ଜୁନ ୩୦ ଯାଏଁ ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍ ରଦ୍ଦ
ନୂଆଦିଲ୍ଲୀ, ମେ’୧୫
ମୋଅନୁଭବ.କମ୍
କେନ୍ଦ୍ର ସରକାରଙ୍କ ତାଲାବନ୍ଦ-୪ର ରୂପରେଖ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଜୁନ ୧୨ ପରେ ଦେଶରେ ପର୍ଯ୍ୟାୟକ୍ରମେ ନିୟମିତ ରେଳ ଚଳାଚଳ ଆରମ୍ଭ ହୋଇ ପାରେ ବୋଲି ଦେଶବାସୀ ଆଶା କରୁଥିଲେ । କାରଣ, ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଂଚାଇ ପାଇଁ ସରକାର ମେ’ ପହିଲାରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଇବା ସହ ମେ’୧୩ରୁ ୧୫ ଯୋଡା ସ୍ପେଶାଲ ଟ୍ରେନ୍ ଚଳାଇଛନ୍ତି । ଦିଲ୍ଲୀରୁ ୧୫ଟି ରାଜ୍ୟକୁ ଏହି ସ୍ୱତନ୍ତ୍ର ତଥା ସଂପୂର୍ଣ୍ଣ ଏୟାର କଂଡ଼ିସନ୍ ୧୫ ଯୋଡା ରାଜଧାନୀ ଏକ୍ସପ୍ରେସ୍ ଧରଣର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଗତକାଲି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବା ତାହା ପୂର୍ବରୁ ରେଳରେ ଯାତ୍ରା କରିବା ପାଇଁ ମାର୍ଚ୍ଚ ୨୫ ପୂର୍ବରୁ ବୁକ୍ କରିଥିବା ସମସ୍ତ ଟ୍ରେନ୍ ଟିକଟ ବାତିଲ ଘୋଷଣା କରି ସାଧାରଣ ରେଳଯାତ୍ରୀଙ୍କୁ ନିରାଶ କରିଛନ୍ତି । ବାତିଲ ହୋଇଥିବା ରେଳ ଟିକଟର ସଂପୂର୍ଣ୍ଣ ମୂଲ୍ୟ ଫେରସ୍ତ ମିଳିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ଜଣାଇ ଦିଆଯାଇଛି । ଜୁନ ୩୦ ପର୍ଯ୍ୟନ୍ତ ଦେଶରେ କୌଣସି ନିୟମିତ ଯାତ୍ରୀବାହୀ ଟ୍ରେନ୍ ଚାଲିବ ନାହିଁ । ତେବେ, ସମସ୍ତ ସ୍ୱତନ୍ତ୍ର ଓ ଶ୍ରମିକ ସ୍ପେଶାଲ ଚାଲିବ । ଜୁନ ୩୦ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ଥିବା ନିୟମିତ ଟ୍ରେନ୍ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ୍, ପାସେଂଜର ଓ ସବ୍-ଅର୍ବାନ ଟ୍ରେନ ଥିବା ଭାରତୀୟ ରେଳବାଇ ପକ୍ଷରୁ ଏକ ସର୍କୁଲାରରେ କୁହାଯାଇଛି । କୋଭିଡ଼ -୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରିବା ପୂର୍ବରୁ ଭାରତୀୟ ରେଳବାଇ ମାର୍ଚ୍ଚ ୨୨ରୁ ପ୍ରାୟ ୧୨ ହଜାର ପାସେଂଜର୍ ଟ୍ରେନ୍ ଚଳାଚଳ ବାତିଲ କରିଥିଲେ । ତାଲାବନ୍ଦ ଲାଗୁ ପରେ ୧୩,୫୦୦ ପାସେଂଜର ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ବାତିଲ ରହିଛି । ତାଲାବନ୍ଦ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଂଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ପହିଲାରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିଛି । ପର୍ଯ୍ୟାୟକ୍ରମେ ପାସେଂଜର ଟ୍ରେନ ଚଳାଚଳ ଆରମ୍ଭ କରିବା ପାଇଁ ରେଳବାଇ ପକ୍ଷରୁ ହୋଇଥିବା ଯୋଜନା ଅନୁସାରେ ୮ଟି ଟ୍ରେନ ମେ’ ୧୨ରୁ ଚଳାଚଳ ଆରମ୍ଭ କରିଥିଲା । ନୂଆଦିଲ୍ଲୀରୁ ୧୫ଟି ରାଜ୍ୟକୁ ଯାତ୍ରୀ ପରିବହନ ପାଇଁ ଯେଉଁ ୧୫ ଯୋଡା ସ୍ୱତନ୍ତ୍ର ଟ୍ରେନ ଚାଲିଛି ସେଥିରେ ଯାତ୍ରା ପାଇଁ ଆସନ୍ତା ସପ୍ତାହ ସକାଶେ ୧,୧୨,୧୫୭ ଟିକଟ ଇସ୍ୟୁ ହୋଇଛି । ତାହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କ ଆଗ୍ରହ ବଢିଲେ ସରକାର ଅଧିକ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ ଚଳାଇ ପାରନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳବାଇ ୨୩୨୦ କୋଟି ଟଙ୍କା ଫେରାଇଲାଣି
ତାଲାବନ୍ଦ ପୂର୍ବରୁ ବୁକ୍ ହୋଇ ପରେ ବାତିଲ ହୋଇଥିବା ୯୪ ଲକ୍ଷ ଟ୍ରେନ୍ ଟିକଟ ବାବଦରେ ରେଳବାଇ ଗତ ମାସରେ ପ୍ରାୟ ୧୪୯୦ କୋଟି ଟଙ୍କା ଫେରସ୍ତ ଦେଇଥିଲା । ଏହାସହିତ ମାର୍ଚ୍ଚ ୨୫ରୁ ତାଲାବନ୍ଦ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ମାର୍ଚ୍ଚ ୨୨ରୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ହୋିଥିଲା । ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ବୁକ୍ ହୋଇଥିବା ଟିକଟ ବାବଦରେ ରେଳବାଇ ୮୩୦ କୋଟି ଟଙ୍କା ଫେରସ୍ତ କରିଥିଲେ । ତେଣୁ, ବାତିଲ ଟିକଟ ବାବଦରେ ମୋଟ ୨୩୨୦ କୋଟି ଟଙ୍କା ଯାତ୍ରୀଙ୍କୁ ଫେରସ୍ତ ମିଳିଛି ।
ରେଳଯାତ୍ରୀ ଏବେ ଗନ୍ତବ୍ୟ ଠିକଣା ଦେବାକୁ ବାଧ୍ୟ
କୋଭିଡ଼ -୧୯ ଦେଶରେ ଏଭଳି ଆତଙ୍କର ବାତାବରଣ ସୃଷ୍ଟି କରିଛି ଯେ ଭାରତୀୟ ରେଳବାଇ ନୂଆ କିଛି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ଏବେ, ନିୟମିତ ଟ୍ରେନ୍ ଚଳାଚଳ ବାତିଲ ରହିଛି । ଜୁନ ୩୦ ପର୍ଯ୍ୟନ୍ତ ଦେଶରେ କୌଣସି ନିୟମିତ ଟ୍ରେନ୍ ଚାଲିବ ନାହିଁ । କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ । ଏଏହି ସ୍ୱତନ୍ତ୍ର ଟ୍ରେନଗୁଡିକରେ ଯାତ୍ରା ପାଇଁ ଟିକଟ ରେଳ ଷ୍ଟେସନରେ ବା ଏଜେଂଟଙ୍କ ଜରିଆରେ ମିଳିବ ନାହିଁ । କେବଳ ଆଇଆରସିଟିସି ୱେବ୍ ସାଇଟ୍ ମାଧ୍ୟମରେ ଟିକଟ ବୁକ୍ କରି ହେବା । ଯାତ୍ରୀମାନେ ୱେବ୍ ସାଇଟ୍ ରେ ଟିକଟ ବୁକିଂ କରିବା ସମୟରେ ନିଜର ଗନ୍ତବ୍ୟସ୍ଥଳର ଠିକଣା ଦେବାକୁ ଏବେ ବାଧ୍ୟ । ଏହାଦ୍ୱାରା ସେମାନଙ୍କ କୌଣସି ସହଯାତ୍ରୀ କୋଭିଡ଼-୧୯ରେ ଆକ୍ରାନ୍ତ ହେଲେ ରେଳବାଇକୁ କଂଟାକ୍୍ଟ ଟ୍ରେସିଂ ପାଇଁ ସୁବିଧା ହେବ । ମେ’ ୧୩ରୁ ଆଇଆରସିଟିସି ୱେବ୍ ସାଇଟ୍ରେ ରେଳ ଟିକଟ ବୁକିଂ କରୁଥିବା ସମସ୍ତ ରେଳଯାତ୍ରୀ ଆବେଦନପତ୍ର ପୂରଣ ସମୟରେ ନିଜର ଗନ୍ତବ୍ୟ ସ୍ଥଳର ଠିକଣା ଦେବା ସକାଶେ ଫର୍ମରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଭବିଷ୍ୟତରେ ଏହା ଏକ ସ୍ଥାୟୀ ବ୍ୟବସ୍ଥା ହେବାକୁ ଯାଉଛି ବୋଲି ଭାରତୀୟ ରେଳବାଇର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS