ଘରୋଇ ବିମାନ ଉଡିବ; ତେବେ, ଗ୍ରୀନ ଷ୍ଟାଟସ୍ ଯାତ୍ରୀ ହିଁ ଯାତ୍ରା ସୁଯୋଗ ପାଇବେ
ନୂଆଦିଲ୍ଲୀ, ମେ’୨୧
ଦେଶରେ କରୋନା ମୁକାବିଲା ପାଇଁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଚାଲିଛି । ତାଲାବନ୍ଦ ଭିତରେ ମାର୍ଚ୍ଚ ୨୫ରୁ ଦେଶରେ ବିମାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହି ଥିଲା । ଠିକ୍ ଦୁଇ ମାସ ପରେ ଆସନ୍ତା ୨୫ରୁ ପର୍ଯ୍ୟାୟକ୍ରମେ ଘରୋଇ ବିମାନର ଉଡାଣ ଆରମ୍ଭ ହେବ ବୋଲି ବୁଧବାର କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ତେବେ, କଡା କଟକଣା ଭିତରେ ବିମାନ ଉଡାଣ ଆରମ୍ଭ ହେବ । ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ପ୍ରତ୍ୟେକ ରୁଟ୍ ରେ ଏକ ତୃତୀୟାଂଶ ଘରୋଇ ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇପାରେ । ବିମାନ ଯାତ୍ରା ସମୟରେ ମଝି ସିଟ୍ ଖାଲି ରହିବା କଟକଣା ଲାଗୁ ନ ହୋଇପାରେ । ତେବେ, ବିମାନରେ ଯାତ୍ରା କରିବାକୁ ଥିବା ବ୍ୟକ୍ତିବିଶେଷ ଫ୍ଲାଇଟ୍ ଟେକ୍-ଅପ୍ ର ଦୁଇ ଘଂଟା ପୂର୍ବରୁ ବିମାନ ବନ୍ଦରରେ ପହଂଚି ରିପୋର୍ଟ କରିବାକୁ ବାଧ୍ୟ । ବିମାନରେ ଚଢିବା ଓ ଓହ୍ଲାଇବା ସମୟରେ ଯାତ୍ରୀଙ୍କୁ ୬ ଫୁଟ୍ ଦୂରତ୍ୱ ବଜାୟ ରଖିବାକୁ ପଡିବ । ପ୍ରଥମ ପର୍ଯ୍ୟାୟରେ ବିମାନ ଯାତ୍ରୀଙ୍କୁ ବିମାନ ଭିତରକୁ ବ୍ୟାଗଜ୍ ନେବାକୁ ଅନୁମତି ମିଳି ନ ପାରେ । ବିମାନ ଯାତ୍ରୀ ନିଜର ୱେବ୍ ଚେକ୍ କରାଇବେ, କିଓସ୍କୋରୁ ବୋର୍ଡିଂ ପାସ୍ ସଂଗ୍ରହ କରିବେ ଏବଂ ନିଜ ମୋବାଇଲରେ ‘ଆରୋଗ୍ୟ ସେତୁ’ ଆପ୍ ଡାଇନଲୋଡ୍ କରିବେ । ‘ଆରୋଗ୍ୟ ସେତୁ’ ଆପ୍ ରେ ଯେଉଁମାନଙ୍କ ଗ୍ରୀନ ଷ୍ଟାଟସ୍ ଥିବ ସେହିମାନେ କେବଳ ସଂପୃକ୍ତ ବିମାନରେ ଯାତ୍ରା କରିବା ସୁଯୋଗ ପାଇବେ । ତେବେ, ୧୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ‘ଆରୋଗ୍ୟ ସେତୁ’ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ନୁହେଁ । ବିମାନ ଯାତ୍ରୀ ବିମାନ ବନ୍ଦରରେ ପ୍ରବେଶ କରିବା ପୂର୍ବରୁ ବାହାରେ ଥିବା ଥର୍ମାଲ ସ୍କ୍ରିନିଂ ଜୋନ୍ ରେ ଥର୍ମାଲ ସ୍କ୍ରିନିଂ କରାଇବା ବାଧ୍ୟତାମୂଳକ । ସାମାଜିକ ଦୂରତ୍ୱ ବଜାୟ ରଖିବା ସକାଶେ ବିମାନ ଭିତରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା ରହିବ ନାହିଁ । ବିମାନ ଯାତ୍ରା ସମୟରେ ଯାହା କିଛି ଦେୟ ଦେବାକୁ ପଡିବ ତାହା ସଂପୂର୍ଣ୍ଣ ଭାବେ ଡ଼ିଜିଟାଲ ପେମେଂଟ୍ ମାଧ୍ୟମରେ ହେବ । ବିମାନ ଯାତ୍ରୀଙ୍କ ପାଇଁ ଏକ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ସେମାନେ ପ୍ରଶ୍ନପତ୍ର ପୂରଣ କରିବା ସମୟରେ ନିଜର କିଛି କ୍ୱାରେଂଟାଇନ୍ ହିଷ୍ଟ୍ରୀ ରହିଛି କି ନାହିଁ ସେଥିରେ ଦର୍ଶାଇବେ । ଯାତ୍ରୀମାନେ ବିମାନ ବନ୍ଦର ଟର୍ମିନାଲରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ବ୍ୟାଗେଜ୍ ସାନିଟାଇଜ୍ କରିବା ଦାୟିତ୍ୱ ବିମାନ ବନ୍ଦର ପରିଚାଳକଙ୍କର ବୋଲି ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS