ସମସ୍ତ ଶ୍ରେୟ ଗୋଟାଇବାକୁ କେଜରୀୱାଲ ବ୍ୟଗ୍ର
ନୂଆଦିଲ୍ଲୀ, ମେ’୧୯
ମୋଅନୁଭବ.କମ୍
ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ କରିଥିଲେ । ମେ’୧୭ରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ସରୁ ଥିବାରୁ କରୋନା ମୁକାବିଲା ପାଇଁ ୧୮ରୁ ଦେଶରେ କି ପ୍ରକାର ପଦକ୍ଷେପ ନେବା ଉଚିତ ହେବ, ତାହା ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ପରାମର୍ଶ ଦେବାକୁ କହିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ଅଧିକାଂଶ ରାଜ୍ୟ ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଅବଧି ବଢାଇବା ସପକ୍ଷରେ ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କଟକଣା ସବୁ ପର୍ଯ୍ୟାପ୍ତ ଭାବେ କୋହଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କରୋନା ମୁକାବିଲା କ୍ଷେତ୍ରରେ ଜୋନ୍ ନିର୍ଦ୍ଧାରଣ କରିବାର ଅଧିକ ସ୍ୱାଧୀନତା ରାଜ୍ୟ ସରକାରଗୁଡିକୁ ଦିଆଯିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦାବୀ ହୋଇଥିଲା । କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀମାନେ ଦେଇଥିବା ପରାମର୍ଶ ଓ ପ୍ରସ୍ତାବକୁ ସମ୍ମାନ ଦେଇ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ୍ ର ଗାଇଡଲାଇନ୍ ପ୍ରସ୍ତୁତ କରିଥିବା ୧୭ ତାରିଖ ପ୍ରକାଶିତ ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି । ତେବେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସବୁ ଶ୍ରେୟ ନିଜେ ନେବାକୁ ଚାହିଁଛନ୍ତି । ୧୭ ତାରିଖ ପ୍ରକାଶିତ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ରେ ଯାହା ସବୁ କଟକଣା କୋହଳ ହୋଇଛି ସେଥିରୁ ଅଧିକାଂଶ ସେ ଦେଇଥିବା ପ୍ରସ୍ତାବଗୁଡିକ ଉପରେ ଆଧାରିତ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ୧୮ ତାରିଖ ଗଣମାଧ୍ୟମକୁ କହିଛନ୍ତି । ଦିଲ୍ଲୀ ପାଇଁ ସେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି, ଅତିଶୀଘ୍ର ତାହା ଘୋଷଣା ହେବ ବୋଲି ମଧ୍ୟ ସେ କହିଥିଲେ । ଉଲ୍ଲେଖନୀୟ ଯେ, ଅର୍ଥନୀତିରେ ସୁଧାର ଆଣିବ ପାଇଁ ବ୍ୟବସାୟିକ କ୍ଷେତ୍ରରେ କଟକଣା ସବୁ ପାରୁ ପର୍ଯ୍ୟନ୍ତ କୋହଳ କରାଯିବାକୁ ଏବଂ ରାଜ୍ୟର କେଉଁ ଅଂଚଳକୁ ରେଡ୍ ଜୋନ ଓ କେଉଁ ଅଂଚଳ ଗ୍ରୀନ୍ ବା ଅରେଂଜ ଜୋନ୍ କରାଯିବ ତାହା ସ୍ଥିର କରିବା ଅଧିକାର ରାଜ୍ୟମାନଙ୍କୁ ଦିଆଯିବାକୁ ଅନ୍ୟୁନ ୫ ଜଣ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଦିଲ୍ଲୀରେ ସାଧାରଣ ପରିବହନ ବ୍ୟବସ୍ଥା ଓ ମେଟ୍ରୋ ଟ୍ରେନ୍ ଚଳାଚଳ ସମେତ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ମଲ୍ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ଯିବାକୁ ଓ ମେଟ୍ରା ଟ୍ରେନ୍ ଚଳାଚଳ କରାଯିବାକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ସନ୍ଧ୍ୟା ୭ରୁ ପର ଦିନ ସକାଳ ୭ଟା ଯାଏଁ ରାତ୍ରୀ କର୍ଫୁ ପ୍ରତ୍ୟାହର ପାଇଁ ମଧ୍ୟ କେଜରୀୱାଲ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ । ତେବେ, କେନ୍ଦ୍ର ସରକାର କର୍ଫ୍ୟୁ ହଟାଇବା ଓ ମେଟ୍ରୋ ଟ୍ରେନ୍ ଚଳାଇବା ପ୍ରସ୍ତାବ ଗ୍ରହଣ କରି ନାହାନ୍ତି । ଦୋକାନ ବଜାର ଖୋଲିବା ସକାଶେ ସେ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରି ଗ୍ରାହକମାନେ ଛଅ ଫୁଟ ଦୂରତା ବଜାୟ ରଖିବା ଏବଂ ଏକା ସମୟରେ ୫ରୁ ଅଧିକ ଗ୍ରାହକଙ୍କୁ ଦୋକାନରେ ପ୍ରବେଶ ଅନୁମତି ଦିଆ ନ ଯିବା ସର୍ତ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ରେଡ୍ ଜୋନ୍, ଗ୍ରୀନ୍ ଜୋନ୍ ଓ ଅରେଂଜ୍ ଜୋନ୍ ଧାର୍ଯ୍ୟ କରିବା ନିଷ୍ପତ୍ତି ରାଜ୍ୟମାନଙ୍କ ଉପରେ ଛାଡି ଦେବା ସହ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦରେ ଆଉ ଦୁଇଟି ଜୋନ୍ – କଂଟେନମେଂଟ୍ ଜୋନ୍ ଓ ବଫର୍ ଜୋନ୍ ଯୋଡିଛନ୍ତି । ଯାହା ସବୁ କଟକଣା କୋହଳ ହୋଇଛି ତାହାର ଶ୍ରେୟ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଯିବା କଥା । କିନ୍ତୁ, କେଜିରୀୱାଲ ଏକୁଟିଆ ସାଉଁଟି ନେବାକୁ ଉଦ୍ୟମ କରିବା ତଥ୍ୟାଭଜ୍ଞ ମହଲକୁ ଆଚମ୍ବିତ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS