ଆମ୍ଫାନ୍ ମହାପ୍ରଳୟ, ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ କରିବେ
ଭୁବନେଶ୍ୱର, ମେ’୨୧
ମୋଅନୁଭବ.କମ୍
ଆମ୍ଫାନ ମହାପ୍ରଳୟରେ ପଶ୍ଚିମ ବଂଗରେ ବ୍ୟାପକ କ୍ଷତି ହୋଇଛି । ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ କ୍ଷୟକ୍ଷତିର ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏଭଳି ମହାପ୍ରଳୟ ଆଗରୁ ସେ କେବେ ଆଖିରେ ଦେଖି ନ ଥିଲେ ବୋଲି ମମତା କହିଛନ୍ତି । ପଶିଚିମ ବଂଗ ପରିସ୍ଥିତି ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ (ପଶ୍ଚିମ ବଂଗ) ମୁଖ୍ୟ ଶାସନ ସଚିବଙ୍କ ସହ ଓଡ଼ିଶା ସରକାର ଯୋଗାଯୋଗରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ।
୨୦ ତାରିଖ ଅପରାହ୍ନରେ ଆମ୍ଫାନ ଓଡ଼ିଶା ଉପକୂଲରେ ଘସି ହୋଇ ପଶ୍ଚିମ ବଂଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁ ଥିଲା । ଏହାପରେ ଆମ୍ଫାନ୍ କଲିକତାରେ ମହାପ୍ରଳୟ ସୃଷ୍ଟି କରିଥିଲା । ୧୮୫ କିମି ବେଗରେ ପବନ ସହ ଝଡବର୍ଷା କଲିକତା ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିଛି । କଲିକତା ବିମାନ ବନ୍ଦର ଜଳମଗ୍ନ ରହିଛି । ବିଦ୍ୟୁତ ଖୁଂଟ, ବଡ଼ ବଡ଼ ଗଛ ଭାଂଗି ପଡିବାରୁ ଧ୍ୱଂସର ଲିଳା ସୃଷ୍ଟି ହୋଇଥିଲା । ଯେଭଳି କ୍ଷୟକ୍ଷତି ହୋଇଛି କଲିକତା ସହରକୁ ପୂର୍ବ ସ୍ଥିତିକୁ ଫେରିବାକୁ ବେଶ୍ ସମୟ ଲାଗିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ସକାଳ ୧୦ଟାରେ କଲିକତାରେ ପହଂଚି ଆକାଶ ମାର୍ଗରୁ ରାଜ୍ୟର ସ୍ଥିତି ଅନୁଧ୍ୟନ କରିବା ପରେ ଅପରାହ୍ନରେ ଭୁବନେଶ୍ୱରରେ ପହଂଚି ଓଡ଼ିଶାରେ ହୋଇଥିିବା କ୍ଷୟକ୍ଷତି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ପରେ, ଭୁବନେଶ୍ୱର ବିମାନ ବନ୍ଦରରେ କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ବୈଠକ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ସମୀକ୍ଷା ବୈଠକ ହେବା ନେଇ ସନ୍ଧ୍ୟା ସୁଦ୍ଧା କିଛି ସ୍ପଷ୍ଟ କରିନାହାନ୍ତି ।
ଆମ୍ଫାନ ମହାବାତ୍ୟାର ଗତିପଥ ଉପରେ ଗତ ୧୩ ତାରିଖରୁ ଆଇଏମଡିÿ (ଭାରତୀୟ ପାଣିପାଗ ବିଭାଗ) ନଜର ରଖିଥିଲା । ଏହି ସାମୁଦ୍ରିକ ଝଡ ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇ ୨୦ ତାରିଖ ସୁନ୍ଦରବନରେ ଲ୍ୟାଣ୍ଡ୍ ଫଲ୍ କରିବ ବୋଲି ଆଇଏମଡ଼ି ବହୁ ଆଗରୁ ସତର୍କ କରାଇ ଦେଇଥିଲା । ଏହି ମହାବାତ୍ୟା ଓଡ଼ିଶା ଉପକୂଳରେ ଘସି ହୋଇ ସୁନ୍ଦରବନ ଯିବ ବୋଲି ଆଇଏମଡ଼ିର ଆଗୁଆ ଆକଳନ ପଶ୍ଚିମ ବଂଗରେ ମୃତ୍ୟୁ ସଂଖ୍ୟାକୁ ୭୨ରେ ସୀମିତ ରଖିଛି । ନ ହେଲେ କ୍ଷୟକ୍ଷତିର ପରିମାଣ ଆହୁରି ଅଧିକ ହୋଇଥା’ନ୍ତା ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ଆମ୍ଫାନ ପଶ୍ଚିମ ବଂଗର ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଓଡ଼ିଶାର ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ପ୍ରଳୟ ସୃଷ୍ଟି କରିଥିଲା । ଓଡ଼ିଶାର ଏହି ଚାରି ଜିଲ୍ଲାର ୮୯ଟି ବ୍ଲକ ପ୍ରଭାବିତ ହୋଇଛି । ବିଦ୍ୟୁତ ଖୁଂଟ, ଗଛପତ୍ର ଓ କଚ୍ଚା ଘର ଭାଂଗି ଯାଇଛି । କଲିକତା ତୁଳନାରେ ଓଡ଼ିଶାର କ୍ଷୟକ୍ଷତି ପରିମାଣ ନଗଣ୍ୟ ହୋଇଥିଲେ ମଧ୍ୟ ୪ ଜିଲ୍ଲାରେ ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ଚାରି ଜିଲ୍ଲାରେ ବ୍ୟାପକ ଭାବେ ଫସଲହାନୀ ହୋଇଛି । ବିଦ୍ୟୁତ ଖୁଂଟ ଓ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଥିଲେ ମଧ୍ୟ ମହାବାତ୍ୟା ପରେ ପରେ ସେସବୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ପ୍ରଶାସନ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି । କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ ଚାଲିଛି । ସରିବା ପରେ ଏସଆରସିଙ୍କ ନିକଟରେ ବିସ୍ତାରିତ ଭାବେ ତଥ୍ୟ ଉପସ୍ଥାପନ କରାଯିବ ବୋଲି ସେମାନେ କହିଛନ୍ତି । ଓଡ଼ିଶାର ଏହି ମହାବାତ୍ୟା ମଣିଷ ମାରି ନ ଥିଲେ ମଧ୍ୟ ୪ ଜିଲ୍ଲାରେ ବ୍ୟାପକ ଭାବେ ଧାନ ଫସଲ ଓ ପାନବରଜ ନଷ୍ଟ କରିଛି ।
ଆମ୍ଫାନ ମହାବାତ୍ୟାରେ ପଶ୍ଚିମ ବଂଗରେ ୭୨ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ସେଥିରୁ ୧୫ଟି ମୃତ୍ୟୁ କଲିକତାରେ ଘଟିଥିବା ସୂଚନା ମିଳିଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହି ମହାବାତ୍ୟା ରାଜ୍ୟରେ କିଭଳି କ୍ଷତି ଘଟାଇଛି ତାହା କଲିକତା ବିମାନ ବନ୍ଦର ଅବସ୍ଥାକୁ ଦେଖିଲେ ପ୍ରଧାନମନ୍ତ୍ରୀ ଜାଣି ପାରିବେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ବଂଗ ଗସ୍ତରେ ଆସି ନିଜ ଆଖିରେ ଘଟି ଯାଇଥିବା ମହାପ୍ରଳୟ ଦେଖି ଯାଆନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ମହାବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ପଶ୍ଚିମ ବଂଗ ଓ ଓଡ଼ିଶାକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଆଜି ଟ୍ୱିଟର୍ ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ । ଉଭୟ ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଅଧିକାରୀମାନେ ଯୋଗଯୋଗରେ ଅଛନ୍ତି ବୋଲି ସେ କହିଥିଲେ । କାଲି ସେ ଓଡ଼ିଶା ଓ ପଶ୍ଚିମ ବଂଗ ଗସ୍ତରେ ଆସି ସ୍ୱଚକ୍ଷୁରେ ସବୁ କିଛି ଦେଖିବା ପରେ କେନ୍ଦ୍ରରୁ କେତେ ପରିମାଣର ସହାୟତା ମିଳିବ ଜଣାପଡିବ ।
ଆଇଏମଡ଼ି ପକ୍ଷରୁ କୁହାଯାଇଛି ଯେ, ବିଶାଖାପାଟଣା, ଗୋପାଳପୁର, ପାରାଦୀପ ଓ କଲିକତାରେ ଥବା ରାଡର ସହାୟତାରେ ମହାବାତ୍ୟାର ଗତିପଥ ଉପରେ ନଜର ରଖା ଯାଇଥିଲା । ତେଣୁ, ଆଇଏମଡ଼ି ସଠିକ ଆକଳନ କରିବାରେ ସକ୍ଷମ ହୋଇଛି । ୧୯୯୯ ମହବାତ୍ୟାରେ ଓଡ଼ିଶା ଉପକୂଳରେ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହି ସମୟରେ ପାଣିପାଗ ବିଭାଗରେ ଅତ୍ୟାଧୁନିକ ରାଡର ନ ଥିଲା ବା ଯୋଗଯୋଗ ବ୍ୟବସ୍ଥା ମୋଟେ ଉନ୍ନତ ନ ଥିଲା । ୨୦୨୦ରେ ସବୁ କିଛି ଉନ୍ନତ ଅବସ୍ଥାରେ ଥିବାରୁ କ୍ଷୟକ୍ଷତି ନିୟନ୍ତ୍ରଣାଧୀନ ରହିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS