କରୋନା ଡାଏରୀ (୨)… ହାତୀ ପିଠିରେ ପୁରୀରୁ ବାରାଣାସୀ…
ପ୍ରସାଦ ରାଓ
ଭୁବନେଶ୍ୱର, ମେ’୧୭
ଦେଶର ବିଭିନ୍ନ ରାଜ୍ୟରେ ତାଲାବନ୍ଦ କଟକଣା ଯୋଗୁ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ସର୍ବହରା ହୋଇ ପାଦରେ ଚାଲି ଚାଲି ବା ଅନ୍ୟ କୌଣସି ମାଧ୍ୟମରେ ନିଜ ନିଜ ରାଜ୍ୟକୁ ଫେରୁଥିବାର କରୁଣ ଦୃଶ୍ୟ ଆମେ ପ୍ରତ୍ୟହ ଟିଭି ପରଦାରେ ବା ଖବରକାଗଜ ପୃଷ୍ଠାରେ ଦେଖୁଛେ । ପ୍ରବାସୀଙ୍କ ଏହି ଦୁଃଖ ପ୍ରତ୍ୟେକ ମଣିଷ ହୃଦୟକୁ ଛୁଉଁଥିଲେ ମଧ୍ୟ ନିର୍ଦୟ ସରକାରଙ୍କ ହୃଦୟକୁ ଭେଦ କରିପାରୁ ନାହିଁ । ପ୍ରବାସୀ ଶ୍ରମିକମାନେ ମାସାଧିକ କାଳ ହଟହଟ୍ଟା ହେବା ପରେ କେନ୍ଦ୍ର ସରକାର ବସ୍ ଓ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ମାଧ୍ୟମରେ ସେମାନଙ୍କୁ ଘରେ ପହଂଚାଇବା ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ପ୍ରବାସୀ ଶ୍ରମିକ କିଛିଟା ଉପକୃତ ହୋଇଛନ୍ତି । ଦିନକୁ ଦୁଇ ଲକ୍ଷ ହିସାବରେ ଗତକାଲି (ମେ’ ୧୬ ତାରିଖ) ସୁଦ୍ଧା ୧୪ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଂଚାଇ ଦିଆଯାଇଥିବା ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶାରେ ପହଂଚୁ ଥିବା ପ୍ରବାସୀ ଶ୍ରମିକ ରାସ୍ତାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଅସହ୍ୟ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି । ବିଳମ୍ବରେ ହେଉ ପଛେ ରାଜ୍ୟରେ ପାଦରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ପୁଲିସ ବସ୍ ରେ ନେଇ ସେମାନଙ୍କ ରାଜ୍ୟ ବା ଗ୍ରାମରେ ପହଂଚାଇବା ବ୍ୟବସ୍ଥା ହୋଇଛି ବୋଲି ଶନିବାର ରାଜ୍ୟ ପୁଲିସ ଡ଼ିଜି ଅଭୟ ଏଠାରେ ସୂଚନା ଦେଇଥିଲେ । ପୁଲିସର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏବାବଦ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବ୍ୟୟ ହେଉଥିବା ସୂଚନା ମିଳିଛି ।
କେନ୍ଦ୍ର ଓ ରାଜ୍ୟ ସରକାର ତାଲାବନ୍ଦ ପ୍ରାରମ୍ଭରୁ ଯଦି ଏଭଳି ତତ୍ପରତା ଦେଖାଇ ଥା’ନ୍ତେ ତେବେ ପ୍ରବାସୀ ଶ୍ରମିକଙ୍କୁ ଚାଲି ଚାଲି ସ୍ୱ-ରାଜ୍ୟ ବା ସ୍ୱ-ଗ୍ରାମକୁ ଯିବାକୁ ପଡି ନଥା’ନ୍ତା । ରାସ୍ତାରେ ଯିବା ସମୟରେ ଟ୍ରେନ୍ ବା ବସ୍ ଚକା ତଳେ ଅଦିନରେ ମରିବାକୁ ପଡି ନଥା’ନ୍ତା । କୌଣସି ପ୍ରସୂତି ମହିଳା ଚାଲୁ ଚାଲୁ ରାସ୍ତାରେ ପ୍ରସବ କରିବାକୁ ବାଧ୍ୟ ହୋଇ ନ ଥା’ନ୍ତେ । ତେବେ, ଭାରତୀୟ ପ୍ରଶାସନିକ ବ୍ୟବସ୍ଥାର କଚ୍ଛପ ଗତି କାହାରିକୁ ଅଛପା ନାହିଁ । ନେତା ଓ ପ୍ରଶାସକ ଅନ୍ୟର ଦୁଃଖରେ ଭାଗିଦାର ହେବାକୁ ଯଥେଷ୍ଟ ସମୟ ନେଇ ଥାଆନ୍ତି ଓ ପ୍ରତିକାର ବ୍ୟବସ୍ଥା ହେବାକୁ ମାସ ମାସ ସମୟ ଲାଗି ଯାଏ । ଅନେକ ସମୟରେ ତାହା ମଧ୍ୟ ହୁଏନି । କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଶ୍ରମିକ ସ୍ପେଶାଲ’ ଓ ବଡ଼ ବଡ଼ିଆଙ୍କ ପାଇଁ ନୂଆଦିଲ୍ଲୀରୁ ୧୫ ଯୋଡା ସ୍ପେଶାଲ ଟ୍ରେନ ଚଳାଇବା ପରେ ମେ’ ମାସ ମଧ୍ୟ ଭାଗରୁ ଦେଶରେ ନିୟମିତ ଟ୍ରେନ୍ ଚଳାଚଳ ହେବା ନେଇ ଆଶାର କରିଣ ଫୁଟି ଥିଲା । କିନ୍ତୁ, ଜୁନ ୩୦ ଯାଏଁ ଦେଶରେ ସ୍ପେଶାଲ ବ୍ୟତୀତ ନିୟମିତ ଟ୍ରେନ୍ ଚାଲିବ ନାହିଁ ବୋଲି ଭାରତୀୟ ରେଳବାଇ ଜଣାି ଦେବାରୁ ସେହି ଆଶା ସେହି ଆଶା ମଉଳି ଯାଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ଅଟକି ରହିଥିବା ପ୍ରବାସୀମାନେ ନିଜ ନିଜ ରାଜ୍ୟକୁ ଫେରିବାର ଆଶା ହରାଇ ଏବେ ପଦଯାତ୍ରାର ଆଶ୍ରୟ ନେଇଛନ୍ତି । ତେବେ, ଏକ ରୋଚକ କାହାଣୀ ସାମନାକୁ ଆସିଛି ଝାରଖଣ୍ଡରୁ । ପୁରୀ ଶ୍ରୀକ୍ଷେତ୍ରରେ ଫସି ରହିଥିବା ଦୁଇ ଜଣ ପ୍ରବାସୀ ୯୦୦ କିମି ଦୂର ୟୁପିର ବାରାଣାସୀ ସହରକୁ ଯିବାକୁ ହାତୀକୁ ଆଶ୍ରା କରିଛନ୍ତି । ଦୁହେଁ ମେ’ ୫ରୁ ଯାତ୍ରା ଆରମ୍ଭ କରି ୪୫୦ରୁ ଅଧିକ କିମି ହାତୀ ପିଠିରେ ଅତିକ୍ରମ କରିବା ପରେ ଚତିଶଗଡ଼ର ଗୁମଲାରୁ ଏହି ରୋଚକ ଖବର ସାମନାକୁ ଆସିଛି ।
ଗୋଟିଏ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ, ତାଲାବନ୍ଦ କଟକଣା ଯୋଗୁ ପୁରୀ ସହରରେ ଫସି ରହିଥିବା ନାଗେଶ ୱରନାଥ ଓରଫ କାମତ କିଶୋର ନାମକ ଜଣେ ବ୍ୟକ୍ତି ନିଜ ଘର ବାରାଣାସୀକୁ ଫେରିବା ସକାଶେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବା ଅପେକ୍ଷାରେ ଥିଲେ । ତେବେ, କୌଣସି ଟ୍ରେନ୍ ଚାଲିବାର ଆଶା ନ ଦେଖି ସେ ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ମନୋରଂଜନ କରୁଥିବା ସେହି ବାରାଣାସୀର ଦୟାନନ୍ଦଙ୍କ ସହ ଯୋଗାଯୋଗ କରିଥିଲେ । ଦୟାନନ୍ଦ ହେଉଛନ୍ତି ଜଣେ ହାତୀ ମାଲିକ । ପୁରୀ ସମୁଦ୍ର ବେଳାରେ ସେ ହାତୀ ପିଠିରେ ପର୍ଯ୍ୟଟକମାନଙ୍କୁ ବସାଇ ଏମୁଣ୍ଡରୁ ସେମୁଣ୍ଡ ବୁଲାନ୍ତି ଏବଂ ଯାହା ରୋଜଗାର ହୁଏ ସେଥିରେ ଚଳନ୍ତି । ତାଲାବନ୍ଦ କଟକଣା ଯୋଗୁ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ ବେଶ୍ କ୍ଷତିଗ୍ରସ୍ତ ହୋଇଛି । ପୁରୀ ସମୁଦ୍ର ବେଳା ପ୍ରାୟତଃ ଶୂନଶାନ ରହୁଛି । ତେଣୁ, ଦୟାନନ୍ଦଙ୍କ ଭଳି ପରଦେଶୀଙ୍କ ରୋଜଗାର ମଧ୍ୟ ବନ୍ଦ । ବାରାଣାସୀ ଫେରିବାକୁ ଦୟାନନ୍ଦ ମଧ୍ୟ ଉତ୍ସୁକ ଥିଲେ । କିଶୋର ଦୟାନନ୍ଦଙ୍କ ସହ ଯୋଗାଯୋଗ କରି ହାତୀରେ ସବାର ହୋଇ ବାରାଣାସୀ ଫେରିବା ଯୋଜନା କଲେ । ଗତ ସପ୍ତାହରେ ସେମାନଙ୍କ ଯୋଜନା କାର୍ଯ୍ୟକାରୀ ହେଲା । ବାରାଣାସୀ ଫେରିବା ପରେ ଏହି ଯାତ୍ରା ବାବଦ ଯାହା ଖର୍ଚ୍ଚ ହୋଇଥିବ ମିଳିମିଶି ତୁଲାଇବେ ବୋଲି ନିଷ୍ପତ୍ତି ନେଇ ମେ’୫ ସନ୍ଧ୍ୟାରୁ ହାତୀ ପିଠିରେ ବାହାରି ପଡିଲେ । ଗୁରୁବାର ଅପରାହ୍ନରେ ସେମାନେ ଝାଡ଼ଖଣ୍ଡ ଗୁମଲାର ଛଇନପୁରରେ ପହଂଚିବା ପରେ ସିମଡେଗା ଜିଲ୍ଲାର ଧାର୍ମିକ ସ୍ଥଳ ରାମରେଖା ଡ଼୍ୟାମରେ ରାତି କଟାଇଲେ । କିଶୋରଙ୍କ କହିବା ଅନୁଯାୟୀ, ବିଭିନ୍ନ ଜଙ୍ଗଲ ରାସ୍ତା ଦେଇ ସେମାନେ ବାରାଣସୀ ଅଭିମୁଖେ ଯାଉ ଥିବାରୁ ବାଟରେ ହାତୀକୁ ପ୍ରଚୁର ପରିମାଣର ସବୁଜ ପତ୍ର ଖାଇବାକୁ ମିଳୁଛି । ତାଲାବନ୍ଦ ଯୋଗୁ ହୋଟେଲ ବା ଢାବା ଖୋଲୁ ନ ଥିବାରୁ ସେମାନେ ନିଜର ରେସନ୍ ସାଥିରେ ନେଇଛନ୍ତି । ସନ୍ଧ୍ୟା ହେଲେ ରୋଷଇ କରି ଖାଉଛନ୍ତି ।
ଦୟାନନ୍ଦଙ୍କ କହିଛନ୍ତି, ବିହାର ଓ ୟୁପିର ଓଟ, ଘୋଡା ଏବଂ ହାତୀ ମାଲିକମାନେ ଗୁମଲା ଦେଇ ସେମାନଙ୍କ ପଶୁଙ୍କୁ ପୁରୀ ନେବା ଆଣିବା କରିଥା’ନ୍ତି । ଏହି ପଶୁ ସବୁ ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ମନୋରଂଜନ କାର୍ଯ୍ୟରେ ଲାଗନ୍ତି । ତେଣୁ, ଗୁମଲା ହେଉଚି ଏକ ପରିଚିତ ସ୍ଥାନ । ସେଠାରେ ପହଂଚିଲେ ଅଧା ବାଟ ଅତିକ୍ରମ ହେଲା ବୋଲି ଜାଣିବ । ଗୁମଲା ଦେଇ ନିକଟରେ ଅନେକ ଓଟ ମାଲିକ ସେମାନଙ୍କ ଓଟ ସହ ୟୁପି ଫେରିଛନ୍ତି । ବାଟରେ କୌଣସି ଚେକଗେଟ୍ ରେ ସେମାନଙ୍କ ଯାଂଚ ହୋଇ ନାହିଁ ବା ସେମାନଙ୍କୁ କେହି ଅଟକାଇ ନାହାନ୍ତି । ଆନ୍ତଃରାଜ୍ୟ ସୀମା ଅତିକ୍ରମ କରିବାକୁ ଯେଉଁ ପାସ୍ ବା ଅନୁମତିପତ୍ର ଆବଶ୍ୟକ ତାହା ମଧ୍ୟ କେହି ମାଗି ନାହାନ୍ତି । ଏସଂପର୍କରେ ସଂପୃକ୍ତ ସମ୍ବାପ୍ତ୍ର ପ୍ରତିନିଧି ଛଇଁପୁର ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଦୁଇ ଜଣ ବ୍ୟକ୍ତି (କିଶୋର ଓ ଦୟାନନ୍ଦ) ହାତୀ ପିଠିରେ ବସି ଗଲା ବେଳେ ସାଧୁସନ୍ଥଙ୍କ ଭଳି ଦୃଶ୍ୟମାନ ହେଉଥିବାରୁ କୌଣସି ଅଧିକାରୀ ସେମାନଙ୍କୁ ଆନ୍ତଃରାଜ୍ୟ ଚେକଗେଟ୍ ରେ ଅଟକାଇ ନାହାନ୍ତି ବା ପାସ୍ ମାଗି ନାହାନ୍ତି । ଓଲଟା ସେମାନଙ୍କୁ ଅର୍ଥିକ ଦେଇ ବିଦାୟ କରାଯାଇଛି । ଗୁମଲାରେ ପହଂଚିବା ପରେ ସେଠାକାର ପୂର୍ବତନ ବିଦାୟକ ବୈରାଗୀ ଓରାମ୍ ସେମାନଙ୍କୁ ଦେଖି କିଛି ଆର୍ଥିକ ସହାୟତା ଦେବା ସହ ବିହାରର ଗୟା ଦେଇ ୟୁପି ଯିବା ରାସ୍ତା ବତାଇ ଥିଲେ । ରାଂଚି ଡ଼ିଏଫଓ କହିବା ଅନୁସାରେ, ତାଲବନ୍ଦ କଟକଣା ନେଇ ଜାରି ଥିବା ସରକାରଙ୍କ ଏସଓପିରେ ରାସ୍ତାରେ ପଶୁଙ୍କ ଚଳାଚଳ ଉପରେ କୌଣସି କଟକଣା ନାହିଁ । ତେଣୁ, ସେମାନଙ୍କୁ କେହି ରୋକି ନାହାନ୍ତି । ଅପରପକ୍ଷରେ, ହାତୀ ମାହୁନ୍ତ ସହ ରାସ୍ତାରେ ଏବଂ ବିଭିନ୍ନ ମେଳାରେ ବୁଲିବା ସାଧାରଣ କଥା । ହାତୀ ଓ ମାହୁନ୍ତ ସରକାରଙ୍କ ଦ୍ୱାରା ପଂଜୀକୃତ । ଏହି ସବୁ ପଶୁ ସେମାନଙ୍କ ଖାଦାନୀ ସଂପତ୍ତି ବୋଲି ପଶୁ ମାଲିକମାନେ ଦାବି କରନ୍ତି । ସରକାରଙ୍କ ଦ୍ୱାରା ତାହା ମଧ୍ୟ ସ୍ୱୀକୃତ । ତେଣୁ, କିଶୋର ଓ ଦୟାନନ୍ଦଙକ ଯାତ୍ରା ନିରଙ୍କୁଶ ରହିଛି ।
ଏହି ଖବରଟି ନିଶ୍ଚିତ ଭାବେ ଆମୋଦଦାୟକ । କୋଭିଡ଼-୧୯କୁ ନେଇ ୫୪ ଦିନ ହେଲା ପ୍ରବାସୀଙ୍କ ସାଇକଲରେ ଯାତ୍ରା, ଠେଲା ଗାଡିରେ ଯାତ୍ରା, ରାସ୍ତାରେ ସ୍ତ୍ରୀ,ପିଲାଙ୍କୁ ଛୋଟ ଶଗଡ଼ରେ ବସାଇ ସ୍ୱାମୀ ଶହ ଶହ କିମି ଟାଣି ଟାଣି ନେଉଥିବା ଭଳି ଦୁଖଦାୟକ ଖବର ଭିତରେ କିଶୋର ଓ ଦୟାନନ୍ଦଙ୍କ ହାତୀ ପିଠିରେ ବାରାଣାସୀ ଯାତ୍ରା ଆଖି ଖୋଲି ଦେଲା ଭଳି ନୁହେଁ କି ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS