ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ
ଭୁବନେଶ୍ୱର, ମେ’୧୫
ମୋଅନୁଭବ.କମ୍
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଜୀବନ ଗାନ୍ଧୀବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମାତ୍ର ଦୁଇ ଦିନ ତଳେ ସେ ନିଜର ୯୯ତମ ଜନ୍ମଦିନ ପାଳନ କରିଥିଲେ । କାଲି ସନ୍ଧ୍ୟାରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଂଗ୍ରାମୀ ଭବାନୀ ଚରଣ ୧୯୨୨ ମସିହା ମେ’ ୧୬ ତାରିଖ ଦିନ ପୁରୀ ଜିଲ୍ଲା ନିମାପଡାସ୍ଥିତ ବଡ଼ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ସେ ସ୍କୁଲରେ ପଢୁ ଥିବା ବେଳେ ସମ୍ରାଟ ପଂଜମ ଜର୍ଜଙ୍କ ଗୁଣଗାନ କରିବା ବଦଳରେ ମହାତ୍ମା ଗାନ୍ଧୀଙ୍କ ଜୟଗାନ କରି ମାଡ଼ ଖାଇଥିଲେ । ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ସମୟରେ ସେ ନିମାପଡା ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିଲେ । ସେହି ସମୟରେ ବଡ଼ ଅନ୍ଧିଆ ଗ୍ରାମର ବହୁ ଲୋକ ମହାତ୍ମା ଗାନ୍ଧୀଙ୍କ ସ୍ୱରାଜ ଆନ୍ଦୋଳନରେ ଭାଗ ନେବାକୁ ଆଗେଇ ଆସିଥିଲେ । ୧୯୪୨ ସେପ୍ଟେମ୍ବର ୧୬ ତାରିଖରେ ସେ ଗ୍ରାମର କିଛି ଯୁବକଙ୍କ ସହ ନିମାପଡା ଥାନା ଅଭିମୁଖେ ଯାତ୍ରା କରି ଥାନାକୁ ଅକ୍ତିଆର ଉଦ୍ୟମ କରିବା ସହ ସେଠାରେ ଜାତୀୟ ପତାକା ଉଡାଇବାକୁ ଉଦ୍ୟମ କରିଥିଲେ । ସାଂଗମାନଙ୍କ ସହ ଭବାନୀ ବାବୁ ସେଠାରେ ଦେଶାତ୍ମବୋଧକ ଗୀତ ଗାଇ ଥାନାରେ ପ୍ରବେଶ କଲା ବେଳେ ବ୍ରିଟିଶ ପୁଲିସ ଗୁଳି ଚଳାଇ ଥିଲା । ଗୁଳିମାଡ଼ରେ ଭବାନୀ ବାବୁଙ୍କ କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ସେ ୩ ଦିନ ପରେ ଅନ୍ୟ ୨୦ ଜଣଙ୍କ ସହ ଗିରଫ ହୋଇ ଜେଲ ଯାଇଥିଲେ ଏବଂ ସାଢେ ୩ ବର୍ଷ ସେ ଜେଲରେ ରହି ଥିଲେ । ୧୯୪୫ରେ ସେ ପୁରୀ ଜେଲରୁ କଟକ ଜେଲକୁ ସ୍ଥାନାନ୍ତର ହୋଇଥିଲେ । ସେଠାରେ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସ୍ୱାଧୀନତା ପରେ ସେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ରହି ଥିଲେ । ୧୯୬୧, ୧୯୬୬ ଓ ୧୯୭୮ରେ ସେ କ୍ରମାଗତ ତିନି ଥର ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ଓ ଉତ୍ସର୍ଗୀକୃତ ସମାଜ ସେବାରେ ପାଇଁ ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା । ମୃତ ଘୋଷଣା ପରେ ତାଙ୍କ ଶବକୁ ଅଶୋକ ନଗରସ୍ଥିତ ବାସ ଭବନକୁ ନିଆ ଯାଇଥିଲା । ସେଠାରେ ତାଙ୍କ ଦୁଇ ପୁଅ ସୁବାସ ଓ ଗାନ୍ଧୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ତାଲାବନ୍ଦ ସତ୍ୱେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ନିମାପଡାରେ ରାଷ୍ଟ୍ରୀୟ ସମ୍ମାନ ସହ ଆଜି ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS