ନବୀନଙ୍କ ପରେ ନୀତୀଶ, କହିଲେ -‘କାହେ କା ଏନଆରସି’
ପ୍ରସାଦ ରାଓ
୨୦ ଡ଼ିସେମ୍ବର
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି ରାଜ୍ୟରେ ଏନଆରସି ଲାଗୁ ହେବ ନାହିଁ । ନୀତୀଶ କୁମାରଙ୍କ ଜେଡିୟୁ (ଜନତା ଦଳ, ୟୁନାଇଟେଡ୍) ବିଜେପି ନେତୃତ୍ୱାଧୀନ ଏନଡ଼ିଏର ଜଣେ ପ୍ରମୁଖ ଅଂଶୀଦାର । ବିହାରରେ ବିଜେପି ସହ ମେଂଟରେ ନୀତୀଶଙ୍କ ସରକାର ଚାଲିଛି । ଆଜି ସମ୍ବାଦିକମାନେ ନୀତୀଶଙ୍କୁ ଏନଆରସି ସଂପର୍କରେ ପ୍ରଶ୍ନ କରିବାରୁ “କାହେ ହୋ ଏନଆରସି” ବୋଲି ସେ କହିଛନ୍ତି ।
ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳ ବିଜେଡ଼ି ସଂସଦରେ ଏନଆରସିକୁ ବିରୋଧ କରିଛି ଏବଂ ଓଡ଼ିଶାରେ ଏହା ଲାଗୁ ହେବାର ନାହିଁ ବୋଲି ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟକୁ ଆଶ୍ୱାସନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନରେ ପରିଣତ ହୋଇଥିବା ଏନଏଏ (ନାଗରିକତା ସଂଶୋଧନ ଆଇନ) ଓ ଆସାମ ପରେ ଅନ୍ୟ ରାଜ୍ୟରେ ୨୦୨୪ ସୁଦ୍ଧା ଲାଗୁ ହେବାକୁ ଥିବା ଏନଆରସି (ଜାତୀୟ ନାଗରିକ ପଂଜୀକରଣ)କୁ ନେଇ ଦେଶବ୍ୟାପୀ ବିରୋଧର ନିଆଁ ଜଳୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ବିକ୍ଷୋଭ, ଶୋଭାଯାତ୍ରା କରିଛନ୍ତି । ଏହି ବିକ୍ଷୋଭ, ଶୋଭାଯାତ୍ରା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏସଂପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କରିଛନ୍ତି ଯେ, ତାଙ୍କ ଦଳ (ବିଜେଡ଼ି) ସଂସଦର ଉଭୟ ଗୃହରେ ଏନଏବି (ନାଗରିକତା ସଂଶୋଧନ ବିଲ୍)କୁ ସମର୍ଥନ ଦେଇ ତାହା ଆଇନରେ ପରିଣତ କରିବାରେ କେନ୍ଦ୍ର ସରକାରଙ୍କ ସହାୟତା କରିଥିଲେ ମଧ୍ୟ ଦଳର ସାଂସଦମାନେ ଉଭୟ ଗୃହରେ ପ୍ରସ୍ତାବିତ ଏନଆରସିକୁ ବିରୋଧ କରିଛନ୍ତି । ଏନଏଏ ଭାରତୀୟ ମୁସଲମାନ ବା ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା କେବଳ ବିଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ।
କେନ୍ଦ୍ର ସରକାର ଏନଏଏକୁ ଆଇନରେ ପରିଣତ କରି ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ବିଭିନ୍ନ ଭାବେ ନିର୍ଯ୍ୟାତିତ ହୋଇ ୨୦୧୪ ଡ଼ିସେମ୍ବର ୩୧ ତାରିଖ ପୂର୍ବରୁ ଭାରତରେ ଆସି ଆଶ୍ରୟ ନେଇଥିବା ସେଠାକର ସଂଖ୍ୟାଲଘୁ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ୍, ପାର୍ଶି, ବୌଦ୍ଧ, ଜୈନ ସଂପ୍ରଦାୟଙ୍କୁ ଭାରତର ନାଗରିକତ୍ୱ ଦିଆଯିବ ବ୍ୟବସ୍ଥା କରିଛନ୍ତି । ଏଥିରେ ଏହି ତିନି ଦେଶର ମୁସଲମାନ ଶରଣାର୍ଥୀଙ୍କ ସଂପର୍କରେ କୌଣସି ଉଲ୍ଲେଖ ନାହିଁ, ଯାହାକି ଦେଶବ୍ୟାପୀ ଅଶାନ୍ତି ସୃଷ୍ଟି କରିଛି । ଦିଲ୍ଲୀ, ପଂଜାବ, ପଶ୍ଚିମ ବଂଗ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ନାଗରିକତା ଆଇନ କାର୍ଯ୍ୟକାରୀ କରିବାକୁ ହେବାକୁ ଦେବେ ନାହିଁ ବୋଲି ଚେତାବନୀ ଦେଇଥିବା ବେଳେ ଏହା କେନ୍ଦ୍ରୀୟ ଆଇନ ହୋଇ ଥିବାରୁ କୌଣସି ରାଜ୍ୟ ଏହାକୁ ‘ନା’ କରିବା ଅଧିକାର ରଖି ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛନ୍ତି । କେନ୍ଦ୍ର ସରକାର ଇଂଟରନେଟ୍ ବନ୍ଦ କରିଥିବା ସତ୍ୱେ ଏନଏଏକୁ ନେଇ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ବୃାପକ ହିଂସାର ଖବର ଆସୁଛି । ମୁମ୍ବାଇରେ କାଲି ହଜାର ହଜାର ଲୋକ ସଂଗଠିତ ହୋଇ ଶାନ୍ତିପୂର୍ଣ୍ଣ ବିରୋଧ କରିଥିଲେ । ନୂଆଦିଲ୍ଲୀ, ପଶ୍ଚିମ ବଂଗ, କର୍ଣ୍ଣାଟକ, ତାମିଲନାଡୁ ପ୍ରଭୃତି ରାଜ୍ୟରେ ମଧ୍ୟ ହିଂସାର ଖବର ଆସୁଛି ।
ଏନଏଏକୁ ନେଇ ଦେଶରେ ବିରୋଧ ବଢୁ ଥିବାରୁ କେନ୍ଦ୍ର ସରକାର ଅଡୁଆରେ ପଡିଛନ୍ତି । ଆସାମ ସମେତ ଉତ୍ତର ପୂର୍ବାଂଚଳ ରାଜ୍ୟରେ ଏନଏଏକୁ ନେଇ ବିରୋଧ ଓ ହିଂସା ସୀମିତ ରହିବ ବୋଲି କେନ୍ଦ୍ର ସରକାର ବିଶ୍ୱାସ କରୁଥିଲେ । ହିଂସା ମଧ୍ୟ ଉତ୍ତର ପୂର୍ବାଂଚଳ ରାଜ୍ୟ ଓ ପଶ୍ଚିମ ବଂଗରେ ସୀମିତ ଥିଲା । ପରେ, ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ପୁଲିସର ବେଆଇନ ପ୍ରବେଶ ଓ ଛାତ୍ରଛାତ୍ରୀଙ୍କ ଉପରେ ବର୍ବର ଆକ୍ରମଣ ପରେ ହିଂସା ଦେଶର ବିଭିନ୍ନ ଅଂଚଳକୁ ବ୍ୟାପିଛି । କେନ୍ଦ୍ର ସରକାର ପରିସ୍ଥିତିକୁ କାବୁ କରି ନେବେ ବୋଲି ଯାହା ଆଶା ରଖି ଥିଲେ ସେଥିରେ ସଫଳ ନ ହେବାରୁ ଏବଂ ହିଂସା ଅନ୍ୟ ରାଜ୍ୟକୁ ବ୍ୟାପୀ ବାତାବରଣ ହେବାରୁ କେନ୍ଦ୍ର ସରକାର ପଛଘୁଂଚା ଦେବା ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀର ଜନ୍ତରମନ୍ତରରେ ଦୁଇ ଦିନ ହେଲା ଶାନ୍ତପୂର୍ଣ୍ଣ ହରତାଳ ଚାଲିଛି । ୟୁପିରେ ପରିସ୍ଥିତି ହିଂସାତ୍ମକ ହେବାରୁ କେନ୍ଦ୍ର ସରକାର ପଛଘୁଂଚା ଦେବା ସହ ଏନଏଏ ଆଇନରେ ପରିଣତ ହୋଇ ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରିବାକୁ ଚିଠା ଆଇନ ପ୍ରସ୍ତୁତ ହୋଇ ନ ଥିବା ଦର୍ଶାଇ ଦେଶର ବିଭିନ୍ନ ଅଂଚଳରେ ପ୍ରତିବାଦରେ ସାମିଲ ଥିବା ପକ୍ଷମାନେ ସରକାରଙ୍କ ସହ ଆଲୋଚନ କରି ସେମାନଙ୍କ ପକ୍ଷ ରଖି ପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ସ୍ପଷ୍ଟ କରିଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀରେ ହିଂସା ବ୍ୟାପକ ହେବାର କାରଣ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ପୁଲିସର ବର୍ବରତା । ପୁଲିସ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ବିନା ଅନୁମତିରେ କ୍ୟାଂପସରେ ପ୍ରବେଶ କରି ନୀରିହ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିବା ସହ ବ୍ୟାପକ ଭଂଗାରୁଜା କରିବା, ପୁଲିସ ମାଡରେ ଜଣେ ଜାମିଆ ମିଲିଆ ଛାତ୍ରଙ୍କ ଆଖି ନଷ୍ଟ ହୋଇଯିବା ପ୍ରଭୃତି ଘଟଣା ଦେଶବ୍ୟାପୀ ଅଶନ୍ତି ସୃଷ୍ଟି କରିଛି । ଦିଲ୍ଲୀ ସମେତ ୟୁପିର ଛୋଟ, ବଡ଼ ସହରରେ ଏନଏଏ ବିରୋଧରେ ପ୍ରତିବାଦ ହିଂସାତ୍ମକ ମୋଡ ନେଇ ଥିବାରୁ ହିଂସାରେ ସଂପୃକ୍ତ ଯେକୌଣସି ବ୍ୟକ୍ତି ଧରା ପଡିଲେ ସେମାନଙ୍କ ସଂପତ୍ତି ବାଜ୍ୟାପ୍ତ କରାଯିବ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଚେତାବନୀ ଦେଇଛନ୍ତି । ୟୁପିର ବୁଲନ୍ଦସର୍, ମୁଜାଫରନଗର, ଗୋରଖପୁର, ଫିରୋଜାବାଦ, କାନପୁର, ବିଜନୋର, ବାହାରିଚ, ହାପୁର ଜିଲ୍ଲାରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଆଜି ହାତାହାତି, ଗୁଳି ଓ ଲାଠିମାଡର ଖବର ମିଳିଛି । କର୍ଣ୍ଣାଟକର ମାଂଗାଲୁରୁରେ ବିକ୍ଷୋଭ ଖବର ସଂଗ୍ରହ କରୁଥିବା କେରଳର ୬ରୁ ୭ ଜଣ ସାମ୍ବାଦିକଙ୍କୁ ପୁଲିସ ଅଟକ ରଖିବାରୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କୁ ଚିଠି ଲେଖି ଥିଲେ । ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଇତିମଧ୍ୟରେ, ଜାତୀୟ ମାନବାଧିକାର କମିସନର ଏକ ୭ ଜଣିଆ ପ୍ରତିନିଧି ଦଳ ଏସଏସପି (ତଦନ୍ତ) ମଂଜିଲ୍ ସାଇନିଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀର ଜାମିଆ ମିଳିଆ ଇସଲାମିଆ ବିଶ୍ୱବିଦ୍ୟାଳୟକୁ ଯାଇ ୧୫ ଡ଼ିସେମ୍ବରରେ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ପୁଲିସ ବର୍ବରତାର ତଦନ୍ତ କରିଛନ୍ତି । ଏହି ପରିସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏନଆରସି ନେଇ ମନ୍ତବ୍ୟ ଭାରତୀୟ ରାଜନୀତିରେ ଅଲୋଡନ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS