କଂଗ୍ରେସର ମଂଗ ଛାଡ଼ିବା ପରେ ବି ରାହୁଲ୍ ବିଜେପିର ପ୍ରମୁଖ ଟାର୍ଗେଟ୍
ମୋଅନୁଭବ.କମ୍
୨୩ ଡ଼ିସେମ୍ବର
ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦେଖି କଂଗ୍ରେସ ମଂଗ ଛାଡିଥିଲେ ମଧ୍ୟ ବିଭିନ୍ନ କାରଣରୁ ବିଜେପି ତାଙ୍କୁ ପ୍ରମୁଖ ଟାର୍ଗେଟ୍ କରିଛି । ରାହୁଲଙ୍କ ମା’ ଶ୍ରୀମତୀ ସୋନିଆ ଗାନ୍ଧୀ ଏବେ ଦଳର ଅନ୍ତଃରୀଣ ସଭାପତି ଅଛନ୍ତି । ସେ ୨୦୧୯ ନିର୍ବାଚନ ପରବର୍ତୀ କଂଗ୍ରେସର ନେତୃତ୍ୱ ସମ୍ଭାଳୁଛନ୍ତି । ତଥାପି, ବିଜେପି ନେତୃତ୍ୱ କଥା କଥାରେ ରାହୁଲଙ୍କୁ ଟାର୍ଗେଟ୍ କରି ଭାରତୀୟ ରାଜନୀତିରେ ତାଙ୍କ ଗୁରୁତ୍ୱ ବଢାଉ ଥିବା କାରଣ କଣ ତାହା ଅସ୍ପଷ୍ଟ ହେଉ ନଥିଲେ ମଧ୍ୟ କଂଗ୍ରେସ ଯୁବରାଜ ରାହୁଲ ଆଉ ‘ମୁଢ ବାଚ୍ୟ’ ନୁହନ୍ତି, ତାଙ୍କ ବ୍ୟକ୍ତିଗତ ପତିଆରା ରହିଛି – ଏକଥା ଚଳିତ ବର୍ଷ ଶେଷ ସୁଦ୍ଧା ଅନୁଭବ କରି ହେଉଛି ।
ଭାରତୀୟ ରାଜନୀତିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଯେ ଜଣେ ‘ମୁଢ’ ବ୍ୟକ୍ତିତ୍ୱ, ତାହା କିଛି ମାସ ଆଗରୁ ଶାସକ ଦଳର ସମାଲୋଚନା ପ୍ରସଙ୍ଗ ଥିଲା । ରାହୁଲଙ୍କ କୌଣସି ବୟାନକୁ କେହି ଗୁରୁତ୍ୱ ଦେଉ ନ ଥିଲେ । ପୁରୁଖା କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ନେତୃତ୍ୱକୁ ଗୁରୁତ୍ୱ ଦେଉ ନ ଥିଲେ । ସେ କଂଗ୍ରେସ ସାଂସଦ ଥାଇ ମଧ୍ୟ ସଂସଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ଅନୁପସ୍ଥିତ ରହିବା, ଅଧିକାଂଶ ସମୟରେ ସଂସଦରେ ଆଲୋଚନାକୁ ଏଡାଇ ବିଦେଶରେ ସମୟ ବିତାଇବା ଆଲୋଚକମାନଙ୍କୁ ସମାଲୋଚନାର ଖୋରାକ ଯୋଗାଉ ଥିଲା । ରାହୁଲ ଏଆଇସିସି ଉପ ସଭାପତି ଥାଇ ମା’ଙ୍କ ଛତ୍ରଛାୟା ତଳେ ରାଜନୀତି କରୁଥିଲେ । ୟୁପିଏ-୨ ସରକାରରେ ସେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦ୍ୱାରା ଆଗତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ଅନାବଶ୍ୟକ କହି ସାମ୍ବାଦିକ ସମ୍ମିଳନୀରେ ବିଲ୍ ର କପି ଚିରି ଦେବା ସମଗ୍ର ଦେଶରେ ତଥା କଂଗ୍ରେସ ରାଜନୀତିରେ ଭୂକଂପ ସୃଷ୍ଟି କରିଥିଲା ସିନା ଦେଶବାସୀ ଏହାକୁ ରାହୁଲଙ୍କ ପିଲାଳିଆମୀ କହି ଗୁରୁତ୍ୱ ଦେଇ ନ ଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଉଭୟ ବିଜେପି ଓ ଦେଶବାସୀଙ୍କ ଆଡୁ ଅଧିକ ସମାଲୋଚନାର ଶରବ୍ୟ ହୋଇଥିଲେ ମଧ୍ୟ ତାଙ୍କ ପତିଆରା କମିବା ପରିବର୍ତେ ବଢୁ ଥିବା ଲକ୍ଷ୍ୟ କରାଯାଇଛି ।
ଗୁଜରାଟ ବିଧାନସଭା ନିର୍ବାଚନରେ ରାହୁଲ ଏକାକୀ କଂଗ୍ରେସର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ପାଣି ପିଆଇ ଥିଲେ । ବିଜେପି କଂଗ୍ରେସ ଆଡୁ କଡା ଟକ୍କର୍ ର ସାମନା କରି ପରେ କଂଗ୍ରେସକୁ ଛାଡି ରାହୁଲଙ୍କୁ ହିଁ ଟାର୍ଗେଟ୍ କରିଥିଲା । ଏହି ନିର୍ବାଚନ ପରଠାରୁ ବିଭିନ୍ନ ନିର୍ବାଚନରେ ରାହୁଲ ଗାନ୍ଧୀ ଉଭୟ ମୋଦୀ ଓ ଶାହାଙ୍କୁ ସାମନା କରୁଛନ୍ତି ଓ ସେମାନଙ୍କ ରାଜନୈତିକ ଆକ୍ରମଣ ଓ ଆକ୍ରୋଶର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଜେପିର ଏହି ଦୁଇ ବରିଷ୍ଠ ନେତା ରାହୁଲଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଉଥିବା ସତ୍ୱେ ସେ ମୁକାବିଲାରୁ ଓହରି ନାହାନ୍ତି । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ତାଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଦର୍ଶନରେ ଉନ୍ନତି ଘଟିବା ରାହୁଲଙ୍କ ଦୃଢ ମନୋବଳର ପରିଚୟ ଦେଇଛି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ଏଆଇସିସି ସଭାପତି ଭାବେ କଂଗ୍ରେସ ପ୍ରଚାର ଅଭିଯାନର ନେତୃତ୍ୱ ନେଇ ଥିଲେ । ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନରେ ଉନ୍ନତି ଘଟି ଥିଲା । ସଂସଦର ଏହି ତଳ ଗୃହରେ କଂଗ୍ରେସ ଆସନ ସଂଖ୍ୟା ବଢିଛି । କିନ୍ତୁ, ଦଳକୁ କ୍ଷମତାକୁ ଫେରାଇ ଆଣିବାରେ ସେ ସଫଳ ହୋଇ ନାହାନ୍ତି । ଦେଶବାସୀଙ୍କ ଆସ୍ଥାଭାଜନ ନ ହେବାରୁ କଂଗ୍ରେସ କ୍ଷମତାକୁ ଫେରି ପାରିନି । ରାହୁଲ ଏଥି ସକାଶେ ନିଜକୁ ଦାୟି କରି ଏଆଇସିସି ସଭାପତି ପଦରୁ ତୁରନ୍ତ ଇସ୍ତଫା ଦେଇ ପରାଜୟ ସ୍ୱୀକାର କରିବାର ସାହସ ଦେଖାଇଛନ୍ତି । ତେବେ, ଏହି ପରାଜୟ ପାଇଁ ସେ ଦଳର ବହୁ ପୁରୁଖା ନେତାଙ୍କୁ ଦାୟି କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀକୁ ଅନୁରୋଧ କରିବା ଆଉ ଏକ ସାହସିକତାପୂର୍ଣ୍ଣ କାର୍ଯ୍ୟ ଭାବେ ବିଚାର କରାଯାଉଛି ।
ଦଳର ବରିଷ୍ଠ ନେତାଙ୍କ ବିରୋଧରେ ରାହୁଲଙ୍କ ସ୍ୱର ଉତ୍ତୋଳନ କଂଗ୍ରେସରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । କ୍ଷୁବ୍ଧ ରାହୁଲଙ୍କୁ ଦଳର ସଭାପତି ରହିବାକୁ କଂଗ୍ରେସ ଦଳର ବହୁ ପୁରୁଖା ନେତା ଓ କର୍ମୀ ମନାଇବା ସତ୍ୱେ ସେ ଏଆଇସିସି ସଭାପତି ପଦକୁ ନ ଫେରି ଗାନ୍ଧୀ ପରିବାର ବାହାରୁ କାହାରିକୁ ଦଳର ସଭାପତି କରିବା ଜିଦ୍ ରେ ଅଟଳ ରହି ଦଳକୁ ବିକଳ୍ପ ନେତୃତ୍ୱର ସଂଧାନ କରିବା ସୁଯୋଗ ଦେଇଥିଲେ । ତେବେ, ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସ ଦଳକୁ କେହି ଏକାଠି ରଖିବାକୁ ସକ୍ଷମ ନୁହନ୍ତି କହି ଏଆଇସିସି କର୍ମକର୍ତାମାନେ ପୁନର୍ବାର ସୋନିଆ ଗାନ୍ଧୀଙ୍କୁ ମନାଇ ଦଳର ଅନ୍ତଃରୀଣ ସଭାପତି କରିଛନ୍ତି । ରାହୁଲଙ୍କ ପୂର୍ବରୁ ସୋନିଆ ସର୍ବାଧିକ ୨୦ ବର୍ଷ ଏଆଇସିସି ସଭାପତି ରହି ୟୁପିଏ-୧ ଓ ୟୁପିଏ-୨ ସରକାରକୁ ନେତୃତ୍ୱ ଦେଇଥିଲେ । ଡ. ମନମୋହନ ସିଂହ ଏହି ଦୁଇ ସରକାରରେ ପ୍ରଧାନମନ୍ତ୍ରୀ ରହିଥିଲେ ମଧ୍ୟ ଦଳ ଓ ସରକାରର ମଂଗ ସୋନିଆଙ୍କ ହାତରେ ରହିଥିଲା । ୟୁପିଏ-୨ ସରକାରରେ ଦଳ ସର୍ବାଧିକ ଦୁର୍ନୀତି ଅଭିଯୋଗର ସାମନା କରିଛି । ଯାହାର ପ୍ରତିଫଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦମ୍ବରମଙ୍କ ଭଳି ପୁରୁଖା ନେତାମାନେ ଏବେ ବି ସାମନା କରୁଛନ୍ତି । ଚିଦମ୍ବରମ୍ ଗୁରୁତର ଆର୍ଥିକ ଅନିୟମିତତା ମାମଲାରେ ଉଭୟ ସିବିଆଇ ଓ ଇଡ଼ି ଦ୍ୱାରା ଅଭିଯୁକ୍ତ ହୋଇ ୧୦୦ ଦିନରୁ ଅଧିକ ଜେଲ୍ ରେ ରହିବା ପରେ ନିକଟରେ ଜାମିନରେ ମୁକୁଳିଛନ୍ତି । ୟୁପିଏ-୨ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଏନସିପି ନେତା ପ୍ରଫୁଲ୍ଲ ପଟେଲ ମଧ୍ୟ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡ଼ି ସ୍କାନରରେ ଥିବା ଏନସିପି ପାଇଁ ମଧ୍ୟ ଅଡୁଆ ହୋଇଛି । କଂଗ୍ରେସ ଦଳ ୨୦୧୪ରେ କ୍ଷମତାଚ୍ୟୁତ ହେବା ଏବଂ ତା’ ପରଠାରୁ ଉଧେଇ ପାରୁ ନଥିବା ପଛରେ ୟୁପିଏ-୨ରେ ହୋଇଥିବା ବଡ଼ ବଡ଼ ସ୍କାମ୍ ମୁଖ୍ୟତଃ ଦାୟି ଥିବା ବେଳେ ଏଆଇସିସି ନେତୃତ୍ୱ ଏହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କଂଗ୍ରେସର ଉତ୍ଥାନରେ ଅନ୍ତରାୟ ହୋଇଛି । ବିଜେପି ୨୦୧୯ରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଅଧିକ ଆକ୍ରମଣାତ୍ମକ ହୋଇଥିବା ବେଳେ କଂଗ୍ରେସ ତାହାର ମୁକାବିଲା କରିପାରୁ ନାହିଁ । ଏବେ ଜାତୀୟ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିଜେପି ବିରୋଧୀ ଆନ୍ଦୋଳନ ଚାଲି ଥିବାରୁ କଂଗ୍ରେସ ତାହାର ନେତୃତ୍ୱ ନେଇ ପୁନର୍ବାର ଦେଶବାସୀଙ୍କ ମନରେ ଆସ୍ଥାଭାବ ଫେରାଇ ଆଣିବାର ସୁଯୋଗ ପାଇଛି । ତେବେ, ଏହି ଅନ୍ଦୋଳନ ରାଜନେତାଙ୍କ ହାତରୁ ଖସି ଜନତା ହାତକୁ ଚାଲି ଆସିଥିବା ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ପୁନର୍ବାର ଫେରିବା ରାହୁଲଙ୍କ ନିକଟକୁ । ରାହୁଲ ଏଆଇସିସି ସଭାପତି ପଦ ଛାଡିବା ପରେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତୀୟ ଜାତୀୟ କଂଗ୍ରେସ ରାଜନୀତିର ପୂରୋଭାଗକୁ ଆସିଥିଲେ ମଧ୍ୟ ବିଜେପି ରାହୁଲଙ୍କ ପିଛା ଛାଡୁ ନ ଥିବା ରାହୁଲ ଗାନ୍ଧୀଙ୍କ ପତିଆରା ବଢୁ ଥିବାର ସୂଚନା ଦେଉଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଓ ସିଏଏକୁ ବିରୋଧ କରି ବିଭିନ୍ନ ର୍ୟାଲିରେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ବିଭିନ୍ନ ମନ୍ତବ୍ୟ ବିଜେପିକୁ ରାହୁଲ-ବିରୋଧୀ ସମାଲୋଚନା ପାଇଁ ବାଧ୍ୟ କରିଥିଲା । ନୂଆଦିଲ୍ଲୀର ଏକ ର୍ୟାଲିରେ ରାହୁଲ ସେ ‘ସାବରକର୍ ନୁହନ୍ତି ଗାନ୍ଧୀ’ ବୋଲି ମନ୍ତବ୍ୟ ଦେଇ ବିଜେପିକୁ ଡ଼ଙ୍କ ମାରି ଥିଲେ । ଏଥିରେ ବିଜେପି ଓ ହିନ୍ଦିତ୍ୱବାଦୀ ନେତାମାନେ ଛାଟି ପିଟି ହୋଇ କଥା ନିର୍ବାଚନ କମିସନ ପର୍ଯ୍ୟନ୍ତ ନେଇଛନ୍ତି । ସେହିଭଳି, ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ମଧ୍ୟ ବିଜେପି ସରକାରଙ୍କୁ ବ୍ୟତିବ୍ୟସ୍ତ କରିଛି । ଏଭଳି ମନ୍ତବ୍ୟ ଦେଶ ବିରୋଧୀ ବୋଲି ଲୋକସଭାରେ ମହିଳା ସାଂସଦମାନେ ଆକ୍ଷେପ କରି ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଅନୂରୁପ ଏକ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ବିଜେପିକୁ ଅଡୁଆରେ ପକାଇଛି । ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ (ମାମଲରେ ଗିରଫ ହେବା ପରେ ନିଲମ୍ବିତ) ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବିଜେପି ମଧ୍ୟ ‘ରେପ୍ ଇନ୍ ଇଣ୍ଡିଆ’ରୁ ବାଦ ପଡିନି । ତେଣୁ, ରାହୁଲଙ୍କ ମନ୍ତବ୍ୟ ରାଜନୈତିକ ଝଡ ସୃଷ୍ଟି କରିଥିବା ସତ୍ୱେ ଦେଶବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରିନି ।
ରାହୁଲ ଅତୀତରେ ଲୋକସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଣ୍ଢାଇ ଧରିବା ଏବଂ ପରେ ପରେ ନିଜ ଆସନକୁ ଫେରି ସହଯୋଗୀ କଂଗ୍ରେସ ସାଂସଦଙ୍କୁ ଆଖିଠାରରେ ତାହାର ମଜା ନେବା ପିଲାଳିଆମୀ ଥିଲା । ଏବେ କିନ୍ତୁ, ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ଜାତୀୟ ସଭାପତି ଅମିତ ଶାହାଙ୍କ ପ୍ରତିଟି ସମାଲୋଚନା ଓ ଆକ୍ଷେପକୁ ସେ ନିଜସ୍ୱ ବୁଦ୍ଧି ଅନୁଯାୟୀ ଉଚିତ ଜବାବ ଦେବାକୁ ଉଦ୍ୟମ କରୁଥିବା ତାଙ୍କ ରାଜନୈତିକ ପରିପକ୍ୱତାର ସୂଚନା ଦେଉଛି । ସେ ଦେଶରେ ବଢି ଚାଲିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ହେଉ ବା ଅନ୍ୟ କିଛି ପ୍ରସଙ୍ଗକୁ ନେଇ ହେଉ, ରହୁଲ-ବାଣ ବିଜେପିକୁ ବ୍ୟତିବ୍ୟସ୍ତ କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍୍ ଇନ୍ ଇଂଡିଆ’ ଓ ‘ବେଟି ବଚାଓ, ବେଟି ବଢାଓ’ ସ୍ଲୋଗାନକୁ ଅପଭ୍ରଂଶ କରି ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପିଲାଳିଆମୀ କୁହା ନ ଯାଇ ଏକ ରାଜନୈତିକ ଟିପ୍ପଣୀ କହିବା ଅତ୍ୟୁକ୍ତି ହେବ ନାହିଁ । ରାହୁଲଙ୍କ ‘ସାବରକର୍’ ଓ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ କେବଳ ସଂସଦରେ ହାଙ୍ଗାମାର ସୁଯୋଗ ଦେଇ ନାହିଁ, ଗଣମାଧ୍ୟମରେ ମଧ୍ୟ ପ୍ରମୁଖ ଖବର ଭାବେ ସ୍ଥାନ ପାଇଛି । ବୀର୍ ସାବରକର୍ ଙ୍କ ସଂପର୍କରେ ଜ୍ଞାନ ନ ଥାଇ ରାହୁଲ ଗାନ୍ଧୀ ତାଙ୍କୁ ନେଇ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସମର୍ଥନରେ ମହାରାଷ୍ଟ୍ରରେ ସରକାର କରିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତିକ୍ରିୟା ଉଦ୍ଧବଙ୍କ ମୁହଁରୁ ‘ଧର୍ମନିରପେକ୍ଷତାର ମୁଖୋଟା’ ଖୋଲି ଦେଇଛି । ଆଜିର ଦିନରେ ରାହୁଲଙ୍କ ବିଭିନ୍ନ ମନ୍ତବ୍ୟ ଦେଶବ୍ୟାପୀ ରାଜନୈତିକ ଝଡ଼ ସୃଷ୍ଟି କରୁଥିବା ବେଳେ ଶାସକ ବିଜେପି ପ୍ରତି କଥାରେ ରାହୁଲଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ରାହୁଲ ଗାନ୍ଧୀଙ୍କ ରାଜନୈତିକ-ଭାବମୂର୍ତୀକୁ ନିମ୍ନମୁଖୀ କରିବା ପରିବର୍ତେ ଉଦ୍ଧ୍ୱର୍ମୁଖୀ କରୁଥିବା ସ୍ୱୀକାର୍ଯ୍ୟ । ଏହା ସତ୍ୟ ଯେ, ଦେଶବାସୀ ଏପର୍ଯ୍ୟନ୍ତ ରାହୁଲଙ୍କୁ ‘ପ୍ରଧାନମନ୍ତ୍ରୀ-ମ୍ୟାଟେରିଆଲ୍’ ଭାବେ ଗ୍ରହଣ କରି ନାହାନ୍ତି । ତାଙ୍କ ନେତୃତ୍ୱ ଓ ଅପରିପକ୍ୱତାକୁ ସମାଲୋଚନା କରୁଛନ୍ତି । କିନ୍ତୁ, କେନ୍ଦ୍ରରେ କ୍ଷମତାସୀନ ବିଜେପିର ତୁଂଗ ନେତୃତ୍ୱ ବିନା କାରଣରେ ରାହୁଲଙ୍କୁ ସମାଲୋଚନା କରି ଗୌରବମଂଡିତ (ଗ୍ଲୋରିଫାଏ) କରିବା ରାହୁଲଙ୍କ ପତିଆରା ବୃଦ୍ଧିର ସ୍ୱୀକାରୋକ୍ତି ଛଡା ଆଉ କଣ କୁହାଯିବ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS