ସିଏଏକୁ ନେଇ ଦେଶ ଜଳୁଛି, ତେବେ ଓଡ଼ିଶା ଶାନ୍ତ
ପ୍ରସାଦ ରାଓ
୧୬ ଡ଼ିସେମ୍ବର
ଭୁବନେଶ୍ୱର: ଏହା ହେଉଛି ଓଡ଼ିଶାର ସୁନ୍ଦରତା । କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହୋଇ ସାରିଛି । ଏ ନେଇ କେନ୍ଦ୍ର ସରକାର ରାଜପତ୍ର ବା ଗେଜେଟ୍ ନୋଟିଫିକେସନ୍ ଜାରି କରିବା ପାଇବା ପରେ ନୂଆ ଆଇନ ଲାଗୁ ହୋଇଛି । ସଂସଦର ଉଭୟ ଗୃହରେ କଂଗ୍ରେସ, ଟିଏମସି ସମତେ ବହୁ ବିରୋଧୀ ଦଳ ଏହି ବିଲ୍ କୁ ବିରୋଧ କରି ଥିଲେ । ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ୱେ ବିଜେପି ନିଜର ସଂଖ୍ୟା ବଳରେ ସହଜରେ ଏହି ବିଲ୍ କୁ ଗୃହୀତ କରାଇ ଥିବା ବେଳେ ବୁଧବାର, ଅର୍ଥାତ ଡ଼ିସେମ୍ବର ୧୧ ତାରିଖ ଦିନ ବିଲ୍କୁ ନେଇ ରାଜ୍ୟସଭାରେ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲା । ତେବେ, ଶାସକ ଦଳର ସଫଳ ଫ୍ଲୋର୍ ମ୍ୟାନେଜମେଂଟ୍ ଯୋଗୁଁ ଆବଶ୍ୟକ ସଂଖ୍ୟା ନ ଥାଇ ସୁଦ୍ଧା ବିଜେପି ଏହି ବିଲ୍ କୁ ୧୨୫-୧୦୫ ଭୋଟରେ ଗୃହୀତ କରାଇ ନେଇଛି । ବିଲ୍ ଗୃହୀତ ହେବାରେ ଓଡ଼ିଶାର ବିଜୁ ଜନତା ଦଳ ସରକାରଙ୍କ ଭୂମିକା ରହସ୍ୟମୟ ହୋଇଥିଲେ ବି ଅଭବନୀୟ ନୁହେଁ । ବିଭିନ୍ନ ସମୟରେ ବିଜେଡ଼ି ଓ ବିଜେପି ନିଜକୁ ପରସ୍ପରର ଚରମ ଶତୃ ଭାବେ ଲୋକଙ୍କ ସାମନାରେ ଉଭା ହୋଇଥିଲେ ବି ବାସ୍ତବତା ଭିନ୍ନ । କେନ୍ଦ୍ର ସରକାରଙ୍କୁ ସବୁ କଥାରେ ବିଜେଡ଼ି ଅକୁଣ୍ଠ ସମର୍ଥନ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି, ଏହା ଦେଶବାସୀ ଜାଣନ୍ତି ।
କେନ୍ଦ୍ର ସରକାରଙ୍କ ସିଏବି ବା ନାଗରିକତ୍ୱ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ କରାଇବାରେ ଓଡ଼ିଶା ସରକାରଙ୍କ ଭୂମିକା କେବଳ ରାଜ୍ୟବାସୀଙ୍କୁ ନୁହେଁ ଓଡ଼ିଶାରେ ମୁଖ୍ୟ ବିରୋଧୀ ଥିବା ବିଜେପି ଓ କଂଗ୍ରେସକୁ ମଧ୍ୟ ଚକିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କୁ ବିଜେଡ଼ି ୨୦୧୪ ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ ଦେଇ ଆସି ଥିଲେ ସୁଦ୍ଧା ୨୦୧୯ ସାଧାରଣ ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ ଯେଉଁ ଭଳି କଥା କଟାକଟି ଚାଲିଲା ଓଡ଼ିଶାବାସୀ ଭ୍ରମରେ ପଡି ଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ବିଜେପିର ମୁହଁ ଚାହିଁବେ ନାହିଁ । କିନ୍ତୁ, ମୁଖମନ୍ତ୍ରୀ ସେ ଭ୍ରମ ଦୂର କରି ୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ବିଜେପି ଶାସନର ଅଧିକ ନିକଟତର ହୋଇଛନ୍ତି । ସିଏବିକୁ ବିଜେଡ଼ିର ଆଖିବୁଜା ସମର୍ଥନ ଏହାକୁ ଜ୍ୱଳନ୍ତ ପ୍ରମାଣିତ । ଏହା ପଛରେ ରାଜ୍ୟର ସ୍ୱାର୍ଥ ଅପେକ୍ଷା ଦଳର ସ୍ୱାର୍ଥ ଅଧିକ ଥିବା ଶାସକ ଦଳ ସ୍ୱୀକାର ନ କଲେ ବି ରାଜ୍ୟବାସୀ ଅନୁଭବ କରୁଛନ୍ତି । ସିଏବି ସଂସଦରେ ଗୃହୀତ ହେବା ପରେ ଶାସକ ବିଜେଡ଼ି ଓ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗିରୁ ଏହା ସ୍ପଷ୍ଟ ହୋଇଛି ।
ସଂସଦରେ ନାଗରିକତ୍ୱ ସଂଶୋଧନ ବିଲ୍ ପାଶ୍ କରାଇବାରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ ଦେବାକୁ ବିଜେଡ଼ି ‘ବ୍ଲାକମେଲ୍’ କରିଥିଲା ବୋଲି ରାଜ୍ୟ ବିଜେପି ନେତାମାନେ ଓଡ଼ିଶାରେ ଅଭିଯୋଗ କରି ଶାସକ ଦଳକୁ ଅଡୁଆରେ ପକାଇ ଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନିରବ ରହିବା ଏବଂ ଶାସକ ବିଜେଡ଼ି ପ୍ରତିରକ୍ଷାତ୍ମକ ଭୂମିକାରେ ରହିବା ଦୁଇ ଦଳ ମଧ୍ୟରେ ଥିବା ସମୀକରଣକୁ ପଦାରେ ପକାଇଛି । ‘ବ୍ଲାକମେଲ୍’ ଶବ୍ଦକୁ ନେଇ ବିଜେଡ଼ି କ୍ଷୁବ୍ଧ । ଏହା କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବୁଝାମଣା ବୋଲି ବିଜେଡ଼ି ଦାବି କରିଛି । ଓଡ଼ିଶାରେ ବିଧାନ ପରିଷଦ ଗଠନ ସହ ନିଜର କିଛି ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡ଼ି ଚାହୁଁଛି । ଏଥି ସକାଶେ ସଂସଦରେ ବିଲ୍ ପାସ୍ ହେବା ଆବଶ୍ୟକତା ଥିବାରୁ ଚଳିତ ଅଧବେଶନରେ ତାହା କରାଇ ନେବାକୁ ବିଜେଡ଼ି ଚାହିଁ ଥିଲା । ବିଜେପି ଏଥିରେ ସହଯୋଗ କରିବାକୁ ସିଏବି ପାଇଁ ଭୋଟିଂ ପୂର୍ବରୁ ବିଜେଡ଼ି ସାଂସଦ ମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅନୁରୋଧ କରିଥିବା କୁହାଯାଉଛି । ବିଜେଡ଼ି ନେତୃତ୍ୱ ମଧ୍ୟ ଏହା ସ୍ୱୀକାର କରିଛନ୍ତି । ତେବେ, ଓଡ଼ିଶାରେ ମୁଖ୍ୟ ବିରୋଧୀ ଥିବା ବିଜେପି ଏହାକୁ ବିଜେଡ଼ିର ‘ବ୍ଲାକମେଲିଂ’ କହୁଥିବା ବେଳେ ବିଜେଡ଼ି ଏହି ଅଭିଯୋଗକୁ ଖଣ୍ଡନ କରିଛି । ରାଷ୍ଟ୍ରୀୟ ବଜେପି ନେତାମାନେ ଦଳର ଓଡ଼ିଶା ଶାଖା ନେତାଙ୍କ ଅଭିଯୋଗକୁ ଖଣ୍ଡନ ନ କରିବା ଏଭଳି ଅଭିଯୋଗ ପଛରେ ଦଳର କେନ୍ଦ୍ରୀୟ ନେତୃତ୍ୱର ନିରବ ସମର୍ଥନ ରହି ଥିବା ସ୍ପଷ୍ଟ କରିଛି ।
ଅପରପକ୍ଷରେ, ବିଜେଡ଼ି ନେତୃତ୍ୱ ନିଜ ପକ୍ଷ ରଖିବାରେ ସେତେଦୂର ସଫଳ ହୋଇ ନାହିଁ । ସିଏବିକୁ ସମର୍ଥନ ଦେବା ପଛରେ ବିଜେଡ଼ିର କି ସ୍ୱାର୍ଥ ରହିଛି ବୋଲି ପ୍ରଶ୍ନ ହେଲେ ଶାସକ ଦଳ କହୁଛି, ଦଳ ‘ଓଡ଼ିଶାର ସ୍ୱାର୍ଥ’କୁ ଅଗ୍ରାଧିକାର ଦେଇଛି । ଟେଲିଭିଜନ ବିତର୍କରେ ଭାଗ ନେଉ ଥିବା ଶାସକ ଦଳର ପ୍ରବକ୍ତାମାନେ ‘ଗାଲୁ ମାରିବା’କୁ ଯାଇ ଏହି କଥାକୁ ଦୋହରାଉଛନ୍ତି । ଦଳର ‘ମୁଖିଆ’ ଯେତେବେଳେ ଏହି ନିଷ୍ପତ୍ତି ନେଇଛନ୍ତି ବିଜେଡ଼ି ପ୍ରବକ୍ତାମାନେ ‘ଗାଲୁ’ ମାରିବା ଛଡା ଆଉ କଣ କରି ପାରିବେ! ତେବେ, ଓଡ଼ିଶାର ସ୍ୱାର୍ଥ କଥା ଆଲୋଚନା ହେଲେ ଆସି ଯାଉଛି ‘ମହାନଦୀ ପ୍ରସଙ୍ଗ’ ଠାରୁ ଆରମ୍ଭ କରି ରାଜ୍ୟକୁ ‘ସ୍ୱତନ୍ତ୍ର ପାହ୍ୟା ମାନ୍ୟତା’ ଦିଆଯିବା, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ମିଳିବା, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରାଯିବା ଭଳି ବହୁ ପ୍ରସଙ୍ଗ । ରାଜ୍ୟ ସରକାର ସେସବୁ ପ୍ରସଙ୍ଗକୁ କୋଣଠେସା କରି ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗକୁ ସଂସଦର ଅନୁମାଦନ କରାଇ ନେବା ସକାଶେ କେନ୍ଦ୍ରୀୟ ଗୃହ ମନ୍ତ୍ରୀଙ୍କ ନିକଟରେ ସର୍ତ ଉପସ୍ଥାପନ କରିବା ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ବିଜେଡ଼ିର ସ୍ୱାର୍ଥ ରକ୍ଷା କୁହାଯିବ ନାହିଁ ତ କଣ କୁହାଯିବ? ଗଣମାଧ୍ୟମରେ ସିଏବି ଉପରେ ବିତର୍କ ବେଳେ ଏକଥା ଉଠୁଛି । କିନ୍ତୁ, କଥା ପଥର କାନ୍ଥରେ ପିଟି ହୋଇ ଫେରି ଆସିବା ଭଳି ପ୍ରଶ୍ନକର୍ତାଙ୍କ ନିକଟକୁ ଫେରି ଆସୁଛି । ଏହାକୁ ସରକାରୀ ‘ଗାଲୁ’ କୁହାଯିବ ନାହିଁ ତ କଣ କୁହାଯିବ !!
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ ସିଏବି (ସିଟିଜନସିପ୍ ଆମେଣ୍ଡମେଂଟ୍ ବିଲ୍)ରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନରେ ଉତ୍ପିଡନର ଶିକାର ହୋଇ ଭାରତରେ ଆଶ୍ରୟ ନେଇଥିବା ଅଣ-ମୁସଲିମ୍ ସଂପ୍ରଦାୟ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଦେବାକୁ ଯେଉଁ ବ୍ୟବସ୍ଥା ରଖିଛନ୍ତି ତାହା ମଧ୍ୟ ଏହି ଆଇନକୁ ବିବାଦୀୟ କରିଛି । ବିଲ୍ ଉପରେ ଭୋଟ ଦାନ ସମୟରେ ବିଜୁ ଜନତା ଦଳ ଶ୍ରୀଲଙ୍କାକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ଦାବି ଉଠାଇ ଥିଲା । କେନ୍ଦ୍ର ସରକାର ତାହା ଗ୍ରହଣ କରି ନାହାନ୍ତି । ସଂସଦରେ ଆସି ଥିବା ଅନ୍ୟ ସଂଶୋଧନ ପ୍ରସ୍ତାବ ଭଳି ବିଜେଡ଼ିର ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବୁଧବାର ଭୋଟିଂ ସମୟରେ କାଟ୍ ଖାଇଛି । ରାଜ୍ୟରେ କେବଳ ଶ୍ରୀଲଙ୍କା ଶରଣାର୍ଥୀ ନୁହନ୍ତି ବାଂଲାଦେଶୀ ଶରଣାର୍ଥୀ ମଧ୍ୟ ରହିଛନ୍ତି । ସଂଖ୍ୟାଲଘୁ ସଂପ୍ରଦାୟର ବହୁ ସଂଖ୍ୟାରେ ଶରଣାର୍ଥୀ ରାଜ୍ୟର ବିଭିନ୍ନ ଅଂଚଳରେ ଆଶ୍ରୀତ ଥିବା ବେଳେ ସେମାନଙ୍କ ପ୍ରତି ସରକାରଙ୍କ ସଂବେଦନହୀନତା ଏଥିରୁ ସ୍ପଷ୍ଟ ହେଉଛି । ତେବେ, ଏଭଳି ପ୍ରଶ୍ନ ହେଲେ ‘ଦେଶ ବିରୋଧୀ’ ଟ୍ୟାଗ୍ ଲାଗିବା ଆଶଙ୍କା ଥିବାରୁ କେହି ପ୍ରଶ୍ନ ଉଠାଇବାକୁ ସାହାସ କରୁ ନାହାନ୍ତି । ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲ୍ ସଂସଦରେ ଉପସ୍ଥାପନ ସର୍ତରେ ରାଜ୍ୟ ସରକାର ସିଏବିକୁ ସମର୍ଥନ ଦେଇଥିବା ବେଳେ ସିଏବି ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନଲାଭ କରି ସିଟିଜନସିପ୍ ଆମେଣ୍ଡମେଂଟ୍ ଆକ୍ଟ ବା ସିଏଏରେ ପରିଣତ ହୋଇଯିବା ପରେ ସରକାର ଶୀତକାଳୀନ ଅଧିବେଶନକୁ ବାତିଲ କରି ଓଡ଼ିଶାର ସ୍ୱାର୍ଥକୁ ପଛକୁ ଠେଲି ଦେଲେ । ଏବେ, ସରକାର ନୂଆଦିଲ୍ଲୀ ସମେତ ଦେଶର ଉତ୍ତର ପୂର୍ବାଂଚଳ ରାଜ୍ୟରେ ଲାଗି ରହି ଥିବା ସିଏଏ ବିରୋଧୀ ହିଂସାକୁ ପ୍ରତିହତ କରିବାକୁ ପୂର୍ଣ୍ଣ ସମୟ ଦେଇଛନ୍ତି । ଓଡ଼ିଶାରେ ବସବାସ କରୁଥିବା ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ସିଏଏ ଓ ଏନଆରସିକୁ ନେଇ ଚିନ୍ତିତ । ନିକଟରେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଉଦ୍ବେଗ ଜଣାଇଛନ୍ତି । ତେବେ, ସେ ଥିବା (କ୍ଷମତାରେ!) ଯାଏ ଏନଆରସି (ନ୍ୟାସନାଲ ରେଜିଷ୍ଟାର ଅଫ୍ ସିଟିଜନସିପ୍) ବା ସିଏଏ ଦ୍ୱାରା ସଂଖ୍ୟାଲଘୁ ସଂପ୍ରଦାୟର କିଛି କ୍ଷତି ହେବାକୁ ଦେବେ ନାହିଁ ବୋଲି ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ସାମୟିକ ଭାବେ ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି । ତେବେ, ମୁଖ୍ୟମନ୍ତ୍ରୀଙ୍କ ଅବର୍ତମାନରେ (କ୍ଷମତାରୁ) ଏହି ଆଇନ ସଂଖ୍ୟାଲଘୁଙ୍କୁ ସୁରକ୍ଷିତ ରଖି ପାରିବ କି (?) ବୋଲି ପ୍ରଶ୍ନ ଉଠିଲେ ସରକାରଙ୍କ ନିକଟରେ କି ଉତ୍ତର ରହିଛି ??
ପୁଣି ଥରେ ଫେରିବା ମୂଳ ପ୍ରସଙ୍ଗକୁ । ସିଏବି ଆଇନରେ ପରିଣତ ହେବା ପରେ ଦେଶର ରାଜଧାନୀ ସମେତ ସମଗ୍ର ଉତ୍ତର ପୂର୍ବାଂଚଳ ରାଜ୍ୟ (ଆସାମ, ମେଘାଳୟ, ମଣିପୁର, ମିଜୋରାମ୍, ତ୍ରିପୁରା, ଅରୁଣାଚଳ ପ୍ରଦେଶ)ରେ ହିଂସାର ନିଆଁ ଜଳୁଛି । ପଡୋଶୀ ପଶ୍ଚିମ ବଂଗ ମଧ୍ୟ ଏଥିରୁ ବାଦ ପଡି ନାହିଁ । ହିଂସାକାଣ୍ଡ, ଜଳାପୋଡା ଯୋଗୁ ଆଜି (ଡ଼ିସେମ୍ବର ୧୬ ତାରିଖ) ସୁଦ୍ଧା ବିପୁଳ ପରିମାଣର ସରକାରୀ ଓ ବେସରକାରୀ ସଂପତ୍ତି ନଷ୍ଟ ହେଲାଣି । ନୂଆଦିଲ୍ଲୀରେ ଜେଏନୟୁ, ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଥିବା ବେଳେ ପୁଲିସର ଲାଠିମାଡ ପରିସ୍ଥିତିକୁ ଅଧିକ ଉଦବେଗଜନକ କରିଛି । ଆସାମର ଗୁଆହାଟୀରେ ପୁଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମ ବଂଗରୁ ଦେଶର ବିଭିନ୍ନ ଅଂଚଳକୁ ରେଳ ସେବା ମଧ୍ୟ ବ୍ୟାହତ ହୋଇଛି । ସିଏଏ ବିରୋଧୀ ହିଂସା ଦେଶର ଅନ୍ୟତ୍ର ନ ବ୍ୟାପିବା କେନ୍ଦ୍ର ସରକାର ଚାହୁଁ ଥିବାରୁ ହିଂସା-ଉପଦୃତ ଅଂଚଳରେ ଇଂଟରନେଟ୍ ସେବା ଉପରେ କଟକଣା ଲଗାଇଛନ୍ତି । ହିଂସା ସଂପର୍କିତ ଖବର ପ୍ରସାରଣ ଉପରେ ମଧ୍ୟ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସତର୍କ କରାଇ ଦିଆଯାଇଛି । ତଥାପି, ଗଣମାଧ୍ୟମରେ ଏହି ଖବର ‘ଶୀରୋନାମା-ଖବର’ ହୋଇ ରହିଛି । ଆସାମରେ ହିଂସାତ୍ମକ ପରିସ୍ଥିତି ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ମଧ୍ୟରେ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଗୁଆହାଟୀ ଶିଖର ସମ୍ମିଳନୀ ବାତିଲ ହେବା ଅନ୍ତର୍ଜାତିକ ଖବର ହୋଇଛି । ସିଏବିକୁ ନେଇ ବାଂଲାଦେଶର ପ୍ରତିବାଦ ଏବଂ ଦୁଇ ଜଣ ବାଂଲାଦେଶୀ ମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ ହେବା ମଧ୍ୟ ଚିନ୍ତାଜନକ ।
ଉତ୍ତର-ପୂର୍ବାଂଚଳରେ ଲାଗି ରହିଥିବା ହିଂସାତ୍ମକ ପରିସ୍ଥିତି ବିଶ୍ୱବ୍ୟାପୀ ଆତଙ୍କର ବାତାବରଣ ସୃଷ୍ଟି କରିଛି । ସିଏଏ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତ ସରକାର ଦାବି କରୁଥିବା ବେଳେ ଧର୍ମନିରପେକ୍ଷତାର ଗଣ୍ଡି ଭିତରେ ଆଇନକାନୁନ ହେବା ଆବଶ୍ୟକ ବୋଲି ଜାତିସଂଘ ମାନବାଧିକାର କମିସନ ମନ୍ତବ୍ୟ ଦେଇ ପରୋକ୍ଷରେ ଭାରତକୁ ଘେରିବାକୁ ଉଦ୍ୟମ କରିଛନ୍ତି । ଆମେରିକା, ବ୍ରିଟେନ୍, କାନାଡ଼ା, ଇସ୍ରାଏଲ୍, ସିଙ୍ଗାପୁର ପ୍ରଭୃତି ରାଷ୍ଟ୍ର ସେମାନଙ୍କ ନାଗରିକ ଓ ପର୍ଯ୍ୟଟକଙ୍କ ନିମନ୍ତେ ଆଡ଼ଭାଇଜରି ଜାରି କରି ହିଂସାଗ୍ରସ୍ତ ଭାରତର ଉତ୍ତର ପୂର୍ବାଂଚଳ ରାଜ୍ୟକୁ ନ ଯିବାକୁ ସତର୍କ କରାଇ ଦେଇଛନ୍ତି । ପଶ୍ଚିମ ବଂଗରେ ଲାଗି ରହି ଥିବା ସିଏଏ ବିରୋଧୀ ହିଂସାରେ ବିପୁଳ ମାତ୍ରାରେ ସରକାରୀ, ବେସରକାରୀ ସଂପତ୍ତି ନଷ୍ଟ ହେଲାଣି । ଯାତାୟତ ଓ ପରିବହନ ସେବା ମଧ୍ୟ ବ୍ୟାହତ ହୋଇଛି । ତେଣୁ, ପଶ୍ଚିମ ବଂଗ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାରୁ ନିବୃତ୍ତ ରହିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିବା ସହ ଏଥିରେ ସଂପୃକ୍ତ ଲୋକମାନେ ଯେଉଁ ଦଳର ହୁଅନ୍ତୁ ନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିବା ବେଳେ ରାଜ୍ୟପାଳ ଆଇନ ଶୃଙ୍ଖଳାରେ ଅବନତି ପାଇଁ ମମତାଙ୍କୁ ଟର୍ଗେଟ୍ କରିବାୁ ପଛାଇ ନାହାନ୍ତି । ରାଜ୍ୟର ପରିସ୍ଥିତି ଯନ୍ତ୍ରଣାଦାୟକ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇନ ଓ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇ ଥିବା ବେଳେ ତାହା ରକ୍ଷା କରି ପାରୁ ନ ଥିବାରୁ ଆବଶ୍ୟକ ପଡିଲେ ସେ ଆଇନ ଓ ସମ୍ବିଧାର ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବେ ବୋଲି ପଶ୍ଚିମ ବଂଗ ରାଜ୍ୟପାଳ ଜଗଦୀପ ଧନକର ପରୋକ୍ଷରେ ପଶ୍ଚିମ ବଂଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
କେବଳ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁହନ୍ତି; କେରଳ, ପଂଜାବ, ମେଘାଳୟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ସିଏଏକୁ ବିରୋଧ କରି ସେମାନଙ୍କ ରାଜ୍ୟରେ ତାହା ଲାଗୁ କରାଯିବ ନାହିଁ ବୋଲି କହିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ କ୍ଷୁବ୍ଧ କରିଛି । ଏହା କେନ୍ଦ୍ରୀୟ ଆଇନ ହୋଇ ଥିବାରୁ ସବୁ ରାଜ୍ୟ ଏହାକୁ ଲାଗୁ କରିବାକୁ ବାଧ୍ୟ ବୋଲି କେନ୍ଦ୍ର ସରକାର ଚେତାଇ ଦେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଛନ୍ତି । ସମ୍ବିଧାନର ସପ୍ତମ ଅନୁସୂଚୀରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ରେଳବାଇ, ନାଗରିକତା ଆଦି ୯୭ଟି ପ୍ରସଙ୍ଗରେ କେନ୍ଦ୍ରୀୟ ଆଇନ ଉଲଂଘନ କରିବା ଅଧିକାର ରାଜ୍ୟମାନଙ୍କର ନାହିଁ ବୋଲି କେନ୍ଦ୍ର କହିଛି । ପଶ୍ଚିମ ବଂଗ, କେରଳ, ପଂଜାବ ଓ ଛତିଶଗଡ଼ ରାଜନୈତିକ କାରଣରୁ ପ୍ରାରମ୍ଭରୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି । ଆସାମ ଓ ଉତ୍ତର ପୂର୍ବାଂଚଳ ରାଜ୍ୟ ଏହି ଆଇନକୁ ବିରୋଧ କରିବା କାରଣ ହେଉଛି, ଏହି ଆଇନ କାର୍ଯ୍ୟକାରୀ ହେଲେ ସେସବୁ ଅଂଚଳର ମୂଳ ବାସିନ୍ଦାଙ୍କ ଏକକ ପରିଚୟ, ଭାଷା, ସଂସ୍କୃତି ଓ ସୌହାର୍ଦ୍ଧ୍ୟ ନଷ୍ଟ ହେବା ଆଶଙ୍କା । ବିଦେଶୀ ନାଗରିକ ( ବିଭିନ୍ନ ସମୟରେ ରାଜ୍ୟକୁ ଚାଲି ଆସି ଥିବା ଶରଣାର୍ଥୀ)ମାନେ ବର୍ଷ ବର୍ଷ ଧରି ମୂଳ ବାସିନ୍ଦାଙ୍କ ଉପରେ ବୋଝ ହୋଇ ରହିଛନ୍ତି । ସେମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ରାଜ୍ୟବାସୀ ଚାହୁଁ ଥିବା ବେଳେ ସରକାର ଅଧିକ ବୋଝ ଲଦିବାର ଉପକ୍ରମ କରିବା ଉତ୍ତର-ପୂର୍ବାଂଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ମୂଳ ଅଧିବାସୀଙ୍କ ସ୍ୱାର୍ଥ ଓ ମୌଳିକତା ନଷ୍ଟ ହେବା ଆଶଙ୍କାରେ ଉତ୍ତର-ପୂର୍ବାଚଳରେ ହିଂସାତ୍ମକ ବିରୋଧ ଚାଲିଛି ।
ଆସାମରୁ ଅନୁପ୍ରବେଶକାରୀ ବିଦେଶୀ ନାଗରିକଙ୍କୁ ହଟାଇବା ଦାବି ନେଇ ସତୁରୀରୁ ଅଶି ଦଶକ ପର୍ଯ୍ୟନ୍ତ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଚାଲି ଥିଲା । ଅଲ୍ ଆସାମ୍ ଛାତ୍ର ସଂଘ (ଏଏଏସ୍ ୟୁ) ଏହି ଆନ୍ଦୋଳନର ନେତୃତ୍ୱ ନେଇ ଥିଲା ଏବଂ ଏହାର ନେତା ଥିଲେ ପ୍ରଫୁଲ୍ଲ ମହାନ୍ତ । ୧୯୮୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆସାମ ସମସ୍ୟାର ସମାଧାନ ପାଇଁ ଏଏଏସୟୁ ସହ ଆଲୋଚନା ମାଧ୍ୟମରେ ଏକ ରାଜିନାମା ସ୍ୱାକ୍ଷର କରିଥିଲେ । ରାଜ୍ୟରେ ୧୯୭୧ ମାର୍ଚ୍ଚ ପରେ ପ୍ରବେଶ କରିଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର କରାଯିବ ବୋଲି ଚୁକ୍ତି ହୋଇଥିଲା । ଏହି ରାଜିନାମା ପ୍ରକାରେ ବିଦେଶୀ ନାଗରିକ ଚିହ୍ନଟ ଚାଲି ଥିଲା । ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡ଼ିଏ ସରକାର କ୍ଷମତାସୀନ ହେବା ପରେ ଆସାମରେ ଏନଆରସି କାର୍ଯ୍ୟକାରୀ ହେଲା । ଆସାମରେ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଆରସି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଜାତୀୟ ନାଗରିକ ରେଜିଷ୍ଟାରର ଚୂଡାନ୍ତ ରିପୋର୍ଟରେ ୧୯ ଲକ୍ଷ ପରିବାର (ହିନ୍ଦୁ ଓ ଅଣ ହିନ୍ଦୁ) ନାଗରିକତ୍ୱରୁ ବାଦ ପଡିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ଆସାମରେ ନିଜର ନାଗରିକତ୍ୱ ପ୍ରମାଣିତ କରି ପାରି ନ ଥିବା ୧୯ ଲକ୍ଷ ପରିବାର ମଧ୍ୟରେ ୧୨ ଲକ୍ଷରୁ ଅଧିକ ହିନ୍ଦୁ ପରିବାର ଥିବା କୁହାଯାଉଛି । ସେମାନେ ଏନଆରସିରୁ ବାଦ ପଡି ଥିବା କେନ୍ଦ୍ରରେ ଶାସନରେ ଥିବା ବିଜେପିର ହୋସ୍ ଉଡାଇ ଦେବା ପରେ ଏତେ ବଡ଼ ଭୋଟ୍ ବ୍ୟାଙ୍କ୍ ହାତଛଡା ନର୍କରିବାକୁ ବିଜେପି ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଆଣିଛି ବୋଲି ଦେଶବ୍ୟାପୀ ଚର୍ଚ୍ଚା ହେଉଛି । ୨୦୧୪ ଡ଼ିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ଆସି ଶରଣ ନେଇ ଥିବା ପାକିସ୍ତାନୀ, ବାଂଲାଦେଶୀ ଓ ଆଫଗାନୀ ହିନ୍ଦୁ, ଶିଖ୍, ପାର୍ଶି, ଖୀଷ୍ଟିଆନ, ବୌଦ୍ଧ ଓ ଜୈନ ଧର୍ମର ଶରଣାର୍ଥୀମାନେ ସିଏଏ ମାଧ୍ୟମରେ ଭାରତୀୟ ନାଗରିକତ୍ୱ ପାଇବା ଆଇନ ସମ୍ମତ । କେନ୍ଦ୍ର ସରକାର ଏନଆରସିରୁ ବାଦ ପଡି ଥିବା ଆସାମର ୧୨ଲକ୍ଷରୁ ଅଧିକ ହିନ୍ଦୁ ପରିବାରକୁ ସଂଶୋଧିତ ଆଇନ ମାଧ୍ୟମରେ ଥଇଥାନ କରି ଦେବେ । ଏହି ତିନିଟି ଦେଶରେ ସଂଖ୍ୟାଲଘୁ ଥାଇ ବିଭିନ୍ନ ପ୍ରକାର ଉତ୍ପିଡ଼ନର ଶୀକାର ହୋଇ ଭାରତରେ ଶରଣ ନେଇ ଥିବା ଏହି ପରିବାରଙ୍କୁ ମାନବିକତା ଦୃଷ୍ଟିରୁ ଦେଶର ନାଗରିକତ୍ୱ ଦିଆଯାଉଛି ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢୁ ଥିବା ବେଳେ ମୁସିଲିମ୍ ଶରଣାର୍ଥୀଙ୍କୁ ଏଥିବାରୁ ବାଦ୍ ଦିଆଯିବା ରାଜନୀତିକୁ ଜଟିଳ କରିଛି । ବାସ୍ତବତା ରାଜନୀତି ନା ମାନବିକତା (?), ସେ ନେଇ ବିବାଦ ଚାଲି ଥିବା ବେଳେ କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ ବେଳେ ସଂକୁଚିତ ମନୋଭବା ପ୍ରଦର୍ଶନ ନ କରି ଭାରତୀୟଙ୍କ ହୃଦୟର ବିଶାଳତାକୁ ପ୍ରଦର୍ଶନ କରିବା ଉଚିତ ଥିଲା ବୋଲି ବିରୋଧୀ କହୁଛନ୍ତି ।
ଏହି ଆଇନ ବଳରେ ଆସାମରେ ୧୯୭୧ରୁ ୨୦୧୪ ଡ଼ିସେମ୍ବର ମଧ୍ୟରେ ଅନୁପ୍ରବେଶ କରିଥିବା ବିଦେଶୀ ନାଗରିକ ମଧ୍ୟ ବୈଧ ନାଗରିକତ୍ୱ ପାଇ ଯିବେ । ଅନ୍ୟ ରାଜ୍ୟରେ ମଧ୍ୟ ଅନୁପ୍ରବେଶକାରୀଙ୍କୁ ନାଗରିକତା ମିଳି ଯିବ । ୨୦୧୫ ସୁଦ୍ଧା ଭାରତ ଆସିଥିବା ଅଣ-ମୁସଲାମାନ ଶରଣାର୍ଥୀ ଭାରତୀୟ ନାଗରିକତ୍ୱ ପାଇ ରାଜ୍ୟଗୁଡିକର ସମ୍ବଳ ଉପରେ ବୋଝ ହେବେ । ଓଡ଼ିଶା ସରକାର କୌଣସି ନା କୌଣସି କାରଣରୁ ଏହି ଆଇନ ପ୍ରତି ଅନ୍ଧ ସମର୍ଥନ ଜଣାଇ ସାରିଛନ୍ତି । ତେଣୁ, ଦୀର୍ଘ ବର୍ଷ ଧରି ରାଜ୍ୟରେ ବସବାସ କରୁଥିବା ଶରଣାର୍ଥୀଙ୍କ ନାଗରିକତା ବୈଧ ହୋଇଯିବ । କେନ୍ଦ୍ରପଡ଼ା, ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ବହୁ ସଂଖ୍ୟାରେ ବଂଗୀୟ ଶରଣାର୍ଥୀ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟରେ ଭୋଟର ହୋଇ ସାରିଛନ୍ତି ଏବଂ ନିର୍ବାଚନ ମଧ୍ୟ ଲଢୁଛନ୍ତି । ଯେଉଁମାନେ ନାଗରିକତା ପାଇ ନ ଥିଲେ ସେମାନେ ଏବ ଖୁସି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବହୁ ସଂଖ୍ୟାରେ ଶରଣାର୍ଥୀ ବିଭିନ୍ନ ବସ୍ତିର ବାସିନ୍ଦା ହୋଇ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି । ଦୀର୍ଘ ୨୦ ବର୍ଷ ହେଲା ସରକାର ସେମାନଙ୍କୁ ଭୋଟ୍ ବ୍ୟାଙ୍କ୍ କରି ଥିବାରୁ ଏବେ ସିଏଏ ଲାଗୁ ହେବା ଦ୍ୱାରା ବିଜେଡ଼ି ହିଁ ଲାଭବାନ ହେବାକୁ ଯାଉଛି । ତେଣୁ, ରାଜ୍ୟ ସରକାର ଏହି ନୂଆ ଆଇନକୁ ବିରୋଧ କରିଥା’ନ୍ତେ ବା କାହିଁକି ? ବିଜେପି ରାଜ୍ୟ ଶାଖା ଏକଥା ଭଲ ଭାବେ ଜାଣିଛି । ତେଣୁ, ‘ବ୍ଲାକମେଲିଂ’ କଥା ଉଠାଇ ରାଜ୍ୟବାସୀଙ୍କ ଭ୍ରମିତ କରିବା ଉଦ୍ୟମରେ ଲାଗି ପଡିଛି ।
ଓଡ଼ିଶାରେ କଂଗ୍ରେସର ସ୍ଥିତି ଦୁର୍ବଳ । ଏହାର ନେତାମାନେ ଆଭ୍ୟନ୍ତରୀଣ କନ୍ଦଳରେ ବ୍ୟସ୍ତ । ନୂଆଦିଲ୍ଲୀରେ ଲବି କରି ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ପରିବର୍ତନ କରିବା ସେମାନଙ୍କ ଏକମାତ୍ର ଆଜେଣ୍ଡା ରହିଛି । କେବଳ କେନ୍ଦ୍ରୀୟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟରେ ସିଏଏ ବିରୋଧରେ କଂଗ୍ରେସର ବିକ୍ଷୋଭ ହୋଇଥିଲା । କଂଗ୍ରେସ ନେତାମାନେ ଦଳୀୟ ଝଂଡା ଧରି ସ୍ୱାଭିମାନ ଦିବସ ପାଳନ କରିଥିଲେ । ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିବା ବେଳେ ଏହାର କେନ୍ଦ୍ରୀୟ ନେତୃତ୍ୱ ସିଏଏର ମୁଖ୍ୟ ପୁରୋଧା ଥିବାରୁ ରାଜ୍ୟ ବିଜେପି ନେତାମାନେ ପ୍ରତିକୂଳ ମନ୍ତବ୍ୟ ଦେବା ପ୍ରଶ୍ନ ଉଠୁ ନାହିଁ । ସେମାନେ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ବିଜେଡ଼ିକୁ ଟର୍ଗେଟ୍ କରି କାମ ଚଳାଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେପି ପାଇଁ ‘ପୋଡା ଟ୍ରାନ୍ସଫର୍ମର’ ଥିବା ବିଜେଡ଼ି ଏବେ ବିଜେପିକୁ ସମର୍ଥନ ଦେଉଥିବା ଏକ ‘ଉର୍ଜାବାନ୍ ଟ୍ରାନ୍ସଫର୍ମର’ । ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେଡ଼ି ବିଜେପି ବିରୋଧରେ ବିଷୋଦଗାର କରିବାର ଅବକାଶ ନାହିଁ । ୧୯’ ନିର୍ବାଚନରେ ବିଜେପି ବିରୋଧରେ ବିଷୋଦଗାର କରି ଓଡ଼ିଆଙ୍କ ମନ ଜିଣି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟ ପରିବର୍ତନ କରି ସାରିଛନ୍ତି । ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନ ମଧ୍ୟ ଦୁର୍ବଳ ସ୍ଥିତିରେ । ତେଣୁ, ସେମାନେ ଲାଲ୍ ପତାକାର ତେଜ ଦେଖିବାକୁ ମିଳୁ ନାହିଁ । ଏଭଳି ପରିସ୍ଥିତିରେ ଓଡ଼ିଶାରେ ସିଏଏ ବିରୋଧରେ ସେଭଳି କିଛି ବଡ଼ ଆନ୍ଦୋଳନର ଅବକାଶ ନାହିଁ । ତେଣୁ, ରାଜ୍ୟରେ ଶାନ୍ତିର ବାତାବରଣ ରହିଛି । ଏହା ହୋଇ ନ ଥିଲେ ଓଡ଼ିଶା ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି କେନ୍ଦ୍ରର ନିଦ ହଜାଇ ଥା’ନ୍ତା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS