ଗୁଜରାଟରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ଦିଗରେ ନବୀନ-ରୂପାନୀ ଆଲୋଚନା
ଭୁବନେଶ୍ୱର
୨୬ ଏପ୍ରିଲ୍
ମୋଅନୁଭବ.କମ୍
କରେନା ମୁକାବିଲା ପାଇଁ ଦେଶରେ ତାଲାବନ୍ଦ ଜାରି ଥିବାରୁ ବିଭିନ୍ନ ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ଓଡ଼ିଆ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟର ଶ୍ରମିକ ମଧ୍ୟ ଓଡ଼ିଶାରେ ଫସିକି ଅଛନ୍ତି । ଓଡ଼ିଶା ସରକାର ରାଜ୍ୟରେ ଫସି ରହିଥିବା ବାହାର ରାଜ୍ୟ ଶ୍ରମିକଙ୍କ ଖାଦ୍ୟପେୟ ଓ ମୁଣ୍ଡ ଗୁଂଜିବା ବ୍ୟବସ୍ଥା କରିଥିବା ବେଳେ ଅନ୍ୟ ରାଜ୍ୟରେ ମଧ୍ୟ ଓଡ଼ିଶାର ଶ୍ରମିକଙ୍କ ପାଇଁ ସେଭଳି ବ୍ୟବସ୍ଥା ହୋଇଛି । ତଥାପି ନିଜ ଗାଁକୁ ଫେରିବାକୁ ସଂପୃକ୍ତ ଶ୍ରମିକ ଓ ସେମାନଙ୍କ ପରିବାର ଉତ୍ସୁକ । ମେ’ ୩ରେ ତାଲାବନ୍ଦ ହଟିବା ପରେ ଏହି ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ କନ୍ଫରେନ୍ସିଂ ହୋଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟ ଓ ମହାରାଷ୍ଟ୍ର, ବିଶେଷକରି ସୁରଟ ସହରାଂଚଳରେ ଓଡ଼ିଶାର ଲକ୍ଷାଧିକ ପରିବାର ଅଛନ୍ତି । ସେମାନେ ବିଭିନ୍ନ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ । ଦେଶବ୍ୟାପୀ ତାଲାବନ୍ଦ ଲାଗୁ ହେବା ପରେ ଅଂଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା ଓ ଛୋଟମୋଟ ବ୍ୟବସାୟ ବନ୍ଦ ହୋଇଯିବାରୁ କାମଧନ୍ଦା କରି ପେଟ ପୋଷୁଥିବା ଏହି ଶ୍ରମଜୀବୀ ଓ ସେମାନଙ୍କ ପରିବାର ଭୋକ ଉପାସରେ ଉପାୟଶୂନ୍ୟ ହୋଇ ସେଠାରେ ପଡି ରହିଛନ୍ତି । ଏହି ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାର ପ୍ରଥମ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ରାଜ୍ୟା ପାଖାପାଖି ୭ ହଜାର ପଂଚାୟତର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ପ୍ରସ୍ତୁତ କରି ରଖିଲେଣି । ବାହାର ରାଜ୍ୟରେ ଫସି ରହିଥିବା ଶ୍ରମକିମାନେ ଓଡ଼ିଶା ଫେରି ନିଜ ନିଜ ଗ୍ରାମାଂଚଳରେ ପହଂଚିଲେ ସେମାନଙ୍କୁ ପଂଜୀକରଣ କରାଇ ୧୪ଦିନ ସଂଗରୋଧରେ ରଖିବା, ସେମାନଙ୍କ ସ୍ୱାବ୍ ଓ ରକ୍ତ ନମୁନା ପରିକ୍ଷା କରାଇ ପଜେଟିଭ୍ ରୋଗୀଙ୍କ ଚିକିତ୍ସା ଏବଂ ଥଇଥାନା ବ୍ୟବସ୍ଥା କରିବା ଭଳି କାର୍ଯ୍ୟ ଯେମିତି ସୁରୁଖୁରରେ ହେବ ତାହାର ଦାୟିତ୍ୱ ସରପଂଚମାନଙ୍କୁ ଦିଆଯାଇଛି । ୧୪ ଦିନିଆ ସଂଗରୋଧ ଠିକ ଭାବେ ପାଳନ କଲେ ପ୍ରତ୍ୟେକ ଶ୍ରମିକଙ୍କୁ ୨ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ଦେବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି । ଓଡ଼ିଶା ଫେରିବାକୁ ଚାହୁଁ ଥିବା ସମସ୍ତ ଙ୍କ ପଂଜୀକରଣକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ୱେବ୍ ସାଇଟ୍ ପ୍ରସ୍ତୁତ ସରିଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ରାଜ୍ୟରେ ପଂଜୀକରଣ କାର୍ଯ୍ୟ ଆରମ୍ଭ ହେଲାଣି । ବାହାର ରାଜ୍ୟରେ ଫସି ରହି ଥିବା ଶ୍ରମିକ ଓ ସେମାନଙ୍କ ପରିବାର ନିଜ ନିଜର ପଂଜୀକରଣ କରାଇଲେ ହିଁ ରଜ୍ୟକୁ ଫେରି ପାରିବେ ବୋଲି ରାଜ୍ୟ ସରକାର ଜଣାି ଦେଇଛନ୍ତି । ଓଡ଼ିଶା ଫେରିବା ପରେ ସେମାନେ ୧୪ ଦିନ ସଂଗରୋଧରେ ରହିବେ । ସଂଗରୋଧ ସମୟରେ ସେମାନଙ୍କ ଦେହରେ କରୋନା ଭୂତାଣୁ ଅଛି କି ନାହିଁ ଜାଣିବା ସକାଶେ ସ୍ୱାବ୍ ଓ ରକ୍ତ ନୁମନା ପରୀକ୍ଷଣ ହେବ । ଯେଉଁମାନେ ପଜେଟିଭ୍ ବାହାରିବେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ହେବ । ନେଗେଟିଭ୍ ଥିବା ଲୋକଙ୍କୁ ଗ୍ରାମାଂଚଳକୁ ପଠାଇ ଥଇଥାନ କରାଯିବ । ଏହି ପ୍ରକ୍ରିୟାକୁ ସଫଳତାର ସହ ସମାପନ ପାଇଁ ଓଡ଼ିଶା ଫେରିବାକୁ ଚାହୁଁଥିବା ଶ୍ରମିକମାନେ ଆଗୁଆ ପଂଜୀକରଣ କରାଇ ନେବାକୁ କୁହାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସେଠାରେ ଫସି ରହିଥିବା ଶ୍ରମିକଙ୍କୁ କିପରି ନିରାପଦରେ ଓଡ଼ିଶା ଫେରାଇ ଅଣାଯିବ ସେ ସପଂର୍କରେ ବିଚାରବିମର୍ଷ କରିଥିଲେ । ଏଥସକାଶେ, ଦୁଇ ରାଜ୍ୟର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ ବୋଲି ସ୍ଥିର ହୋଇଛି । ଓଡ଼ିଆ ଶ୍ରମିକଙ୍କୁ ମୁଖ୍ୟତଃ ବସ୍ ଯୋଗେ ଫେରାଇ ଆଣିବା ବ୍ୟବସ୍ଥା ହେବ । ଏହାଛଡା, ଅନ୍ୟ ପରିବହନ ମାଧ୍ୟମ ବ୍ୟବହାର ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ । ଶ୍ରମିକମାନଙ୍କୁ ଯେଉଁ ସବୁ ବସରେ ଓଡ଼ିଶା ଅଣାଯିବ ସେହି ସବୁ ବସର ରୋଡ୍ ଟ୍ରାକ୍ସ ଛାଡ କରିବାକୁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଆଜି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଆରମ୍ଭ କରିଥିବା ପ୍ରକ୍ରିୟା ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଆଶାର ସଂଚାର କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS