ଦେଶର ସର୍ବାଧିକ କରୋନା ସଂକ୍ରମିତ ପୌରାଂଚଳ ମଧ୍ୟରେ ବ୍ରହ୍ମପୁର ରହିଛି !
ନୂଆଦିଲ୍ଲୀ, ମେ’୧୯
ମୋଅନୁଭବ.କମ୍
ଦେଶରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୩୦ଟି ପୌରାଂଚଳକୁ ଅଧିକ ସଂକ୍ରମିତ ଭାବେ ଚିହ୍ନଟ କରିଛନ୍ତି । ଦେଶର ୮୦ ପ୍ରତିଶତ କରୋନା ସଂକ୍ରମଣ ଏହି ୩୦ଟି ପୌରାଂଚଳରେ ହୋଇଛି ବୋଲି ମନ୍ତ୍ରଣାଳୟ କହିଛନ୍ତି । ୩୦ ପୌରାଂଚଳ ତାଲିକାରେ ଓଡ଼ିଶାର ଏକମାତ୍ର ପୌରାଂଚଳ ଭାବେ ବ୍ରହ୍ମପୁର ମହାନଗର ନିଗମ ରହିଛି । ୧୮ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦରେ ଏହି ୩୦ଟି ପୌରାଂଚଳକୁ କରୋନା କଂଟେନମେଂଟ୍ ଜୋନ୍ ଭାବେ ଚିହ୍ନଟ କରାଯାଇ ସରକାରଙ୍କ କଂଟେନମେଂଟ୍ କଟକଣା କଡାକଡି ଭାବେ ଲାଗୁ ହୋଇଛି । ସଂପୃକ୍ତ ୩୦ଟି ପୌରାଂଚଳର ବରିଷ୍ଠ ଅଧିକାରୀଙ୍କୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସରକାର ଆଗୁଆ ତାହା ଜଣାଇ ଦେଇଥିଲେ । ଗଂଜାମ ଜିଲ୍ଲା ଓଡ଼ିଶାରେ ଗ୍ରାନ୍ ଜୋନ୍ ଥିଲା । ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ଜିଲ୍ଲାରେ ସଂଗରୋଧ କେନ୍ଦ୍ରମାନଙ୍କରେ ରଖି ସେମାନଙ୍କ ସ୍ୱାବ୍ ନମୂନା ପରୀକ୍ଷା କରାଇବା ପରେ ଅବିଶ୍ୱସନୀୟ ଭାବେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମେ’ ୨ ତାରିଖ ପରଠାରୁ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରୁ ବ୍ରହ୍ମପୁର ପୌରାଂଚଳରେ କୋଭିଡ଼-୧୯ର ରଣନୀତି ଏବଂ ମୁକାବିଲାର ବିଭିନ୍ନ ଦିଗକୁ କଡାକଡି ଭାବେ ପାଳନ କରାଯିବାକୁ କୁହାଯାଇଛି । ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀର ୧୫ତମ ବୈଠକରେ ଏହି ୩୦ଟି ପୌରାଂଚଳରେ କରୋନା ସଂକ୍ରମଣ ମାମଲା ଉପରେ ଆଲୋଚନା କରାଯାଇଥିଲା । ପରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଏହି ୩୦ ଜିଲ୍ଲାର ଜିଲ୍ଲାପାଳ,ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବରୋଧ ରଣନୀତି ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି । ସହରାଂଚଳ ବସ୍ତି ଓ ଅନଧିକୃତ ଅଂଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ନୂଆ ଗାଇଡ଼ଲାଇନ୍ ପାଳନ କରିବାକୁ ମଧ୍ୟ ୩୦ ପୌରାଂଚଳକୁ ନିର୍ଦେଶ ଦିଆଯାଇଛି । ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସ୍ ଏହି ୩୦ ଜିଲ୍ଲା ଉପରେ ରହିବ । ଏସବୁ ପ୍ରଭାବିତ ଅଂଚଳର ଲଗାତର ମନିଟରିଂ କରାଯାଇ ଆବଶ୍ୟକ ପରାମର୍ଶ ଓ ନିର୍ଦେଶ ଦିଆଯିବ ବୋଲି ସ୍ୱସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS