ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍ ଅନିଦ୍ଧିଷ୍ଟକାଳ ପାଇଁ ସିଲ୍
ଭୁବନେଶ୍ୱର, ମେ’୧୨
ମୋଅନୁଭବ.କମ୍
କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଜାରି କରିଥିବା ନିୟମାବଳୀ ଉଲଂଘନ କରିଥିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟ୍ କୁ ଆଜି ସିଲ୍ କରାଯାଇଛି । ଅନିର୍ଦ୍ଧିଷ୍ଟକାଳ ପାଇଁ ଏହି ମାର୍କେଟ୍ ସିଲ୍ ହୋଇଥିବା ବିଏମସି କହିଛି। ବାପୁଜୀ ନଗର ମାର୍କେଟ୍ ଅଂଚଳରେ ଶତାଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ବ୍ୟବସାୟୀମାନେ କରୋନା ଗାଇଡଲାଇନ୍ ଅନୁସାରେ ବିଏମସିର ଅନୁମତି ନେଇ ଦୋକାନ ଖୋଲିବା କଥା । କିନ୍ତୁ, ତାହା ହୋଇ ନ ଥିବା ଏବଂ ସାମାଜିକ ଦୂରତ୍ୱ ରଖିବା ନିୟମକୁ ମଧ୍ୟ ଉଲଂଘନ କରିଥିବା ବିଏମସିର ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ ଅଭିଯୋଗ କରିଛନ୍ତି । ରଥ ଏହା ମଧ୍ୟ କହିଛନ୍ତି, ବାପୁଜୀ ନଗରରେ ମାର୍କେଟ୍ ଖୋଲା ରହିବା ଦ୍ୱାରା ଗ୍ରାହକ, ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀଙ୍କ ଗାଡି ରାସ୍ତାକୁ ମାଡି ରହୁଛି । ଫଳରେ, ଯିବା ଆସିବା ସମୟରେ ସାଧାରଣ ଜନତା ସାମାଜିକ ଦୂରତ୍ୱ ରକ୍ଷା କରିବାରେ ସମର୍ଥ ହେଉ ନାହାନ୍ତି । ଗ୍ରାହକ ଓ କର୍ମଚାରୀଙ୍କୁ ରାସ୍ତାରେ ଗାଡି ରଖିବାକୁ ସେମାନେ ବାରଣ ମଧ୍ୟ କରୁ ନାହାନ୍ତି । ତେଣୁ, କେବଳ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଆଜି ସିଲ୍ କରାଯାଇଛି । ଅପରପକ୍ଷରେ, ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ ବିଏମସିର ଗାଇଡ୍ ଲାଇନ୍ ସ୍ପଷ୍ଟ ନୁହେଁ ବୋଲି ବାପୁଜୀ ନଗର ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଏଠାରେ ଉଲ୍ଲେଖନୀୟ ଯେ, କ୍ୟାପିଟାଲ ହାଟ ଓ ମାର୍କେଟ୍ ବିଲ୍ଡିଂ ପରେ ବାପୁଜୀ ନଗର ମାର୍କେଟ୍ ରାଜଧାନୀର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ସବୁ ପ୍ରକାର ସାମଗ୍ରୀ ଏହି ମାର୍କେଟ୍ ରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଭିଡ଼ ଜମିଥାଏ । ବିଏମସିର କରୋନା ଗାଇଡ୍ ଲାଇନ୍ ମୁତାବକ ୫ରୁ ଅଧିକ ଦୋକାନ ଥିବା ବଜାରକୁ ମାର୍କେଟ୍ ପ୍ଲେସ୍ ଭାବେ ବିଚାର କରାଯିବ ଏବଂ ବିଏମସିର ଅନୁମତିରେ ବଜାର ଖୋଲି ପାରିବ । ବାପୁଜୀ ନଗର ମାର୍କେଟ କଂପ୍ଲେକ୍ସରେ ଶତାଧିକ ବ୍ୟବସାୟ ପ୍ରତିଷ୍ଠାନ ଥିବାରୁ ବିଏମସି ଏହାକୁ ମାର୍କେଟ୍ କଂପ୍ଲେକ୍ସ ଭାବେ ତାଲିକାଭୁକ୍ତ କରି ଆଜି ଏହି ମାର୍କେଟ୍ ସିଲ୍ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS