କରୋନା ଡାଏରୀ (୩)… ମଦ୍ୟପଙ୍କ ଚିନ୍ତାକୁ ବଳି ଗଲା ସରକାରଙ୍କ ଚିନ୍ତା !
– ପ୍ରସାଦ ରାଓ –
ଭୁବନେଶ୍ୱର, ମେ’୧୯
ମଦ ନ ଥିଲେ ମଦୁଆ ହୁଏ ବାଉଳା, ଏକଥା ସମସ୍ତେ ଜାଣନ୍ତି । ମଦର ତଲବ୍ ଅନେକ ସମୟରେ ସେମାନଙ୍କୁ ‘ମର୍ଯ୍ୟାଦା’ ନାମକ ଶବ୍ଦକୁ ଭୁଲି ଯିବାକୁ ବାଧ୍ୟ କରିଥାଏ । କରୋନା ମୁକାବିଲା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ (ମେ’ ୩ରୁ ୧୭) ଅବଧି ଚାଲି ଥିବା ସମୟରେ ଏଭଳି ଅନେକ ଦୃଶ୍ୟ ସାମନାକୁ ଆସିଛି, ଯାହାକି ମଦ୍ୟପଙ୍କ ମଦ-ପିପାସାକୁ ବୟାନ କରୁଛି । ଏହି ସମୟ ଖଣ୍ଡରେ ମଦ ବନ୍ଦକୁ ନେଇ ସରକାରମାନେ ବି ଦେବାଳିଆ । ତେଣୁ, ରାଜସ୍ୱ ବୃଦ୍ଧି ଲକ୍ଷ୍ୟ ରଖି କେନ୍ଦ୍ର ସରକାର ମଦ ଦୋକାନ ସବୁ ଖୋଲିବାକୁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧିରେ ଅନୁମତି ଦେଇଥିଲେ । ସରକାରଙ୍କ ଉଦେ୍ଦଶ୍ୟ ଥିଲା ହଜାର ହଜାର କୋଟି ଟଙ୍କାର ରାଜସ୍ୱକୁ ହାତଛଡା ନ କରି ପୁଣି ଥରେ ହାତକୁ ଫେରାଇ ଆଣିବା । ତେବେ, ମଦ ଦୋକାନ ଖୋଲି ତାହାର ପରିଣତି ଦେଖି ସରକାର ଦୋକାନ ସବୁ ବନ୍ଦ କରିବାକୁ ବାଧ୍ୟ ହେଲେ । କାରଣ, ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ଓଡ଼ିଶାର କଟକ ପର୍ଯ୍ୟନ୍ତ ମଦ ଦୋକାନ ସାମନାରେ ଯେଭଳି ଭିଡ଼ ହେଲା, ସାଧାରଣ ଲୋକଙ୍କୁ ମଧ୍ୟ ତାଜୁବ୍ କରିଦେଲା । ମଦ ଦୋକାନଗୁଡିକ ସାମନାରେ ମାଇଲ୍ ମାଇଲ୍ ଲମ୍ବାର ଧାଡି । ବିଲ ମାଳରେ ବି ମଦ୍ୟପ ସାମଜିକ ଦୂରତା କଥା ଭୁଲି ଭିଡ଼ ଜମାଇଲେ । ପରିସ୍ଥିତି ସମ୍ଭାଳିବାକୁ ପୁଲିସ ଓ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଲା । ମଦ ପାଇଁ କେଉଁଠି ଧସ୍ତାଧସ୍ତି ହେଲା ତ ଆଉ କେଉଁଠି ମାରପିଟ । ସାମାଜିକ ଦୂରତ୍ୱ ରକ୍ଷା କଟକଣା କିଛି କାମ ଦେଲା ନାହିଁ । ଫଳ ଏତିକି ହେଲା ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାଣି ଦେଲେ ମଦର ଚାହିଦା କେତେ ।
ଦେଶର ବିଭିନ୍ନ ଅଂଚଳରେ ମଦ ପାଇଁ ପରିସ୍ଥିତି ବେକାବୁ ହେଉଥିବା ଦେଖି ପୁଲିସକୁ ଲାଠି ମାଡ଼ କରିବାକୁ ପଡିଲା । ତଥାପି, ପରିସ୍ଥିତି ଅସମ୍ଭାଳ ରହିବାରୁ ସରକାର ମଦ ଦୋକାନ ସବୁ ବନ୍ଦ କଲେ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ମଦ ମଧ୍ୟ ଅନ୍ ଲାଇନ୍ ରେ ମିଳିବ, ଲୋକଙ୍କ ଦୁଆର ମୁହଁରେ ତାହା ପହଂଚାଇ ଦିଆଯିବ ବୋଲି ସରକାର ଘୋଷଣା କରିବାକୁ ପଛାଇଲେ ନାହିଁ । ଜଣେ ସର୍ବାଧିକ ୫ ଲିଟର ମଦ ଅନ୍ ଲାଇନ୍ ରେ ମଗାଇ ପାରିବେ ବୋଲି ମଧ୍ୟ ସୀମା ଧାର୍ଯ୍ୟ ହୋଇଛି । ମଦ୍ୟପମାନେ ସାମାନ୍ୟ ଥଣ୍ଡା ପଡିଥିବା ବେଳେ କିଛି ରାଜ୍ୟ ଅନ୍ ଲାଇନ୍ ଯୋଜନା କାର୍ଯ୍ୟକାରୀ କଲେଣି । କିନ୍ତୁ ଓଡ଼ିଶାରେ ତା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବାର ସୂଚନା ନାହିଁ । ଏପରି ସ୍ଥିତିରେ ଆଉ ଏକ ରୋଚକ ଖବର ଗଣମାଧ୍ୟମ ଜରିଆରେ ସାମନାକୁ ଆସିଛି । ତାହା ହେଉଛି, ମଦୁଆଙ୍କ ଭିଡ଼କୁ ଆଉ ପୁଲିସ ନୁହେଁ, ପ୍ରାଥମିକ ଶିକ୍ଷକ ସମ୍ଭାଳିବେ । ଓଡ଼ିଶା ସରକାର ମଦ ବନ୍ଦ କରିଥିବାରୁ କେତେ ଖୁସି ଆମେ ଜାଣି ନାହୁଁ । କିନ୍ତୁ, ରାଜସ୍ୱ ହରାଇ ସରକାର ଛଟପଟ ହେଉଥିବା ଓ ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଥିବା ନିକଟରେ ରାଜ୍ୟ ଅବକାରୀ କମିସନର ଅନ୍ୟୁନ ୧୧ଟି ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରୁ ସୂଚନା ମିଳିଛି ।
ଅବକାରୀ କମିସନର ଅଂଜନ କୁମାର ମାନିକ୍ ମେ’୧୪ରେ ଢେଙ୍କାନାଳ, ଗଂଜାମ, ଯାଜପୁର, ରାୟଗଡ଼ା, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, କଟକ, ଜଗତସିଂହପୁର ଓ ବଲାଂଗୀର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ସବୁ ଜିଲ୍ଲାରେ ତାଲାବନ୍ଦ କଟକଣା ଯୋଗୁ ବନ୍ଦ ଥିବା ବଟଲିଂ ପ୍ଲାଂଟ୍/ ବ୍ରିୱେରିଜ୍ ଗୁଡିକୁ ପୁନଃ ଉତ୍ପାଦନ କ୍ଷମ କରିବାକୁ ନିର୍ଦେଶ ଦେଇଛନ୍ତି । ସଂପୃକ୍ତ ଜିଲ୍ଲାପାଳମାନେ ଏଥିପାଇଁ ଅନୁମତି ଦେବାକୁ କୁହାଯାଇଛି । ଏହି ସବୁ ଜିଲ୍ଲାରେ ଥିବା ମଦ ପ୍ରସ୍ତୁତି ୟୁନିଟ ଓ ଓଏସବିସି ଗୋଦାମଗୁଡିକ ଯାଂଚ ବେଳେ ଯେଉଁ ପରିମାଣର ମଦ ଗଚ୍ଛିତ ଥିବା ଦେଖିବାକୁ ମିଳିଛି ତାହା ତାଲାବନ୍ଦ ଅବଧି ସରିବା ପରେ ମଦ ଦୋକାନ ଖୋଲିଲେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ମେଂଟାଇବାକୁ ଯଥେଷ୍ଟ ନୁହଁ । ତେଣୁ, ମଦ ପ୍ରସ୍ତୁତି ୟୁନିଟ୍ ଗୁଡିକୁ କୋଭିଡ଼-୧୯ ଗାଇଡ଼ଲାଇନ୍ (ସାମାଜିକ ଦୂରତା ବଜାୟ ରଖିବା, ବ୍ୟକ୍ତି ଠାରୁ ବ୍ୟକ୍ତିର ଦୂରତା ୬ ଫୁଟ ରହିବା, ନିୟମିତ ସାନିଟାଇଜେସନ୍ କରାଯିବା, ବାରମ୍ବାର ହାତ ଧୋଇବା ଏବଂ ନିର୍ଦ୍ଧାରିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଉତ୍ପାଦନ କାର୍ଯ୍ୟ କରିବା) ସର୍ତରେ ମଦ ଉତ୍ପାଦନ ପାଇଁ ଅନୁମତି ଦେବାକୁ ସରକାର କହିଛନ୍ତି । ଅବକାରୀ କମିସନରଙ୍କ ଏହି ଚିଠି ମଦ ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ ବ୍ୟଗ୍ରତାକୁ ପ୍ରତିଫଳିତ କରୁଛି ।
ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ (ମେ’୧୮ରୁ ୩୧) ଅବଧିରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନେକ କିଛି କଟକଣା କୋହଳ କରିଥିବା ବେଳେ ସର୍ବସାଧାରଣ ସ୍ଥଳରେ ମଦ ପିଇବା, ଗୁଟଖା ଓ ପାନ ଖାଇବା ଏବଂ ଛେପ ପକାଇବା ବାରଣ କରିଛନ୍ତି । ତେବେ, ମଦ ଦୋକାନ ଖୋଲିବା ନେଇ କେନ୍ଦ୍ରର ନୀତି ସ୍ପଷ୍ଟ ନୁହେଁ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନମାନଙ୍କ ଉପରେ କେନ୍ଦ୍ର ଏହି ନିଷ୍ପତ୍ତି ଥୋପି ଦେଇ ନିରାପଦ ଦୂରରେ ରହିଛି । ଏହି ପରିପ୍ରେକ୍ଷୀରେ, ମେ’ ୩୧ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ରହି ଥିବାରୁ କିଛି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ସେମାନଙ୍କ ଜିଲ୍ଲାରେ ତାହା ପୂର୍ବରୁ ମଦ ଦୋକାନ ଖୋଲିବ ନାହିଁ ବୋଲି କହିଛନ୍ତି । ଏହା ଯଦି ରାଜ୍ୟ ସରକାରଙ୍କ ମତ ହୋଇଥାଏ ତେବେ ଜୁନ୍ ୧ ପରେ ହିଁ ରାଜ୍ୟରେ ମଦ ଦୋକାନ ଖୋଲିବ । ତାହା ମଧ୍ୟ ଯଦି ଦେଶରେ ପଂଚମ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା ନ ହୁଏ । ତଥାପି, ରାଜ୍ୟ ଅବକାରୀ କମିସନରଙ୍କ ଚିଠି ମଦ୍ୟପଙ୍କ ମନରେ ଆଶାର ସଂଚାର କରିଛି ।
କେରାନା ମୁକାବିଲା ଜନିତ ତାଲାବନ୍ଦ ଯୋଗୁ ରାଜ୍ୟରେ ମଦ ଉତ୍ପାଦନ ସହ ଉଭୟ ଠିପିଖୋଲା ଓ ଠିପି ବନ୍ଦ ମଦ କାରବାର ସରକାରୀ ଭାବେ ମାର୍ଚ୍ଚ ୨୫ରୁ ବନ୍ଦ ରହିଛି । ତେବେ, ତାଲାବନ୍ଦ ଘୋଷଣା ସମୟରେ ବିଭିନ୍ନ ଜିଲ୍ଲାରେ ଥିବା ମଦ ଫ୍ୟାକ୍ଟ୍ରି, ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି)ର ବିଭିନ୍ନ ଡ଼ିପୋ ଏବଂ ରାଜ୍ୟରେ ଥିବା ୨୦୦୦ରୁ ଅଧିକ ଦେଶୀ, ବିଦେଶୀ ମଦ ଦୋକାନ ଏବଂ କ୍ଲବରେ କେତେ ପରିମାଣର ମଦ ଗଚ୍ଛିତ ଥିଲା ଓ ସେସବୁ କୁଆଡେ ଗଲା (?)- ତାହା ଏବେ ଏକ ବିବାଦର ବିଷୟ ହୋଇଛି । କରୋନା କଟକଣାର ପ୍ରଥମ ଦୁଇ ପର୍ଯ୍ୟାୟ ମଧ୍ୟରେ ସେସବୁ ଷ୍ଟକ୍ ଗାଏବ (?) ହୋଇଥିବା ଅଭିଯୋଗ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ବେଳେ ସରକାର ନୀରବ । ସେହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ (ରାଜଧାନୀ ସମେତ) ୨୦୦ ଟଙ୍କା ମୂଲ୍ୟର ବିଅର ୫୦୦ ଟଙ୍କାରେ କଳାବଜାର ହୋଇଥିବା ଅଭିଯୋଗ ନେଇ ଅବକାରୀ ବିଭାଗର ପ୍ରତିକ୍ରିୟା ନାହିଁ । ତେଣୁ, କର୍ଫ୍ୟୁର ନାଲି ଆଖି ତଳେ ଅବକାରୀ ବିଭାଗ ଓ ପୁଲିସର ପୁଲିସର ନାକ ତଳୁ ମଦ ଷ୍ଟକ୍ ଗାଏବ (?) ହୋଇଥିବା ସନ୍ଦେହ କରାଯାଉଛି । ଏହାଦ୍ୱାରା, କେବଳ ରାଜ୍ୟ ସରକାର ରାଜସ୍ୱ ହରାଇ ନାହାନ୍ତି, ପ୍ରଭାବଶାଳୀ ଲୋକମାନଙ୍କୁ ଉପକୃତ କରିବାର ଏକ ଷଡଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି । ଅବକାରୀ ଗୁଇନ୍ଦା ବଭାଗ ସାଧାରଣ ସମୟରେ ଶେଇଥା’ନ୍ତି । ତିରୋଟ ସମୟରେ ମଧ୍ୟ ଶୋଇଥିବା ଅନୁମାନ କରାଯାଉଛି ।
ରାଜ୍ୟ ସରକାର ପାଖାପାଖି ଦୁଇ ମାସ ରାଜସ୍ୱ କ୍ଷତି ସହିବା ପରେ ମଦ ଉତ୍ପାଦନ ଓ ବିକ୍ରି ବନ୍ଦ ଜନିତ ବିପୁଳ ରାଜସ୍ୱ (କୋଟିରେ) କ୍ଷତି ଭରଣା ପାଇଁ ନିକଟରେ ପେଟ୍ରୋଲ ଓ ଡ଼ିଜେଲ ଉପରେ ଭାଟ୍ ବଢାଇଛନ୍ତି ଏବଂ ସାଧାରଣ ଲୋକଙ୍କ ଉପରେ କରୋନା ମାଡ ସହ ଅତିରିକ୍ତ ବୋଝ ଲଦିଛନ୍ତି । ତଥାପି କ୍ଷତି ଭରଣାର ଆଶା ନ ଥିବାରୁ ଏବେ ସରକାର ୧୯ଟି ମଦ ଫ୍ୟାକ୍ଟି୍ର ଏବଂ ୨୦୦୦ରୁ ଅଧିକ ମଦ ବିକ୍ରୟ କେନ୍ଦ୍ରକୁ ପୁନଃ ସକ୍ରିୟ କରିବା ଯୋଜନାରେ ଅଛନ୍ତି । ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ୧୯ଟି ମଦ କାରଖାନାରୁ ଉତ୍ପାଦନ ଆରମ୍ଭ କରାଯିବାକୁ ସରକାରୀ ଭାବେ ନିର୍ଦେଶ ଦିଆଯାଇଛି । ରାଜ୍ୟରେ ୧୨ଟି ଦେଶୀ, ବିଦେଶୀ ମଦ ଫ୍ୟାକ୍ଟ୍ରି, ୫ଟି ବିଅର ଫ୍ୟାକ୍ଟ୍ରି ଓ ୨ଟି ସ୍ପିରିଟ୍ ଫ୍ୟାକ୍ଟ୍ରି ଅଛି । ଏହାଛଡା, ଠିପି ଖୋଲା, ଠିପି ବନ୍ଦ ମଦ ଦୋକାନ, କ୍ୟାଂଟିନ୍, କ୍ଲବକୁ ମିଶାଇ ମୋଟ ୨,୦୮୨ଟି ମଦ ଆଉଟଲେଟ୍ ରହିଛି । ୧୧ଟି ଜିଲ୍ଲା ଢେଙ୍କାନାଳ, ଗଂଜାମ, ଯାଜପୁର, ରାୟଗଡ଼ା, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, ଜଗତସିଂହପୁର, କଟକ ଓ ବଲାଂଗୀର ଜିଲ୍ଲାରେ ଥିବା ମଦ ଫ୍ୟାକ୍ଟ୍ରି ସବୁ ଚାଲିଲେ ମଦ ଉତ୍ପାଦନ ବଢିବ ଏବଂ ଗ୍ରାହକଙ୍କ ଚାହିଦା ମେଂଟାଇ ହେବ । ଦୁଇ ମାସରୁ ଅଧିକ ଦିନ ଧରି ମଦ ବାସ୍ନାଠାରୁ ଦୂରରେ ଥିବା ଲୋକମାନେ ଦୋକାନ ଖୋଲିଲେ ଯେଭଳି ଭିଡ଼ ଜମାଇବେ, ତାହା ମଧ୍ୟ ସରକାର ଆକଳନ କରି ସାରିଛନ୍ତି । ତେଣୁ, ଲୁହା ଗରମ ଥିବା ବେଳେ ପାହାର ଦେବା ନ୍ୟାୟରେ ଏବେ ମଦ ଉତ୍ପାଦନ ସହ କଟକ, ବଲାଂଗୀର, ବାଲେଶ୍ୱର, ବ୍ରହ୍ମପୁର, ଚଂଡିଖୋଲ, ଖୋର୍ଦ୍ଧା, ନିର୍ଗୁଣ୍ଡି, ରାୟଗଡ଼ା, ସମ୍ବଲପୁରରେ ଥିବା ଓଏସବିସି ଗୋଦାମର ଷ୍ଟକ୍ ବଢାଇବା ଯୋଜନା ଚାଲିଛି । ଏହାଦ୍ୱାରା ମଦ୍ୟପଙ୍କ ଖୁସି କହିଳେ ସରିବ ନାହିଁ । କିନ୍ତୁ, ରାଜ୍ୟରେ ଯେଉଁମାନେ ଗାନ୍ଧୀବାଦର ପ୍ରଚାର କରୁଛନ୍ତି ଏବଂ ମଦ ବିରୋଧୀ ଆନେ୍ଦାଳନ ଚଳାଇଛନ୍ତି ସେମାନେ ଦୁଃଖ କରିବା ଛଡା ଆଉ କଣ ବା କରି ପାରିବେ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS