ସୁରତ୍ ସୂତାକଳରେ ବିଦ୍ୟୁତ ଆଘାତରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଭଂଜନଗରରୁ ପ୍ରଦ୍ୟୁମ୍ନ ପାତ୍ର
ସୁରତର ଏକ ସୂତାକଳରେ କାର୍ଯ୍ୟରତ ଶ୍ରମିକ ପ୍ରଫୁଲ୍ଲ ସେଠୀଙ୍କ ଗତ ଶୁକ୍ରବାର ରାତିରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଛି । ସୂତାକଳ କର୍ତୃପକ୍ଷଙ୍କ ଅବହେଳା କାରଣରୁ ଓଡ଼ିଶା ଗଂଜାମ ଜିଲ୍ଲାର ଏହି ସୂତାକଳ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବାକୁ ସୂତାକଳ ଶ୍ରମିକ ଓ ସୁରତର ପ୍ରବାସୀ ଓଡ଼ିଆ ସଂଘ ଦାବି କରିଛନ୍ତି । ତେବେ, କାରଖାନା ମାଲିକ ମୃତ ପ୍ରଫୁଲ୍ଲଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମନା କରି ଦେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଦୁଇ ଦିନ ହେଲା ଶବ ବ୍ୟବଚ୍ଛେଦ ନ ହୋଇ ପଡି ରହି ଥିଲା । ଶ୍ରମିକମାନେ ଶବକୁ ଅଟକାଇ ରଖି ଆନ୍ଦୋଳନ ଚାଲୁ ରଖିବାରୁ ଏବଂ ଓଡ଼ିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ୍ୟ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ସୁରତ ଯାଇଛନ୍ତି । ଏହି ପ୍ରତିନିଧି ଦଳ ସୁରତରେ ପହଂଚି ଆନ୍ଦୋଳକାରୀ ଶ୍ରମିକଙ୍କ ସହ ଆଲୋଚନା କରିବା ପରେ ୯ ତାରିଖ ଶବ ବ୍ୟବଚ୍ଛେଦ ହୋଇଛି । ସୂତାକଳ ଶ୍ରମିକ ଓ ସୁରତ ପ୍ରବାସୀ ଓଡ଼ିଆ ସଂଘ ମୃତ ସୂତାକଳ ଶ୍ରମିକ ପ୍ରଫୁଲ୍ଲ ସେଠୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ସହ ଶ୍ରମିକଙ୍କ ୧୦ ଦଫା ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । କ୍ଷତିପୂରଣ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସୁରତ ପ୍ରବାସୀ ଓଡ଼ିଆ ସଂଘର ମୁଖ୍ୟ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାବରଡା ଗ୍ରାମର ପାଣୁ ସେଠୀଙ୍କ ପୁଅ ପ୍ରଫୁଲ୍ଲ ସେଠୀ (୫୦) ପ୍ରାୟ ୨୫ ବର୍ଷ ହେଲା ପରିବାର ପ୍ରତିପୋଷଣ ପାଇଁ ଗୁଜରାଟର ସୁରତ୍ ସହରକୁ ଯାଇ ଡ଼ାଇମଂଡ ନଗର ଲଚ୍ଛନା ବିପିଏଲ ନଗର ପ୍ଲଟ ନମ୍ବର ୩୦୬-୩୦୯ରେ ଥିବା ମୟୁର ଭାଇ ସୂତାକଳରେ ଶ୍ରମିକ ଭାବେ କାର୍ଯ୍ୟ କରୁ ଥିଲେ । ଗତ ଶୁକ୍ରବାର ରାତି ୯ଟା ସମୟରେ ପ୍ରଫୁଲ୍ଲ କାମ କରୁଥିବା ବେଳେ ଏକ ଛିଡି ଯାଇ ଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ସହଯୋଗୀ ଶ୍ରମିକମାନେ ତାଙ୍କୁ ତୁରନ୍ତ ସେଠାକାର ସରକାରୀ ହସପିଟାଲରେ ଭର୍ତର୍ି କରିଥିଲେ ମଧ୍ୟ ହସପିଟାଲରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟି ଥିଲା । ପ୍ରଫୁଲ୍ଲଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବାକୁ ଶ୍ରମିକମାନେ ଦାବି କଲେ ମଧ୍ୟ ମାଲିକ ନ ଶୁଣିବାରୁ ଶନିବାର ସକାଳୁ ଶତାଧିକ ଶ୍ରମିକ ସୁରତ ପ୍ରବାସୀ ଓଡ଼ିଆ ସଂଘର ନେତା ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଶବକୁ ବ୍ୟବଚ୍ଛେଦ ପାଇଁ ନ ଛାଡି ଧାରଣାରେ ବସି ଥିଲେ । କ୍ଷତିପୂରଣ ନ ମିଳିବା ଯାଏଁ
ଆନ୍ଦୋଳନ ଚାଲିବ ବୋଲି ସେମାନେ କହିଛନ୍ତି ।
କାର୍ଯ୍ୟରତ ସମସ୍ତ ଓଡ଼ିଆ ଶ୍ରମିକଙ୍କ ପଂଜୀକରଣ କରାଯିବା, ବ୍ୟାଙ୍କ ଜରିଆରେ ସେମାନଙ୍କୁ ମାସିକ ଦରମା ପୈଠ କରାଯିବା, ୧୨ ଘଂଟା ବଦଳରେ ୮ ଘଂଟା କାର୍ଯ୍ୟ ନିର୍ଘଂଟ ଧାର୍ଯ୍ୟ କରାଯିବା, ଶ୍ରମିକଙ୍କ ପାଇଁ ଇଏସଆଇ ଓ ଫିଏଫ୍ ସୁବିଧା, କାର୍ଯ୍ୟରତ ଶ୍ରମିକଙ୍କୁ ସେଫ୍ଟି ଜ୍ୟାକେଟ୍ ଯୋଗାଇ ଦିଆଯିବା ଏବଂ ସମସ୍ତ ଶ୍ରମିକଙ୍କୁ ବୀମାଭୁକ୍ତ କରାଯିବା ସହ କାମ କରୁଥିବା ଅବସ୍ଥାରେ ମୃତ୍ୟୁବରଣ କରୁଥିବା ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବାକୁ ସୁରତ ପ୍ରବାସୀ ଓଡ଼ିଆ ସଂଘ ଦାବି କରିଛି । ସୂତାକଳ ଶ୍ରମିକ ଓ ସୁରତ ପ୍ରବାସୀ ଓଡ଼ିଆ ସଂଘ ଏବଂ ସୁରତ ପୁଲିସ ଓ ସୂତାକଳ ମାଲିକଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ନ ହେବାରୁ ସଂଘ ଓଡ଼ିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ । ପୋଲସରା ବିଧାୟକ ସାହୁ ଏକ ୫ ଜଣିଆ ପ୍ରତିନିଧି ଦଳ ସହ ସୁରତରେ ପହଂଚିବା ପରେ ୪୧ ଘଂଟା ଧରି ପଡି ରହି ଥିବା ପ୍ରଫୁଲ୍ଲଙ୍କ ଶବର ବ୍ୟବଚ୍ଛେଦ ହୋଇଛି । ବିଧାୟକ ସାହୁ ଓ ଓଡ଼ିଶାର ନେତୃତ୍ୱରେ ପାଂଚ ଜଣିଆ ପ୍ରତିନିଧି ଦଳ ସୁରତ ପ୍ରଶାସନ ସହ ଆଲୋଚନା ଜାରି ରଖି ଥିବା ରବିବାର ଖବର ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS