ସିଏଏକୁ ବିରୋଧ: ଦିଲ୍ଲୀରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ, ସାହିନବାଗ ଅବରୋଧକୁ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, ୧୭ରେ ପରବର୍ତୀ ଶୁଣାଣୀ
ପ୍ରସାଦ ରାଓ
୧୦ ଫେବୃୟାରୀ
ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଦିଲ୍ଲୀରେ ବିରୋଧ ଅବ୍ୟାହତ ରହିଛି । ଜାମିଆ ମିଲିଆ ଇସଲାମିଆ ଛାତ୍ରଛାତ୍ରୀମାନେ ଆଜି ସଂସଦ ଅଭିମୁଖେ ଶୋଭାଯାତ୍ରା କରି ପୁଲିସ ଆଡୁ ଦୃଢ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ସାତ ନମ୍ବର ଫାଟକରୁ ଏହି ଶୋଭାଯାତ୍ରା ବାହାରି ସଂସଦ ଭବନ ଅଭିମୁଖେ ଯାଇ ଥିଲା । ଶେଷ ବ୍ୟାରିକେଡ୍ ନିକଟରେ ପୁଲିସ ସେମାନଙ୍କୁ ରୋକିବା ଫଳରେ ପୁଲିସ ସହ ଶୋଭାଯାତ୍ରାକାରୀଙ୍କ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ହାତାହାତିରେ କିଛି ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଏବଂ କେତେକ ଶୋଭାଯାତ୍ରାକାରୀଙ୍କୁ ପୁଲିସ ଉଠାଇ ନେଇଛି । ତଥାପି, ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବିରୋଧ ଚାଲୁ ରହିଥିଲା । ଶୋଭାଯାତ୍ରାକାରୀ ଛାତ୍ରଛାତ୍ରୀ ପୁଲିସ ବ୍ୟାରିକେଡ଼ ଭାଂଗିବା ଆଗକୁ ମାଡି ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଡ଼ିସେମ୍ବର ୧୫ରେ ଘଟିଥିବା ଅପ୍ରିତିକର ଘଟଣାର ଦ୍ୱାହି ଦେଇ ସେଭଳି ନ କରିବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳି ଥିଲା । ଡ଼ିସେମ୍ବର ୧୫ ତାରିଖରେ ମଧ୍ୟ ସଂସଦ ଭବନ ଆଡକୁ ମାଡି ଯିବାକୁ ଉଦ୍ୟମ କରିଥିବା ଶୋଭାଯାତ୍ରାକାରୀଙ୍କୁ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି, ଟେକାପତର ମାଡ ଓ ଗୁଳିମାଡ ଭଳି ଘଟଣା ଘଟି ଥିଲା । ସିଏଏ-ବିରୋଧୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଗୁଳିମାଡରେ ଜଣକର ମୃତ୍ୟୁ ଘଟିଥିଲା । ପୂର୍ବରୁ ପୁଲିସ ଏହି ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରି ଥିବା ଓ ବ୍ୟାପ ଭଂଗାରୁଜା କରି ଥିବା ଭଳି ଘଟଣା ଘଟିଛି । ସେଭଳି ପରିସ୍ଥିତିକୁ ଏଡାଇବାକୁ ଆଜି ପୁଲିସ ଶୋଭାଯାତ୍ରାକାରୀ ଛାତ୍ରଛାତ୍ରୀଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳି ଥିଲା ।
କେବଳ ଜାମିଆ ମିଲିଆ ଛାତ୍ରଛାତ୍ରୀ ନୁହନ୍ତି, ସଂଖ୍ୟାଲଘୁ ସଂପ୍ରଦାୟ ବହୁଳ ସାହିନବାଗରେ ସିଏଏ,ଏନଆରସି ବିରୋଧରେ ୫୮ ଦିନ ହେଲା ରାସ୍ତା ଅବରୋଧ ଜାରି ରହିଛି । ଏହି ରାସ୍ତା ଅବରୋଧ ସମୟରେ ଜଣେ ୪ ମାସର ଶିଶୁଙ୍କ ମୃତ୍ୟୁ ଘଟି ଥିବାରୁ ଆଜି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ୪ ମାସର ଶିଶୁ ସ୍ୱଇଚ୍ଛାରେ ଧାରଣା ସ୍ଥଳରେ ପହଂଚି ଥିଲା କି (?) ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ପ୍ରଶ୍ନ କରିବା ସହ କୌଣସି ପରିସ୍ଥିତିରେ ଏଭଳି ରାସ୍ତା ଅବରୋଧ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏସଂପର୍କରେ ସୁପ୍ରିମ କୋର୍ଟ ଆଜି ଦିଲ୍ଲୀ ପୁଲିସ, କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରି ଫେବୃୟାର ୧୭ରେ ମାମଲାର ପରବର୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରିଛନ୍ତି । ସୁପ୍ରିମ କୋର୍ଟଙ୍କ କଠୋର ମନୋଭାବକୁ ନେଇ ଜାମିଆ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀଙ୍କ ପ୍ରତିକ୍ରୀୟା ହେଉଛି – ସୁପ୍ରିମ କୋର୍ଟ ସିଏଏ ଉପରେ କୌଣସି ଶୁଣାଣୀ ନ କରି ସମୟ ଗଡାଇ ଚାଲି ଥିବା ଦୁଃଖର ବିଷୟ । ସାହିନବାଗରେ ରାସ୍ତା ଅବରୋଧ ଓ ଧାରଣା ସମୟରେ ଜଣେ ଚାରି ମାସର ଶିଶୁର ମୃତ୍ୟୁ ଘଟି ଥିବା ନେଇ ଜନୈକ ବିଜେପି କାର୍ଯ୍ୟକର୍ତା ସୁପ୍ରିମ କୋର୍ଟଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବା ପରେ କୋର୍ଟ କଠୋର ମନୋଭାବ ପୋଷଣ କରି ଜଣେ ଚାରି ମାସର ଶିଶୁକୁ ଧାରଣାରେ ବସିବାକୁ ନିଆଯାଇ ପାରିବ କି (?) ବୋଲି ପ୍ରଶ୍ନ କରି ପୁଲିସ ଓ ସରକାରଙ୍କ ଉତ୍ତର ଚାହିଁଛନ୍ତି । କୋର୍ଟ ଧାରଣା ଉପରେ ରୋକ୍ ଲଗାଇ ନ ଥିଲେ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ସିଏଏ, ଏନଆରସିକୁ ନେଇ କେନ୍ଦ୍ର ସରକାର ଓ ବିରୋଧୀଙ୍କ ସଂପର୍କ ଏତେଦୂର ତୀକ୍ତ ହେଲାଣି ଯେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଓ ସାହିନବାଗରେ ୪ ଦିନରେ ତିନିଟି ଗୁଳିକାଣ୍ଡ ଘଟଣା ଘଟିଛି । ଦୁଇଟି ଗୁଳିକାଣ୍ଡ ଘଟଣାରେ ପୁଲିସ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିବା ବେଳେ ଶେଷ ଗୁଳିକାଣ୍ଡ ଘଟଣାରେ କେହି ଗିରଫ ହୋଇ ନାହାନ୍ତି । ଗୁଳି ଚଳାଇବା ପରେ ଧରା ପଡିଥିବା ଯୁବକ ଦ୍ୱୟ ହିନ୍ଦୁତ୍ୱବାଦୀ କୁହାଯାଉଛି । ସାହିନବାଗରେ ପ୍ରଥମ ଗୁଳିକାଣ୍ଡ ଘଟାଇ ଥିବା ଯୁବକ ସାବାଳକ ହୋଇଥିବା ବେଳେ ଜାମିଆ ମିଲାଆ ଛାତ୍ରଛାତ୍ରୀଙ୍କ ଉପରେ ଗୁଳି ମାଡ଼ କରିଥିବା ଯୁବକ ନାବାଳକ । ନାବାଳକ ଜଣକ ସଂସଦ ଅଭିମୁଖେ ଶୋଭାଯାତ୍ରାରେ ବାହାରୁ ଥିବା ଜାମିଆ ଛାତ୍ରଛାତ୍ରଙ୍କ ଉପରେ ପୁଲିସ ଉପସ୍ଥିତିରେ ଗୁଳି ମାଡ଼ କରିଥିଲା ଏବଂ ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି । ଏଥି ପୂର୍ବରୁ ଦିଲ୍ଲୀ ପୁଲିସ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପଶି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିବା ଓ ବ୍ୟାପକ ଭଂଗାରୁଜା କରିବା ଅଭିଯୋଗରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଜେଏନୟୁ ଛାତ୍ରଛାତ୍ରୀ ଆଜି ବି ଏହାର ପ୍ରତିବାଦ କରୁଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଅବସରରେ ସାହିନବାଗ ଓ ଜାମିଆ ମିଲିଆ ଗୁଳିକାଣ୍ଡ ଭାରତୀୟ ନିର୍ବାଚନ କମିସନକୁ ମଧ୍ୟ କ୍ଷୁବ୍ଧ କରିଥିଲା । କମିସନଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ସାହିନବାଗ ଅଂଚଳ ଦାୟିତ୍ୱରେ ଥିବା ପୁଲିସ ଡ଼ିସିପିଙ୍କୁ ତୁରନ୍ତ ଅନ୍ୟତ୍ର ହଟାଇ ନୂଆ ଜଣେ ଡ଼ିସିପିଙ୍କୁ ନିଯୁକ୍ତ କରିଛନ୍ତି । ତେବେ, ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କ ଉପରେ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଲସ ମାତ୍ରାଧିକ୍ୟ ଓ ଗୁଣ୍ଡାଙ୍କ ଆକ୍ରମଣ ବରୋଧରେ ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନ ଥିବାରୁ ପୁଲିସ, କେନ୍ଦ୍ର ସରକାର ଓ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ କ୍ଷୋଭ ରହିଛି । ଆଜିର ଶୋଭାଯାତ୍ରାରେ ତାହା ପ୍ରତିଫଳିତ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS