ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ ପ୍ରବାସୀଙ୍କୁ ସମ୍ଭାଳିବା ହେବ କାଠିକର ପାଠ ?
ପ୍ରସାଦ ରାଓ
ଭୁବନେଶ୍ୱର
୦୩ ମେ’
ଆସନ୍ତା କାଲି (୪ ତାରିଖ)ଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ‘ତାଲାବନ୍ଦ’ ଆରମ୍ଭ ହେଉଛି । କେନ୍ଦ୍ର ସରକାର ଦୁଇ ସପ୍ତାହ ପାଇଁ ଏହି ‘ତାଲାବନ୍ଦ’ ଲାଗୁ କରିଥିଲେ ମଧ୍ୟ ଏହା ଲମ୍ବା ସମୟ ପାଇଁ ଚାଲିବା ସମ୍ଭାବନା ରହିଛି । ଓଡ଼ିଶାରେ ଗତ ମାର୍ଚ୍ଚ ୨୨ରୁ ଓ ଦେଶର ଅନ୍ୟ ଅଂଚଳରେ ମାର୍ଚ୍ଚ ୨୫ରୁ ‘ତାଲାବନ୍ଦ’ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ମେ’ ୩ରେ ସରିବାବାର ଥିଲା । ତାଲାବନ୍ଦ ଅବଧିରେ ବିଭିନ୍ନ ରାଜ୍ୟରେ ଫସି ରହି ଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ନେଇ ବ୍ୟଗ୍ର ଥିଲେ । ଯାନବାହନ ଚଳାଚଳ ବନ୍ଦ ଥିବା ଯୋଗୁ କିଛି ଶ୍ରମିକ ପରିବାର ସହ ପାଦରେ ଚାଲି ଘରକୁ ଫେରି ଥିଲେ । ଆଉ କିଛି ଶ୍ରମିକ ଅପେକ୍ଷା କରିଥିଲେ ସରାକରୀ ବ୍ୟବସ୍ଥାକୁ । ମେ’ ୩ରେ ତାଲାବନ୍ଦ ଉଠିଲେ ସେମାନଙ୍କ ଫେରିବା ବ୍ୟବସ୍ଥା କରାଯିବ ବୋଲି ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ୪ ତାରିଖରୁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମଜୀବୀ ବ୍ୟତିବ୍ୟସ୍ତ । ଗୁଜରାଟର ସୁରଟ ସହରରୁ ଶ୍ରମଜୀବୀଙ୍କୁ ବସ ଯୋଗେ ଆଣିବା ବ୍ୟବସ୍ଥା ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ରାଜ୍ୟରୁ ଟ୍ରେନ୍ ଯୋଗେ ଶ୍ରମିକମାନେ ଓଡ଼ିଶା ଫେରିବା ଆରମ୍ଭ ହୋଇଛି । ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ ଭଳି ବ୍ୟାପକ କରୋନା ସଂକ୍ରମିତ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରମିକ ସଡ଼କ ପଥ ଏବଂ ସ୍ୱତନ୍ତ୍ର ଟ୍ରେନ୍ (ଶ୍ରମିକ ସ୍ପେଶାଲ) ଯୋଗେ ଓଡ଼ିଶରେ ଆସି ପହଂଚୁ ଥିବାରୁ ସରକାର ଓ ପ୍ରଶାସନର ଚିନ୍ତା ବଢିଛି । ସରକାରୀ ଅଧିକାରୀମାନେ ଓଡ଼ିଶରେ ପହଂଚୁ ଥିବା ଶ୍ରମିକମାନଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଉଛନ୍ତି ସତ, କିନ୍ତୁ ଏହି ବିଦେଶ ଫେରନ୍ତା ଶ୍ରମିକମାନେ ରାଜ୍ୟରେ ପହଂଚିବା ପରେ କରୋନା ସଂକ୍ରମଣ ବହୁ ଗୁଣ ବଢିଯିବା ଆଶଙ୍କା ନେଇ ସେମାନେ ବିବ୍ରତ ମଧ୍ୟ ।
ଗଞ୍ଜାମ ଜିଲ୍ଲାକୁ ଉଦାହରଣ ଭାବେ ନେବା । ଗତକାଲି ସୁଦ୍ଧା ଗଂଜାମ କରୋନା-ମୁକ୍ତ ଥିଲା । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଡ଼ିଶାର ଯେଉଁ ୨୧ ଜିଲ୍ଲା ଗ୍ରୀନ୍ ଜୋନରେ ରଖିଛନ୍ତି ସେଥିରେ ଗଞ୍ଜାମ ଜିଲ୍ଲାର ନାମ ଥିଲା । ଆଜି ହଠାତ୍ ସ୍ଥିତି ବଦଳି ଯାଇଛି । ସକାଳେ ଜିଲ୍ଳାରୁ ଦୁଇଟି କରୋନା ପଜେଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଛନ୍ତି । ରାଜ୍ୟର କରୋନା ମ୍ୟାପରେ ୧୬ ତମ ଜିଲ୍ଲା ହୋଇଛି ଗଞ୍ଜାମ । ୧୭ ଓ ୨୨ ବର୍ଷର ଏହି ଦୁଇ କରୋନା ଆକ୍ରାନ୍ତ ସୁରଟ୍ ଫେରନ୍ତାଙ୍କ କୌଣସି କରୋନା ଲକ୍ଷଣ ନ ଥିଲା । ଯେହେତୁ ପ୍ରବାସୀର ଫେରିଛନ୍ତି, ସେମାନଙ୍କ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିଲା । ନମୁନା ପରୀକ୍ଷାରୁ ସେମାନେ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ସୂଚନା ଦେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଗାମୀ ଦିନରେ କିଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ପ୍ରବାସୀ ଓଡ଼ିଆମାନେ ବିଭିନ୍ନ ଉପାୟରେ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଥିବାରୁ ସରକାର ଚାପରେ ଥିଲେ । ତେଣୁ, ତ୍ୟତୀୟ ପର୍ଯ୍ୟାୟ ତାଲାବନ୍ଦ ଲାଗୁ ପୂର୍ବରୁ ସେମାନଙ୍କୁ ଫେରାଇ ଆଣିବା ସକାଶେ ସମସ୍ତ ବ୍ୟବସ୍ଥା ହୋିଛି । ରାଜ୍ୟ ସରକାର ପ୍ରବାସରୁ ସେମାନଙ୍କୁ ଫେରିବା ଅନୁମତି ଦେବା ସହ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି । ବସ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କୁ ରାଜ୍ୟକୁ ପେରାଇ ଆଣିବା ବ୍ୟବସ୍ଥା ହୋଇଛି । ସୁରଟରୁ ଏକାଧିକ ବସରେ ଫେରୁଛନ୍ତି ଓଡ଼ିଆ ଶ୍ରମିକମାନେ । କିଛି ନିଜ ଖର୍ଚ୍ଚରେ ଅଖିଆ ଅପିଆ ଫେରି ଥିବା କହୁଥିବା ବେଳେ ଆଉ କିଛି ଶ୍ରମିକ କେନ୍ଦ୍ର ସରକାରଙ୍କଦ୍ୱାରା ଚାଲିଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିଲେଣି । ଯେଉଁ ରାଜ୍ୟରୁ ଟ୍ରେନ୍ ଛାଡୁଛି ସେଠାକାର ପ୍ରଶାସନ ଏହି ଶ୍ରମିକଙ୍କ ରେଳ ଯାତ୍ରା, ଖାଇବା ଓ ପାନୀୟ ଜଳର ସୁବନେ୍ଦାବସ୍ଥ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ରହିଛି । ସମସ୍ତ ପ୍ରବାସୀ ଶ୍ରମିକ ବସ ବା ଟ୍ରେନ୍ ଯାତ୍ରାରେ ସମୟରେ ମାସ୍କ୍ ପିନ୍ଧିବାକୁ ବାଧ୍ୟ । ଏହାଛଡା, ସାନିଟାଇଜେସନ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ରାଜ୍ୟରୁ ଆସୁଥିବା ଏହି ଶ୍ରମିକମାନେ ନିଜ ନିଜ ଅଂଚଳରେ ପହଂଚିବା ପରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ, କ୍ୱାରେଂଟାଇନ୍ ଓ ସ୍ୱାବ ନମୁନା ପରୀକ୍ଷାର ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ପ୍ରଶାସନ ଓ ପୁଲିସ ସେମାନଙ୍କ ପ୍ରତି କଡା ନଜର ରଖିଥିବା ବେଳେ ରାଜ୍ୟ ସରକାର ସବୁ ପଂଚାୟତର ସରପଂଚମାନଙ୍କୁ ପହଂଚି ଥିବା ଶ୍ରମିକ ଓ ସେମାନଙ୍କ ପରିବାରର ପଂଜୀକରଣ, କ୍ୱାରେଂଟାଇନ୍ ବ୍ୟବସ୍ଥା, ସ୍ୱାବ୍ ନମୁନା ପରୀକ୍ଷା କରାଇବା ଏବଂ ପଜେଟିଭ୍ କେସ୍ ବାହାରିଲେ ଚିକିତ୍ସା ପାଇଁ ପଠାଇବା ଦାୟିତ୍ୱ ଦେଇଛନ୍ତି । ଏଥିରୁ ଘରବାହୁଡାଙ୍କୁ ନେଇ ସରକାରଙ୍କ ଚିନ୍ତା ସ୍ପଷ୍ଟ ହେଉଛି ।
ମୁଖ୍ୟମନ୍ତ୍ରୀ ନିଜେ ପ୍ରବାସରୁ ଫେରୁଥିବା ଓଡ଼ିଆଙ୍କୁ ଉଚିତ ଶ୍ରଦ୍ଧା ଓ ସମ୍ମାନ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରି ନିଜର ମହାନତା ଦେଖାଇଛନ୍ତି । ତେବେ, ଦୀର୍ଘ ୪୦ ଦିନ ଧରି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ଲଢେଇ କରି ଘରକୁ ପରୁଥିବା ଏହି ପ୍ରବାସୀ ଓଡ଼ିଆ ଶ୍ରମିକମାନେ କରୋନାବାହକ ନୁହନ୍ତି ତ (?)- ଏହି ଆଶଙ୍କା ସମସ୍ତଙ୍କୁ ବିବ୍ରତ କରୁଛି । ସେମାନଙ୍କ ପାଇଁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ କଟକଣା ଅଧିକ କଠୋର ହେବା ନିଶ୍ଚିତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ । ପୂର୍ବ ଦୁଇ ପର୍ଯ୍ୟାୟ ‘ତାଲାବନ୍ଦ’ ସମୟରେ ସରକାରଙ୍କ ସାମାନ୍ୟ କୋହଳ କାର୍ଯ୍ୟାନୁଷ୍ଠାନ ଯୋଗୁ ଓଡ଼ିଶାରେ ଦିଲ୍ଲୀ ନିଜାମୁଦ୍ଦିନ ମରକଜ୍ ଫେରନ୍ତା ଓ କଲିକତା ଫେରନ୍ତା କରୋନା-ବାହକମାନେ ଓଡ଼ିଶାରେ ସଂକ୍ରମଣ ବଢାଇଛନ୍ତି । ତେଣୁ, ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧିରେ କେନ୍ଦ୍ର ସରକାର ଦେଶର ସମସ୍ତ ଜିଲ୍ଲାକୁ ତିନିଟି ଜୋନ୍ ରେ ବାଂଟି ଦେଇ କଟକଣାକୁ ଜୋନ୍ ଅନୁସାରେ କଠୋର ଓ କୋହଳ କରିବାକୁ ସୂଚନା ଦେଇଥିଲେ ମଧ୍ୟ ଓଡ଼ିଶା ସରକାର ନିଜସ୍ୱ ଗାଇଡ୍ ଲାଇନ୍ ଜାରି କରି କଟକଣାକୁ କଡାକଡି କରିବା ସମ୍ଭାବନା ଦେଖା ଦେଇଛି ।
କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ରେଡ୍ ଜୋନରେ ଥିବା ଜିଲ୍ଲାଗୁଡିକରେ ପୂର୍ବବତ୍ ସମସ୍ତ କଟକଣା ବଳବତ୍ତର ରହିବ । ଗ୍ରୀନ୍ ଜୋନରେ ଥିବା ଜିଲ୍ଲାରେ କଟକଣା ଅଧିକ କୋହଳ ହେବ ଏବଂ ଅରେଂଜ୍ ଜୋନ୍ରେ ସର୍ତମୂଳକ ଭାବେ କଟକଣା କୋହଳ କରାଯିବ । ଦେଶର ୧୩୦ ଜିଲ୍ଲା ରେଡ୍ ଜୋନ, ୨୮୪ ଜିଲ୍ଲା ଅରେଂଜ୍ ଜୋନରେ ଥିବା ବେଳେ ୩୧୯ ଜିଲ୍ଲା ଗ୍ରୀନ୍ ଜୋନରେ ଅଛି । ଓଡ଼ିଶାର ୩୦ ଜିଲ୍ଲାରୁ ୩ଟି ଜିଲ୍ଲା ଯାଜପୁର, ବାଲେଶ୍ୱର ଓ ଭଦ୍ରକ ରେଡ୍ ଜୋନରେ ଥିବା ସମୟରେ ଖୋର୍ଦ୍ଧା କେନ୍ଦ୍ରାପଡା, ଢେଙ୍କାନାଳ, ସୁନ୍ଦରଗଡ଼, କୋରାପୁଟ ଓ କଲାହାଣ୍ଡି ଜିଲ୍ଳା ଅରେଂଜ ଜୋନରେ ରହିଛି । ବଳକା ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ସମୟରେ ଗଂଜାମ ଜିଲ୍ଲା ଦୁଇ ଜଣ ସୁରଟ ଫେରନ୍ତା କରୋନା ପଜେଟିଭ୍ ଙ୍କ ପାଇଁ ଗ୍ରୀନ ଜୋନରୁ ରେଡ୍ ଜୋନକୁ ଚାଲି ଯିବା ସୁନିଶ୍ଚିତ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ଜିଲ୍ଲାରୁ ତଥ୍ୟ ସଂଗ୍ରହ କରି ସପ୍ତାହକୁ ଥରେ ଜୋନ ପରିବର୍ତନ କରିବେ । ସଂକ୍ରମଣ ନିୟନ୍ତ୍ରଣରେ ଥିବା ଜିଲ୍ଲା ଗ୍ରୀନ ଜୋନ ବା ଅରେଂଜ ଜୋନକୁ ଯିବ । କରୋନ ସଂକ୍ରମଣ ଥିବା ଜିଲ୍ଲା ରେଡ୍ ଜୋନକୁ ସ୍ଥାନାନ୍ତର ହେବ । ତେଣୁ, ପରବର୍ତୀ ସପ୍ତାହରେ ଓଡ଼ିଶାର କେଉଁ ଜିଲ୍ଲା କେଉଁ ଜୋନରେ ରହିବ ତାହା କରୋନା ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ।
ଗଲା ମାର୍ଚ୍ଚ ମାସରେ ରାଜ୍ୟ ସରକାର ବିଦେଶରୁ ଫେରି ଥିବା ଲୋକଙ୍କୁ ଟର୍ଗେଟ୍ କରି କରୋନା-ଲଢେଇ ଲଢିଥିଲେ । ବିଦେଶରୁ ଫେରିଥିବା ଲୋକଙ୍କୁ ପଂଜୀକରଣ କରାଯାଇ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନ୍ରେ ରହିବାକୁ ବାଧ୍ୟ କରାଯାଇଥିଲା । ସେମାନଙ୍କ ସ୍ୱାବ୍ ନମୁନା ସଂଗ୍ରହ ଓ ପରୀକ୍ଷା କରାଯିବା ପରେ ଯେଉଁମାନଙ୍କ କରୋନା ପଜେଟିଭ୍ ଆସୁଥିଲା କ୍ୟାପିଟାଲ ହସପିଟାଲ, ଏଆଇଆଇଏମଏସ୍ (ଏମ୍ସ) ଓ ଅନ୍ୟାନ୍ୟ ହସପିଟାଲରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ହୋଇଥିଲା । ପରବର୍ତୀ ସମୟରେ ୩୦ଟି ଜିଲ୍ଲଶରେ ୩୪ଟି କୋଭିଡ଼ ହସପିଟାଲ ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ ଥିଲା ଭୁବନେଶ୍ୱର ଝାରପଡ଼ା ଅଂଚଳର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କ । ସେ ବିଦେଶରୁ ଫେରି ଥିବାର ଟ୍ରାଭେଲ୍ ହିଷ୍ଟ୍ରୀ ଥିଲା । ଏହାଛଡା, ସେ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଲା । ଏହାପରେ, ରାଜ୍ୟରେ ଆଉ କେହି କରୋନାରେ ମରି ନାହାନ୍ତି । ତେବେ, ଦିଲ୍ଲୀ ନିଜାମୁଦ୍ଦିନ ମରକଜ୍ ରୁ ଫେରିଥିବା ଲୋକମାନେ ଓଡ଼ିଶାରେ କରୋନା ସଂକ୍ରମଣ ବଢାଇଛନ୍ତି । ରୋଗୀ ସଂଖ୍ୟା ବଢିଛି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ରାଜଧାନୀ ଭୁବନେଶ୍ୱର ରେଡ୍ ଜୋନରେ ଥିଲା । ସହରର ବମିଖାଲ ଅଂଚଳରୁ ସର୍ବାଧିକ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପୂର୍ବରୁ ରାଜଧାନୀର ସୂର୍ଯ୍ୟନଗର ଅଂଚଳ ‘ସଂକ୍ରମିତ ଅଂଚଳ’ ବା ‘କଂଟେନମେଂଟ୍ ଏରିଆ’ ଘୋଷିତ ହୋଇଥିଲା । ଏହି ଅଂଚଳରୁ ୮ଟି ପଜେଟିଭ୍ କେସ୍ ବାହାରି ଥିଲା । ବମିଖାଲ ଦୀର୍ଘ ଦିନ କଂଟେନମେଂଟରେ ରହିବା ପରେ ମୁକ୍ତ ହୋଇଛି। ସେହିପରି, ୟୁନିଟ-୪, ୟୁନିଟ-୫, ସତ୍ୟନଗର, ପୁରୁଣା ବ୍ରହ୍ମପୁର, ସୁନ୍ଦରପଦା, ଯଦୁପୁର ଅଂଚଳ କଂଟେନମେଂଟ ଏରିଆ ଭାବେ ବିଏମସି ଦ୍ୱାରା ସିଲ୍ ହୋଇଥିଲା । ଯଦୁପୁର ଓ ସୁନ୍ଦରପଦା ପ୍ରଥମେ କଂଟେନମେଂଟ ମୁକ୍ତ ହେବା ପରେ ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗର କଂଟେନମେଂଟ ମୁକ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଏପ୍ରିଲ ୩୦ ତାରିଖ କ୍ନ୍୍େର ସରକାରଙ୍କ ରିପୋର୍ଟରେ ଅରେଂଜ୍ ଜୋନରେ ରହିଛି । ରାଜଧାନୀରେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ନୂଆ କରୋନା-ହଟସ୍ପଟ୍ ହୋଇଛି । ଏହି ତିନି ଜିଲ୍ଲା ମଧ୍ୟରୁ ଯାଜପୁର ଜିଲ୍ଲା ଅଧିକ ସଂକ୍ରମିତ ଓ ପଶ୍ଚିମ ବଂଗ ଫେରନ୍ତାଙ୍କ ପାଇଁ ନିୟନ୍ତ୍ରଣ ବାହାରେ ।
୩ ତାରିଖ ଅପରାହ୍ନ ସୁଦ୍ଧା ମିଳିଥିବା କେରାନା-ଅପଡେଟ୍ ଅନୁଯାୟୀ, ରାଜ୍ୟରେ କରୋନା ପଜେଟିଭ୍ କନଫର୍ମ କେସ୍ ସଂଖ୍ୟା ୧୬୨ରେ ପହଂଚିଥିବା ବେଳେ ସେଥିରୁ ୫୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଜଣକ ମୃତ୍ୟୁ ଘଟିଛି ଏବଂ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୧୦୫ । ଜିଲ୍ଲାୱାରୀ ଦେଖିଲେ, ଯାଜପୁରରେ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୪୭ ଜଣ ଚିକିତ୍ସାଧିନ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୫ ଜଣ ଚିକିତ୍ସାଧିନ ଅଛନ୍ତି । ବାଲେଶ୍ୱର ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଓ ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୧୮ ଜଣ ଚିକିତ୍ସାଧିନ ଅଛନ୍ତି । ଭଦ୍ରକ ଜିଲ୍ଲାରେ ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଚିକିତ୍ସାଧିନ ଅଛନ୍ତି ଓ ୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଥିବା ବେଳେ ୫ ଜଣ ଚିକିତ୍ସାଧିନ ଅଛନ୍ତି । ଗଞ୍ଜାମ ଜିଲ୍ଲରେ ନୂଆ କରି ଦୁଇଟି କରୋନା ପଜେଟିଭ୍ ବାହାରିଛି । ବଲାଂଗୀର ଜିଲ୍ଲାରେ ୨, ଝାରସୁଗୁଡ଼ା ଜିଲ୍ଲାରେ ୨, କେନ୍ଦୁଝର ଜିଲ୍ଲାରେ ୨, କୋରାପୁଟ ଜିଲ୍ଲାରେ ୧, ଦେବଗଡ଼ ଜିଲ୍ଲାରେ ୧ ଆକ୍ଟିଭ କେସ୍ ରହିଛି । କେନ୍ଦ୍ରାପଡା (୨), କଳାହାଣ୍ଡି (୨), କଟକ (୧), ଢେଙ୍କାନାଳ (୧) ଓ ପୁରୀ (୧) ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
କୋଲକତା ଫେରନ୍ତାଙ୍କ ପାଇଁ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଯେଭଳି କରୋନା ହଟସ୍ପଟ୍ ହୋଇଛି ସେଭଳି ସୁରଟ୍ ଓ ଦେଶର ବିଭିନ୍ନ ସଂକ୍ରମିତ ଅଂଚଳରୁ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଗାମୀ ଦିନରେ ରାଜ୍ୟରେ ଅନେକ ଗ୍ରୀନ୍ ଓ ଅରେଂଜ୍ ଜୋନର ଚରିତ୍ର ବଦଳି ଯାଇପାରେ । ଏହି ଆଶଙ୍କା ସରକାରଙ୍କ ନିଦ ହଜାଇଛି । ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ପ୍ରସ୍ତୁତ ବୋଲି ସରକାର ବାହାସ୍ପୋଟ ମାରୁଛନ୍ତି ସିନା ଭିତରେ ଭୟରେ ଅଛନ୍ତି । ତେଣୁ, ତୃତୀୟ ପର୍ଯ୍ୟାୟ ‘ତାଲାବନ୍ଦ’ ଅବଧିରେ ଜୋନ ଭିତ୍ତିରେ ଲାଗୁ ହେବାକୁ ଥିବା କଟକଣା ଅଧିକ କଠୋର ହେବା ନିଶ୍ଚିତ ହୋଇଯାଇଛି । ରାଜ୍ୟ ସରକାର ମେ’୪ରୁ ଗ୍ରୀନ ଓ ଅରେଂଜ ଜୋନରେ କଟକଣା କିଛିମାତ୍ରାରେ କୋହଳ କରିବାକୁ ଘୋଷଣା କରିଥିବା ବେଳେ ତାଲାବନ୍ଦ ଅବଧିରେ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କେହି ଘରୁ ବାହାରି ପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହା କର୍ଫ୍ୟୁ ନ ହେଲେ ବି କର୍ଫ୍ୟୁ ଭଳି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ମଧ୍ୟ ଏହାକୁ ଅନୁମତି ଦେଇଛି । କିନ୍ତୁ, ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ନିଜ ନିଜ ଅଂଚଳରେ ପହଂଚିବା ପରେ ପରେ କ୍ୱାରେଂଟାଇନ୍ ଭୟରେ ଯେଭଳି ଅମାନିଆପଣ ଦେଖାଉଛନ୍ତି ଓ ରାସ୍ତାରୁ ଗାଏବ ହୋଇ ଯାଉଛନ୍ତି ତାହା ସରକାରୀ କଟକଣାକୁ ଫୁ’ କଲା ଭଳି ହେଇଛି । ସରକାର ସେମାନଙ୍କ ସମ୍ଭାଳି ନ ପାରିଲେ ରାଜ୍ୟ କରୋନା ମାନଚିତ୍ରରେ ଗଂଜାମ ଜିଲ୍ଲା ଭଳି ଆଉ କିଛି ନୂଆ ଜିଲ୍ଲା ଯୋଡି ହୋଇଯିବେ, ଏଥିରେ କୌଣସି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS