ଇରଫାନ୍ଂକ ଦେହାନ୍ତ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅପୂରଣୀୟ କ୍ଷତି
ପ୍ରସାଦ ରାଓ
୨୯ ଏପ୍ରିଲ୍
ଜଣାଶୁଣା ଅଭିନେତା ଇରଫାନ୍ ଖାନ୍ ଆଜି ୫୪ ବର୍ଷ ବୟସରେ ଇହଧାମରୁ ବିଦାୟ ନେଇଛନ୍ତି । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଆମ୍ବାନୀ ହସପିଟାଲରେ ତାଙ୍କ ଦେହାନ୍ତ ଘଟିଛି । ସେ ଜଣେ ‘ମାଚୋ’ ଆକ୍ଟର୍ ନ ଥିଲେ । ଜଣେ ଭର୍ସାଷ୍ଟାଇଲ୍ ଚରିତ୍ରାଭିନେତା ଭାବେ ତାଙ୍କ ପରିଚିତି ରହିଛି । ‘ଲାଇଫ୍ ଅଫ୍ ଏ ପି’, ‘ସ୍ଲମ୍ଡ଼ଗ୍ ମିଲିୟନିଆର୍’ ଓ ‘ଜୁରାସିକ୍ ୱାଲ୍ଡ୍’ ଭଳି ହଲିଉଡ୍ କ୍ଲାସିକ ହେଉଛି ତାଙ୍କ ସଫଳ ସ୍ୱାକ୍ଷର । ପ୍ରାୟ ୮୦ଟି ଚଳଚ୍ଚିତ୍ରରେ ଇରଫାନ୍ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ସେ ବଲିଉଡ୍ରେ ଜଣେ ପାରଂପରିକ ରୋମାଂଟିକ୍ ନାୟକ ନ ଥିଲେ । କିନ୍ତୁ, ସେ ଯେଉଁ ଚଳଚ୍ଚିତ୍ରରେ ନାୟକ ବା ଚରିତ୍ରାଭିନେତାର ଭୂମିକାରେ ଅଭିନୟ କରୁଥିଲେ ସେହି ଚଳଚ୍ଚିତ୍ରକୁ ଦର୍ଶକ ଉକ୍ରଣ୍ଠାର ସହ ଅପେକ୍ଷା କରୁଥିଲେ । ‘ବିଲ୍ଲୁ ବାରବର୍’ର ମୁଖ୍ୟ ନାୟକ ‘ବିଲ୍ଲୁ ଭଣ୍ଡାରୀ’ ଚରିତ୍ର ଇରଫାନଙ୍କ ଜୀବନର ଏକ ମାଇଲଖୁଂଟ ହୋଇଥିବା ବେଳେ ତାଙ୍କ ଶେଷ ହିନ୍ଦୀ ଫିଲ୍ମ ହେଉଛି ‘ଅଂଗ୍ରେଜୀ ମିଡ଼ିୟମ’ । ଜଣେ ବଳିଷ୍ଠ ଚରିତ୍ରାଭିନେତାର ଛାପ ସେ ଛାଡି ଯାଇଛନ୍ତି ।
ଇରଫାନ୍ ସଫଳତାର ଶୀଖରରେ ଥିବା ସମୟରେ ନ୍ୟୁରୋଏଂଡୋକ୍ରାଇନ୍ ଟ୍ରୁମର୍ ଦ୍ୱାରା ଆକ୍ରାନ୍ତ ଥିବା (୨୦୧୮ରେ) ଜଣାପଡିଥିଲା । ବ୍ଲଡଷ୍ଟ୍ରିମ୍ କୁ ହରମୋନ ଯୋଗାଉଥିବା ସେଲ୍ ଗୁଡ଼ିକୁ ଏହି ରୋଗ ନଷ୍ଟ କରି ଦେଇଥାଏ । ଅସୁସ୍ଥ ଅବସ୍ଥାରେ ମଧ୍ୟ ସେ ଅଭିନୟ ଜୀବନକୁ ତ୍ୟାଗ କରି ନ ଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଆସି ‘ଅଂଗ୍ରେଜୀ ମିଡ଼ିୟମ’ରେ ନିଜ ଅଭିନୟ ପାରଦର୍ଶିତା ଦେଖାଇ ଥିଲେ । ଆଜି ସେ ତାଙ୍କ ଲେଖିକା ପତ୍ନୀ ସୁତପା ସିକଦାର୍ ଓ ଦୁଇ ପୁତ୍ର ବବିଲ୍ ଓ ଆୟାନଙ୍କୁ ଇହଧାମରେ ଛାଡ଼ି ପରଲୋକକୁ ଚାଲି ଯାଇଛନ୍ତି । ମଙ୍ଗଳବାର ଦିନ ତାଙ୍କୁ କୋଲୋନ୍ ଇନଫେକ୍ସନ୍ ଯୋଗୁ କୋକିଳାବେନ୍ ଧୀରୁଭାଇ ଆମ୍ବାନୀ ହସପିଟାଲର ଆଇସିୟୁରେ ଆଡମିସନ୍ କରାଯାଇଥିଲା । ମୃତ୍ୟୁର ୪ ଦିନ ପୂର୍ବରୁ ଶନିବାର ସେ ତାଙ୍କ ମା’ ସଇଦା ବେଗମଙ୍କୁ ହରାଇଥିଲେ । ରାଜସ୍ଥାନ ଜୟପୁରରେ ସଇଦାଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ତାଲାବନ୍ଦ ଚାଲି ଥିବାରୁ ଇରଫାନ୍ ମା’ଙ୍କ ଶେଷକୃତ୍ୟରେ ବ୍ୟକ୍ତିଗତ ଭାବେ ଯୋଗ ଦେବା ସୁଯୋଗ ପାଇ ନ ଥିଲେ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ମା’ଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ । ଆଜି ଇରଫାନ୍ ଙ୍କ ମୃତ୍ୟୁ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ସ୍ତବ୍ଧ କରିଛି । ସାହାରୁଖ ଖାନ, ଅମିର ଖାନ୍ ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଅଜୟ ଦେବଗନ, ସାବନା ଆଜମୀ, ଆର.ମାଧବନ୍, ସୋନମ କପୁର, ଅକ୍ଷୟ କୁମାର, କାଜୋଲ୍ଙ୍କ ପରି ଇଣ୍ଡଷ୍ଟ୍ରୀର ବରିଷ୍ଠ କଳାକାରମାନେ ସାମାଜିକ ଗଣମାଧ୍ୟମରେ ଶୋକବ୍ୟକ୍ତ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । ଇରଫାନ୍ ଙ୍କ ÷ଅବର୍ତମାନରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ଜଣେ ଦକ୍ଷ କଳାକାରଙ୍କୁ ହରାଇଛି େବୋଲି ସେମାନେ କହିଛନ୍ତି ।
ଅଭିନେତା ଇରଫାନ୍ ଙ୍କ ଜନ୍ମ ରାଜସ୍ଥାନର ଟୋଂକ୍ ରେ ୧୯୬୭ ମସିହା ଜାନୁୟାରୀ ୭ ତାରିଖରେ ହୋଇଥିଲା । ତାଙ୍କ ପିତା ଜଣେ ଧନୀ ଟାୟାର ବ୍ୟବସାୟୀ ଓ ମା’ ରାଜସ୍ଥାନ ରାଜପରିବାରର ଥିଲେ । ଇରଫାନ୍ ପ୍ରକୃତ ନାମ ଥିଲା ସାହବଜାଦା ଇରଫାନ୍ ଖାନ । ତେବେ, ସେ ତାଙ୍କ ମୂଳ ନାମରୁ ‘ସାହବଜାଦା’ ହଟାଇ ଦେଲେ ଓ ‘ଇରଫାନ୍’ ବର୍ଣ୍ଣାନରେ ସାମାନ୍ୟ ପରିବର୍ତନ କରି ଜନସମ୍ମୁଖକୁ ଆସିଲେ । ବାପାଙ୍କ ମୃତ୍ୟୁ ପରେ ସେ ଟାୟାର ବ୍ୟବସାୟ ସମ୍ଭାଳିବେ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ଇରଫାନ୍ ଅଭିନେତା ହେବାକୁ ଚାହୁଁ ଥିଲେ । ଟେଲିଭିଜନ ପରଦାରେ ପ୍ରଥମେ ତାଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ପରେ ସେ ବଲିଉଡ୍ ଓ ହଲିଉଡ୍ ଚଳଚ୍ଚିତ୍ରରେ ପଦାର୍ପଣ କରି ନିଜୟ ଦକ୍ଷତା ପ୍ରତିପାଦିତ କରିଥିଲେ । ଇରଫାନ୍ ଜଣେ ପତଳା ଓ ଲାଜକୁଳା ବ୍ୟକ୍ତି ଥିଲେ । ତେଣୁ, ଦର୍ଶକ ତାଙ୍କୁ ଗ୍ରହଣ କରିବେ କି ନାହିଁ ସେହି ଆଶଙ୍କା ତାଙ୍କ ମନରେ ରହି ଥିଲା । ୧୯୮୪ରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡ଼ି)ରେ ସ୍କଲରସିପ୍ ପାଇ ଅଭିନୟ ସଂପର୍କରେ ଅଧ୍ୟୟନ କରିଥିଲେ । ଏନଏସଡ଼ିରେ ହିଁ ଲେଖିକା ପତ୍ନୀ ସୁତପା ସିକଦାରଙ୍କ ସହ ତାଙ୍କ ଭେଟ ହୋଇଥିଲା । ଇରଫାନ୍ ନିଜ କାର୍ଯ୍ୟ ଉପରେ ସଂପୂର୍ଣ୍ଣ ଫୋକସ କରୁଥିଲେ ଏବଂ ଘରକୁ ଫେରିବା କ୍ଷଣୀ ଶୟନ କକ୍ଷକୁ ଯାଇ ଚଟାଣରେ ବସି ବହି ପଢୁଥିଲେ ବୋଲି ସୁତପା କୁହନ୍ତି ।
ଇରଫାନ୍ ଟିଭି ସିରିୟଲରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନ ଥିଲେ । ସୋପ୍ ଅପରା ବା ଘରୋଇ ଡ୍ରାମରେ ଚରିତ୍ରାଭିନୟ ତାଙ୍କୁ ବାନ୍ଧି ପାରି ନ ଥିଲା । ବ୍ରଟିଶ-ଇଂଡ଼ିଆ ଫିଲ୍ମ ‘ଦି ୱାରାୟର୍’ ତାଙ୍କୁ ବଡ ପରଦା ଓ ସଫଳତାର ପ୍ରଥମ ସୁଯୋଗ ଦେଇଥିଲା । ହିମାଳୟ ପର୍ବତ ଓ ରାଜସ୍ଥାନର ମରୁଭୂମୀରେ ଏହି ଫିଲ୍ମଟି ନିର୍ମିତ ହୋଇଥିଲା । ବାଫେଟ୍ ରେ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ବ୍ରିଟିଶ ଫିଲ୍ମ ଭାବେ ଆଲେକଜାଂଡାର କୋରଡା ପୁରସ୍କାର ପାଇଥିଲା । ବ୍ରିଟିଶ୍ ନିର୍ଦେଶକ ଅସିଫ୍ କାପାଡିଆଙ୍କ ଏହା ପ୍ରଥମ ଫିଲ୍ମ ଥିଲା ଏବଂ ତାହା ଆମେରିକାରେ ଏକାଡେମୀ ଆୱାର୍ଡ ପାଇଁ ମଧ୍ୟ ସଟ୍ ଲିଷ୍ଟ୍ କରାଯାଇଥିଲା । ତେବେ, ବୈଷୟିକ କାରଣରୁ ତାହା ଏାଡେମୀ ଆୱାଡରେ ଭାଗ ନେବାରୁ ବାଦ୍ ପଡି ଥିଲା । ହିନ୍ଦି ଭାଷା ବ୍ରିଟିଶଙ୍କ ଇଂଡିଜିନିଅସ୍ ଭାଷା ନୁହେଁ ଦର୍ଶାଇ ‘ଦି ୱାରିୟର’କୁ ଏକାଡେମୀ ଆୱାର୍ଡରୁ ବାଦ ଦିଆଯାଇଥିଲା । ତେବେ, ଏହି ବ୍ରିଟିଶ ଫିଲ୍ମରେ ସଫଳ ଅଭିନୟ ଇରଫାନଙ୍କୁ ହଲିଉଡ୍ ଓ ବଲିଉଡ୍ ରେ ଜଷର ସଫଳ ଚରିତ୍ରାଭିନେତା ଭାବେ ପରିଚୟ ଆଣି ଦେଇଥିଲା । ଦୁଇ ଦଶନ୍ଧୀ ଧରି ସେ ବର୍ଷକୁ ଅନ୍ତତଃ ପାଂଚରୁ ଛଅଟି ଫିଲ୍ମ କରୁଥିଲେ । ୨୦୦୮ରେ ସେ ଡ଼ାନି ବୟଲେଙ୍କ ‘ସ୍ଲମଡ଼ଗ୍ ମିଲିଅନିୟାର’ରେ ଜଣେ ପୁଲିସ ଇନିସପେକ୍ଟର ଭୂମିକାରେ ତାଙ୍କ ଅଭିନୟ ମୁଖ୍ୟ ଅଭିନେତା ଦେବ ପଟେଲଙ୍କ ଜମାଲ୍ ଚରିତ୍ରରେ ଅଭିନୟକୁ ମଧ୍ୟ ପଛରେ ପକାଇ ଦେଇଥିଲା । ବୟଲେ ଏହି ଫିଲ୍ମରେ ଇରଫାନ୍ ଙ୍କ ଅଭିନୟକୁ ଦେଇ ଏତେଦୂର ପ୍ରଭାବିତ ହୋଇଥିଲେ ଯେ ‘ଅତି ସୁନ୍ଦର’ ବୋଲି ମନ୍ତବ୍ୟ ଦେବାକୁ ପଛାଇ ନ ଥିଲେ । ଏହି ଫିଲ୍ମର ସଫଳତା ପରେ ଇରଫାନ୍ ଚୁଜି ହୋଇଯାଇଥିଲେ । ଦର୍ଶକଙ୍କ ମନରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କଲା ଭଳି ଫିଲ୍ମ ଓ ଚରିତ୍ରକୁ ସେ ଗ୍ରହଣ କରୁଥିଲେ ଏବଂ ସଫଳତାର ସହ ଚରିତ୍ରକୁ ନିର୍ବାହ କରୁଥିଲେ । ୨୦୧୧ରେ ଇରଫାନ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ‘ପଦ୍ମ ଶ୍ରୀ’ରେ ଭୂଷିତ ହୋଇଥିଲେ । ତାଙ୍କ ଅବର୍ତମାନରେ ବଲିଉଡ୍ ସେଭଳି ଏକ ବଳିଷ୍ଠ ଅଭିନେତାଙ୍କ ପୁଣି ପାଇବ, ସେଭଳି ଆଶା କରିବା ବୃଥା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS