କଂଟେନମେଂଟରୁ ମୁକୁଳିବା ପରେ ବି ରାଜଧାନୀ ବାସିନ୍ଦାଙ୍କ ଦୁଃଖ ସରୁନି
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୦୪
ରାଜଧାନୀ ଭୁନବନେଶ୍ୱର କଂଟେନମେଂଟ୍ ମୁକ୍ତ ହେବା ପରେ ମଧ୍ୟ ବିଏମସି ଅଧିବାସୀଙ୍କ ଦୁଃଖ ସରିନି । ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସରିବା ପରେ ଅନ୍ତତଃ ଶାନ୍ତିରେ ନିଶ୍ୱାସ ନେଇ ହେବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ, ତାହା ରାଜ୍ୟ ସରକାର କରାଇ ଦେଲେ ନାହିଁ । ପୁଣି ଥରେ ଦେଶବ୍ୟାପୀ ମେ’ ୪ରୁ ଦୁଇ ସପ୍ତାହ ପାଇଁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଛି । ଏହି ତାଲାବନ୍ଦ ସମୟରେ ଦେଶର କେଉଁ କେଉଁ ଜିଲ୍ଲାରେ ପୂର୍ବବତ୍ କଟକଣା ବଳବତ୍ତର ରହିବ ଏବଂ କେଉଁ ସବୁ ଜିଲ୍ଲାରେ କଟକଣା କୋହଳ ହେବ, ତାହାର ଏକ ବିସ୍ତୃତ ତାଲିକା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପ୍ରସ୍ତୁତ କରି ୨ ତାରିଖ ରିଲିଜ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ଭେଲାଂସ୍ ଭିତ୍ତିରେ ଏହି ତାଲିକା ପ୍ରସ୍ତୁତ ହୋଇଛି । ଗୋଟିଏ ସପ୍ତାହ ପରେ ପୁନର୍ବାର ସମୀକ୍ଷା କରାଯାଇ ପରବର୍ତୀ ସପ୍ତାହର ତାଲିକା ପ୍ରକାଶ କରାଯିବା । ଆବଶ୍ୟକତାକୁ ଦେଖି ଯାହା କିଛି ଅଦଳ ବଦଳ ହେବ ବୋଲି ସରକାର କହିଛନ୍ତି । ଏହି ତାଲିକାରେ ଦେଶରେ ସଂକ୍ରମଣ ଅଧିକ ଥିବା ଜିଲ୍ଲାଗୁଡିକୁ ରେଡ୍ ଜୋନରେ ରଖା ଯାଇଛି । ମୋଟେ କରୋନା ସଂକ୍ରମଣ ନ ଥିବା ଜିଲ୍ଲା ସହ କାଁ ଭାଁ ସଂକ୍ରମିତ ହୋଇ ପରେ ସ୍ଥିତି ସୁଧୁରି ଯାଇଥିବା ଜିଲ୍ଲାଗୁଡିକୁ ଗ୍ରୀନ୍ ଜୋନରେ ରଖା ଯାଇଛି । ବଳକା ଜିଲ୍ଲା ସବୁ ଅରେଂଜ୍ ଜୋନରେ ଅଛନ୍ତି ।
ମେ’ ୪ ତାରିଖରେ ତୃତୀୟ ପର୍ଯ୍ୟାୟ ‘ତାଲାବନ୍ଦ’ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାର ୨ ତାରିଖ ଏହି ତାଲିକା ପ୍ରକାଶ କରି ସେହି ଅନୁସାରେ ରାଜ୍ୟମାନେ ନିଜ ନିଜ ରାଜ୍ୟରେ କଟକଣା ଲାଗୁ କରିବାକୁ ନିର୍ଦେଶ ଦେଇଥିଲେ । କେନ୍ଦ୍ର ଦ୍ୱାରା ପ୍ରକାଶିତ ତାଲିକାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅରଂଜ୍ ଜୋନରେ ରହି ଥିବା ଦେଖି ରାଜଧାନୀ ବାସିନ୍ଦା ଆଶ୍ୱସ୍ତ ହୋଇଥିଲେ । ଗ୍ରୀନ୍ ନ ହେଲେ ବି ଅରେଂଜ ଜୋନରେ ଥିବାରୁ ରାଜଧାନୀ ବାସିନ୍ଦା କିଛିଟା ରିହାତି ପାଇବେ ବୋଲି ରବିବାର ଆଶା କରିଥିଲେ । କିନ୍ତୁ, ସେହି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ସମାନ୍ତରାଳ ତାଲିକା ରାଜଧାନୀ ବାସିନ୍ଦାଙ୍କ ଖୁସିକୁ ପାଣିଚିଆ କରିଦେଇଛି । ଏହି ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଅରଂଜ୍ ଜୋନରେ ଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱର ସହର ବା ମହାନଗର ନିଗମ (ବିଏମସି) ସେଥିରୁ ବାଦ୍ ପଡି ପୂର୍ବ ପରି ରେଡ୍ ଜୋନକୁ ଚାଲି ଯାଇଛି । ତେବେ, ଜିଲ୍ଲାର ଅନ୍ୟ ସମସ୍ତ ଅଂଚଳ ଅରେଂଜ ଜୋନରେ ହିଁ ରହିଛି । ରାଜଧାନୀକୁ ଆଜି ଦିନରେ ଓଡ଼ିଶାର ସର୍ବାଧିକ ସଂକ୍ରମିତ ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସହ ରଖାଯିବା ଦ୍ୱାରା ରାଜଧାନୀ ବାସିନ୍ଦା ଆଉ କିଛି ଦିନ ଦୁଃଖ ଭୋଗିବେ, ଏଥିରେ କିଛି ସନ୍ଦେହ ନାହିଁ ।
କାରଣ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ ନିୟମାବଳୀରେ ଗ୍ରୀନ୍ ଜୋନରେ ସମସ୍ତ କଟକଣା କୋହଳ ହୋଇଥିବା ବେଳେ ଅରେଂଜ୍ ଜୋନରେ ବହୁମାତ୍ରା କୋହାଳ ହୋଇଛି । କେବଳ ରେଡ୍ ଜୋନ୍ ପୂର୍ବପରି କଟକଣା ଭିତରେ ରହିବ ବୋଲି ସରକାର କହିଛନ୍ତି । ସରକାର ନେଇ ଥିବା ନିଷ୍ପତ୍ତି ପ୍ରକାରେ ଆଜି ଗ୍ରୀନ୍ ଜୋନରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଅବାଧରେ ଚାଲିଛି । ଏଥିସକାଶେ କାହାରି ଠାରୁ ଅନୁମତି ନେବାକୁ ପଡୁନି । ଚାରି ଚକିଆ ଯାନରେ ଡ୍ରାଇଭର ସହ ପଛ ସିଟ୍ରେ ଦୁଇ ଜଣ ଏବଂ ଦୁଇ ଚକିଆ ଯାନରେ ଚାଳକଙ୍କ ସମେତ ମୋଟ ୨ ଜଣ ଯିବା, ଆସିବା କରୁଛନ୍ତି । ଗ୍ରାମାଂଚଳର ସମସ୍ତ ଦୋକାନ ଏବଂ ସହରାଂଚଳରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଅନୁସାରେ ଦୋକାନ ବଜାର ଖୋଲିଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ, ଏପରିକି ମଦ ଦୋକାନ ମଧ୍ୟ ଖୋଲିଛି । ଆଜି ଅପରାହ୍ନରେ ମଦ କିଣିବା ପାଇଁ ଲୋକଙ୍କ ଭିଡ଼ ଉପରେ ପୁଲିସ ଲାଠି ମାଡ କରିଥିବା ଖବର ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଗ୍ରୀନ୍ ଜୋନରେ ସମସ୍ତ ନିର୍ମାଣ କାର୍ଯ୍ୟ ୍ରାରମ୍ଭ ହୋିଥିବା ସୂଚନା ମିଳିଛି । ସେହିଭଳି, ଅରେଂଜ ଜୋନ ଅନ୍ତର୍ଭୁକ୍ତ ଜିଲ୍ଲାମାନଙ୍କରେ ଅନୁମତିପ୍ରାପ୍ତ ଟ୍ୟାକ୍ସି ଓ କ୍ୟାବ୍ ଚାଲିବା ବ୍ୟବସ୍ଥା ରହିଛି । ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯାତ୍ରୀ ଜିଲ୍ଲା ଭିତରେ ଯାତାୟତ କରିପାରିବେ ଏବଂ ଜିଲ୍ଲା ବାହାରକୁ ଗଲେ ବା ବାହାର ଜିଲ୍ଲାକୁ ଆସିଲେ ପୁଲିସ ଓ ପ୍ର୍ର୍ରଶାସନର ଅନୁମତି ନେବାକୁ ପଡିବ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି । ଦୁଇ ଚକିଆ ଯାନରେ ଦୁଇ ଜଣ ଯିବା ଆସିବା ଆରମ୍ଭ ହୋଇଛି । ଗ୍ରାମାଂଚଳରେ ଦୋକାନ ବଜାର ଖୋଲିଛି । ତେବେ, ସହରାଂଚଳରେ ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ ଦୋକାନ ଖୋଲିବ ବୋଲି ନିର୍ଦେଶନାମା ରହିଛି ।
ରେଡ୍ ଜୋନ କିନ୍ତୁ ପୂର୍ବପରି ରେଡ୍ ହୋଇ ରହିଛି । କଂଟେନମେଂଟ ଅଂଚଳ ଓ ହଟସ୍ପଟ୍ ଗୁଡିକରେ କଟକଣା କୋହଳ ହେବା ପ୍ରଶ୍ନ ଉଠୁନି । ଅନ୍ୟ ସମସ୍ତ ରେଡ୍ ଜୋନ ଅଂଚଳରେ ରିକ୍ସା, ଅଟୋରିକ୍ସା, କ୍ୟାବ୍ ଓ ଟ୍ୟାକ୍ସି ଚଳାଚଳ ଅନୁମତି ନାହିଁ । କେହି ଆନ୍ତଃଜିଲ୍ଲା ବା ଜିଲ୍ଲା ଭିତରେ ଯାତାୟତ କରି ପାରିବ ନାହିଁ । ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖେଲିବାକୁ ଅନୁମତି ମିଳିଛି ସତ କିନ୍ତୁ କଡା କଟକଣା ଭିତରେ । ସେଲୁନ, ସ୍ପା, ମଦ ଦୋକାନ, ରେଷ୍ଟୁରାଂଟ, ଜିମ୍, ମଲ୍ ଖୋଲିବା ପାଇଁଅନୁମତି ନାହିଁ । ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ନିମନ୍ତେ ଗାଡିର ବ୍ୟବହାର ହୋଇ ପାରିବ । ସାହିରେ ଥିବା ଦୋକାନରୁ ଜନସାଧାରଣ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ବୋଲି ସରକାର କହିଛନ୍ତି । କଟକଣା କିଛିଟା କୋହଳ ହୋଇ ଥିବାରୁ ରାଜଧାନୀରେ କିଛି ବ୍ରବସାୟ ପ୍ରତିଷ୍ଠାନ ଖୋଲିଛି । ତେବେ, ରେଡ୍ ଜୋନ କଟକଣା ଭିତରେ ରାଜଧାନୀ ରହି ଥିବାରୁ ଭୟର ବାତାବରଣ ମଧ୍ୟ ରହିଛି । କିଛି ଅମାନିଆ ଆଜି ଗାଡି ଧରି ବାହାରି ଆସିବାରୁ ପୁଲିସକୁ ଜୋରିମାନା ଦେଇଥିବା ଜଣାପଡିଛି । କାରଣ, ଅତ୍ୟାବଶ୍ୟକ କାର୍ଯ୍ୟରେ ହିଁ ଚାରି ଚକିଆ ଯାନ ବ୍ୟବହାର ହୋଇ ପାରିବ ଏବଂ ଚାରି ଚକିଆରେ ଡ୍ରାଇଭର ସହ ଦୁଇ ଜଣ ଓ ଦୁଇ ଚକିଆରେ କେବଳ ଯାନ ଚାଳକ ଯା’ ଆସ କରି ପାରିବେ ବୋଲି କଟକଣା ରହିଛି । କିନ୍ତୁ, ଅନୁମତିପ୍ରାପ୍ତ ଘରୋଇ ଟ୍ୟାକ୍ସି ଓଲା, ଉବ୍ବ ନିର୍ଦ୍ଧିଷ୍ଟ ସେବା ପାଇଁ ବ୍ୟବହାର ହୋଇପାରିବ ବୋଲି ସରକାର କହିଛନ୍ତି । ଇ-କମର୍ସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାକୁ ସରକାରଙ୍କ ଅନୁମତି ରହିଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଏହି ଜିଲ୍ଲା ତାଲିକାରେ ବିଏମସି ସମେତ ତିନିଟି ଜିଲ୍ଲା ଯାଜପୁର, ବାଲେଶ୍ୱର ଓ ଭଦ୍ରକ ରେଡ୍ ଜୋନରେ ରହିଛି । ବିଏମସି ଛଡା ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ସମସ୍ତ ଅଂଚଳ, କେନ୍ଦ୍ରାପଡା, ଗଂଜାମ, ସୁନ୍ଦରଗଡ଼, କୋରାପୁଟ, କେନ୍ଦୁଝର, ଦେଓଗଡ଼, ଝାରସୁଗୁଡ଼ା, ବଲାଂଗିର, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ଅରେଂଜ୍ ଜୋନରେ ରହିଛି । ବଳକା ୧୪ ଜିଲ୍ଲା – ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୁରଭଂଜ, ନବରଂଗପୁର, ନୟାଗଡ଼, ନୂଆପଡା, ରାୟଗଡ଼ା, ସୋନପୁର, କଟକ ଓ ପୁରୀ ଜିଲ୍ଲା ଗ୍ରୀନ୍ ଜୋନରେ ଅଛନ୍ତି । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ରାଜଧାନୀରୁ ସର୍ବାଧିକ ୪୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିରୁ ଜଣକ ମୃତ୍ୟୁ ଘଟି ଥିବା ବେଳେ ୩୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୧୫ ଜଣ ଚିକିତ୍ସାଧିନ ଅଛନ୍ତି । ୮୫ ପ୍ରତିଶତ ରୋଗୀଙ୍କ କୌଣସି ଲକ୍ଷଣ ନାହିଁ । ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେଣୁ, ବିଏମସି କଟକଣା ମୁକ୍ତ ହେବ ବୋଲି ରାଜଧାନୀ ବାସିନ୍ଦା ଆଶା କରିଥିଲେ । କିନ୍ତୁ, ଓଡ଼ିଶା ସରକାର ବିଏମସିକୁ ଖୋର୍ଦ୍ଧା ଜିଲ୍ଲାରୁ ବାଦ୍ ଦେଇ ରେଡ୍ ଜୋନରେ ରଖିବା ଦ୍ୱାରା ରାଜଧାନୀବାସୀ ଠକାମୀର ଶିକାର ହୋଇଥିବା ଅନୁଭବ କରୁଛନ୍ତି । କଟକ ଜିଲ୍ଲା ଓ ସିଏମସି ଗ୍ରୀନ୍ ଜୋନରେ ରହି ସମସ୍ତ କଟକଣାରୁ ମୁକ୍ତ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବିଏମସି ବ୍ୟତୀତ ଅନ୍ୟ ସବୁ ଅଂଚଳ ଅରେଂଜ୍ ଜୋନରେ ଥାଇ ବିଭିନ୍ନ ସୁବିଧା ପାଇଲେଣି । ବିଏମସି ବାସିନ୍ଦା ଏଥିରୁ ବଂଚିତ ହେବା ପଛରେ ଅନ୍ୟ କିଛି ରହସ୍ୟ ଥିବା ବୋଲି ଆଲୋଚନା ହେଉଛି । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବା ଦିନଠାରୁ କ୍ଷମତାର ଡ଼ୋର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ହାତକୁ ଚାଲି ଯାଇଛି । ଏତେଶୀଘ୍ର ସେମାନେ ତାହା ହାତଛଡା କରିବାକୁ ଛାଡୁ ନାହାନ୍ତି । ତେଣୁ, ରାଜଧାନୀ ଭୁବନେଶ୍ୱର ରେଡ୍ ଜୋନରୁ ମୁକୁଳି ପାରୁ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା କେତେଦୂର ସତ ସରକାର ହିଁ କହି ପାରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS