ଲକ୍ ଡାଉନ୍, ସଟ୍ ଡାଉନ୍ ସତ୍ୱେ ଦେଶରେ କରୋନା ଲଗାମ ଛଡା
ପ୍ରସାଦ ରାଓ
ଏପ୍ରିଲ ୦୪
ଦେଶରେ ୨୧ ଦିନିଆ ଲକ୍ ଡ଼ାଉନ୍ ଏବଂ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱର ସମେତ ଆଉ କିଛି ସହରରେ ସଟ୍ ଡାଉନ୍ ଜାରି ସତ୍ୱେ କରୋନା ଲଗାମ ଛଡା ହୋଇ ତାହାର ଶିକାର ଅବ୍ୟାହତ ରଖି ଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଦେଶରେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୨କୁ ବୃଦ୍ଧି ପାଇ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮ରେ ପହଂଚିଛି । ଓଡ଼ିଶାରୁ ଅନ୍ୟୁନ ୨୦ଟି କରୋନା ପଜେଟିଭ୍ କେଶ୍ ସାମନାକୁ ଆସିଛି । କେବଳ ବିଦେଶରୁ ବା ରାଜ୍ୟ ବାହାରୁ ଆସି ଥିବା ଲୋକ ନୁହନ୍ତି, କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନ ଥିବା ଲୋକ ମଧ୍ୟ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । ନିକଟରେ ମୌଲାନା ସାଦ୍ ଙ୍କ ଦ୍ୱାରା ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ ମରକଜ୍ ରେ ଭାଗ ନେଇ ରାଜ୍ୟକୁ ଫେରି ଥିବା ସଂଖ୍ୟାଲଘୁ ସଂପ୍ରଦାୟର କିଛି ଲୋକ ମଧ୍ୟ ସରକାରଙ୍କ ଚିନ୍ତା ବଢାଇଛନ୍ତି । ସେମାନଙ୍କ ଦ୍ୱାରା ଏହି ଭାଇରସ୍ ର ସଂକ୍ରମଣ ବଢିବା ଆଶଂକା ଥିବାରୁ ରାଜ୍ୟ ସରକାର ଲକ୍ ଡାଉନ୍ କଟକଣା ବଢାଇ ଦେଇଥିବା ବେଳେ ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁରରେ ୪୮ ଘଂଟିଆ ‘ସଟ୍ ଡାଉନ୍’ ଲାଗୁ କରି ସାଧାରଣ ଜୀବନ ଯାତ୍ରାକୁ ଅଚଳ କରି ଦେଇଛନ୍ତି । କୋଭିଡ଼-୧୯ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି । ଦେଶରେ ୨୯୦୨ କରୋନା ସଂକ୍ରମଣ ମାମଲା ମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ ୧୦୨୩ ନିଜାମୁଦ୍ଦିନ ମରକଜ୍ ରୁ ୧୭ ରାଜ୍ୟକୁ ଫେରିଥିବା ସଂଖ୍ୟାଲଘୁଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ଓଡ଼ିଶାରେ କରୋନାକୁ ନେଇ ସରକାରଙ୍କ ଚିନ୍ତା ବଢିବା ପରେ ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଂଟିଆ ‘ସଟ୍ ଡାଉନ୍’ ଜାରି କରାଯାଇ ସାଧାରଣ ଜୀବନ ଯାତ୍ରା ଅଚଳ କରି ଦିଆଯାଇଥିବା ବେଳେ ଯାଜପୁର ବ୍ରହ୍ମବରଦା ଅଂଚଳରୁ ଗୋଟିଏ ପଜେଟିଭ୍ କେସ୍ କାଲି ସାମନାକୁ ଆସିଥିଲା । ଯାଜପୁର ବ୍ରହ୍ମବରଦା ଅଂଚଳକୁ ଏହା ପରେ ସିଲ୍ କରି ଦିଆଯାଇଥିଲା । ଆଜି ରାତି ୮ଟାରୁ ସୋମବାର ରାତି ୮ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ବ୍ୟାପକ ଅଂଚଳରେ ୪୮ ଘଂଟିଆ ‘ସଟ୍ ଡାଉନ୍’ ଜାରି ହୋଇଛି । ଯାଜପୁର ଜିଲ୍ଲା ପ୍ରଶାସନ ଆଜି ବ୍ରହ୍ମବରଦା ଅଂଚଳକୁ ବିଶୋଧନ (ସାନିଟାଇଜ୍) କରିଛନ୍ତି । କରୋନା ଭାଇରସ୍ ଯେଭଳି ଅଧିକ ଅଂଚଳକୁ ସଂକ୍ରମିତ ନ ହୁଏ ତାହା ନଜରରେ ରଖି ଏଭଳି ‘ସଟ୍ ଡାଉନ୍’ ଜାରି କରିବାକୁ ପ୍ରଶାସନ ବାଧ୍ୟ ହୋଇଥିବା କହିଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱରର ବମିଖାଲ ଅଂଚଳରୁ ୩ଟି କରୋନା ପଜେଟିଭ୍ କେଶ୍ ସାମନାକୁ ଆସିବା ପରେ ଏହି ଅଂଚଳକୁ ବିଶୋଧନ କରାଯାଇଛି । କରୋନା ଆକ୍ରାନ୍ତ ୩ ଜଣ ହେଉଛନ୍ତି ତିନି ଭାଇ ଏବଂ ସେମାନଙ୍କ ଲିଂକ୍ ମଧ୍ୟ ପ୍ରଦେଶର ଭୋପାଳ ସହ ଥିବା ଗତକାଲି ସୂଚନା ମିଳିଛି । ଭୋପାଳରେ ରହୁ ଥିବା ସେମାନଙ୍କ ବାପା ମଧ୍ୟ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ବୋଲି ଭୁବନେଶ୍ୱର ପୌର ପ୍ରଶାସନ ଶନିବାର ବିଳମ୍ବ ସନ୍ଧ୍ୟାରେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ବମିଖାଲ ଅଂଚଳକୁ ଦୁଇ ଦିନ ହେଲା ସଂପୂର୍ଣ୍ଣ ‘ସିଲ୍’ କରି ବିଶୋଧନ କାର୍ଯ୍ୟ ଚଳାଇଛନ୍ତି । ରାସ୍ତାଘାଟକୁ ସାନିଟାଇଜ୍ କରାଯିବା ମାଧ୍ୟମରେ ସମ୍ଭାବ୍ୟ କରୋନା ଭାଇରସ୍ ର ମୂଳୋତ୍ପାଟନ ଉଦ୍ୟମ ହେଉଛି ବୋଲି ଏହି କାର୍ଯ୍ୟରେ ନିୟୋଜିତ ଭୁବନେଶ୍ୱର ମହାନଗର ନିଗମ ଓ ଅଗ୍ନିଶମ ସେବା ସଂସ୍ଥାର ଅଧିକାରୀମାନେ କହିଛନ୍ତି ।
ଓଡ଼ିଶାରେ ଗତକାଲି ଗୋଟିଏ ଦିନରେ ୧୫ଟି କରୋନା ପଜେଟିଭ୍ କେସ୍ ସାମନାକୁ ଆସିଥିଲା । ଭୁବନେଶ୍ୱର ସୂର୍ଯ୍ୟ ନଗର ଅଂଚଳରୁ ଚିହ୍ନଟ ହୋଇଥିବା ପଂଚମ କରୋନା ଆକ୍ରାନ୍ତଙ୍କ ପତ୍ନୀ, କନ୍ୟାଙ୍କ ସମତେ ସେମାନଙ୍କ ସଂସ୍ପର୍ଶରେ ଆସି ଥିବା ୭ ଜଣଙ୍କୁ ଗତକାଲି କେରୋନା ସଂକ୍ରମିତ ବୋଲି ଚିହ୍ନଟ କରାଯାଇଛି । ବମିଖାଲ ଅଂଚଳରୁ କରୋନା ସଂକ୍ରମିତ ୩ ଭାଇଙ୍କୁ କ୍ୱାରେଂଟାଇନ୍ କରାଯିବା ଦ୍ୱାରା ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଂଚଳ କରୋନା ଭାଇରସ୍ ର ‘ହଟ୍ ସ୍ପଟ୍’ ହୋଇଥିବା ଶଙ୍କା ବଢିଛି । ୪୮ ଘଂଟିଆ ‘ସଟ୍ ଡାଉନ୍’ରେ ଭୁବନେଶ୍ୱର ମୁନିସପାଲ କର୍ପୋରେସନ୍ ଅଂଚଳ ସମେତ ସହର ତଳି ଅଂଚଳକୁ ମଧ୍ୟ ସାମିଲ କରାଯାଇଛି । କଟକ, ପୁରୀ, ଯାଜପୁରରୁ ଗତକାଲି ଜଣେ ଲେଖାଏଁ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ଗତକାଲି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବଢିଛି । ପୁର୍ବରୁ ଜଣେ ୨୯ ବର୍ଷ ବୟସ୍କ ଯୁବକ କରୋନାରେ ଆକ୍ରାନ୍ତ ଥିବା ଜଣାପଡି ଥିଲା । ସଂପୃକ୍ତ ଯୁବକ କ୍ୱାରେଂଟାଇନ୍ ହୋଇଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ନିଜାମୁଦ୍ଦିନ ମରକଜ୍ (ମୁସଲିମ୍ ଧର୍ମସଭା)ରେ ଭାଗ ନେଇ ଓଡ଼ିଶାକୁ ଫେରି ଥିବା ଲୋକମାନେ ଏବେ କରୋନା ଭାଇରସ୍ ବାହକ ସାଜି ଥିବା ଏବଂ ସେମାନେ ଓଡ଼ିଶା ଫେରିବା ପରେ ହଠାତ୍ କରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଇ ଥିବା ରାଜ୍ୟ ସରକାର ଅନୁଭବ କରୁଛନ୍ତି । ତେଣୁ, ମରକଜ୍ ରୁ ଫେରି ଥିବା ସମସ୍ତ ମୁସଲିମ୍ ଭାଇ ବିନା ଭୟ ଓ ଦ୍ୱିଧାରେ ସାମନାକୁ ଆସି ନିଜର କ୍ୱାରେଂଟାଇନ୍ କରାଇ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ଓଡ଼ିଶାରେ ଶୁକ୍ରବାର ସୁଦ୍ଧା କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ୨ଜଣ ୧୪ ଦିନିଆ କ୍ୱାରେଂଟାଇନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେଥିରୁ ଜଣେ ଗଣମାଧ୍ୟମ ସାମନାକୁ ଆସି କହିଛନ୍ତି – କ୍ୱାରେଂଟାଇନ୍ କୁ ଭୟ କରିବାର ନାହିଁ । ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । କ୍ୱାରେଂଟାଇନ ସମୟରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ପୂର୍ଣ୍ଣ ସହଯୋଗ ଓ ସହାୟତ ଦେଉଛନ୍ତି ।
ଆଜି ଅପରାହ୍ନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୦୨ରେ ପହଂଚି ଥିବା ବେଳେ ସେଥିରୁ ୬୦୧ କେସ୍ ଗତ ୨୪ ଘଂଟା ମଧ୍ୟରେ ସାମନାକୁ ଆସିଛି । କରୋନା ଭାଇରସ୍ ଆକ୍ରାନ୍ତଙ୍କ ପ୍ରୋଫାଇଲ୍ ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ୯ ପ୍ରତିଶତ ୦-୨୦ ବୟସ ସୀମାର ହୋଇଥିବା ବେଳେ ୪୨ ପ୍ରତିଶତ ହେଉଛନ୍ତି ୨୧ରୁ ୪୦ ବୟସ ସୀମାର । ୩୩ ପ୍ରତିଶତ ୪୧ରୁ ୬୦ ବର୍ଷ ବୟସ ସୀମାର ହୋଇଥିବା ବେଳେ ୬୦ ବର୍ଷରୁ ଅଧିକ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୭ ପ୍ରତିଶତ । ଦେଶରେ କୋଭିଡ଼-୧୯ ଦ୍ୱାରା ସଂକ୍ରମଣ ହୋଇଥିବା ୨୯୦୨ଙ୍କ ମଧ୍ୟରୁ ୧୦୨୩ (୩୦ ପ୍ରତିଶତ) ଜଣ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ନିଜାମୁଦ୍ଦିନ ମରକଜ୍ ରେ ଭାଗ ନେଇ ନିଜ ନିଜ ରାଜ୍ୟକୁ ଫେରି ଥିଲେ । ଦେଶର ୧୭ଟି ରାଜ୍ୟରେ ଏହି ୧୦୨୩ ସଂକ୍ରମଣ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସାରେ ନିୟୋଜିତ ୧୦୦ରୁ ଅଧିକ ଡ଼ାକ୍ତର ଓ ନର୍ସିଂ ଷ୍ଟାଫ୍ ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ଥିବା ଆଶଂକାରେ କ୍ୱାରେଂଟାଇନ୍ ହୋଇ ଥିବା ସୂଚନା ମିଳିଛି । ନିଜାମୁଦ୍ଦିନ ମରକଜ୍ ର ମୁଖ୍ୟ ଅୟୋଜକ ମୌଲାନା ସାଦ୍ ଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଂଚ ଶାଖା ଖୋଜୁଛି । ତେବେ ମୌଲାନା ସାଦ୍ ନିଖୋଜ ଅଛନ୍ତି । କ୍ରଇମ୍ ବ୍ରାଂଚ ତାଙ୍କ ନିକଟକୁ ୨୬ଟି ପ୍ରଶ୍ନ ସମ୍ବଳିତ ଏକ ପ୍ରଶ୍ନପତ୍ର ପଠାଇ ଥିବା ବେଳେ ସେ ଏବେ ନିଜ ଆଡୁ କ୍ୱାରେଂଟାଇନରେ ଅଛନ୍ତି, ସୁସ୍ଥ ହେବା ପରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ଦିଲ୍ଲୀ କ୍ରାଇମ୍ ବ୍ରାଂଚକୁ ଜଣାଇ ଥିବା ପ୍ରକାଶ । ମୌଲାନା ସାଦ୍ କେଉଁଠି କ୍ୱାରେଂଟାଇନରେ ଅଛନ୍ତି ତାହା ଗୋପନ ରଖି ଥିବା ଏହି ସୂତ୍ରରୁ ଜଣାପଡିଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ‘ଲକ୍ ଡାଉନ୍’ ଜାରି କରିଥିବା ବେଳେ ଦିଲ୍ଲୀରେ ଏହି ମରକଜ୍ ଚାଲିଥିଲା । ‘ଲକ୍ ଡାଉନ୍’ ବା କ୍ୱାରେଂଟାଇନର କୌଣସି ଆବଶ୍ୟକତା ନାହିଁ ବୋଲି ମୌଲାନା ସାଦ୍ ମରକଜ୍ ରେ ଯୋଗ ଦେଇଥିବା ଭକ୍ତମାନଙ୍କୁ କହି ଥିବା ବେଳେ ସେ ନିଜେ ଏବେ କ୍ୱାରେଂଟାଇନରେ ଅଛନ୍ତି ବୋଲି କ୍ରାଇମ୍ ବ୍ରାଂଚକୁ ଜଣାଇ ଥିବା ଆମୋଦଦାୟକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS