କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧, ସାତ ମୃତ, ମାର୍ଚ୍ଚ୨୯ ରାତି ଯାଏଁ ‘ଲକ୍ ଡ଼ାଉନ୍’
ପ୍ରସାଦ ରାଓ
୨୨ ମାର୍ଚ୍ଚ
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ତାରିଖ ଅପରାହ୍ନ ସୁଦ୍ଧା ୩୪୧କୁ ବୃଦ୍ଧି ପାଇଛି । ତେଣୁ, କରୋନା ଭାଇରସ୍ ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ କଠୋରତା ଅବଲମ୍ବନ କରିଛନ୍ତି । ଆଜି ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ଜାରି ସତ୍ୱେ ଗୋଟିଏ ଦିନରେ ୫୦ରୁ ଅଧିକ କରୋନା ପଜେଟିଭ୍ କେଶ୍ ନଜରକୁ ଆସି ଥିବାରୁ ଏହି ଭାଇରସ୍ ର ପ୍ରସାରରେ ରୋକ୍ ଲଗାଇବା ପାଇଁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଦେଶରେ ‘ଲକ୍ ଡ଼ାଉନ୍’ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଦେଶର ୨୨ଟି ରାଜ୍ୟର ୭୫ଟି ଜିଲ୍ଲା କରୋନା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ତେଣୁ, ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଯେଉଁ ‘ଜନତା କର୍ଫ୍ୟୁ’ ଲାଗୁ ହୋଇଛି ତାହା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । କଟକଣା ସମୟସୀମା ଆହୁରି ବଢି ପାରେ ବୋଲି କୁହାଯାଇଛି । ବିହାରରେ ଆଜି ଜଣେ ୩୮ ବର୍ଷ ବୟସ୍କ ଯୁବକଙ୍କ କରୋନାରେ ମୃତ୍ୟୁ ଘଟି ଥିବା ବେଳେ ସୁରଟରେ ଜଣକୁ ମୃତ୍ୟୁ ଘଟ ଥିବାରୁ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଦୋକାନ ବଜାର ଖୋଲା ରହିଲେ ଓ ରାସ୍ତାରେ ଜନସାଧାରଣଙ୍କ ଚଳାଚଳ ହେଲେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ନିହାତି ଆବଶ୍ୟକତା ନ ଥିଲେ ଘରୁ କେହି ନ ବାହାରିବାକୁ ଦେଶ ତଥା ରାଜ୍ୟର ସ୍ୱାସ୍ଥ୍ୟ ଏବଂ ସାଧାରଣ ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି । ଏପରିକି, ନିଜ ଛୁଆଙ୍କୁ ଘରୁ ବାହାରକୁ ନ ଛାଡିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ଆଡୁ ନିବେଦନ କରାଯାଇଛି । ଛୁଆମାନେ ସାଂଗ ସାଥୀଙ୍କୁ ମିଶିବାକୁ ବାହାରକୁ ଗଲେ ଓ ସଂକ୍ରମଣ ହେଲେ ରୋଗର ଜୀବାଣୁ ଘରେ ପଶିବ ଏବଂ ଘରର ଅନ୍ୟ ସଦସ୍ୟମାନେ ଏହା ଦ୍ୱାରା ଆକ୍ରାନ୍ତ ହେବେ । ତେଣୁ, ଅଧିକ ସତର୍କତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଭୁବନେଶ୍ୱର-କଟକ ମହାନଗର ପୁଲିସ କମିଶନର ଡ଼କ୍ଟର ସୁଧାଂଶୁ ଷଡଙ୍ଗୀ ଆଜି ଗଣମାଧ୍ୟମକୁ କହିଛନ୍ତି । ଆଜି ‘ଜନତା କର୍ଫ୍ୟ’ ସଂପୂର୍ଣ୍ଣ ସଫଳ ହୋଇଥିବା ବେଳେ ରାସ୍ତାରେ କାଁ ଭାଁ ଗାଡି ଚାଲିବା ଦେଖିବାକୁ ମିଳି ଥିଲା । ଗାଡି ଚାଳକଙ୍କୁ ଆଜି ଚେତାବନୀ ଦେଇ ଛାଡି ଦିଆଯାଇଛି । କାଲିଠାରୁ କଡାକଡି ଭାବେ ‘ଲକ୍ ଡାଉନ୍’ ଲାଗୁ ହେଉ ଥିବାରୁ ନିତାନ୍ତ ଆବଶ୍ୟକତା ନ ଥାଇ କେହି ରାସ୍ତାକୁ ଗାଡି ଆଣିଲେ ଜରିମାନା ଏବଂ ସହରାଂଚଳ ପୁଲିସ ଆଇନ ବଳରେ ଗିରଫ କରାଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ପୁଲିସ କମିସନର ଡ଼କ୍ଟର ଷଡଙ୍ଗୀ କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏକା ଭଳି ଘୋଷଣା କରି ପୁଲିସକୁ ଅଧିକ କ୍ଷମତା ଦିଆଯାଇଥିବା ଚେତାଇ ଥିଲେ । ନିହାତି ଆବଶ୍ୟକତା ନ ଥିଲେ କେହି ଘରୁ ପଦାକୁ ନ ବାହାରିବାକୁ ସେ ନିବେଦନ କରି ଥିଲେ । ୩୦୦୦ରୁ ଅଧିକ ଲୋକ ବିଦେଶରୁ ଫେରି ହୋମ୍-କ୍ୱାରେଂଟାଇନ୍ ରେ ଥିବାରୁ ରାଜ୍ୟ ସରକାର ପରିସ୍ଥିତିର ଜଟିଳତାକୁ ଉପଲବ୍ଧୀ କରି ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ‘ଲକ୍ ଡାଉନ୍’ ଘୋଷଣା କରିଛନ୍ତି । ରାଜ୍ୟର ପାଂଚଠି ଜିଲ୍ଲା (ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ) ଏବଂ ଭୁବନେଶ୍ୱର, କଟକ ସମ୍ବଲପୁର, ବ୍ରହ୍ମପୁର ସମେତ ୭ଟି ପ୍ରମୁଖ ସହରକୁ ଏଥିରେ ସାମିଲ କରିଛନ୍ତି । ଓଡ଼ିଶାରେ କରୋନା ପଜେଟିଭ୍ ସଂଖ୍ୟା ୨ରେ ସୀମିତ ରହିଛି । ଆଜି ସୁଦ୍ଧା ଏହି ସଂଖ୍ୟା ବଢି ନାହିଁ ବୋଲି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ଆଜି ସୁଦ୍ଧା ୩,୪୭୪ ଜଣ ବିଦେଶ ଫେରନ୍ତା ପଂଜୀକୃତ ହୋଇଥିବା ଜଣାପଡିଛି । ରାଜ୍ୟ ସରକାର ଆସନ୍ତା କାଲି ଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ଘୋଷଣା କରିଥିବା ବେଳେ ଦେଶରେ ୩,୭୦୦ ଟ୍ରେନ୍ କୁ ବାତିଲ କରାଯାଇଛି । କଟକଣା ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଗାଡି ନେଇ ବାହାରକୁ ଯିବାକୁ ଥିଲେ ପୁଲିସର ଏମର୍ଜେନ୍ସି ନମ୍ବର ୧୦୦ ସହ ଯୋଗାଯୋଗ କରି ଅନୁମତି ପ୍ରାପ୍ତ କରି ହେବ । ନିଜ ଅଂଚଳର ଥାନାରୁ ମଧ୍ୟ ଅନୁମତିପତ୍ର ନେଇ ହେବ । ତେବେ, କେହି ଯଦି ମିଛ କହି ଅନୁମତିପତ୍ର ନେଇଥିବା ଜଣାପଡିଲେ ତାହାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇ ସହରାଂଚଳ ପୁଲିସ ଆଇନ ବଳରେ କାର୍ଯ୍ରାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର-କଟକ ସିପି ଡ଼କ୍ଟର ଷଡଙ୍ଗୀ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS