ହେମନ୍ତ ସୋରେନ ଦ୍ୱିତୀୟ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
୨୪ ଡ଼ିସେମ୍ବର
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍-କଂଗ୍ରେସ ଓ ଆରଜେଡ଼ି ମେଂଟର ଏକକ ବିଜୟ ପରେ ଜେଏମଏମ୍ ନେତା ହେମନ୍ତ ସୋରେନ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ଆସନ୍ତା ୨୭ ତାରିଖ ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ରାଂଚିରୁ ସୂଚନା ମିଳିଛି । ହେମନ୍ତ ୨୦୧୩ ଜୁଲାଇ ୧୩ ତାରିଖରୁ ୨୦୧୪ ଡ଼ିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ ନିର୍ବାଚନରେ ପରାଜୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୧୯୭୫ରେ ଜନ୍ମିତ ହେମନ୍ତ ବରିଷ୍ଠ ଜେଏମଏମ୍ ନେତା ଶିବୁ ସୋରେନଙ୍କ ସାନ ପୁଅ । ବଡ଼ ଭାଇ ଦୁର୍ଗା ସୋରେନଙ୍କ ମୃତ୍ୟୁ ପରେ ସେ ବାପାଙ୍କ ରାଜନୀନୈତିକ ବିରାସତ୍ ସମ୍ଭାଳି ଦଳକୁ ଆଗେଇ ନେଇଛନ୍ତି ।
ହେମନ୍ତଙ୍କ ଜେଜେ ବାପା ଶୋବରନ୍ ମାଂଝି ଥିଲେ ସାଂଥାଲି ଆଦିବାସୀଙ୍କ ପାଇଁ ଦେବତା । ଏହି ଆଦିବାସୀ ବହୁଳ ରାଜ୍ୟରେ ସୁଧଖୋର ମହାଜନଙ୍କ ଦୌରାତ୍ମ୍ୟ ବିରୋଧରେ ସେ ଲଢି ଥିଲେ । ସେହି ସମୟରେ ମହାଜନମାନେ ଫସଲ ଉତ୍ପାଦନ ପାଇଁ ଆଦିବାସୀଙ୍କୁ ଋଣ ଦେଇ ଚଢା ହାରରେ ସୁଧ ଆଦାୟ କରୁଥିଲେ । ଋଣ ଶୁଝି ପାରୁ ନ ଥିବା ଗରିବ ଆଦିବାସୀଙ୍କ ଜମି ହଡପ କରି ନିଆ ଯାଉଥିଲା । ଶୋଭରନ୍ ମାଂଝି ଏହା ବିରୋଧରେ ଆନ୍ଦୋଳନ କରିବା ସହ ଜଣେ ମହାଜନଙ୍କୁ ନିସ୍ତୁକ ମାଡ଼ ମାରି ମହାଜନମାନଙ୍କ ଚକ୍ଷୁଶୂଳ ହୋଇଥିଲେ । ଶିବୁ ସୋରେନ ସେହି ସମୟରେ ଗୋଲାର ଏକ ସ୍କୁଲରେ ପାଠ ପଢୁ ଥିଲେ ଓ ବଡ଼ ଭାଇ ରାଜାରାମଙ୍କ ସହ ହଷ୍ଟେଲରେ ରହୁଥିଲେ । ଶୋଭରନ୍ ପୁଅ ଶିବୁଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଂଚାଇବା ପାଇଁ ଗୋଲା ଯାଉଥିବା ବେଳେ ୧୯୫୭ ନଭେମ୍ବର ୨୭ ତାରିଖରେ ଜଂଗଲରେ ଲୁଚି ରହି ଥିବା ମହାଜନଙ୍କ ଘାତକମାନେ ତାଙ୍କୁ ହତ୍ୟା କରି ଥିଲେ ।
ଶୋଭରନ୍ ଙ୍କ ମୃତ୍ୟୁ ପରେ ଶିବୁଙ୍କ ମା’ ସୋନାମଣୀ ବହୁ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରିବା ସହ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାର ପଣ ନେଇ ପିଲାଙ୍କୁ ଧରି କୋର୍ଟ କଚେରୀ ଧାଉଁ ଥିଲେ । କୋର୍ଟ କଚେରୀ ଚକ୍କର କାଟୁ କାଟୁ ସୋନାମଣୀ ଦିନେ ପଣ ନେଲେ ଯେ ତାଙ୍କ ପିଲାମାନେ ହିଁ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବେ । ସୋନାମଣୀଙ୍କ ପ୍ରତିଜ୍ଞାକୁ ରକ୍ଷା କରିବାକୁ ଯାଇ ପୁଅ ଶିବୁ ସୋରେନ ଜଂଗଲରୁ କାଠ ସଂଗ୍ରହ କରି ବିକିବା ଓ ପରିବାର ଚଳାଇବା କାମରେ ଲାଗି ଗଲେ । ସେ ସୁଧଖୋର୍ ମହାଜନଙ୍କ ବିରୋଧରେ ‘ଧନ କଟନୀ’ ଆନ୍ଦୋଳନ ମଧ୍ୟ ଚାଲୁ ରଖିଲେ । ରାଜ୍ୟର ସାଂଥାଳି ଆଦିବାସୀମାନେ ତାଙ୍କୁ ‘ଦିସୋମ୍ ଗୁରୁ’ ବା ‘ଦସୋ ଦିସାଓଁକା ଗୁରୁ’ର ଆଖ୍ୟା ଦେଇ ଶିବୁ ସୋରନଙ୍କୁ ପରିଣତ କରି ଦେଲେ ‘ଗୁରୁଜୀ’ରେ । ୧୯୭୩ ମସିହା ଫେବୃୟାରୀ ୪ ତାରିଖରେ ଶିବୁ ସୋରେନ ଗଠନ କଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ତାଙ୍କ ସଂଘର୍ଷ ଆରମ୍ଭ ହେଲ ସେହିଠାରୁ । ୧୯୮୦ରେ ନିଜ ସମର୍ଥକଙ୍କ ସହ ସାଇକଲରେ ଗାଁ ଗାଁ ବୁଲି ସେ ନିର୍ବାଚନ ପ୍ରଚାର କରିଥିଲେ । ୨୦୦୦ ମସିହାରେ ସ୍ୱତନ୍ତ୍ର ଝଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ଭାରତୀୟ ରାଜନୀତିରେ ‘ଗୁରୁଜୀ’ଙ୍କ ପତିଆରା ବଢିଲା । ଶିବୁ ସୋରେନ ତିନି ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ସହ ପୁଅ ହେମନ୍ତ ସୋରେନଙ୍କୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବାରେ ସକ୍ଷମ ହୋଇଛନ୍ତି । ସେ କେନ୍ଦ୍ରରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।
ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜନ୍ମ ୧୯୭୫ ମସିହା ଅଗଷ୍ଠ ୧୦ ତାରିଖରେ ରାମଗଡ଼ ଜିଲ୍ଲା ତେମରା ଗ୍ରାମରେ । ସେ ବୋକାରୋରେ ସ୍କୁଲ ପାଠ (ଦ୍ୱାଦଶ ଶ୍ରେଣୀ) ସାରିବା ପରେ ଇଂଜିନିୟରିଂ ପଢିବା ପାଇଁ ବିଆଇଟି, ମେସରାରେ ଆଡ଼ମିସନ୍ ନେଇ ଥିଲେ । ତେବେ, ଏହି ପାଠ୍ୟକ୍ରମ ସାରି ପାରି ନ ଥିଲେ । ବିଦେଶ ଯାଇ ପଢିବା ପାଇଁ ତାଙ୍କ ଇଚ୍ଛା ଥିଲା । କିନ୍ତୁ, ‘ଗୁରୁଜୀ’ ରାଜି ନ ହେବାରୁ ତାଙ୍କ ବିଦେଶ ଯିବା ସ୍ୱପ୍ନ ଅଧୁରା ରହି ଗଲା । ହେମନ୍ତ ରାଜନୀତିରେ ରୁଚି ରଖୁ ନ ଥିଲେ ମଧ୍ୟ ବାପା ଶିବୁ ଓ ଭାଇ ଦୁର୍ଗାଙ୍କ ଚାପରେ ଦଳର ଛୋଟମୋଟ କାର୍ଯ୍ୟ କରୁଥିଲେ । ୨୦୦୩ରେ ଛାତ୍ର ରାଜନୀତିରୁ ସେ ନିଜ ରାଜନୈତିକ ଜୀବନ ଆରମ୍ଭ କରି ବିଧାୟକ ଥିବା ବଡ଼ ଭାଇ ଦୁର୍ଗାଙ୍କ ସହ ମିଶି ଜେଏମଏମକୁ ଆଗକୁ ବଢାଇ ଥିଲେ । ୨୦୦୯ରେ ଦୁର୍ଗାଙ୍କ ଆକସ୍ମିକ ବା ସନ୍ଦେହଜନକ ମୃତ୍ୟୁ ଏବଂ ପିତା ଶିବୁ ସୋରେନଙ୍କ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ବିଭିନ୍ନ ମାମଲାରେ କୋର୍ଟ କଚେରୀ ଧାଇଁବା ହେମନ୍ତଙ୍କ ଉପରେ ଦଳ ଓ ପରିବାରର ଚାପ ବଢାଇ ଦେଇଥିଲା । ୨୦୦୯ ଜୁନରୁ ୨୦୧୦ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ହେମନ୍ତ ସୋରେନ ରାଜ୍ୟସଭା ସଦସ୍ୟ ରହି ଥିଲେ । ପରେ, ୨୦୧୩ ରୁ ୨୦୧୪ ପର୍ଯ୍ୟନ୍ତ ସେ କଂଗ୍ରେସ-ଆରଜେଡ଼ି ସମର୍ଥନରେ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ହୋଇ ଥିଲେ । ତେବେ, ୨୦୧୪ ନିର୍ବାଚନରେ ସେ ହାରି ଯିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟରେ ମନୋନିବେଶ କରି ଥିଲେ । ହେମନ୍ତ ପୁନର୍ବାର ପାଂଚ ବର୍ଷ ପରେ ‘ଗୁରୁଜୀ’ଙ୍କ ଆଶୀର୍ବାଦରେ କଂଗ୍ରେସ, ଆରଜେଡ଼ି ସହ ମେଂଟରେ ଦ୍ୱିତୀୟ ଥର ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ।
ଝାଡ଼ଖଣ୍ଡରେ ୨୦୧୪ରୁ ୨୦୧୯ ଡ଼ିସେମ୍ବର ପର୍ଯ୍ୟନ୍ତ ବିଜେପିର ସରକାର ଥିଲା । ଦଳ ଅଣ-ଆଦିବାସୀ ନେତା ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇ ବଡ଼ ଚ୍ୟାଲେଂଜର ସମ୍ମୁଖୀନ ହୋଇଥିଲା । ରଘୁବରଙ୍କ ନେତୃତ୍ୱରେ ବିଜେପି ୨୦୧୯ ନିର୍ବାଚନ ପରିଚାଳନା କରିଥିବା ବେଳେ ଆସନ ବୁଝାମଣାରେ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ସହଯୋଗୀ ଥିବା ଏଲଜେପି ଓ ଅଖିଳ ଝାଡ଼ଖଣ୍ଡ ଛାତ୍ର ସଂଘ (ଏଜେଏସୟୁ) ବିଜେପିଠାରୁ ଦୂରେଇ ଯାଇ ଏକା ଏକା ନିର୍ବାଚନ ଲଢି ଥିଲେ । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଝାଡ଼ଖଣ୍ଡରେ ବହୁ ବିକାଶମୂଳକ କାର୍ଯ୍ୟ କରିଥିବା ଦାବି କରି ନିର୍ବାଚନ ଲଢି ଥିବା ବେଳେ ଜେଏମଏମ ନେତା ହେମନ୍ତ ସୋରେନ କହିଛନ୍ତି, ଗଲା ପାଂଚ ବର୍ଷ ହେଲା ରାଜ୍ୟର କୋଣେ କୋଣେ ସରକାର ବିରୋଧୀ ଅସନ୍ତୋଷ ରହିଥିଲା, ଯାହାର ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି ।
ରାଜ୍ୟର ୮୧ ବିଧାନସଭା ଆସନରୁ ବିଜେପି ୬୫ଟି ପାଇବା ଆଶା ରଖିଥିଲା । ରଘୁବର ଦାସ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଉଥିବା ବିଜେପି ଚାଣକ୍ୟ (କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ) ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକଳନ କରିଥିଲେ । ତେବେ, ଏହି ଆକଳନ ‘ପାଣିରେ ଗାର’ ସଦୃଶ ହୋଇଛି । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ପର୍ଯ୍ୟନ୍ତ ପାଂଚଟି ପର୍ଯ୍ୟାୟରେ ଅନୁଷ୍ଠିତ ଭୋଟରେ ଶାସକ ବିଜେପି ପରାଜୟର ମୁହଁ ଦେଖିଛି । ଡ଼ିସେମ୍ବର ୨୩ ତାରିଖ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ବୁଥ୍-ଫେରନ୍ତା ଭୋଟରଙ୍କ ମତକୁ ନେଇ ଝାଡ଼ଖଣ୍ଡରେ ଏଥର ଝୁଲନ୍ତା ବିଧାନସଭା ହେବ ବୋଲି ଆକଳନ କରି ଥିଲେ । ତେବେ, ପ୍ରକାଶ ପାଇ ଥିବା ଭୋଟ ଫଳାଫଳ ଭିନ୍ନ କଥା କହୁଛି । ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜେ ନିର୍ବାଚନ ହାରିବା ସହ ଦଳର ବହୁ ବିଧାୟକ, ମନ୍ତ୍ରୀ ମଧ୍ୟ ହାରିଛନ୍ତି । ବିଧାନସଭାରେ ବିଜେପି ବିଧାୟକ ସଂଖ୍ୟା ୨୫କୁ ଖସିଛି । ଅପରପକ୍ଷରେ, ଜେଏମଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସର୍ବାଧିକ ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ମେଂଟରେ ଥିବା କଂଗ୍ରେସ ୧୬ଟି ଓ ଆରଜେଡ଼ି ଗୋଟିଏ ଆସନ ପାଇ ମେଂଟର ବିଧାୟକ ସଂଖ୍ୟା ୪୭ରେ ପହଂଚାଇଛନ୍ତି । ସରକାର ଗଠନର ମେଜିକ ସଂଖ୍ୟା ୪୧ ହୋଇ ଥିବା ବେଳେ ଜେଏମଏମ-କଂଗ୍ରେସ-ଆରଜେଡ଼ି ମେଂଟ ମିଳିତ ଭାବେ ମେଜିକ ସଂଖ୍ୟାରୁ ଅଧିକ ୬ଟି ଆସନ ପାଇ ମେଂଟ ସରକାର ଗଠନକୁ ନିଶ୍ଚିତ କରିଛନ୍ତି ।
ପରାଜୟ ପରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଝାଡ଼ଖଣ୍ଡ ରାଜ୍ୟପାଳ ସରସ୍ୱତୀ ହେମ୍ବ୍ରମଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଥିବା ବେଳେ ଜେଏମଏମ୍ ଶିବିରରେ ସରକାର ଗଠନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପିତାଙ୍କ ପାଦଛୁଇଁ ଆଶୀର୍ବାଦ ନେଇଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଗଠନର ଯେଉଁ ସ୍ୱପ୍ନ ଜେଏମଏମ ଦେଖିଛି ତାହା ପୂରଣ କରିବା ସମୟ ଆସିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ରଘୁବର ଦାସ ତାଙ୍କ ସରକାରରେ ମନ୍ତ୍ରୀ ରହି ଜାମଶେଦପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଥିବା ସରଜୂ ରାୟଙ୍କ ଠାରୁ ପରାଜିତ ହେବା ବିଜେପିର ଅନ୍ତଃରୀଣ କନ୍ଦଳକୁ ପଦାରେ ପକାଇଛି ।ଏହି କନ୍ଦଳ ଯୋଗୁ ବିଜେପିର ବହୁ ମନ୍ତ୍ରୀ, ବିଧାୟକ ନିର୍ବାଚନରେ ହାରିଥିବା ଏବେ ଚର୍ଚ୍ଚା ହେଉଛି ।
ଭୋଟ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ୯ଟି ଓ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୧୦ଟି ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ । ସେମାନେ ବିଜେପି ସରକାରଙ୍କ ଦେଶଭକ୍ତି, କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ମୁସଲମାନ ମହିଳାଙ୍କ ପାଇଁ ତିନ୍ ତଲାକ୍ ବିଲ୍ ଗୃହୀତ କରାଯିବା, ଅଯୋଧ୍ୟାରେ ଅତିଶୀଘ୍ର ଆକାଶକୁ ଛୁଇଁଲା ଭଳି ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଥିବା ଭଳି ବିଭିନ୍ନ ସଫଳ କାହାଣୀର ପେଡି ଭେଟରଙ୍କ ନିକଟରେ ଖୋଲି ଥିଲେ । ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା କଂଗ୍ରେସ ଦମ୍ ଥିଲେ ପାକିସ୍ତାନୀ ମୁସଲିମ୍ ଙ୍କୁ ଆଣି ଭାରତର ନାଗରିକ କରି ଦେଉ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ସଭାରେ ଆଡ୍ୱାନ ଦେଉଥିବା ଦେଖିବାକୁ ମିଳି ଥିଲା । ଅପରପକ୍ଷରେ, ଜେଏମଏମ୍ ରାଜ୍ୟ ଆଦିବାସୀଙ୍କ ମୌଳିକ ସମସ୍ୟା ଜଙ୍ଗଲ, ଜମି ଓ ଜଳ ଉପରେ ଅଧିକାରକୁ ନେଇ ନିର୍ବାଚନ ଲଢି ଥିଲା । କଂଗ୍ରେସ ଓ ଆରଜେଡ଼ି ସାନ ଭାଇ ସଦୃଶ ଜେଏମଏମ୍ ଛତ୍ରଛାୟା ତଳେ ନିର୍ବାଚନ ଲଢି ଥିଲେ । ଶେଷ ପର୍ଯ୍ୟାୟ ଭୋଟରେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରତି ଜନତାରେ ବିରୋଧ ପ୍ରତିଫଳିତ ହୋଇଛି ବୋଲି ବିଜେପି-ବିରୋଧୀମାନେ ଦାବି କରୁଥିବା ବେଳେ ବିଜେପି ଏହାକୁ ଅସ୍ୱୀକାର କରିଛି ।
ଝାଡ଼ଖଣ୍ଡ ପରାଜୟ ପାଇଁ ବିଜେପି ଜାତୀୟ ମୁଖପାତ୍ରମାନେ ରାଜ୍ୟ ନେତୃତ୍ୱକୁ ଦାୟି କରି ଦଳର କେନ୍ଦ୍ରୀୟ ନେତୃତ୍ୱକୁ ସୁରକ୍ଷା ଦେବାକୁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ତେବେ, ବାସ୍ତବତା ହେଉଛି, ବିଜେପି ଝାଡ଼ଖଣ୍ଡରୁ ପରାଜିତ ହେବା ପରେ ଗୋଟିଏ ବର୍ଷରେ ପାଂଚଟି ରାଜ୍ୟ ହାତଛଡା କରିଛି । ଯାହାକି, ଦେଶକୁ କଂଗ୍ରେସ ନୁହେଁ, ‘ବିଜେପି-ମୁକ୍ତ’ ଦିଗକୁ ଟାଣି ନେଉଛି । ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ଦେଶର ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଆଂଚଳିକ ଦଳଙ୍କୁ ଉତ୍ସାହିତ କରିଛି । ପଶ୍ଚିମ ବଂଗ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ଆଂଚଳିକ ଦଳଙ୍କ ସପକ୍ଷରେ ଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଜିଠାରୁ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS