ଦିଲ୍ଲୀରେ ହିଂସା ଅବ୍ୟାହତ, ନଅ ମଲେଣି, ଶତାଧିକ ଆହତ
ପ୍ରସାଦ ରାଓ
୨୫ ଫେବୃୟାରୀ
ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ୨୪ ତାରିଖରୁ ଆରମ୍ଭ ହୋଇ ଥିବା ବ୍ୟାପକ ହିଂସାରେ ଅଦ୍ୟାବଧି ୯ ଜଣଙ୍କ ମୃତ୍ୟୁ ଘଟି ଥିବା ବଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ହସପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଶତାଧିକ ଆହତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଗୁଳି ବାଜି ଥିବା ହସପିଟାଲରୁ ଜଣାପଡିଛି । ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରା, ଚାନ୍ଦ ବାଗ୍, କରୱାଲନଗରରେ ବ୍ୟାପକ ଜଳାପୋଡା ହୋଇଥିବା ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଜଣେ ପୁଲିସ କର୍ମଚାରୀ ଅଛନ୍ତି । ଅପରାହ୍ନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ ସହରର ବିଭିନ୍ନ ଅଂଚଳରେ ହିଂସାକାଣ୍ଡ ଓ ଜଳାପୋଡା ଅବ୍ୟାହତ ରହିଛି । ସିଏଏ ବିରୋଧରେ ଚାଲି ଥିବା ଆନ୍ଦୋଳନକୁ ଦବାଇବା ପାଇଁ ସିଏଏ ସମର୍ଥକଙ୍କ ଆଡୁ ଉତ୍ତେଜକ ବୟାନ ଓ ପାଲଟା ଶୋଭାଯାତ୍ର କାରଣରୁ ଦିଲ୍ଲୀ ପରିସ୍ଥିତି ଗମ୍ଭୀର ହୋଇଛି । କାଲି ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରୁ ଉତ୍ତେଜନାର ସୂତ୍ରପାତ ହୋଇଥିଲା । ଆଜି ମଧ୍ୟ ଉତ୍ତର-ପୂର୍ବ ଦିଲ୍ଲୀର ୮ରୁ ୯ କିମି ପରିଧୀ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସିଏଏକୁ ବିରୋଧ କରି ୭୦ ଦିନରୁ ଅଧିକ ହେଲା ସାହିନବାଗରେ ଚାଲି ଥିବା ରାସ୍ତା ଅବରୋଧ ସଂପର୍କୀତ ମାମଲା କାଲି ସୁପ୍ରିମ କୋର୍ଟରେ ଶୁଣାଣୀ ହେବାକୁ ଥିବା ବେଳେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟି ଥିବା ହିଂସାର ମଧ୍ୟ କୋର୍ଟ ଶୁଣାଣୀ କରିବେ ବୋଲି ଆଜି ସୂଚନା ମିଳିଛି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟାହ୍ନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଓ ଦିଲ୍ଲୀ ଏଲ.ଜି ଏବଂ ସମସ୍ତ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ଜରୁରୀ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପରିସ୍ଥିତି ଗମ୍ଭୀର ଥିବା ଦେଖି ସେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସହ ମିଶି ଶାନ୍ତି ବଜାୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ଦଳର ନେତାମାନେ ମଧ୍ୟ ଶାନ୍ତି ବଜାୟ ରଖିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ସପତ୍ନିକ ଓ ସପରିବାର ଭାରତ ଗସ୍ତକୁ ନେଇ ଦେଶରେ ଉତ୍ସାହର ବାତାବରଣ ରହିଥିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ସମସ୍ତ ପ୍ରଶାସନ ଏବଂ ପୁଲିସ ବାହିନୀ ଏହି କାର୍ଯ୍ୟକ୍ରମକୁ ସୁରୁଖୁରରେ ସଂପନ୍ନ କରିବା ପାଇଁ ଗୁଜରାତ ମୁହାଁ ହୋଇଥିବା ବେଳେ ଗତକାଲି ଉତ୍ତର-ପୂର୍ବ ଦିଲ୍ଲୀର ଜଫରାବାଦ ଓ ମୌଜପୁରରେ ସିଏଏ ସପକ୍ଷବାଦୀ ରାଲିକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲ । ଦିଲ୍ଲୀର ଗୋକୁଳପୁରୀ ଅଂଚଳରେ ସିଏଏ ବିରୋଧୀ ଓ ସପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ । ଦୁଇ ପକ୍ଷ ମଧ୍ୟରେ ଭୟଂକର ସଂଘର୍ଷ ଘଟି ଦିଲ୍ଲୀର ଅନ୍ୟ ଅଂଚଳକୁ ତାହା ବ୍ୟାପିଛି । ଏହି ସଂଘର୍ଷ ସମୟରେ ମୌଜପୁର ଅଂଚଳରେ ମୁତୟନ ଥିବା ପୁଲିସ ମୁଖ୍ୟ କନୋଷ୍ଟବଳ ରତନ ଲାଲଙ୍କ (୪୪) ମୁଣ୍ଡରେ ଗୁରୁତର ଆଘାତ ଲାଗି ଥିଲା । ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି ।
ଦିଲ୍ଲୀର ସାହିନବାଗ ସମେତ ବିଭିନ୍ନ ଅଂଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲି ଥିବା ବେଳେ ବିଜେପିର କିଛି ନେତାଙ୍କ ହିଂସାତ୍ମକ ବୟାନବାଜୀ ଏବଂ ସିଏଏ ସପକ୍ଷବାଦୀ ଶୋଭାଯାତ୍ରା ହିଂସାକୁ ପ୍ରୋତ୍ସାହିତ କରିଛି ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ଟ୍ରମ୍ପଙ୍କ ଗସ୍ତକୁ ଭଣ୍ଡୁର କରିବା ପାଇଁ ଏହା ବିରୋଧୀଙ୍କ ପ୍ରୟାୟ ଥିଲା ବୋଲି ଶାସକ ଦଳ ଅଭିଯୋଗ କରିଛି । ଦୁଇ ମାସ ହେଲା ସିଏଏ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଏହା ସମାଧାନ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଓ ତାଙ୍କ ପୁଲିସ ବାହିନୀ ଆଡୁ ଉଦ୍ୟମ ନ ହେବା ଏବଂ ଦିଲ୍ଲୀ ସରକାର ମଧ୍ୟ ନିରବଦ୍ରଷ୍ଟା ରହିବା ସମାଲୋଚନାର ବିଷୟ ହୋଇଛି । ଦିଲ୍ଲୀର ହିଂସାତ୍ମକ ପରିସ୍ଥିତି ପାଇଁ ତାଙ୍କରି ଦଳର କିଛି ନେତାଙ୍କ ହିଂସାତ୍ମକ ବୟାନବାଜୀକୁ ସାହିନବାଗ ବିଜେପି ଏମପି ଗୌତମ ଗମ୍ବୀର ଦାୟି କରିବା ସହ ବିଜେପି ନେତା କପିଳ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିବା ଆଜି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।
ଅପରପକ୍ଷରେ, ସିଏଏକୁ ସମର୍ଥନ ନାମରେ ହିଂସାର ବାତାବରଣ ସୃଷ୍ଟି କରାଯାଉଥିବା ସତ୍ୱେ ଏହି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସିଏଏ ବିରୋଧୀ ଆଜି ସୂଚନା ଦେଇଛନ୍ତି । ସିଏଏ ବିରୋଧରେ ସାହିନବାଗରେ ଚାଲି ଥିବା ଆନ୍ଦୋଳନକୁ ସୁପ୍ରମି କୋର୍ଟ ବିରୋଧ କରି ନ ଥିଲେ ମଧ୍ୟ ଦୀର୍ଘ ଦିନ ଧରି ଚାଲିଥିବା ରାସ୍ତା ଅବରୋଧକୁ ହଟାଇବା ସକାଶେ ଦୁଇ ଜଣ ମଧ୍ୟସ୍ଥିଙ୍କ ଜରିଆରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚଳାଇ ଥିଲେ । ମଧ୍ୟସ୍ଥି ଦ୍ୱୟ ତିନି ଦିନର ଆଲୋଚନା ବିବରଣୀ କୋର୍ଟରେ ଉପସ୍ଥାପନ କରି ସାରିଛନ୍ତି । କାଲି ଏହା ଉପରେ କୋର୍ଟ ଶୁଣାଣୀ କରିବାକୁ ଥିବା ବେଳେ ସିଏଏକୁ ସମର୍ଥନ ନାମରେ ଦିଲ୍ଲୀର ଯେଉଁ ହିଂସାର ବାତାବରଣ ସୃଷ୍ଟି କରାଗଲା ସେଥିରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । କାଲି ଦିଲ୍ଲୀର ହିଂସାଜନିତ ପରିସ୍ଥିତି ଉପରେ ମଧ୍ୟ ସୁପ୍ରିମ କୋର୍ଟରେ ଶୁଣାଣୀ ହେବ ବୋଲି ସୂଚନା ମିଳିଛି । କୋର୍ଟଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସାହିନବାଗରେ ଚାଲି ଥିବା ରାସ୍ତା ଅବରୋଧକୁ ହଟାଇବା ପାଇଁ ସୁପ୍ରିମ କୋର୍ଟ ମଧ୍ୟସ୍ଥି ପଠାଇ ଆଲୋଚନାର ବାତାବରଣ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାର ବା ଦିଲ୍ଲୀ ସରକାର ନିରବଦ୍ରଷ୍ଟା ରହିବା ସମାଲୋଚନାର ବିଷୟ ଥିଲା । ଏବେ, ସିଏଏ-ସପକ୍ଷବାଦୀ ଶୋଭାଯାତ୍ରା ନାମରେ ଦିଲ୍ଲୀରେ ହିଂସାକୁ ପ୍ରୋତ୍ସାହିତ କରାଯାଇ ସିଏଏ-ବିରୋଧୀ ଆନ୍ଦୋଳନ ଦବାଇବାକୁ ସରକାରଙ୍କ କୌଶଳ ପଦାରେ ପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS