ପ୍ରଧାନମନ୍ତ୍ରୀ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଲେ, ପଶ୍ଚିମ ବଂଗକୁ ହଜାରେ ତ ଓଡ଼ିଶାକୁ ୫୦୦କୋଟି
ପ୍ରସାଦ ରାଓ
ଭୁବନେଶ୍ୱର, ମେ’୨୨
ଦେଶରେ କରୋନା ଭଳି ସାଂଘାତିକ ମହାମାରୀର ମୁକାବିଲା ଚାଲି ଥିବା ମହାବାତ୍ୟା ଆମ୍ଫାନ୍ ପଡୋଶୀ ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିବା ବେଳେ ଓଡ଼ିଶାରେ ଗଭୀର ଛାପ ଛାଡି ଯାଇଛି । ପଶ୍ଚିମ ବଂଗରେ ମହାବାତ୍ୟାରେ ଗତକାଲି ସୁଦ୍ଧା ୭୨ଟି ମୃତ୍ୟୁ ଘଟିଛି । ଓଡ଼ିଶାରେ କେହି ମୃତ୍ୟୁ ବରଣ କରିଥିବା ଜଣାପଡି ନାହିଁ । ତଥାପି ୧୦ ଜିଲ୍ଲାର ୪୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ବଂଗ ଏବଂ ଓଡ଼ିଶା ଆସି ଆକାଶ ମାର୍ଗରୁ ଏହି ମହାବାତ୍ୟା ଛାଡି ଯାଇଥିବା ବିତ୍ପାତର ଛାପକୁ ନିଜ ଆଖିରେ ଦେଖିଥିଲେ ଏବଂ ଦୁଇ ସରକାରଙ୍କ ସହ ଅଲଗା ଅଲଗା ସମୀକ୍ଷା ବୈଠକ କରି ପଶ୍ଚିମ ବଂଗ ପାଇଁ ହଜାର କୋଟି ଏବଂ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାରତୀୟ ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଆସି ପୂର୍ବାହ୍ନରେ ପଶ୍ଚିମ ବଂଗର କଲିକତା ବିବାନ ବନ୍ଦରରେ ପହଂଚିବା ପରେ ପଶ୍ଚିମ ବଂଗ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ଆକାଶ ମାର୍ଗରୁ ରାଜ୍ୟର ବିଧ୍ୱସ୍ତ ଅବସ୍ଥାକୁ ଦେଖି ଥିଲେ । ଆକାଶ ମାର୍ଗରୁ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ବରସାତ୍ ରେ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ରିଲିଫ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଜଳମଗ୍ନ ହୋଇ ପଡିଥିବା ଧ୍ୱସ୍ତ ବିଧ୍ୱସ୍ତ କଲିକତା ସହର ଓ େଓଠାରେ ଥିବା ଆନ୍ତର୍ଜାତିକ ବିମାନ ବନ୍ଦରକୁ ଦେଖି ଏହାର ପୁନର୍ବିନ୍ୟାସରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ପରେ, ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ପଶ୍ଚିମ ବଂଗରେ ବ୍ୟାପକ କ୍ଷୟକ୍ଷତି ଘଟି ଥିବାରୁ ରାଜ୍ୟ ସରକାର ତାହାର ମୁକାବିଲା କରିବାରେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ରାଜ୍ୟକୁ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ । ରାଜ୍ୟ ସରକାର ନିଜ ଆଡୁ କ୍ଷୟକ୍ଷତିର ଆକଳନ କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଦଳକୁ ପଶ୍ଚିମ ବଂଗ ପଠାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମ୍ଫାନ ମହାବାତ୍ୟା ପଶ୍ଚିମ ବଂଗରେ ଯେଉଁ ବ୍ୟତ୍ପାତ ଘଟାଇଛି ତାହା ହୃଦୟବିଦାରକ । ରାଜ୍ୟକୁ ପୁଣି ଥରେ ଗଢି ତୋଳିବା ଦିଗରେ କେନ୍ଦ୍ର ସରକାର ରାଜ୍ୟ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ଏବଂ ରାଜ୍ୟକୁ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କଲିକତାରୁ ଆସି ଆଜି ଅପରାହ୍ନ ପାଖାପାଖି ୩ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଦୁଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମହାବାତ୍ୟା କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଯାଇଥିଲେ । ଆକାଶ ମାର୍ଗରୁ ସେ ଓଡ଼ିଶାର କ୍ଷତାକ୍ତ ଅବସ୍ଥା ଅନୁଧ୍ୟାନ କରିବା ପରେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରକୁ ଫେରି ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗୀୟ ଶାସନ ସଚିବଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ପଶ୍ଚିମ ବଂଗ ତୁଳନାରେ ଓଡ଼ିଶାରେ କ୍ଷୟକ୍ଷତି କମ୍ ଥିବାରୁ ପରିସ୍ଥିତିର ସାମୟିକ ମୁକାବିଲା ପାଇଁ ରାଜ୍ୟକୁ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ଦିଆଯିବ ବୋଲି ପ୍ରଦାନମନ୍ତ୍ରୀ ଏଠାରେ ଘୋଷଣା କରିଥିଲେ । କରୋନା ସହ ଆମ୍ଫାନ ମହାବାତ୍ୟାର ସଫଳ ମୁକାବିଲାରେ ଓଡ଼ିଶା ସରକାର ସକ୍ଷମ ହୋଇ ଥିବାରୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ରାଜ୍ୟ ପ୍ରଶାସନକୁ ପ୍ରଶଂସା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାବାତ୍ୟା ଆମ୍ଫାନ ମେ’ ୨୦ ତାରିଖ ଅପରାହ୍ନରେ ପଶ୍ଚିମ ବଂଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓଡ଼ିଶାର ୧୦ଟି ଉପକୂଳ ଜିଲ୍ଲାରେ କ୍ଷୟକ୍ଷତି ଘଟାଇ ଥିଲା । ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁବା ପରେ ୧୮୫ କିମି ବେଗରେ କଲିକତା ଆଡେ ମୁହାଁଇ କଲିକତା ସହର ସମେତ ରାଜ୍ୟର ବ୍ୟାପକ ଅଂଚଳରେ ଧ୍ୱସ୍ତର ଲିଳା ଚଳାଇ ଥିଲା । ମହାବାତ୍ୟାରେ ପଶ୍ଚିମ ବଂଗରେ ୭୨ ଜଣଙ୍କ ମୃତ୍ୟୁ ଘଟିଛି । ସେଥିରୁ ୧୫ଟି ମୃତ୍ୟୁ କଲିକତାରେ ଘଟି ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜ୍ୟର କ୍ଷୟକ୍ଷତି ଅନୁଧ୍ୟାନ କରିବା ସମୟରେ ପ୍ରତ୍ୟେକ ମୃତକଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇ ଥିଲେ ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ । ମହାବାତ୍ୟା ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ବଂଗ ଅଭିମୁଖେ ଅଗ୍ରସର ହେଉଥିବା ବେଳେ କେନ୍ଦ୍ର ସରକାର ତାହା ଉପରେ ସତର୍କ ଦୃଷ୍ଟି ରଖି ଥିଲେ । ଉଭୟ ରାଜ୍ୟର ସରକାରଙ୍କ ସହ ଯୋଗାଯୋଗରେ ରହି ଥିଲେ । ଆଗୁଆ ପଦକ୍ଷେପ ନିଆ ଯିବାରୁ କ୍ଷୟକ୍ଷତିର ପରିମାଣ ଯଥାସମ୍ଭବ କମ୍ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବରୁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦ ତାରିଖ ରାଜ୍ୟରେ ମହାବାତ୍ୟାର ମହାପ୍ରଳୟ ଦେଖିବା ପରେ ୨୧ ତାରିଖ ପ୍ରତ୍ୟେକ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେ ତାଙ୍କ ଜୀବନକାଳରେ ଏଭଳି ମହାପ୍ରଳୟ ଦେଖି ନ ଥିଲେ ବୋଲି ମମତା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ପୁଲିସ ଡ଼ିଜି ଅଭୟଙ୍କ ସମେତ ବିଜେପିର କେନ୍ଦ୍ରୀୟ ଉପ ସଭାପତି ବୈଜନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସ୍ୱାଗତ କରିଥିଲେ । ବିମାନ ବନ୍ଦରରେ ପହଂଚିବା ପରେ ସେ କାହାରି ସହିତ ଆଲୋଚନା ନ କରି ସିଧା ଅପେକ୍ଷାରତ ସ୍ୱତନ୍ତ୍ର ବିମାନକୁ ଯାିଥିଲେ । ତାଙ୍କ ପଛେ ପଛେ ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ର ମନ୍ତ୍ରୀ ଆମ୍ଫାନ୍ ମହାବାତ୍ୟାରେ ରାଜ୍ୟରେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ୪ଟି ଜିଲ୍ଲାର ସ୍ଥିତି ଆକାଶ ମାର୍ଗରୁ ବିମାନକୁ ଉଠି ଥିଲେ । ସେଠାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମହାବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ପ୍ରାୟ ଦୁଇ ଘଂଟା କାଳ ଆକାଶ ମାର୍ଗରୁ ୪ ଜିଲ୍ଲାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ପ୍ରଦାନମନ୍ତ୍ରୀ ମୋଦୀ ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ଫେରି ବିମାନ ବନ୍ଦର ଟର୍ମିନାଲ -୧ ପ୍ରଥମ ମହଲାରେ ଥିବା ସ୍ୱତନ୍ତ୍ର ସମ୍ମିଳନୀ ଗୃହରେ ଓଡ଼ିଶା ମହାବାତ୍ୟା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟପା. ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର ଓ ଅନ୍ୟାନ୍ୟ ବିଭାଗୀୟ ଶାସନ ସଚିବମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଦଳ ଓଡ଼ିଶା ଆସି ଓଡ଼ିଶାର କ୍ଷୟକ୍ଷତି ଆକଳନ କରିବା ପରେ ରାଜ୍ୟକୁ ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପଶ୍ଚିମ ବଂଗରେ ମଧ୍ୟ ସେ ସେହି ଏକ କଥା କହିଛନ୍ତି ।
ମହାବାତ୍ୟା ଆମ୍ଫାନ୍ ୨୦ ତାରିଖ ଅପରାହ୍ନରେ ସୁନ୍ଦରବନରେ ଲ୍ୟାଣ୍ଡ୍ ଫଲ୍ କରିବା ପୂର୍ବରୁ ଓଡ଼ିଶା ଉପକୂଳକୁ ଘସି ହୋଇ ଯାଇଥିଲା । ସେତିକିରେ ଓଡ଼ିଶା ଉପକୂଳର ହୁଲିଆ ବଦଳି ଯାଇଛି । ସମୁଦ୍ର ଉପକୂଳବର୍ତୀ ୧୦ଟି ଜିଲ୍ଲାରେ ୧୯ ତାରିଖରୁ ବର୍ଷା ଓ ପବନ ଲାଗି ରହିଥିଲା । ତେବେ, ଆମ୍ପାନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟାଇଛି । ମହାବାତ୍ୟାରେ ଉପକୂଳବର୍ତୀ ୧୦ ଜିଲ୍ଲାର ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏକ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ରାଜ୍ୟର ୮୯ଟି ବ୍ଲକ ଅନ୍ତର୍ଗତ ୧୫୦୦ ପଂଚାୟତର ୬,୭୪୫ ଗ୍ରାମରେ କ୍ଷୟକ୍ଷତି ଘଟିଥିବା ସରକାରୀ ଭାବେ କୁହଯାଇଛି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆକାଶ ମାର୍ଗରୁ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ରାଜ୍ୟରେ ଯେଉଁ ଧରଣର ଫସଲହାନୀ ଘଟିଛି ଏବଂ ବିଦ୍ୟୁତ ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପକୂଳ ଓଡ଼ିଶାରେ ୨୪ ଘଂଟା ଓ ଉତ୍ତର ଓଡ଼ିଶାରେ ୭୨ ଘଂଟା ମଧ୍ୟରେ ବିଦ୍ୟୁତ ସରବରାହ ଚାଲୁ କରିବାକୁ ସେ ଶକ୍ତି ବିଭାଗକୁ ନିର୍ଦେଶ ଦେଇଥିଲେ । ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ଘରଭଂଗା ସର୍ଭେ କାର୍ଯ୍ୟ ସାରିବାକୁ ମଧ୍ୟ ରାଜସ୍ୱ ବିଭାଗକୁ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ରାଜ୍ୟକୁ ୫୦୦ କୋଟି ଟଙ୍କା ଆଗୁଆ ସହାୟତା ଘୋଷଣା କରି ଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS