ଭୁବନେଶ୍ୱର ସହରାଂଚଳ ପାଇଁ ଦେଶର ରେଡ୍ ଜୋନ୍ ରେ ଖୋର୍ଦ୍ଧା ଜିଲ୍ଲା
ପ୍ରସାଦ ରାଓ
ଏପ୍ରିଲ ୧୭
ଓଡ଼ିଶାରେ ଗତ ୨୪ ଘଂଟା ମଧ୍ୟରେ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ୧୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ମୋଟ ୭୫୭୭ ସ୍ୱାବ୍ ନମୁନା ପରୀକ୍ଷଣ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସ୍ଥିର ରହିଛି । ସେଥିରୁ ୧୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ଟିଭ ରୋଗୀ ଚିକିତ୍ସାଧିନ ଅଛନ୍ତି । ରାଜ୍ୟରେ ଗୋଟିଏ ମାତ୍ର କରୋନା ମୃତ୍ୟୁ ରାଜଧାନ ଭୁବନେଶ୍ୱରରେ ହୋଇଛି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୦.୭୯ ପ୍ରତିଶତ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିିଛି । ରାଜ୍ୟରେ ତାଲାବନ୍ଦ ଲାଗୁ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାର ହାର କମିଛି । ପୂର୍ବରୁ ତିନି ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଥିବା ବେଳେ ଏପ୍ରିଲ ୧ତାରିଖ ପରଠାରୁ ତାହା ୬.୨ ଦିନ ହୋଇଛି । ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ସର୍ବାଧିକ କରୋନା ସଂକ୍ରମିତ ଥିବାରୁ ଖୋର୍ଦ୍ଧା ଜିଲ୍ଲା ଦେଶର ରେଡ୍ ଜୋନରେ ରହିଥିବା ଜଣାପଡିଛି । ରାଜଧାନୀରେ ଏଯାବତ୍ ମୋଟ ୪୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।
ଦେଶରେ ଓଡ଼ିଶା ସମତେ ଦେଶର ୧୯ଟି ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୂଚନାରୁ ଜଣାପଡିଛି । ଓଡ଼ିଶାରେ ଏପ୍ରିଲ ୧୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ମୋଟ ୬୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବାରୁ ରାଜ୍ୟ ସରକାର ଭୁବନେଶ୍ୱରକୁ କରାନା ମୁକ୍ତ କରିବାକୁ ଅଧିକ ତତ୍ପର ଅଛନ୍ତି । ରାଜଧାନୀରେ ଅଧିକରୁ ଅଧିକ ସ୍ୱାବ୍ ନମୁନା ସଂଗ୍ରହ ଓ ପରୀକ୍ଷଣ ହୋଇଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆଉ ୫ ହଜାର ନମୁନା ସଂଗ୍ରହ ଓ ପରୀକ୍ଷଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜଧାନୀବାସୀ ସ୍ୱତଃ ସେମାନଙ୍କ ସ୍ୱାବ୍ ନମୁନା ପରୀକ୍ଷା କରାନ୍ତୁ, ନ ହେଲେ ପ୍ରାକୃତିକ ବିପର୍ଯ୍ୟୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଚେତାବନୀ ଦେଇଛନ୍ତି । ରାଜ୍ୟରେ ପାନ ଖାଇ ପଦାରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି । ପ୍ରଥମ ତିନି ଥର ଆଇନ ଉଲଂଘନ କଲେ ୨୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡିବ । ତତ୍ପରେ ୫୦୦ ଟଙ୍କା ଲେଖାଏଁ ଜରିମାନା ପଡିବ । ରାଜ୍ୟ ସରକାର ବ୍ଲକ, ତହସିଲ ଓ ପୁଲିସ ପ୍ରଶାସନକୁ ଏହି ଜରିମାନା ଆଦାୟ ଦାୟିତ୍ୱ ଦେଇଛନ୍ତି ।
ତାଲାବନ୍ଦ ସମୟରେ ଦୁଇ ଓ ଚାରି ଚକିଆ ଯାନ ଘରୁ ପଦାକୁ କାଢିବା ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଛନ୍ତି । ଏହାକୁ ଅବମାନନା କରୁଥିବା ଲୋକଙ୍କ ଗାଡି ଜବତ ଆରମ୍ଭ ହୋଇଛି । ରାଜଧାନୀର କିଛି ଅଂଚଳରେ ଆଜି ପୁଲିସ ପକ୍ଷରୁ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସରକାର ଏଥିପାଇଁ ପୁଲିସକୁ ଅଧିକ କ୍ଷମତାସୀନ କରିଛନ୍ତି । ଏପ୍ରିଲ ୧୬ ରୁ ୧୭ ତାରିଖ ମଧ୍ୟରେ ତାଲାବନ୍ଦ କଟକଣା ଓ ଅନ୍ୟାନ୍ୟ କଟକଣା ଉଲଂଘନ କରିଥିବା ଅଭିଯୋଗରେ ୧୨୨ଟି ମମଲା ରୁଜୁ ହୋଇ ୨୦୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୧୨୨ ମାଲାରୁ ୧୧୭ଟି ତାଲାବନ୍ଦ କଟକଣା ଉଲଂଘନ ମାମଲା ଥିବା ବେଳେ ଗୋଟିଏ ମାମଲା ଗୁଜବ ସୃଷ୍ଟି ଅଭିଯୋଗରେ ହୋଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରୁ ସୂଚନା ମିଳିଛିି ।
ଭଲ ଖବର ହେଉଛି, ଆଜି ପୁରୀରେ ଓଏମ୍ସି ସହାୟତାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ଆରମ୍ଭ ହୋଇଛି । ଏହାଦ୍ୱାରା ନମୁନା ପରୀକ୍ଷା ଅଧିକ ତ୍ୱରାନ୍ୱିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ବିଭିନ୍ନ ଅଂଚଳରେ ଅଟକି ରହିଥିବା ରାଜ୍ୟର ୭୭,୫୦୦ ଶ୍ରମଜୀବୀଙ୍କୁ ୨୫୦୦ଶିବିର ମାଧ୍ୟମରେ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଥିବା ମଧ୍ୟ କୋଭିଡ଼ ମୁଖ୍ୟ ମୁଖପାତ୍ର କହିଛନ୍ତି । ରାଜ୍ୟରେ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ କୃଷି ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଏକ କୃଷି ହେଲ୍ପ ଲାଇନ ଜାରି ହୋଇଛି । ରାଜ୍ୟରେ ତାଲାବନ୍ଦ ଜାରି ଥିବା ସମୟରେ ରାଜ୍ୟରେ ପ୍ରାୟତଃ ସବୁ ମନ୍ଦିର ବନ୍ଦର ଆୟ ବନ୍ଦ ହୋଇଯାଇଛି । ସେବାୟତମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଅଣାଯାଇ ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯିବା ଦାବି ହେବାରୁ ସରକାର ଶ୍ରୀମନ୍ଦିର ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ସିଧାସଳଖ ବ୍ୟାଙ୍କ ଜରିଆରେ ଦେବାକୁ ଆଜି ଘୋଷଣା କରିଛନ୍ତି ।
୧୬ ତାରିଖ ମଧ୍ୟ ରାତ୍ରୀ ସୁଦ୍ଧା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହି ଥିବା ବେଳେ ଦେଶରେ ଏହି ସଂଖ୍ୟା ୧୩, ୩୮୭କୁ ବୃଦ୍ଧି ପାଇଛି । ୧୭ ତାରିଖ ଅପରାହ୍ନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୩୭ରେ ପହଂଚିଛି । ଦେଶରେ ୧୧,୨୦୧ ଆକ୍ଟିଭ ପଜେଟିଭ୍ କେସ୍ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛନ୍ତି । ୧୭୪୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ମଧ୍ୟରେ ଦେଶରେ ୨୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୧୦୦୭ ନୂଆ କେସ୍ ସାମମନାକୁ ଆସିଛି । ଦେଶରେ ୧୩.୬ ପ୍ରତିଶତ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସରକାର କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ତାଲାବନ୍ଦ ପରେ କରୋନା ସଂକ୍ରମଣର ବେଗ କମିଛି । କରୋନା ଭାଇରସ୍ ର ଗ୍ରୋଥ୍ ଫ୍ୟାକ୍ଟର୍ ୪୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ୮୦ ପ୍ରତିଶତ ରୋଗୀ ଚିକିତ୍ସା ପରେ ସୁସ୍ଥ ହେଉଥିବା ଖୁସିର ଖବର । ତାଲାବନ୍ଦ ସମୟରେ ଦେଶରେ କୃଷି, ମତ୍ସଚାଷ ଓ ଉଦ୍ୟାନ ଚାଷ ଚାଲୁ ରହିବ । ସାମାଜିକ ଦୂରତ୍ୱ ବଜାୟ ରଖି ଏସବୁ କାର୍ଯ୍ୟ କରାଯାଇପାରିବ । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିୟନ୍ତ୍ରଣରେ ରହିଛି । ଦେଶରେ ଫସଲ ଅମଳ ଉପରେ କୌଣସି କଟକଣା ନାହିଁ । ତେବେ, ଗ୍ରମାଂଚଳ ଅର୍ଥନୀତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଗ୍ରାମାଂଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏପ୍ରିଲ ୨୦ ତାରିଖ ପରେ ସରକାର କରୋନା ସଂକ୍ରମଣ ନିୟନ୍ତ୍ରଣ ଥିବା ଓ ସଂକ୍ରମଣ ନ ଥିବା ଅଂଚଳ ପାଇଁ ଆହୁରି ଅନେକ କଟକଣା କୋହଳ କରିବାର ସୂଚନା ମିଳୁଛି । ଭୁବନେଶ୍ୱର ସହର ପାଇଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାର ଭଲ ସ୍ଥିତିରେ ଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS