ସଂପତ୍ତିକୁ ନେଇ ଧନୀଂକ ଚିନ୍ତା ବଢିଛି !
ମୋଅନୁଭବ.କମ୍
୨୩ ଡ଼ିସେମ୍ବର
ଅମାପ ସଂପତ୍ତିର ଅଧିକାରୀ ଧନୀକ ଶ୍ରେଣୀ ଏବେ କେନ୍ଦ୍ର ସରକାରଙ୍କ ମତିଗତି ଦେଖି ଚିନ୍ତାରେ । ପୂର୍ବରୁ ସେମାନେ ବେଆଇନ୍ ସଂପତ୍ତିକୁ ଲୁଚାଇବା ପାଇଁ ସ୍ୱିସ୍ ବ୍ୟାଙ୍କ ଆକାଉଂଟ୍ ବ୍ୟବହାର କରୁଥିଲେ । ବର୍ଷ ବର୍ଷ ଧରି ଏହି ଧାରା ଚାଲି ଥିଲା । ଏହାକୁ ନେଇ ଭାରତୀୟ ରାଜନୀତି ମଧ୍ୟ ସରଗରମ ହେଉଥିଲା । ଦେଶର ବହୁ ପ୍ରଭାବଶାଳୀ ରାଜନେତା, ବ୍ୟବସାୟୀ ଓ ଧନୀକ ଶ୍ରେଣୀ ସ୍ୱିସ୍ ବ୍ୟାଙ୍କ ଓ ସେଲ୍ କଂପାନୀରେ ସେମାନଙ୍କ କଳାଧନ ଲୁଚାଇ ରଖି ଥିବାରୁ ତାହାକୁ ଜବତ କରାଯାଇ ଦେଶର ଭାଗ୍ୟ ବଦଳାଇବା ୨୦୧୪ ସାଧାରଣ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ଥିଲା । ଏପରି କି, ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରୁ କଳାଧନ ଜବତ କରି ଭାରତକୁ ଆଣିବା ସହ ପ୍ରତ୍ୟେକ ଭାରତୀୟଂକ ବ୍ୟାଙ୍କ ଆକାଉଂଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବାକୁ ପ୍ରତିଶ୍ରୁତି ଦେଇ ୨୦୧୪ ସାଧାରଣ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ପାଇଥିଲେ । ତେବେ, ସେ କ୍ଷମତାକୁ ଫେରିବା ପରେ ଧନୀକଙ୍କ ବିଦେଶରେ ଥିବା କଳାଧନ ଜବତ ଓ ପ୍ରତ୍ୟେକ ଆକାଉଂଟଧାରୀଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା ପ୍ରତିଶ୍ରୁତି ‘ପାଣିରେ ଗାର’ ହୋଇଛି । ଏହି ପ୍ରତିଶ୍ରୁତି ୨୦୧୯ ନାର୍ବାଚନରେ ତାଙ୍କ ଭୂତ ଭଳି ଗୋଡାଇ ଥିଲା । ବ୍ୟାଂକ ଆକାଉଂଟରେ ୧୫ ଲକ୍ଷ ଜମା ପ୍ରତିଶ୍ରୁତି କୁଆଡେ ଗଲା ବୋଲି କଂଗ୍ରେସ ନେତାମାନେ ତାଙ୍କୁ ପ୍ରଶ୍ନ କରି ଘାଇଲା କଲେଣି । ଦେଶ ଭିତରେ ଓ ବିଦେଶରେ ଥିବା ଧନୀକଙ୍କ କଳାଧନ ଜବତ କରିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ରେ ଦେଶରେ ଯେଉଁ ବିମୁଦ୍ରୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କଲେ ଓ ରାତି ଅଧିଆ ବଜାରରୁ ୧୦୦୦ ଟଙ୍କିଆ ଓ ୫୦୦ ଟଙ୍କା ନୋଟ୍ ହଟାଇ ନେଲେ ତାହା ବେକାର ସାବ୍ୟସ୍ତ ହୋଇଛି । କଳାଧନ ଭୂତ ପଛରେ ସରକାର ଗୋଡାଇ ସରକାର ସାଧାରଣ ଜନତାକୁ ଦାଣ୍ଡରେ ଠିଆ କରି ଦେଲେ । ଛୋଟ ବଡ଼ ବ୍ୟବସାୟୀ ଘାଇଲା ହେଲେ । କିନ୍ତୁ, ବିମୁଦ୍ରୀକରଣ କଳାଧନ ବାହାର କରିବାରେ ସଫଳ ହେଲା ନାହିଁ । ତାହା ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟ ପ୍ରମାଣିତ କରିଛି । ସରକାର ଯେତିକି ପରିମାଣର ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ବଜାରରୁ ହଟାଇ ନେଇଥିଲେ ସେହି ପରିମାଣର ଅର୍ଥ (ତାହାର ୯୯ ପ୍ରତିଶତ) ନୂଆ ନୋଟ ଆକାରରେ ରିଜର୍ଭ ବ୍ୟାଙ୍କ ଖାତାକୁ ଫେରି ଆସିଛି । ବିମୁଦ୍ରୀକରଣ ସମୟରେ କେନ୍ଦ୍ର ସରକାର ଯେଉଁ ନୂଆ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ ଏବେ ତାହାର ୪୩ ପ୍ରତିଶତ ବଜାରରେ ରହି ଥିବା ବଳକା ନୋଟ୍ ଲୋକଙ୍କ ପାଖରେ ଦବି ରହି ଥିବା ସରକାର ଅନୁଭବ କଲେଣି । ତେଣୁ, ଆଉ ୨୦୦୦ଟଙ୍କିଆ ନୋଟ୍ ନ ଛାପିବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଏତେ ସବୁ ଉଦ୍ୟମ ଓ ବନେ୍ଦାବସ୍ତ ପରେ ମଧ୍ୟ ଦେଶରେ କଳାଧନର ସ୍ରୋତ ବନ୍ଦ ହୋଇ ନାହିଁ । ସରକାରୀ ଏଜେନ୍ସିଗୁଡ଼ିକ କଳାଧନ ବିରୋଧରେ ଅଭିଯାନ ତ୍ୱରାନ୍ୱିତ କରିଥିବାରୁ ସେହି ଚାପରେ ଭିତତ୍ରସ୍ତ ଧନୀକମାନେ ଏବେ ନୂଆ ଠିକଣା ଖୋଜିଲେଣି । ସ୍ୱିସ୍ ବ୍ୟାଙ୍କ ବିଭିନ୍ନ କଟକଣା ଲାଗୁ କରି ତାହାକୁ କଠୋର ଭାବେ ଲାଗୁ କରିବା ପରେ କଳାଧନ ରଖିଥିବା ଧନୀକଙ୍କ ନୂଆ ଠିକଣା ମାଲଟା, ଦୁବାଇ, ସିଙ୍ଗାପୁର ପ୍ରଭୃତି ଦେଶ ହୋଇଥିବା ସୂଚନା ମିଳିଛି । ନିକଟରେ ଦିଲ୍ଲୀର ଗୋଟିଏ ବ୍ୟବସାୟୀ ପରିବାର ମାଲଟାରେ ଏକ ଫ୍ୟାମେଲି ଟ୍ରଷ୍ଟ୍ ଗଠନ କରି ପରିବାରର ୧୫୦୦ କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟକୁ ୨୦ ଜଣ ସଦସ୍ୟଙ୍କ ଭିତରେ ବାଂଟି ଧୀରେ ଧୀରେ ତାହା ମାଲଟା ସ୍ଥାନାନ୍ତର କରୁଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଦେଶର ବିଭିନ୍ନ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇ ଥିବା ସଂସ୍ଥାଗୁଡ଼ିକର ମାଲିକମାନେ ଅଧିକ ଭୟଭୀତ ହୋଇ ବିଦେଶରେ ଫ୍ୟାମିଲି ଟ୍ରଷ୍ଟ୍ ଗଠନ ମାଧ୍ୟମରେ ନିଜ ସଂପତ୍ ତିକୁ ସ୍ଥାନାନ୍ତର କରିବାରେ ଲାଗି ପଡିଛନ୍ତି ବୋଲି ଏହି ସୂତ୍ରରୁ ପ୍ରକାଶ । ଋଣ ପରିଶୋଧରେ ଖିଲାପ ହେଲେ ସେମାନଙ୍କ ସଂପତ୍ତି ଜବତ ହୋଇଯିବା ଆଶଙ୍କାରେ ଏହି ପରିବାରଗୁଡିକ ଆତଂକିତ ବୋଲି କୁହାଯାଉଛି । ମୁମ୍ବାଇର ଏକ ଧନୀକ ପରିବାର ମାଲଟା ଓ ସିଙ୍ଗାପୁରରେ ଅଲଗା ଅଲଗା ଫ୍ୟାମିଲି ଟ୍ରଷ୍ଟ୍ ସ୍ଥାପନ କରି ସେଠାକୁ ନିଜ କଂପାନୀର ଟଙ୍କା ଓ ସେୟାର ସ୍ଥନାନ୍ତର କରୁଥିବା ସରକାର ସୂଚନା ପାଇଛନ୍ତି । କଳାଧନ ସ୍ଥନାନ୍ତର ପାଇଁ ଅନେକ ଧନୀକ ବ୍ୟକ୍ତି ନିଜ ପରିବାରର ବିଭିନ୍ନ ସଦସ୍ୟଙ୍କୁ ବିଦେଶୀ ନାଗରିକତା ପ୍ରଦାନ କରାଇବାରେ ଲାଗି ପଡି ଥିବା ମଧ୍ୟ ସରକାର ସୂଚନା ପାଇଛନ୍ତି । ନିଜ ସଂପତ୍ତିକୁ ସରକାରୀ ଏଜେନ୍ସିଗୁଡିକର ନଜରରୁ ବଂଚାଇବା ପାଇଁ ଧନୀକଙ୍କ ଆଡୁ ଏଭଳି ପ୍ରୟାସ ଦୃତ ଗତିରେ ଚାଲିଥିବା କୁହାଯାଉଛି । ଦେଶର ବିଭନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କରୁ ହଜାର ହଜାର କୋଟି ଲୁଟି ନେଇ ଥିବା ଋଣ ଖିଲାପକାରୀ (କିଙ୍ଗ୍ ଫିସର୍ ଏୟାର ଲାଇନ୍ସର ମାଲିକ ବିଜୟ ମାଲ୍ୟା ଓ ହୀରା ବ୍ୟବସାୟୀ ନୀରବ ମୋଦି, ମେହୁଲ ଚୋକସୀଙ୍କ ଭଳି) ଦେଶ ଛାଡି ଲୁଚି କରି ବିଦେଶକୁ ପଳାଇ ଯିବା ପରେ କେନ୍ଦ୍ର ସରକାର ସେମାନଙ୍କ ିରୋଧରେ ମାମଲା କରିବା ସହ ସଂପତ୍ତି ଜବତ ପ୍ରକ୍ରିୟା ଚଳାଇ ଥିବାରୁ ଧନୀକ ଶ୍ରେଣୀରେ କୋକୁଆ ଭୟ ଦେଖା ଦେଇଛି । ନିଜ ସଂପତ୍ତିର ସୁରକ୍ଷିତ ରଖିବା ପାଇଁ ଚିନ୍ତିତ ଥିବା ଧନୀକମାନେ ଏହି ବାଟ ଆପଣାଇ ଥିବା କୁହାଯାଉଛି । ମାଲ୍ୟା ଓ ମୋଦୀଙ୍କୁ ସରକାର ନୂଆ ପିଏମଏଲ ଏ ଆଇନରେ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କ ସଂପତ୍ତି ବାଜ୍ୟାପ୍ତ କରୁଥିବା ଅନ୍ୟମାନଙ୍କୁ ଚିନ୍ତିତ କରିଛି । ତେଣୁ, କାର୍ଯ୍ୟାନୁଷ୍ଠାନ ଭୟରେ ଦେଶରୁ ସେମାନଙ୍କ ସଂପତ୍ତି ସୁରକ୍ଷିତ ଭାବେ ବିଦେଶୀ ରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଧନୀକ ଶ୍ରେଣୀ ବ୍ୟଗ୍ର ଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS