ଦେଶରେ କରୋନା ପଜେଟିଭ୍ ସଂଖ୍ୟା ୨୩,୦୭୭, ମୃତ୍ୟୁ ସଂଖ୍ୟା ୭୧୮
ନୂଆଦିଲ୍ଲୀ
୨୪ ଏପ୍ରିଲ୍
ମୋଅନୁଭବ.କମ୍
ଆଜି (ଶୁକ୍ରବାର) ଅପରାହ୍ନ ସୁଦ୍ଧା ଦେଶରେ କରୋନା ପଜେଟିଭ୍ ସଂଖ୍ୟା ୨୩,୦୭୭ରେ ପହଂଛି ଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧୮ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ସୂଚନା ମିଳିଛି । ୨୪ ଘଂଟା ମଧ୍ୟରେ ଦେଶରେ ୧୬୮୪ଟି ନୂଆ କରୋନା ପଜେଟିଭ୍ କେସ୍ ସାମନାକୁ ଆସିଛି ଓ ୩୭ଜଣଙ୍କ ମୃତ୍ୟୁ ଘଟିଛି । ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୪୭୪୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ, ଚିକିତ୍ସାଧୀନ କରୋନା ପଜେଟିଭ୍ ଙ୍କ ସଂଖ୍ୟା ୧୭,୬୧୦ ରହିଛି । ଏପ୍ରିଲ ୧୫ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଜାରି ହୋଇଛି, ଯାହାକି ମେ’ ୩ରେ ସରିବ । ଇତିମଧ୍ୟରେ କେତେକ ରାଜ୍ୟ ତାଲାବନ୍ଦ ଅବଧି ମେ’ ୫ ତାରିଖ ପର୍ଯ୍ୟନ୍ତ ବଢାଇ ଥିବା ବେଳେ ଆଉ କିଛି ରାଜ୍ୟ ସ୍ଥିତାବସ୍ଥା ଦେଖି ନିଜ ନିଜ ରାଜ୍ୟରେ ତାଲାବନ୍ଦ କଟକଣା କୋହଳ କରିଛନ୍ତି । ଏପ୍ରିଲ ୨୦ ପରେ ଦେଶର ବିଭିନ୍ନ ଅଂଚଳରେ କୃଷି କାର୍ଯ୍ୟ ଆରମ୍ଭ ହୋଇଛି । କୃଷି ସହ ସମବାୟ, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ଗ୍ରମାଂଚଳରେ ରୋଜଗାର ସୃଷ୍ଟି ପାଇଁ ବିଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଦେଇଥିବା ଆର୍ଥିକ ସହାୟତାରେ ବିଭିନ୍ନ ରାଜ୍ୟରେ ମ-ନରେଗା କାର୍ଯ୍ୟ ମଧ୍ୟ ଚାଲୁ ହୋଇଛି । ତେବେ, କରୋନାକୁ ନେଇ ତାଲାବନ୍ଦ ଯୋଗୁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିବା ଚର୍ଚ୍ଚାରେ ରହିଛି । ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ସରିବ କି ଏହା ଅଧିକ ଦିନ ଯାଏଁ ଟାଣି ହେବ କହିବା ସମ୍ଭବ ନୁହଁ । ଭାରତରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ କିଛିଟା ଧୀମେଇଛି ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ପ୍ରତିଦିନ ବିିଭିନ୍ନ ଅଂଚଳରୁ ନୂଆ ନୂଆ ପଜେଟିଭ୍ କେସ୍ ସାମନାକୁ ଆସୁ ଥିବାରୁ ଏବଂ ମୃତ୍ୟୁ ସଂଖ୍ୟା ବଢୁ ଥିବାରୁ ରାଜ୍ୟ ସରକାରମାନେ ତାଲାବନ୍ଦ ଅବଧି ବଢାଇବା ସପକ୍ଷରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ପାରନ୍ତି । କେନ୍ଦ୍ର ସରକାର ମଧ୍ୟ ସେହି ଆଳରେ ଦେଶରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ କଥା ଘୋଷଣା କରି ପାରନ୍ତି ବୋଲି ସାଧାରଣରେ ଆଶଙ୍କା ରହିଛି । ତେବେ, ଦେଶରେ ତାଲାବନ୍ଦର ଅବଧି ବଢିଲେ ତାହାର ସ୍ୱରୂପ କଣ ହେବ (!), କଟକଣା ବର୍ତମାନ ଅପେକ୍ଷା ଅଧିକ କଠୋର ହେବ କି (?) – ଏହି ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତିକୁ ରାସ୍ତାକୁ ଆଣିବା ସକାଶେ ନୂଆ କିଛି ପ୍ୟାକେଜ୍ ଘୋଷଣା କରିପାରନ୍ତି । ଏଥିପାଇଁ ସେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ସହ ଆଲୋଚନା କରିଛନ୍ତି ବୋଲି ସୂଚନା ମିଳୁଥିବା ବେଳେ ତାଲାବନ୍ଦ ଅବଧି ବୃଦ୍ଧିର ଆବଶ୍ୟକତା ଓ ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ସେ ଆସନ୍ତା ୨୭ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମ ରଖିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେଣୁ, ତାଲାବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କ ପରବର୍ତୀ କୌଶଳ କଣ ହେବ, ତାହା ୨୭ ତାରିଖ ପରେ ହିଁ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS