ଗ ଷ୍ଟାଡିୟମର ସ୍ଥିତାବସ୍ଥାକୁ ଅନୁଧ୍ୟାନ କରି ଏାଂରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ‘ଫିଫା’ ବିଶ୍ୱ କପ୍ ର ସ୍ଥାନୀୟ ଆୟୋଜନ ସମିତି ନିଦେ୍ର୍ଦଶକ ରୋମା ଖାନ୍ନା ଏହି ପ୍ରତିନିଧି ଦଳରେ ଥିଲେ । ସେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଦେଖି ପ୍ରଶଂସା କରିଛନ୍ତି । ଉଲ୍ଲେଖନୀୟ ଯେ, କଳିଙ୍ଗ ଷ୍ଟାଡିୟମରେ ଥିବା ଫୁଟବଲ ପଡ଼ିଆ ଆନ୍ତର୍ଜାତିକ ଖେଳ ପାଇଁ ଅନୁପଯୁକ୍ତ ଦର୍ଶାଇ ଓଡ଼ିଶା ଏଫସି ନିଜର ପ୍ରଥମ ତିନିଟି ମ୍ୟାଚ୍ ପୁନେରେ ଖେଳି ଥିଲେ । ଏହାର ଚତୁର୍ଥ ଘରୋଇ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଡ଼ିସେମ୍ବର ୨୭ରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଏଫସିର ଏହି ମ୍ୟାଚ୍ ଠିକ୍ ଭାବରେ ହୋଇ ପାରିଲେ ୧୭ ବର୍ଷରୁ କମ୍ ‘ଫିଫା’ ବିଶ୍ୱ କପ୍ ଭୁବନେଶ୍ୱରରେ ହେବା ରାସ୍ତା ଖୋଲି ଯିବ ବୋଲି କ୍ରୀଡ଼ା ବିଶେଷଜ୍ଞଙ୍କ ମତ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS