କରୋନା ପରେ କାମରାଭାଇରସ୍ !
ପ୍ରସାଦ ରାଓ
୦୬ ଫେବୃୟାରୀ
ଚୀନର ହୁଆନ ସହରରୁ ବ୍ୟାପିଥିବା କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଭାରତୀୟ ବିମାନ ସେବା ଆଉ ଏକ ନୂଆ ଭାଇରସ୍ ଦ୍ୱାରା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏହା ହେଉଛି – ‘କାମରାଭାଇରସ୍’ । ଜାନୁୟାରୀ ୨୮ ତାରିଖ ଦିନ ‘ଇଂଡ଼ିଗୋ’ର ମୁମ୍ବାଇ-ଲକ୍ଷ୍ନୌ ବିମାନରେ ରିପବ୍ଲିକାନ ଟିଭି ସାମ୍ବାଦିକ ତଥା ଆଂକର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅପମାନିତ କରିଥିବା (?) ଅଭିଯୋଗରେ ଅଭିଯୁକ୍ତ ଷ୍ଟାଣ୍ଡ-ଅପ୍ କମେଡ଼ିଆନ୍ କୁନାଲ କାମରାଙ୍କ ନାମରେ ଏହି ଭାଇରସ୍ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଆକ୍ରାନ୍ତ କରିଛି । ଷ୍ଟାଣ୍ଡ-ଅପ୍ କମଡ଼େଆନ୍ କୁନାଲଙ୍କ ପାଇଁ ଆଉ ଜଣେ ଏନଆରଆଇ କୁନାଲ କାମରାଙ୍କୁ ‘ଏୟାର ଇଂଡ଼ିଆ’ କିଭଳି ଭାବେ ହଟହଟ୍ଟା କଲା – ତାହା ସଦ୍ୟ ପ୍ରକାଶିତ ଏକ ଖବରକାଗଜ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଜାନୁୟାରୀ ୨୮ ତାରିଖ ‘ଇଂଡ଼ିଗୋ’ ବିମାନ ଯାତ୍ରା ସମୟରେ ଷ୍ଟାଣ୍ଡ-ଅପ୍ କମେଡ଼ିଆନ୍ କୁନାଲ କାମରା ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବିଭିନ୍ନ ପ୍ରଶ୍ନ କରି ହଟହଟ୍ଟା କରିଥିବା ଖବର ସମସ୍ତଙ୍କୁ ବିସ୍ମିତ କରିଥିଲା । ଅର୍ଣ୍ଣବଙ୍କ ମୋଦୀ ସରକାର ସପକ୍ଷବାଦୀ ଆଭିମୁଖ୍ୟ ଟେଲିଭିଜନରେ ଖବର ଦେଖୁଥିବା ଦର୍ଶକମାନେ ଭଲ ଭାବେ ଜାଣନ୍ତି । ଷ୍ଟାଣ୍ଡ-ଅପ୍ କମେଡ଼ିଆନ୍ କୁନାଲ କାମରା ଏହି ସରକାରଙ୍କ ତୀବ୍ର ସମାଲୋଚକ ଭାବେ ଜଣାଶୁଣା । ଦୁହେଁ ଏକା ସମୟରେ ଗୋଟିଏ ବିମାନରେ ଯାତ୍ରା କରୁଥିବା ବେଳେ କୁନାଲ କାମରା ଅର୍ଣ୍ଣବଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ତାତ୍ସଲ୍ୟ କରିଥିବା ଅଭିଯୋଗ ହୋଇଛି । ଅର୍ଣ୍ଣବଙ୍କ ଆଡୁ ଅଭିଯୋଗ ହେଉ ହେଉ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିନା କୌଣସି ତଦନ୍ତରେ କୁନାଲ କାମରାଙ୍କ ବିମାନ ଯାତ୍ରା ଉପରେ ନିଷେଧାଦେଶ ଲଗାଇ ଦେଲେ । ‘ଇଂଡ଼ିଗୋ’ ପକ୍ଷରୁ କୁନାଲଙ୍କ ଉପରେ ଛଅ ମାସ ପାଇଁ ନିଷେଧାଦେଶ ଲାଗୁ ହୋଇଥିବା ବେଳେ ଏୟାର ଇଣ୍ଡିଆ ସମେତ ଅନ୍ୟ କେତେକ ବିମାନ ସେବା ପ୍ରଦାନକାରୀ କୁନାଲଙ୍କୁ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ବିମାନ ସେବା ଯୋଗାଇ ଦିଆଯିବ ନାହିଁ ବୋଲି କଟକଣା ଲଗାଇଛନ୍ତି । କୁନାଲ ଅର୍ଣ୍ଣବଙ୍କ ସହ ଯୁକ୍ତିତର୍କ କରିଥିଲେ ମଧ୍ୟ ବିମାନ ଚଳାଚଳରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ନ ଥିଲେ ଏବଂ ନିଜର ବ୍ୟବହାର ପାଇଁ ତୁରନ୍ତ କ୍ଷମା ମାଗି ନେଇ ଥିଲେ ବୋଲି ବିମାନର ପାଇଲଟ୍ ରିପୋର୍ଟଦେବା ସତ୍ୱେ କାମରାଙ୍କ ଉପରୁ କଟକଣା ହଟି ନାହିଁ । ଷ୍ଟାଣ୍ଡ-ଅପ୍ କମେଡ଼ିଆନ କୁନାଲ କାମରାଙ୍କ ଉପରେ ଲାଗୁ ହୋଇଥିବା ଏହି କଟକଣା ଯୋଗୁ ଗତ ସୋମବାର ଦିନ ସେହି ନାମଧାରୀ ଜଣେ ଏନଆରଆଇ (ବିଦେଶରେ ରହୁଥିବା ଭାରତୀୟ) କିଭଳି ‘ଏୟାର ଇଂଡ଼ିଆ’ ଦ୍ୱାରା ଅପମାନିତ ହେଲେ, ସେହି ଖବର ପୁନର୍ବାର କାମରା-ପ୍ରସଙ୍ଗକୁ ଉଜ୍ଜୀବିତ କରିଛି ।
ବୋଷ୍ଟନରେ ଇନସୁରାନ୍ସ ବ୍ୟବସାୟରେ ସଂପୃକ୍ତ ଥିବା ଦ୍ୱିତୀୟ କୁନାଲ କାମରାଙ୍କ କହିବା ଅନୁଯାୟୀ, ସେ ହାଇସ୍କୁଲ ସହପାଠୀଙ୍କ ସହ ରି-ୟୁନିୟନ ଉତ୍ସବରେ ଯୋଗ ଦେବା ସକାଶେ ରାଜସ୍ଥାନ ଆସିଥିଲେ । ଜାନୁୟାରୀ ୩୧ ତାରିଖରେ ସେ ଦିଲ୍ଲୀରେ ପହଂଚିବା ପରେ ସେହି ଦିନ ଟ୍ରେନ ଯୋଗେ ରନଥାମ୍ବୋର ଏବଂ ସେଠାରୁ ସଡ଼କ ପଥରେ ରାଜସ୍ଥାନ ଯାଇଥିଲେ । ଭାରତ ଆସିବା ପରେ ତାଙ୍କର ପ୍ରଥମ ଫ୍ଲାଇଟ୍ ଥିଲା ରାଜସ୍ଥାନରୁ ମୁମ୍ବାଇ । ସେ ଏୟାର ଇଂଡ଼ିଆ ବିମାନରେ ମୁମ୍ବାଇ ଯିବା ପାଇଁ ଟିକଟ କରିଥିଲେ । କିନ୍ତୁ, ତାଙ୍କ ନାମ ମଧ୍ୟ କୁନାଲ କାମରା ହୋଇଥିବାରୁ ହଟହଟ୍ଟା ହେବାକୁ ପଡି ଥିଲା । ରାଜସ୍ଥାନ-ମୁମ୍ବାଇ ବିମାନରେ ମୁମ୍ବାଇ ଯିବା ସକାଶେ ସେ ରାଜସ୍ଥାନ ବିମାନ ବନ୍ଦରରେ ପହଂଚି ବା ପରେ (ସୋମବାର) ଏଆରପୋର୍ଟ ଚେକ୍-ଇନ୍ କାଉଂଟରରେ ତାଙ୍କୁ ବୋର୍ଡ଼ିଂ ପାସ୍ ଦିଆ ଯାଇ ନ ଥିଲା । ସେ ୬ ମାସ ପାଇଁ ବିମାନ ସେବା ପାଇବାରୁ ବାସନ୍ଦ ହୋଇ ଥିବାରୁ ତାଙ୍କ ପିଏନଆର୍ ବାତିଲ ହୋଇଯାଇଛି ବୋଲି ଏୟାର ଇଂଡ଼ିଆ କର୍ତୃପକ୍ଷ ସୂଚନା ଦେଇଥିଲେ । ତେବେ, ସେ ନୁହନ୍ତି, ଷ୍ଟାଣ୍ଡ-ଅପ୍ କମେଡ଼ିଆନ କୁନାଲ କାମରା ବାସନ୍ଦ ହୋଇଛନ୍ତି ବୋଲି ବୋଷ୍ଟନ୍ ବାସିନ୍ଦା କୁନାଲ କାମରା ଏୟାର ଇଂଡ଼ିଆ କର୍ତୃପକ୍ଷରୁ ବୁଝାଇବା ପରେ ଯାଇ ଏଆଇ-୬୧୨ ବିମାନରେ ମୁମ୍ବାଇ ଯାତ୍ରା ପାଇଁ ତାଙ୍କୁ ବୋର୍ଡ଼ିଂ ପାସ୍ ମିଳି ଥିଲା ।
ଏସଂପର୍କରେ ଏୟାର ଇଂଡ଼ିଆର ସ୍ପଷ୍ଟୀକରଣ ହେଉଛି, ଯେହେତୁ ଷ୍ଟାଣ୍ଡ-ଅପ୍ କମେଡ଼ିଆନ କୁନାଲ କାମରାଙ୍କୁ ଛଅ ମାସ ପାଇଁ ବିମାନ ସେବାରୁ ବିଂଚିତ କରାଯାଇଛି ଏବଂ ଏୟାର ଇଂଡ଼ିଆ କଂପ୍ୟୁଟରରେ ତାହା ଅପ୍ଲୋଡ୍ ହୋଇଛି, କଂପ୍ୟୁଟର୍ ଏନଆରଆଇ କୁନାଲ କାମରା ଓ ଷ୍ଟାଣ୍ଡ-ଅପ୍ କମେଡ଼ିଆନ କୁନାଲ କାମରାଙ୍କ ମଧ୍ୟରେ କୌଣସି ଫରକ ବାରି ନ ପାରି ସ୍ୱତଃ ଏନଆରଆଇ କୁନାଲ କାମରାଙ୍କ ମୁମ୍ବାଇ ଫ୍ଲାଇଟ୍ ଟିକଟ ବାତିଲ କରିଥିଲା ଏବଂ ଚେକ୍-ଇନ୍ କାଉଂଟରରେ ତାଙ୍କୁ ବୋର୍ଡିଂ ପାସ୍ ମିଳି ନଥିଲା । ପରେ, ଏଆଇ କର୍ତୃପକ୍ଷ ଜାଣିବାରୁ ଏହି ତୃଟି ସୁଧାରି ଥିଲେ । ଏନଆରଆଇ କୁନାଲ କାମରା ମଧ୍ୟ ରାଜସ୍ଥାନ ବିମାନବନ୍ଦର ଅଭିଜ୍ଞତାରୁ ଶିକ୍ଷାଲାଭ କରି ବୁଧବାର ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିବା ଟିକଟ (‘ଇଂଡ଼ିଗୋ’ ୬ଇ-୧୭୪ ବିମାନରେ) ରାଜସ୍ଥାନରୁ ହିଁ କରି ନେଇ ଥିଲେ । ସୋମବାର ରାଜସ୍ଥାନ ବିମାନ ବନ୍ଦରରେ ଯେଭଳି ହଟ୍ଟହଟା ହେବାକୁ ପଡିବା ବୁଧବାର ଦିନ ମୁମ୍ବାଇ ବିମାନ ବନ୍ଦରରେ ସେଭଳି ସ୍ଥିତି ହେବା ଆଶଙ୍କାକୁ ଏଡାଇବା ପାଇଁ ସେ ରାଜସ୍ଥାନରୁ ଆଗୁଆ ବିମାନ ଟିକଟ କରି ନେଲେ ବୋଲି ଏନଆରଆଇ କୁନାଲ କାମରା ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି । ବାସ୍ତବରେ ସେ ଯେଉଁ ଦିନ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ଷ୍ଟାଣ୍ଡ-ଅପ୍ କମଡ଼େିଆନ୍ କୁନାଲ କାମରାଙ୍କ ମଧ୍ୟ ମୁମ୍ବାଇ-ଲକ୍ଷ୍ନୌ ଭିତ୍ତିକ ‘ଇଂଡ଼ିଗୋ’ ବିମାନରେ ବାକ୍ ବିତଣ୍ଡା ହୋଇଥିବା ଏବଂ ଇଂଡ଼ିଗୋ,ଏଆଇ,ସ୍ପେଶାଲ ଜେଟ୍ ଓ ଗୋ-ଏୟାର ତାଙ୍କୁ ବିମାନ ସେବାରୁ ବାସନ୍ଦ କରିଥିବା ଖବର ପାଇଲେ ସେହି ଦିନ ହିଁ ସେ (ଏନଆରଆଇ କୁନାଲ କାମରା) ଭାରତ ଆସିବାକୁ ପ୍ରସ୍ତୁତି ଚଳାଇ ଥିଲେ । ଏକା ନାମଧାରୀ ହୋଇ ଥିବାରୁ ଭାରତରେ ବିମାନ ଯାତ୍ରା ସମୟରେ ତାଙ୍କୁ ଅଡୁଆର ସମ୍ମୁଖୀନ ହେବାକୁ ପଡି ପାରେ ବୋଲି ବୋଷ୍ଟନର ସାଙ୍ଗମାନେ ସତର୍କ କରିଥିଲେ । ତେବେ, କୁନାଲ ଭାରତରେ ବିଭିନ୍ନ ସ୍ଥାନକୁ ଯିବା ସକାଶେ ‘ଇଂଡ଼ିଗୋ’ ଓ ଏୟାର ଇଂଡ଼ିଆରେ ଟିକଟ କରି ଥିବାରୁ ପଛଘୁଂଚା ନ ଦେଇ ଭାରତ ଆସି ଥିଲେ । ଅନ୍ତତଃ ଭାରତୀୟ ଏୟାରଲାଇନ୍ସ୍ ଦୁଇ ଜଣ ଏକା ନାମଧାରୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ତୃଟି କରିବେ ନାହିଁ ବୋଲି ତାଙ୍କର ବିଶ୍ୱାସ ଥିଲା । ତେବେ, ତାହା ଭୁଲ ପ୍ରମାଣିତ ହୋଇଛି ବୋଲି ଏନଆରଆଇ କାମରା କହିଛନ୍ତି ।
ଏଠି କୁନାଲ କାମରା (ବୋଷ୍ଟନ୍) ରାଜସ୍ଥାନ ବିମାନବନ୍ଦରରେ ହଟହଟ୍ଟା ହେବା ଘଟଣା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଷ୍ଟାଣ୍ଡ-ଅପ୍ କମେଡ଼ିଆନ କୁନାଲ କାମରାଙ୍କ ବିରୋଧରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ତ୍ୱରିତ କାର୍ଯ୍ୟାନୁଷ୍ଠାନ । ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ରିପବ୍ଲିକାନ୍ ଟିଭି ସରକାରଙ୍କ ଗୋଡାଣିଆ ବୋଲି ଅଭିଯୋଗ ହୁଏ । ଷ୍ଟାଣ୍ଡ-ଅପ୍ କମେଡ଼ିଆନ କୁନାଲ କାମରା ମଧ୍ୟ ଜେଏନୟୁର ପ୍ରାକ୍ତନ ଛାତ୍ର ନେତା ତଥା ବର୍ତମାନର ରାଜନେତା ଡ. କହ୍ନେୟା କୁମାରଙ୍କ ଜଣେ ଦୃଢ ସମର୍ଥକ । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଥାଇ ବିଭିନ୍ନ ସମସ୍ୟା ଉତ୍ଥାପନ କରିବା ଦ୍ୱାରା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ କ୍ରୋଧରେ ଶିକାର ହୋଇ ଥିବା ଓ ପରେ ୨୦୧୬ ଜାନୁୟାରୀରେ ଆତ୍ମହତ୍ୟା କରିଥିବା ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ପରିବାରକୁ ନେଇ ଜାନୁୟାରୀ ୨୮ ତାରିଖ ‘ଇଂଡ଼ିଗୋ’ ବିମାନରେ ଅର୍ଣ୍ଣବ-କାମରା ବାକ୍ ବିତଣ୍ଡା ହୋଇଥିବା ପରବର୍ତୀ ସମୟରେ ଚର୍ଚ୍ଚାକୁ ଆସିଛି । କାମରାଙ୍କ ସମାଲୋଚନା ପ୍ରେସ୍ ସ୍ୱାଧୀନତାର ପରିପନ୍ଥୀ କୁହାଯାଇପାରେ । ତେବେ, କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତଦନ୍ତକୁ ସମୟ ନ ଦେଇ କାମରାଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମାଲୋଚନା ବିଷୟ ହୋଇଛି । ‘ଗୋଦି ମିଡ଼ିଆ’ ନ ହେଲେ ଏହା କଣ ସମ୍ଭବ (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ସାମ୍ବାଦିକତାର ଏହି ଦିଗଟିକୁ କଣ ଅଣଦେଖା କରି ହେବ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS