ନିର୍ଭୟା ମାମଲା: ଦୋଷୀଙ୍କୁ ତୁରନ୍ତ ଫାଶୀ ପାଇଁ କେନ୍ଦ୍ରର ଆବେଦନ, ହାଇକୋର୍ଟରେ ଶୁଣାଣୀ ସରିଲା, ରାୟ ସଂରକ୍ଷିତ
ପ୍ରସାଦ ରାଓ
୦୨ ଫେବୃୟାରୀ
ଆଇନରେ ଥିବା ଗଳା ବାଟ ଯୋଗୁଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ‘ଫାଶୀ’ ଦଣ୍ଡ ପାଇଥିବା ୪ ଦୋଷୀ ଫାଇଦାରେ ଅଛନ୍ତି । ସେମାନେ ଆଇନର ଗଳାବାଟ ବ୍ୟବହାର କରି ଦୁଇ ଦୁଇ ଥର ମୃତ୍ୟୁକୁ ଚକମା ଦେଇଥିବା ବେଳେ କେନ୍ଦ୍ର ସରକାର ଏହି ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ସକାଶେ ଶନିବାର ଦିନ ଦିଲ୍ଲୀ ହାଇକୋର୍ଟ କରିଥିବା ଆବେଦନ ଉପରେ ଆଜି ଶୁଣାଣୀ ସରି ରାୟ ସଂରକ୍ଷିତ ରହିଛି । ଏକ ଜଘଣ୍ୟ ଅପରାଧରେ ସଂଶ୍ଲିଷ୍ଟ ଦୋଷୀଙ୍କୁ ତୁରନ୍ତ ଦଣ୍ଡିତ କରାଯିବା ବଦଳରେ ଆଇନରେ ଥିବା ଗଳାବାଟର ସୁଯୋଗ ଦେଇ ଫାଶୀକୁ ଗଡାଇବା ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ କଳଂକ ହେବାକୁ ଯାଉଛି ବୋଲି ଆଇନ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ଦୋଷୀ ବାରଂବାର ଫାଶୀକୁ ଟାଳିବାରେ ସକ୍ଷମ ହେବା ଫଳରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଭାରତୀୟ ନ୍ୟାୟିକ ଇତିହାସରେ ଏକ ବିରଳ ଘଟଣା ହେବ ବୋଲି କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦିଲ୍ଲୀ ହାଇକୋର୍ଟରେ ମତ ରଖିଛନ୍ତି । ଏହି ମାମଲାରେ ଦଣ୍ଡିତ ବ୍ୟକ୍ତିମାନେ ଏକ ଘୃଣ୍ୟ ଅପରାଧ ଘଟାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନେ ଫାଶୀକୁ ଟାଳିବା ପାଇଁ ଯେଭଳି ଗଳା ବାଟକୁ ବାରମ୍ବାର ବ୍ୟବହାର କରି ସଫଳ ହେଉଛନ୍ତି ତାହା ଅତି ଦୁଃଖାୟକ ହୋଇ ଥିବାରୁ ଏବଂ ଭାରତୀୟ ଆଇନ ବ୍ୟବସ୍ଥାକୁ କଳଂକିତ କରୁ ଥିବାରୁ ହାଇକୋର୍ଟ ତୁରନ୍ତ ଏହାର ବିଚାର କରି ଅପରାଧୀମାନଙ୍କ ଫାଶୀଦଣ୍ଡକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଶନିବାର ଦିନ ହାଇକୋର୍ଟରେ ଆବେଦନ କରିଥିବା ବେଳେ ରବିବାର ଏହାର ଦୀର୍ଘ ଶୁଣାଣୀ ହୋଇ ରାୟ ସଂରକ୍ଷିତ ରଖା ଯାଇଥିବା ସୂଚନା ମିଳିଛି ।
୭ ବର୍ଷ ତଳେ ଦିଲ୍ଲୀରେ ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଘଟି ଥିଲା । ଏହି ଜଘଣ୍ୟ ଅପରାଧ ଘଟଣାରେ ୫ ଅପରାଧୀଙ୍କୁ ଫାଶୀ ହୋଇଥିବା ବେଳେ ସେଥିରୁ ଜୀବିତ ଥାଇ ତିହାର ଜେଲରେଅଟକ ଥିବା ୪ ଜଣଙ୍କୁ ଫାଶୀ ଦେବାକୁ ତିହାର ଜେଲରେ ପ୍ରସ୍ତୁତି ସରିଛି । ଏହି ୪ ଅପରାଧୀଙ୍କୁ ଜାନୁୟାରୀ ୨୨ରେ ଫାଶୀ ଦେବାକୁ ପ୍ରଥମେ ଟ୍ରାଏଲ୍ କୋର୍ଟ ଡ଼େଥ୍ ୱାରେଂଟ୍ ଜାରି କରିଥିଲେ । ତେବେ, ଦଣ୍ଡିତ ଅପରାଧୀମାନେ ଆଇନର ଗଳାବାଟ ଦେଇ ଫାଶୀକୁ ଟାଳିବାରେ ସକ୍ଷମ ହୋଇଥିଲେ । ଟ୍ରାଏଲ୍ କୋର୍ଟ (ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟ) ଦ୍ୱିତୀୟ ଥର ପାଇଁ ଡ଼େଥ୍ ୱାରେଂଟ୍ ଜାରି କରି ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦେବାକୁ ନିର୍ଦେଶ ଦେଇଥିଲେ । ତାହା ମଧ୍ୟ ଟଳିଛି । ଅପରାଧୀଙ୍କ ଓକିଲ ପୁନର୍ବାର ଆଇନର ଗଳାବାଟ ଦେଇ ଦଣ୍ଡିତ ସମସ୍ତଙ୍କ ନିକଟରେ ଥିବା ନ୍ୟାୟିକ ବିକଳ୍ପର ସଂପୂର୍ଣ୍ଣ ବିନିଯୋଗ ହୋଇ ନ ଥିବାରୁ ସେମାନଙ୍କ ଡ଼େଥ୍ ୱାରେଂଟ ବା ମୃତ୍ୟୁ ପରୱାନା ସ୍ଥଗିତ ରଖା ଯିବାକୁ ଦିଲ୍ଲୀ ପାତିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ଗତ ଶୁକ୍ରବାର ଦିନ କୋର୍ଟ ଏହି ଆବେଦନର ଶୁଣାଣୀ କରିବା ପରେ ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ଫେବୃୟାରୀ ୧ ତାରିଖ ଫାଶୀ ଆଦେଶକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରଖିଛନ୍ତି । ଏଭଳି ଏକ ସ୍ପର୍ଶକାତର ମାମଲାରେ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି ଗ୍ରହଣଯୋଗ୍ୟ ହେଉନି ବୋଲି ଦର୍ଶାଇ କେନ୍ଦ୍ର ସରକାର ଶନିବାର ଦିନ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣୀ କରିବା ପରେ ଫାଶୀଦଣ୍ଡ ପାଇ ଥିବା ୪ ଦୋଷୀଙ୍କ ସମେତ ତିହାର ଜେଲ୍ ପ୍ରଶାସନ ଓ ଜେଲ୍ ଡ଼ିଜିଙ୍କୁ ନୋଟିସ ଜାରି କରି ରବିବାର ଛୁଟି ସତ୍ୱେ ମାମଲାର ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ କରିଥିଲେ ।
ହାଇକୋର୍ଟରେ କେନ୍ଦ୍ର ସରକାର ଯୁକ୍ତି ବାଢିଛନ୍ତି ଯେ, ଗୋଟିଏ ଜଘଣ୍ୟ ଅପରାଧ ମାମଲାରେ ଦଣ୍ଡିତ ହୋଇଥିବା ଏକାଧିକ ଅପରାଧୀଙ୍କ ମଧ୍ୟରୁ ଜଣକର କ୍ଷମା ଆବେଦନ ବିଚାରାଧୀନ ଥିଲେ ତାହା ଆଳ କରି ଅନ୍ୟ ସଂପୃକ୍ତ ଅପରାଧୀଙ୍କ ଫାଶୀକୁ ଟାଳି ଦିଆଯିବା ଗ୍ରହଣଯୋଗ୍ୟ ନୁହେଁ । ଯଦି ଆବଶ୍ୟକ ପଡେ ଅପରାଧୀମାନଙ୍କୁ (ଯେଉଁମାନଙ୍କ ନିକଟରେ ଆଉ କିଛି ନ୍ୟାୟିକ ବିକଳ୍ପ ନାହିଁ) ଅଲଗା ଅଲଗା ଫାଶୀ ଦିଆଯିବାରେ କିଛି ଅସୁବିଧା ନାହିଁ । ମୁକେଶ ସିଂହ ଓ ବିନୟ ଶର୍ମାଙ୍କ କ୍ଷମା ଯାଚିକା ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇ ସାରିଛି । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼ି.ଏନ.ପଟେଲ କେନ୍ଦ୍ର ସରକାରଙ୍କ ଆବେଦନକୁ ଶୁଣିବା ପରେ ହାଇକୋର୍ଟ ବିଚାରପତି ଜଷ୍ଟିସ ସୁରେଶ କଇତ୍ ଙ୍କୁ ଏହି ମାମଲାର ଶୁଣାଣୀ କରିବାକୁ ନିର୍ଦେଶ ଦେଇଥିଲେ । ମାମଲା ଅତ୍ୟନ୍ତ ଗମ୍ଭୀର ଧରଣର ହୋଇ ଥିବାରୁ ରବିବାର ଏହାର ଶୁଣାଣୀ ରଖି କୋର୍ଟ ଫାଶୀ ଦଣ୍ଡାଦେଶ ପାଇ ଥିବା ୪ ଦୋଷୀଙ୍କୁ ନୋଟିସ ଜାରି କରିବା ସହ ଫେବୃୟାରୀ ୧ରେ ହେବାକୁ ଥିବା ଫାଶୀକୁ ସ୍ଥଗିତ ରଖିବା ପାଇଁ ଗତ ଶୁକ୍ରବାର ପାତିଆଲା ହାଉସ୍ କୋର୍ଟ ଦେଇ ଥିବା ରାୟକୁ ଅସିଦ୍ଧ ଘୋଷଣା କରାଯିବାକୁ ଓ ତୁରନ୍ତ ଦୋଷୀଙ୍କୁ ଫାଶୀ ଦିଆଯିବାକୁ କେନ୍ଦ୍ର ସରକାର କରିଥିବା ଆବେଦନ ଉପରେ ସେମାନେ ମତ ରଖିବାକୁ କହିଥିଲେ । ମାମଲାର ଗାମ୍ଭୀର୍ଯ୍ୟକୁ ଦେଖି ଦିଲ୍ଲୀ ହାଇକୋର୍ଟ ଆଜି ଛୁଟି ଦିନରେ ଶୁଣାଣୀ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାତିଆଲା ହାଉସ୍ କୋର୍ଟ ଶୁକ୍ରବାର ଦିନ ୪ ଦୋଷୀଙ୍କ ଆବେଦନ ଉପରେ ଶୁଣାଣୀ କରି ଏହି ମାମଲାରେ ଏକାଧିକ ବ୍ୟକ୍ତି ଦଣ୍ଡିତ ହୋଇଥିବାରୁ ସମସ୍ତ ଦୋଷୀଙ୍କ ନ୍ୟାୟିକ ବିକଳ୍ପର ପରିସମାପ୍ତି ଘଟି ନ ଥିବାରୁ ଫେବୃୟାରୀ ୧ ସକାଳ ୬ଟିରେ ହେବାକୁ ଥିବା ଫାଶୀକୁ ସ୍ଥଗିତ ରଖା ଗଲା ବୋଲି ରାୟ ଦେଇଥିଲେ । ୪ ଦୋଷୀଙ୍କ ମଧ୍ୟରୁ ଯେଉଁମାନଙ୍କ ସମସ୍ତ ନ୍ୟାୟିକ ବିକଳ୍ପ ସରି ଯାଇଛି ସେହିମାନଙ୍କୁ ଫେବୃୟାରୀ ୧ ତାରିଖ ସକାଳେ ଫାଶୀ ଦିଆଯାଇପାରେ ଏବଂ ଏଥି ପାଇଁ ତିହାର ଜେଲ୍ ପ୍ରସ୍ତୁତ ବୋଲି ଜେଲ୍ କର୍ତୃପକ୍ଷ ଟ୍ରାଏଲ୍ କୋର୍ଟକୁ ଜଣାଇବା ସତ୍ୱେ କୋର୍ଟ ଏଭଳି ଆଦେଶ ଦେଇ ଫାଶୀକୁ ଟାଳି ଦେଇ ଥିଲେ । ଗୋଟିଏ ନିର୍ଦ୍ଧିଷ୍ଟ ମାମଲାରେ ଛନ୍ଦି ହୋଇଥିବା ଅପରାଧୀଙ୍କୁ ଦଣ୍ଡିତ କରିବାରେ କୌଣସି ପକ୍ଷପାତ ହୋଇ ପାରିବ ନାହିଁ ବୋଲି ଟ୍ରାଏଲ କୋର୍ଟ ବିଚାରପତି ଧର୍ମେନ୍ଦ୍ର ରାଣା କହିଥିବା ଜଣାପଡିଛି । କୋର୍ଟଙ୍କ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ୪ ଅପରାଧୀଙ୍କ ଫାଶୀ ସ୍ଥଗିତ ରହିଲା ବୋଲି କୋର୍ଟ ଜଣାଇ ଦେଇଥିଲେ । ଦୋଷୀଙ୍କ ଓକିଲ ଏ.ପି.ସିଂହ ମଧ୍ୟ ଫାଶୀ ଟାଳିବା ପାଇଁ ସେମାନଙ୍କ ପାଖରେ ଆହୁରି ଅନେକ ବିକଳ୍ପ ଅଛି କହି ବିରୁଡ଼ି ବସାରେ ହାତ ମାରିଛନ୍ତି । ଏହା ଉଭୟ ନିର୍ଭୟାର ପିତା, ମାତା ଏବଂ କେନ୍ଦ୍ର ସରକାରଙ୍କୁ ଏହା କ୍ଷୁବ୍ଧ କରିଛି । ଫାଶୀ ଦଣ୍ଡାଦେଶକୁ ଟାଳିବାରେ ଦୋଷୀ ବାରମ୍ବାର ସଫଳ ହେବା ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ଚ୍ୟାଲେଂଜ ସଦୃଶ ହୋଇଛି । ଫାଶୀ ସ୍ଥଗିତ ରଖିବା ପାଇଁ ତଳ କୋର୍ଟ ଦେଇଥିବା ରାୟକୁ ଦିଲ୍ଲୀ ହାଇକୋର୍ଟ ଅସିଦ୍ଧ ଘୋଷଣା କରି ୪ ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବାକୁ ନିର୍ଦେଶ ଦେବା ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଦୃଢ ଦାବି କରିଥିବା ବେଳେ ଦୋଷୀଙ୍କ ପକ୍ଷରୁ ଦୁଇ ଜଣ ଓକିଲ ନିଜ ନିଜ ମହକିଲଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ରବିବାର ଅପରାହ୍ନରେ ଜରୁରୀ ଶୁଣାଣୀ ଆରମ୍ଭ ହୋଇ ଦୀର୍ଘ ସମୟ ଚାଲିବା ପରେ ବିଳମ୍ବିତ ସନ୍ଧ୍ୟାରେ ତାହା ସରିଥିବା ଓ କୋର୍ଟ ରାୟ ସଂରକ୍ଷିତ ରଖି ଥିବା ସୂଚନା ମିଳିଛି । ହାଇକୋର୍ଟ ବିଚାରପତି ଜଷ୍ଟିସ କଇତ୍ ଏହାର ଶୁଣାଣୀ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଆଦେଶ ପାଇଥିବା ୪ ଅପରାଧୀଙ୍କ ମଧ୍ୟରୁ ମୁକେଶ ସିଂହ ଓ ବିନୟ ଶର୍ମାଙ୍କ କ୍ୟୁରେଟିଭ ପିଟିସନ୍ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କ୍ଷମା ଆବେଦନ ଆଗରୁ ଖାରଜ ହୋଇ ଯାଇଛି । ଅନ୍ୟ ଦୁଇ ଦୋଷୀ ଅକ୍ଷୟ ସିଂହ ଓ ପୱନ ଗୁପ୍ତାଙ୍କ ମଧ୍ୟରୁ ଅକ୍ଷୟ ସିଂହର କ୍ୟୁରେଟିଭ୍ ପିଟିସନ ଖାରଜ ହୋଇଥିବା ବେଳେ ଶନିବାର ଦିନ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ । ଚତୁର୍ଥ ଅପରାଧୀ ପୱନ ଅପରାଧ ଘଟାଇବା (୨୦୧୨ ଡ଼ିସେମ୍ବର) ସମୟରେ ସେ ନାବାଳକ ଥିଲା ଦର୍ଶାଇ ଫାଶୀରୁ ମୁକୁଳିବା ପାଇଁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଧାଇଁ ଥିଲା । ତେବେ, ଟ୍ରାଏଲ୍ କୋର୍ଟରୁ ଆରମ୍ଭ କରି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଏହି ଆବେଦନ ଖାରଜ ହୋଇଛି । ସୁପ୍ରିମ କୋର୍ଟଙ୍କ ରାୟର ପୁନଃସମୀକ୍ଷା ପାଇଁ ମଧ୍ୟ ସେ ପୁନର୍ବାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି ବିଫଳ ହୋଇଛି । ଏବେ ପୱନ ଗୁପ୍ତା ନିକଟରେ କ୍ୟୁରେଟିଭ ପିଟିସନ୍ ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଭଳି ଦୁଇଟି ବିକଳ୍ପ ବାକି ରହିଛି । ଅକ୍ଷୟ ସିଂହର ରାଜକ୍ଷମା ଆବେଦନ ଖାରଜ ହେବା ପରେ ପୱନ ଗୁପ୍ତାଙ୍କୁ ମୋହରା କରି ଓକିଲ ଏ.କେ.ସିଂହ ମାମଲା ଗଡାଇ ପାରିବେ । ଫାଶୀ ଟଳିବା ନେଇ ଦିଲ୍ଲୀ ନିର୍ବାଚନରେ ରାଜନୀତି ଗରମ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ନିର୍ଭୟା ମାମଲର ଦୋଷୀଙ୍କ ଫାଶୀ ଟାଳିବାରେ ପ୍ରମୁଖ ଭୂମିକା ନେଇଛନ୍ତି ବୋଲି ବୋଲି ଶାସକ ବିଜେପି ଅଭିଯୋଗ କରୁଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ କୋର୍ଟ ନିର୍ଦେଶ ଦେବାକୁ କେନ୍ଦ୍ର ସରକାର ହାଇକୋର୍ଟରେ ଆବେଦନ କରିବା ପଛରେ ଏହି ନିର୍ବାଚନ ରାଜନୀତି ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହି ପରିସ୍ଥିତିରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବେଶ୍ ମହତ୍ୱ ରଖୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS