ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ଥିତି ବିସ୍ଫୋରକ ହେବାକୁ ଯାଉଛି
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୦୭
ଯାହା ଆଶଙ୍କା ଥିଲା ତାହା ସତ ହେବାକୁ ଯାଉଛି । ମେ’ ୩ ତାରିଖ ପରେ ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଫେରିଲେ ରାଜ୍ୟର ଅବସ୍ଥା ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ୪ ଦିନ ଭିତରେ ସେହି ଆଶଙ୍କା ବାସ୍ତବିକତାରେ ପରିଣତ ହୋଇଛି । ଗୁଜରାଟର ସମେତ ଦେଶର ବିଭିନ୍ନ ଅଧିକ କରୋନା ସଂକ୍ରମିତ ରାଜ୍ୟରୁ ୪ ଦିନ ଭିତରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଗଂଜାମ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ପହଂଚିଛନ୍ତି । ସୁରଟ୍ ଫେରନ୍ତାମାନେ କରୋନାବାହକ ସାଜି ଥିବାରୁ ରାଜ୍ୟରେ କରୋନା ଭୁତାଣୁର ସଂକ୍ରମଣ ବହୁମାତ୍ରାରେ ବଢିଛି । ବିଶେଷକରି, ଗଂଜାମ ଜିଲ୍ଲା ଅଧଇକ ପ୍ରଭାବିତ ହୋଇଛି ।
ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗଲା ମେ’ ୩ ତାରିଖ ଯାଏଁ ଗଂଜାମ ଜିଲ୍ଲା କରୋନା-ମୁକ୍ତ ଥିଲା । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ୱସ୍ତ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ଜିଲ୍ଲାକୁ ଗ୍ରୀନ୍ ଜୋନରେ ରଖି ଥିଲେ । ରାଜ୍ୟରେ କରୋନା-ବିରୋଧୀ ଲଢେଇରେ ଜିଲ୍ଲା ପଥ ପ୍ରଦର୍ଶକ ଥିଲା । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାକୁ ପାଦେ ପାଦେ ଜଗି ଥିଲେ । ଜିଲ୍ଲାବାସୀଙ୍କୁ କରୋନା-ମୁକ୍ତ ରଖିବା ପାଇଁ କୁଲାଙ୍ଗେ ନେଉ ଥିବା ପ୍ରତିଟି ପଦକ୍ଷେପ ସମଗ୍ର ରାଜ୍ୟ ପାଇଁ ଅନୁକରଣୀୟ ହୋଇଥିଲା । କିନ୍ତୁ, ଜିଲ୍ଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ପାଦ ଦେବା ପରେ ଜିଲ୍ଲାପାଳଙ୍କ ତପସ୍ୟା ଶୁଖୁଆ ପୋଡାରେ ନଷ୍ଟ ହୋଇଯାଇଛି । ୪ ଦିନ ଭିତରେ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଂଚି ଥିବା ବେଳେ ଜିଲ୍ଲା ପ୍ରଥମେ ଗ୍ରାନ୍ ଜୋନରୁ ଅରେଂଜ୍ ଜୋନ୍ ଓ ପରେ ରେଡ୍ ଜୋନ୍କୁ ଚାଲି ଯାଇଛି । ଖୋର୍ଦ୍ଧ ଜିଲ୍ଲାର ଭୁବନେଶ୍ୱର ସହର ଓ ଯାଜପୁର ଜିଲ୍ଲା ପରେ ଗଂଜାମ ଜିଲ୍ଲା ଏବେ କରୋନା – ହଟସ୍ପଟ ଭାବେ ସମଗ୍ର ରାଜ୍ୟ ଓ ଦଶର ଦୃଷ୍ଟିକୁ ଆସିଛି ।
ମେ’ ୩ ତାରିଖ ପରେ ରାଜ୍ୟକୁ ଫେରିଛନ୍ତି ପାଖାପାଖି ୪୦ ହଜାର ପ୍ରବାସୀ ଓଡ଼ିଆ । ଏଥିରୁ ୩୦ ହଜାରରୁ ଅଧିକ ଗଂଜାମ ଜିଲ୍ଲାକୁ ଫେରି ଥିବା କୁହାଯାଉଛି । ତାଲାବନ୍ଦ ଯୋଗୁ ଏମାନେ ସମସ୍ତେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଭଳି ଅଧିକ ସଂକ୍ରମିତ ରାଜ୍ୟରେ ଫସି ରହି ଥିଲେ । ବିଶେଷକରି, ଗୁଜରାଟର ସୁରଟ୍ ସହରରେ ଫସି ରହି ଥିବା ଲକ୍ଷାଧିକ ପ୍ରବାସୀ ଓଡ଼ିଶା ନିଜ ରାଜ୍ୟ ଓ ଜିଲ୍ଲାକୁ ଫେରିବାକୁ ଛଟପଟ ହେଉଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସରୁ ସରୁ ସେମାନଙ୍କୁ ରାଜ୍ୟକୁ ଫେରିବାକୁ ସରକାରୀ ଅନୁମତି ମିଳି ଯାଇଥିଲା । ପ୍ରଥମେ ବସ୍ ଓ ପରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ସମେତ ଅନ୍ୟାନ୍ୟ ଯାନବାହନରେ ଳଦି ହୋଇ ସେମାନେ ସଡ଼ିଶା ଆସିବା ଆରମ୍ଭ କରିଛନ୍ତି । ୭ ତାରିଖ ସୁଦ୍ଧା ୩୯, ୭୬୫ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ମାଧ୍ୟମରେ ଓଡ଼ିଶାରେ ଆସି ପହଂଚି ଥିବା ସରକାରୀ ଭାବେ କୁହାଯାଇଛି । ଗତକାଲି ୭,୪୫୧ ଜଣ ପ୍ରବାସୀ ଓଡ଼ିଆ ରାଜ୍ୟରେ ଆସି ପହଂଚି ଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ୪୨୨୫ ଜଣ ଓଡ଼ିଶାରେ ପହଂଚି ଥିବା ସୂଚନା ମିଳିଛି । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାରେ ରାଜ୍ୟ ସରକାରଙ୍କ କୋହଳ ନୀତିକୁ ଚ୍ୟାଲେଂଜ କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ମାନ୍ୟବର ହାଇକୋର୍ଟ ଆଜି ରାୟ ଦେଇ ଯେଉଁ ରାଜ୍ୟରୁ ଏହି ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଆସିବାକୁ ଚାହୁଁଛନ୍ତି ସେହି ରାଜ୍ୟରେ ପ୍ରଥମେ ତାଙ୍କ ସ୍ୱାବ୍ ନମୁନା ପରୀକ୍ଷା ହେଉ, ଯେଁମାନେ ନେଗେଟିଭ୍ ବାହାରିବେ ସେମାନଙ୍କୁ ଆସିବାକୁ ଅନୁମତି ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ଚେତିଛନ୍ତି । କୋର୍ଟଙ୍କ ନିର୍ଦେଶ ଆଧାରରେ ଆସନ୍ତା କାଲି ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଆସିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ସବୁକୁ ବାତିଲ କରାଯାଇଛି । ଓଡ଼ିଶା ସରକାର ଟ୍ରେନ୍ ସବୁ ବାତିଲ କରିଥିବା ସୁରଟ୍ ଜିଲ୍ଲାପାଳ ଧବଳ ପଟେଲ ସେଠାକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଓଡ଼ିଶା ସରକାର ପ୍ରତିକ୍ରିୟାଶୀଳ ହେବା ପୂର୍ବରୁ ସୁରଟ୍ ଫେରନ୍ତା ପ୍ରବାସୀ ଓଡ଼ିଆ ରାଜ୍ୟର ବିଭିନ୍ନ ଅଂଚଳରେ କରୋନା ସଂକ୍ରମଣ ବଢାଇ ସାରିଲେଣି । ଚଳିତ ମାସର ପ୍ରଥମ ସପ୍ତାହରେ ସୁରଟ୍ ରୁ ଗଂଜାମ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୪ ଜଣ କରୋନା ପଜେଟିଭ୍ ବାହାରିଥିଲେ । ସ୍ୱାବ୍ ନମୁନ ପରୀକ୍ଷଣରୁ ଏହା ଜଣାପଡିବା ପରେ ଗ୍ରୀନ ଜୋନରେ ଥିବା ଗଂଜାମ ଜିଲ୍ଲା ଅରେଂଜ୍ ଜୋନକୁ ସ୍ତାନାନ୍ତର ହୋଇଥିଲା । ଜିଲ୍ଲାରୁ ଆଉ ୨୪ ଜଣ କରୋନା ପଜେଟିଭ୍ ବାହାରିବାରୁ ଆଜି ସନ୍ଧ୍ୟା ସୁଦ୍ଧା ଗଂଜାମ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୮ରେ ପହଂଚିଛି । ସମସ୍ତେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ମିଳିଥିବା ତଥ୍ୟ କରୁଛି । ଜିଲ୍ଲାରେ ଦୃତଗତିରେ କରୋନା ସଂକ୍ରମଣ ହାର ଦ୍ୱିଗୁଣିତ ହେଉଥିବା ଦେଖି ରାଜ୍ୟ ସରକାର ଜିଲ୍ଲାକୁ ଆଜି ରେଡ୍ ଜୋନରେ ରଖିଛନ୍ତି । ଚାରି ଦିନ ମଧ୍ୟରେ ଜଲ୍ଲାରୁ ୨୮ ଜଣ କରୋନା ରୋଗୀ ଚିହ୍ନଟ ହେବା ଏବଂ ସମସ୍ତେ ସୁରଟ ଫେରନ୍ତା ହୋଇଥିବା ଜାଣିବା ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ଜିଲ୍ଲାର ଗ୍ରାମାଂଚଳରେ ଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରରେ ହଜାର ହଜାର ସଂଖ୍ୟାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ସଂଗରୋଧ ଥିବାରୁ ଆଗାମୀ ଦିନରେ ପରିସ୍ଥିତି ଅଧିକ ବିସ୍ଫୋରକ ହେବା ନେଇ ଆକଳନ କରା ଗଲାଣି । ଗୋଟିଏ ପଟେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ଜିଲ୍ଳାରେ କରୋନା ବାହାକ ସାଜିଛନ୍ତି । ଅନ୍ୟପରେ, ସଂଗରୋଧ କେନ୍ଦ୍ରରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରି ଜିଲ୍ଲା ପ୍ରଶାସନକୁ ବ୍ୟତିବ୍ୟସ୍ତ କରୁଛନ୍ତି । ବହୁ ଅପରାଧତତ୍ୱ ମଧ୍ୟ ସୁରଟରୁ ଫେରି ଥିବାରୁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ହିଂସାତ୍ମକ ପରିବେଶ ମଧ୍ୟ ଦେଖିବାକୁ ମିଳିଛି । ଏହି ଲୋକମାନଙ୍କୁ ସମ୍ଭାଳିବା ଜିଳ୍ଲା ପ୍ରଶାସନ ପାଇଁ ମୁସକିଲ ହୋଇଥିବା ବେଳେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବା ସକାଶେ କିଛି ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇ ନିଜ କାନ୍ଧରୁ ବୋଝ ଉତାରି ଦେଇଛନ୍ତି ।
ଆଜି ସକାଳେ ଗଂଜାମ ଜିଲ୍ଲାରୁ ୧୭ ଜଣ ଓ ମୟୁରଭଂଜ ଜିଲ୍ଲାରୁ ୪ ଜଣ ଏପରି ମୋଟ ୨୧ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱରରୁ ୩ ଜଣ, ଗଂଜାମ ଜିଲ୍ଲରୁ ଆଉ ୭ ଜଣ, ବାଳେଶ୍ୱର ଜିଲ୍ଲାରୁ ୨ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ସେଥିରୁ ଅଧିକାଂଶ ସୁରଟ ଫେରନ୍ତା ହୋଇଥିବା ମାଡ଼ି ଆସୁଥିବା ବିପଦର ସୂଚନା ଦେଉଛି । ରାଜ୍ୟରେ ସୁରକ୍ଷ ଫେରନ୍ତାଙ୍କ ପ୍ରତି ୧୦୦୦ ନମୁନା ପରୀକ୍ଷାରୁ ୪ ପ୍ରତିଶତ ପଜେଟିଭ୍ ମିଳୁଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ କହିଥିବା ପ୍ରକାଶ। ଏଥିରୁ ରାଜ୍ୟରେ କରୋନା ସଂକ୍ରମଣ ହଠାତ୍ ବଢିବାରେ ସୁରଟ ଫେରନ୍ତାଙ୍କ ଅବଦାନ ସ୍ପଷ୍ଟ ହେଉଛି । ରାଜ୍ୟକୁ ଫେରିବାକୁ ହେଲେ ଆଗୁଆ ନାମ ପଂଜୀକରଣ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିୟମ କରିଥିଲେ ମଧ୍ୟ ଅନେକ ପ୍ରବାସୀ ଓଡ଼ିଆ ସେଥିପ୍ରତି ଧ୍ୟାନ ନ ଦେଇ ନିଜ ନିଜ ବାଟରେ ରଜ୍ୟକୁ ଫେରି ଥିବା, ସଂଗରୋଧ ନିୟମକୁ ମଧ୍ୟ ପାଳନ କରି ନ ଥିବା ଏବଂ ଯେଉଁମାନେ ନିଜ ନାମ ପଂଜୀକରଣ କରାଇ ଓଡ଼ିଶା ଫେରିଛନ୍ତି ସେମାନେ ମଧ୍ୟ ସରକାରଙ୍କ କ୍ୱାରେଂଟିନ୍ ବା ସଂଗରୋଧ ନିୟମକୁ ଫୁ’ କରି ନିଜ ବାଟରେ ପଳାଇ ଥିବା ଲୋକଲୋଚନକୁ ଆସିଛି । ଯେଉଁମାନେ ବିଭିନ୍ନ ଗ୍ରାମାଂଚଳରେ ସଂଗରୋଧ ଶିବିରରେ ୧୪ ଦିନିଆ ସଂଗରୋଧରେ ରହିଛନ୍ତି ସେମାନଙ୍କ ସ୍ୱାବ୍ ନମୁନା ପରୀକ୍ଷଣ ହୋଇ ସେଥିରୁ କରୋନା ପଜେଟିଭ୍ ବାହାରୁଛି । ଗଂଜମେ ଜିଲ୍ଲାରେ ୩୦ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ବିଭିନ୍ନ ମାଧ୍ୟମରେ ପ୍ରବେଶ କରି ଥିବାରୁ ଆଗାମୀ କିଛି ଦିନ ମଧ୍ୟରେ ଜିଲ୍ଲାର ଅବସ୍ଥା କଣ ହେବ, ତାହା ବଡ଼ ପ୍ରଶ୍ନ ହୋଇଛି । ରାଜ୍ୟ ସରକାର ପ୍ରଥମରୁ କୋହଳ କରିଦେଲେ , ଏବେ କଠୋର ହେଲେ କଣ ହେବ (?) ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି । ସରକାରଙ୍କ ଏହା ଭୋଟ ରାଜନୀତି ବୋଲି ମଧ୍ୟ ଅନେକ ଚର୍ଚ୍ଚା କରୁଛନ୍ତି ।
ଆଜି ରାଜ୍ୟରେ ୩୪ଟି ନୂଆ କରୋନା ପଜେଟିଭ୍ କେସ୍ ଚିହ୍ନଟ ହେବା ପରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୧୯ରେ ପହଂଚିଛି । ଆଜି ଭୁବନେଶ୍ୱରର ମଂଚେଶ୍ୱର, ସୂର୍ଯ୍ୟନଗର ଓ ଭିଏସଏସ ନଗରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ ୩୬, ୩୪ ଓ ୬୭ ବର୍ଷ । ଫଳରେ, ଖୋର୍ଦ୍ଧ ଜିଲ୍ଲା (ଭୁବନେଶ୍ୱର ମହାନଗର ନିଗମ ଅଂଚଳ)ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଂଚିଛି । ଦୀର୍ଘ ଦିନ ଧରି ଏହା ୪୭ରେ ସ୍ଥିର ଥିଲା । ଏଥିରୁ ୩୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ୧୬ ଜଣ ଏବେ ଚିକତ୍ସାଧିନ ଅଛନ୍ତି । ସେହିପରି, ରାଜ୍ୟରେ ଆକ୍ରାନ୍ତଙ୍କ ସଂ୍ୟା ୨୧୯ରେ ପହଂଚି ଥିବା ବେଳେ ସେଥିରୁ ଚିକିତ୍ସା ପରେ ୬୨ ଜଣ ସୁସ୍ଥ ହୋଇଛନ୍ତି । ୧୫୫ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ଜିଲ୍ଲାରେ କୋଭିଡ଼ ହସପିଟାଲମାନଙ୍କରେ ଚିକିତ୍ସିତ ହେଉଛନ୍ତି । ଯାଜପୁର ଜିଲ୍ଲାରେ ସର୍ବାଧିକ ୫୫ ଆକ୍ରାନ୍ତ ଓ ସେଥିରୁ ୫୪ ଜଣ ଚିକିତ୍ସାଧିନ ଥିବା ବେଳେ ଗଂଜାମ ଜିଲ୍ଲାରେ ୨୮ ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଂଚିଛି । ୨୨ ଜଣ ଚିକିତ୍ସାଧିନ ଅଛନ୍ତି । ଭଦ୍ରକ ଜିଲ୍ଲାରେ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ, ଜଗତସିଂହପୁର ଜିଲ୍ଲାର ୫, ମୟୁରଭଂଜ ଜିଲ୍ଲାର ୪, ବଲାଂଗୀର, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ ୨ ଜଣ ଲେଖାଏଁ ଏବଂ କଟକ, କେନ୍ଦ୍ରାପଡା, କୋରାପୁଟ ଓ ଦେଓଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଚିକିତ୍ସାଧିନ ଥିବା ଜଣାପଡିଛି । କେବଳ, ପୁରୀ ଓ ଢେଙ୍କାନାଳ ଜିଲ୍ଲା କରୋନା ମୁକ୍ତ ହୋଇଛ୍ି । ଏହି ଦୁଇ ଜିଲ୍ଲାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଥିଲେ । ରାଜ୍ୟର ୩୦ ଜିଲ୍ଲାରୁ ୧୮ଟି ଜିଲ୍ଲା କରୋନା ମାନଚିତ୍ରକୁ ସଜାଇ ଥିବା ବେଳେ ଆଗାମୀ ଦିନରେ ଏହାଅଧିକ ଜିଲ୍ଲାକୁ ବ୍ୟାପିବା ଆଶଙ୍କାକୁ ଏଡାଇ ହେବ ନାହିଁ । ସେଥିରେ ପ୍ରବାସୀ ଓଡ଼ିଆ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS